Home ଓଡ଼ିଶା ବସ୍ ଭଡ଼ା ବୃଦ୍ଧି : ବେଡ଼ି ଉପରେ କୋରଡ଼ା ମାଡ଼ – ପ୍ରତ୍ୟାହାର କରିବାକୁ ସମାଜବାଦୀ...

ବସ୍ ଭଡ଼ା ବୃଦ୍ଧି : ବେଡ଼ି ଉପରେ କୋରଡ଼ା ମାଡ଼ – ପ୍ରତ୍ୟାହାର କରିବାକୁ ସମାଜବାଦୀ ପାର୍ଟିର ଦାବି

527

ଭୁବନେଶ୍ୱର, ୧୧ା୦୭ (ଓଡ଼ିଆ ପୁଅ) : ଗତ ୫ ତାରିଖ ଦିନ ସଂସଦରେ ଆଗତ ‘ନୂଆ ଭାରତର ବଜେଟ୍ -୨୦୧୯’ ରେ କେନ୍ଦ୍ର ସରକାର ସେସ୍ ଓ ଅତିରିକ୍ତ ଶୁଳ୍କ ବାବଦରେ ୨ ଟଙ୍କା ବୃଦ୍ଧି କରିବା ଫଳରେ ଡିଜେଲ୍ ଦର ଲିଟର ପିଛା ଓଡ଼ିଶାରେ ୨ ଟଙ୍କା ୩୦ ପଇସା ବୃଦ୍ଧି ପାଇଛି। ଏହା କେବଳ ଓଡ଼ିଶା ପାଇଁ ନୁହେଁ ସମଗ୍ର ଭାରତ ବର୍ଷରେ ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ୨ଟଙ୍କା ୫୦ ପଇସା ଓ ୨ଟଙ୍କା ୩୦ ପଇସା ବୃଦ୍ଧି ଘଟିଛି। କିନ୍ତୁ ଅନ୍ୟ କୌଣସି ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ପାଇନଥିଲା ବେଳେ ଆଜି ହଠାତ୍ ଆଗାମୀ କାଲିର ବାହୁଡ଼ା ଓ ପରଦିନ ସୁନାବେଶ ପୂର୍ବରୁ ରାଜ୍ୟ ସରକାର ବସ୍ ମାଲିକମାନଙ୍କ ଚାପ ଆଗରେ ଆତ୍ମସମର୍ପଣ କରି ହଠାତ୍ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ପିଛା କିଲୋମିଟରରେ ୧ ପଇସା ଓ ଡିଲକ୍ସ ଓ ଏ.ସି. ଡିଲକ୍ସରେ କିଲୋମିଟର ପିଛା ୨ ପଇସା ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ଏହାଫଳରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଓ ସୁନାବେଶ ଦେଖିବାକୁ ଯାଉଥିବା ଲକ୍ଷଲକ୍ଷ ଯାତ୍ରୀ ବସ୍ ମାଲିକଙ୍କ ଶୋଷଣର ଶିକାର ହେବେ। ଏହା ସମ୍ପୂର୍ଣ୍ଣ ଭାବରେ ଅଯୌକ୍ତିକ ଓ ଜନବିରୋଧି ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ସରକାର ଯଦି ଏହି ବସ୍ ଭଡ଼ା ବୃଦ୍ଧିକୁ ଅବିଳମ୍ବେ ପ୍ରତ୍ୟାହାର ନ କରନ୍ତି ତା’ହେଲେ ଏହା ବିରୁଦ୍ଧରେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତି ଜରୀଆରେ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ବସ୍ ଭଡ଼ା ବୃଦ୍ଧି ପାଇବା ପରେ ଅଟୋ ଏବଂ ଟାଉନ୍ ବସ୍ ଭଡ଼ା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଗୋଟିଏ ପଟେ ପେଟ୍ରୋଲ୍ ଓ ଡିଜେଲ୍ ଶୁଳ୍କ ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ଆକାଶଛୁଆଁ ହୋଇଛି। ତା’ସାଙ୍ଗକୁ ବସ୍ ଭଡ଼ା ବୃଦ୍ଧି ‘ବେଡ଼ି ଉପରେ କୋରଡ଼ାମାଡ଼’ ସଦୃଶ। ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ତୁରନ୍ତ ଏହି ବସ୍ ଭଡ଼ା ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, ବସ୍ ଭଡ଼ା ବୃଦ୍ଧି ପାଇବା ଫଳରେ ପୂର୍ବରୁ ସାଧାରଣ ବସ୍ ରେ କିଲୋମିଟର ପିଛା ୬୮ ପଇସା ଦେବାକୁ ପଡ଼ୁଥିଲା ବେଳେ ତାହା ୬୯ ପଇସା, ଏକ୍ସପ୍ରେସ୍ ବସ୍ ରେ ଭଡ଼ା ୭୧ ପଇସାରୁ ବୃଦ୍ଧି ପାଇ ୭୨ ପଇସା, ଡିଲକ୍ସ ବସ୍ ରେ କିଲୋମିଟର ପିଛା ୯୭ ପଇସାରୁ ବୃଦ୍ଧି ପାଇ ୯୯ ପଇସା ଏବଂ ଏ.ସି. ଡିଲକ୍ସ ବସ୍ ରେ ପୂର୍ବଭଡ଼ା ୧ଟଙ୍କା ୧୯ପଇସା ଥିଲାବେଳେ ଏହା ବୃଦ୍ଧି ପାଇ କିଲୋମିଟର ପିଛା ୧ ଟଙ୍କା ୨୧ ପଇସା ହେବାକୁ ଯାଉଛି। ତେଣୁ ଅନ୍ୟ କୌଣସି ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିନଥିଲା ବେଳେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରି ହଠାତ୍ ବସ୍ ଭଡ଼ା ବୃଦ୍ଧି କରିବା ସମ୍ପୂର୍ଣ୍ଣ ଅଯୌକ୍ତିକ ଓ ଜନବିରୋଧି ବୋଲି ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.