Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବ୍ଲକ୍‌ରେ ଅନୁଷ୍ଠିତ ହେଲା ମାସର ଶେଷ ମିଳିତ ଜନଶୁଣାଣି ଶିବିର

ଭଣ୍ଡାରିପୋଖରୀ ବ୍ଲକ୍‌ରେ ଅନୁଷ୍ଠିତ ହେଲା ମାସର ଶେଷ ମିଳିତ ଜନଶୁଣାଣି ଶିବିର

70

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ଆୟୋଜନ ନେଇ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଫେବୃୟାରୀ ମାସର ଶେଷ ଶୁଣାଣି ଶିବିର ଆଜି ସୋମବାର ଭଣ୍ଡାରିପୋଖରୀ ବ୍ଲକ୍‌ରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଓ ଏସ୍‌.ପି. ବରୁଣ ଗୁଣ୍ଟୁପାଲ୍ଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୦୪ଟି ଅଭିଯୋଗ ଶୁଣିଥିଲେ। ସେଥି ମଧ୍ୟରୁ ୧୦୦ଟି ବ୍ୟକ୍ତିଗତ ସମସ୍ୟାଭିତ୍ତିକ ଅଭିଯୋଗ ଥିଲା ଓ ମାତ୍ର ୪ଟି ସାମୂହିକ ସମସ୍ୟା ଭିତ୍ତିକ ଥିଲା। ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତୀମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ଭଣ୍ଡାରିପୋଖରୀ ତହସିଲଦାର ସରୋଜ କାନ୍ତ ନାୟକ ଶିବିର ଆୟୋଜନ ଓ ପରିଚାଳନା ନେଇ ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ। ଡ଼େପୁଟୀ କଲେକ୍ଟର ବସନ୍ତ କୁମାର ଲେଙ୍କା ଶିବିରରେ ଅଭିଯୋଗ ଉପସ୍ଥାପନରେ ସହଯୋଗ କରିଥିଲେ। ଜିଲ୍ଲାସ୍ତରୀୟ ଓ ଉକ୍ତ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟରେ ଆବଶ୍ୟକମତେ ଜିଲ୍ଲାପାଳଙ୍କ ଠାରେ ଉତ୍ତର ରଖିଥିଲେ। ଏହି ଶିବିରରେ ସାମାଜିକ ସୁରକ୍ଷା ଯୋଜନାରେ ୨ ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରେ ଜଣଙ୍କୁ ଗୋଟିଏ ତିନିଚକିଆ ସାଇକେଲ ଏବଂ ଅନ୍ୟଜଣଙ୍କୁ ଗୋଟିଏ ହ୍ୱିଲ ଚେୟାର ବଣ୍ଟନ କରାଯାଇଥିଲା। ମଧୁବାବୁ ପେନସନ୍ ଯୋଜନାରେ ନୂତନଭାବେ ୨ଜଣଙ୍କୁ ବାର୍ଦ୍ଧକ୍ୟ ଓ ୨ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରାଯାଇଥିଲା। ଆଗତ ଅଭିଯୋଗ ମଧ୍ୟରେ ସଂଖ୍ୟାଧିକ ଗୃହ ନିର୍ମାଣ ଜନିତ ସହାୟତା ପ୍ରଦାନ ଜନିତ ଥିଲାବେଳେ, ଜବରଦଖଲ ଉଚ୍ଛେଦ, ରାସ୍ତାଘାଟ ମରାମତି, ଧାନ କିଣାରେ ହେରଫେର୍‌, ଅଙ୍ଗନବାଡ଼ିର ଦୁର୍ନୀତି ଆଦି ସମସ୍ୟା ସମ୍ବନ୍ଧରେ ଅଭିଯୋଗ ମାନ ଆସିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.