Home Top News ହକି ନାଁ ରେ କେତେ ଠକିବା ?

ହକି ନାଁ ରେ କେତେ ଠକିବା ?

213

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଗତକାଲି ଆଉ ଗୋଟାଏ ପୁରସ୍କାର ଆଣିବା ପାଇଁ ମୁମ୍ବାଇ ଯାଇଥିଲେ। ହକି ଖେଳକୁ ପ୍ରୋତ୍ସାହନ କରିବା ଓ ଦୁଇ ଥର ହକି ବିଶ୍ୱକପ ଆୟୋଜନ କରିଥିବାରୁ ଏକ ମିଡ଼ିଆ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଗ୍ରହଣ କଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ଦେଲେ ଆମ ଦେଶର କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର। ଶେଷରେ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇଲେ ୧୯୮୩ ମସିହା ବିଶ୍ୱକପ କ୍ରିକେଟ ଚମ୍ପିୟାନ ଦଳର ସଦସ୍ୟଙ୍କ ସହିତ। ଏ କି ପ୍ରକାର ସମ୍ବର୍ଦ୍ଧନା ? ଯାହା ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ଉପୁଜିଛି। ସମ୍ବର୍ଦ୍ଧନା ସଭାରେ କୌଣସି ହକି କିମ୍ଵଦନ୍ତୀଙ୍କୁ ଦେଖିବାକୁ ମିଳିଲା ନାହିଁ।

ଏକଦା ସମୟ ଥିଲା ଭାରତ ହକିରେ ବିଶ୍ୱବିଜେତା ଥିଲା। ଧ୍ୟାନଚାନ୍ଦ, ରୂପ ସିଂ, ବଳବିର ସିଂ ସିନିଅର, ଉଦ୍ଧମ ସିଂ, ଅଶୋକ କୁମାର, ଅଜିତ ପାଲ ସିଂ, କେ. ଡି. ସିଂ ବାବୁ, ଧନରାଜ ପିଲେ, ଦିଲୀପ ତୀର୍କୀ ପରି ବିଶ୍ଵସ୍ତରୀୟ ହକି ଖେଳାଳି ସୃଷ୍ଟି କରି ପାରିଥିଲା। ଆଜି କିନ୍ତୁ ଭାରତୀୟ ହକି ଦଳ ରସାତଳଗାମୀ। ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଲିଗ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇ ପାରୁ ନାହିଁ। ତେଣୁ ଖେଳ ଆୟୋଜନ କରିବାଟା ପ୍ରୋତ୍ସାହନ ନୁହେଁ ବରଂ ଭିତ୍ତିଭୂମି ସୁଦୃଢ କରିବା ଜରୁରୀ। ଭାରତୀୟ ହକି ଦଳର ମୁଖ୍ୟ ପ୍ରୟୋଜକ ହେଉଛି ଆମ odisha। ଓଡ଼ିଶା ମୁଖ୍ୟ ପ୍ରୟୋଜକ ହେବା ପର ଠାରୁ କେତୋଟି ଟୁର୍ଣ୍ଣାମେଣ୍ଟରେ ଭାରତ କ୍ୱାଟର ଫାଇନାଲ ଡେଇଁଛି ? ଖାଲି ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ କଲେ ଯେ ହକିର ପ୍ରୋତ୍ସାହନ କୁହାଯିବ ତାହା କଦାପି ଠିକ ନୁହଁ। କେତେ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିପାରୁଛେ ତାହା ବଡ଼ କଥା। ଯଦି ଆମ ରାଜ୍ୟ ହକିର ମୁଖ୍ୟ ପ୍ରୟୋଜକ ତା ହେଲେ କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ଆଜି ପର୍ଯ୍ୟନ୍ତ କରୁନାହିଁ କାହିଁକି ? ଏକାଧିକ ଘରୋଇ ଟୁର୍ଣ୍ଣାମେଣ୍ଟ କଲେ ସିନା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିବେ। କେବଳ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ କରି ବିଶ୍ୱସ୍ତରୀୟ ନେତା ଓ ପ୍ରଶାସକ କହିବାର ମୂଲ୍ୟ କଣ ? ଓଡ଼ିଶା ଗୋଟିଏ ଦାରିଦ୍ର୍ୟ ସୀମାରେଖା ତଳେ ଗଣାଯାଉଥିବା ରାଜ୍ୟ। ଆର୍ଥିକ ଅସନ୍ତୁଳିତ ଥିବା ରାଜ୍ୟ କୋଟି କୋଟି ଟଙ୍କା ରାଜ୍ୟରାଜକୋଷରୁ ଖର୍ଚ୍ଚ କରି ବିଶ୍ୱସ୍ତରୀୟ ବୋଲଇବା କେତେଦୂର ଯୁକ୍ତି ଯୁକ୍ତ ତାହା ଗୋଟିଏ ବିରାଟ ପ୍ରଶ୍ନବାଚୀ ?

ପୁରୁଷ ପରି ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରୟୋଜକ ମଧ୍ୟ ଆମ ରାଜ୍ୟ ଓଡିଶା। ଖାଲି କାଗଜ ପତ୍ରରେ ମୁଖ୍ୟପ୍ରୟୋଜକ ନା ମହିଳା ହକି ଦଳ ପାଇଁ କିଛି କାମ ହେଉଛି ତାହା ସର୍ବଜନୀକା ହେବା ଜରୁରୀ ବୋଲି କ୍ରୀଡ଼ାବିତମାନେ ମତପୋଷଣ କରୁଛନ୍ତି। ଆମ ଦେଶରେ କ୍ରିକେଟ ସବୁଠାରୁ ଲାଭଦାୟକ ଖେଳ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିଶ୍ୱର ସବୁଠାରୁ ଲାଭଦାୟକ ସଂସ୍ଥା। ଆମ ରାଜ୍ୟର ବାରବାଟୀ ଷ୍ଟାଡିୟମ ସବୁଠାରୁ ପୁରାତନ ଷ୍ଟାଡିୟମ। ଭଲ କ୍ରିକେଟ ମ୍ୟାଚ ଆମେ ଓଡ଼ିଶାକୁ ଆଣି ପାରୁନାହେଁ। ଭଲ କ୍ରିକେଟ ମ୍ୟାଚ ଆସିଲେ ଭଲ ରୋଜଗାର ହେବ।

ଠିକ ଅଛି ଆଜିକା ଦିନରେ ହକି କୁ ଆପଣାଇବା ପାଇଁ କୌଣସି ରାଜ୍ୟ ଆଗଭର ନୁହନ୍ତି। ଆମ ରାଜ୍ୟ ଏହା କରୁଛି ତାହା ଗର୍ବର କଥା। କିନ୍ତୁ ବିଶ୍ଵସ୍ତରୀୟ ଟୁର୍ଣ୍ଣାମେଣ୍ଟ କରିବା ଓ ତାକୁ ପାଥେୟ କରି ପୁରସ୍କାର ଓ ପବ୍ଲିସିଟି ସାଉଣ୍ଟାଇବା କି ପ୍ରକାର ପ୍ରୋତ୍ସାହନ ତାହା ରାଜ୍ୟବାସୀଙ୍କୁ ବୁଝା ପଡୁନାହିଁ।

– ପ୍ରିୟରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.