Home ଜିଲ୍ଲା ପରିକ୍ରମା ବାପାଙ୍କ ଅଧୁରା ସ୍ୱପ୍ନ ପୂରା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ନୂଆ କରି ନିର୍ମାଣ ହେବ...

ବାପାଙ୍କ ଅଧୁରା ସ୍ୱପ୍ନ ପୂରା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ନୂଆ କରି ନିର୍ମାଣ ହେବ ଓ ବଦଳିବ ଧାମନଗର-ଫଳପୁର ରାସ୍ତାର ନକ୍ସା

16

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ପରେ ସରକାର ନେତା ପରେ ନେତା ବଦଳୁ ଥିବା ବେଳେ ବିପର୍ଯ୍ୟସ୍ତ ଧାମନଗର ଫଳପୁର ରାସ୍ତା ର ଭାଗ୍ୟ ବଦଳୁ ନଥିଲା। ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ଙ୍କ ଉଦ୍ୟମ ଫଳରେ ଉକ୍ତ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରେ ଅନ୍ତର୍ଭୁକ୍ତ କରାଯାଇ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨୧ ବର୍ଷ ହେବ ଉକ୍ତ ରାସ୍ତା କାର୍ଯ୍ୟ ସରି ପାରିଲା ନାହିଁ। ହେଲେ ପ୍ରତିବର୍ଷ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ମରାମତି ନାମରେ ଖର୍ଚ୍ଚ ଚାଲିଚି। ବିଳମ୍ୱ ରେ ହେଲେବି ବର୍ତମାନ ର ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଦୃଷ୍ଟି ପଡିଛି। ଧାମନଗର-ଫଳପୁର ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ପକ୍ଷରୁ ୨୯ କୋଟି ଟଙ୍କା ମଞ୍ଜୁର ହୋଇଛି। ରାସ୍ତା ନିର୍ମାଣ ଲାଗି ବିଭାଗ ପକ୍ଷରୁ ନକ୍ସା ପ୍ରସ୍ତୁତ ହୋଇ ସାରିଥିବାବେଳେ ଏବେ ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହେଉଛି। ଡିପିଆର ତିଆରି ହୋଇଗଲା ପରେ ଟେଣ୍ଡର ପ୍ରକ୍ରିୟାକୁ ଯିବ ବୋଲି ବିଭାଗ ପକ୍ଷରୁ ସୁଚନା ମିଳିଛି। ତେବେ ଏହି ରାସ୍ତା ନିର୍ମାଣର ମୂଳ ଲକ୍ଷ୍ୟ ହେଲା ବନ୍ୟା ସମୟରେ ଜାହାଙ୍ଗୀର-ଫଳପୁର, ବାଘୁଆରି, ପାଟୁଳୀ, ରାମେଶ୍ୱରପୁର ଅଂଚଳ ଧାମନଗର ସହ ଯୋଗାଯୋଗ ବିଛିନ୍ନ ହେବନାହିଁ ବୋଲି ପୂର୍ତ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି। ଧାମନଗର-ଫଳପୁର ରାସ୍ତାଟି ଦୀର୍ଘ ବର୍ଷ ହେବ ବିପର୍ଯ୍ୟସ୍ତ ହୋଇ ପଡ଼ିରହିଥିଲା। ପ୍ରତି ବର୍ଷ ବନ୍ୟା ଓ ଭାରି ଯାନ ଚଳାଚଳ ଯୋଗୁଁ ଏହାନଷ୍ଟ ହୋଇଯାଇଥିଲା। ବନ୍ୟା ପରେପରେ ପାଣି ଜମି ରହିବା ସହ ବଡ଼ ଗାଡ଼ି ଚାଲିବାରୁ ରାସ୍ତା ସଂପୂର୍ଣ୍ଣ ନଷ୍ଟ ହୋଇଥିଲା। ମାତ୍ର ୭ କିଲୋମିଟର ଲମ୍ବର ରାସ୍ତା ପାର ହେବାକୁ ଘଂଟା ଘଂଟା ସମୟ ଲାଗି ଯାଉଥିଲା। ଆବଶ୍ୟକ ସମୟରେ ଦମକଳ କି ଆମ୍ବୁଲାନ୍ସ ଚଳାଚଳ କରିବା ସମ୍ଭବ ହେଉନଥିଲା। କରଦା, ପଧାନି, ଦଳାଙ୍ଗ, ଅର୍ଜ୍ଜୁନପୁର, ଭଟ୍ଟସାହି ଓ ନଦୀଗାଁ ପଂଚାୟତର ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତା ଖରାପ କାରଣରୁ ବହୁ ଲୋକ ହଇରାଣ ମଧ୍ୟ ହୁଅନ୍ତି। ଏ ରାସ୍ତା ସମସ୍ୟା ନେଇ ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀ ୨୦୨୦ ଫେବ୍ରୁଆରି ରେ ବିଧାନସଭାର ବଜେଟ ଅଧିବେଶନରେ ଉଠାଇଥିଲେ। ରାସ୍ତା ନିର୍ମାଣ ଲାଗି ଦାବି କରିଥିଲେ। ହେଲେ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଉତର ଦେଇଥିଲେ ଯେ, ରାସ୍ତା ମରାମତି ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହି ରାସ୍ତା ନିର୍ମାଣ ନିମ୍ନମାନର ହେବାରୁ ବର୍ଷକ ମଧ୍ୟରେ ତାହା ନଷ୍ଟ ହୋଇଯାଇଥିଲା।ସେବେଠାରୁ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ି ରହିଥିଲା। ବିଷ୍ଣୁଙ୍କ ପରେ ତାଙ୍କ ପୁଅ ଶ୍ରୀମାନ ସୂର୍ଯ୍ୟବଂଶୀ ସୂରଜ ବିଧାୟକ ହୋଇଥିଲେ। ଏହି ରାସ୍ତା ସଂପର୍କରେ ସେ ମଧ୍ୟ ୨୦୨୩ ଫେବ୍ରୁଆରି ରେ ହୋଇଥିବା ବଜେଟ୍ ଅଧିବେଶନରେ ଉଠାଇଥିଲେ। ତତ୍କାଳୀନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଏହି ରାସ୍ତାର ପୁନଃ ନିର୍ମାଣ କରାଯିବ ବୋଲି କହିଥିଲେ। ହେଲେ ୨୦୨୪ ନିର୍ବାଚନ ସରିବା ଯାଏ କିଛି ପଦକ୍ଷେପ ନିଆଯାଇନଥିଲା। ପରେ ଧାମନଗର ରୁ ନିର୍ବାଚିତ ହୋଇ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ ସୁରଜ। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବା ଲାଗି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଥମେ ଏ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୂର୍ତ ବିଭାଗକୁ ହସ୍ତାନ୍ତର କରାଇଥିଲେ। ତା ପରେ ସଂପୂର୍ଣ୍ଣ ଭାବେ ନୁଆକରି ନିର୍ମାଣ କରିବା ଲାଗି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ତ ବିଭାଗ ଏନେଇ ପ୍ରସ୍ତାବ ରଖିବା ପରେ ପ୍ରାୟ ୨୯ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରିବା ଲାଗି ପ୍ରାଶାସନିକ ଅନୁମୋଦନ ଲୋଡ଼ିଥିଲେ। ରାସ୍ତାରେ ୪ ଟି ବକ୍ସେଲ କଲ ଭର୍ଟ ସହ ନୁଆ କରି ନିର୍ମାଣ କରିବା। ରାସ୍ତା ୨୦ ଫୁଟ ଚଉଡ଼ା ସହ ପ୍ରାୟ ୪ ଫୁଟ ଉଚ୍ଚତା ରେ ରାସ୍ତା ନିର୍ମାଣ କରାଯିବା ଲାଗି ଅନୁମୋଦନ ମିଳିଛି । ତେବେ ଦୀର୍ଘ ଦିନର ଦାବି ପରେ ଉକ୍ତ ରାସ୍ତା ର ନକ୍ସା ବଦଳି ଯିବବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.