Home Top News ପଶ୍ଚିମ ଓଡିଶାରେ ୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ : ଆଉ ୯ଟି ପ୍ରକଳ୍ପ ପାଇଁ...

ପଶ୍ଚିମ ଓଡିଶାରେ ୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ : ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ

32

– ପ୍ରାୟ ୫୦ କୋଟି ଟଙ୍କାର ପ୍ରକଳ୍ପ
– ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚିତ
– ଆଗାମୀ ମେକ୍‌ଇନ୍‌ଓଡିଶା କନ୍‌କ୍ଲେଭରେ ଶିଳ୍ପ ପାଇଁ ଏକ Special Initiative package ଘୋଷଣା କରାଯିବ
– ୨୦୦୦ରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ କରାଯାଇଛି
– ଆଞ୍ଚଳିର ବୈଷମ୍ୟ ଦୂର କରିବା ପାଇଁ ଆମେ କାମ କରୁଛୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୨୧/୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ପାଇଁ ୯ଟି ପ୍ରକଳ୍ପ ଲୋକାର୍ପିତ କରିଥିବା ବେଳେ ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖିଛନ୍ତି।

ଲୋକାର୍ପିତ ୯ଟି ପ୍ରକଳ୍ପ ପାଇଁ ୧୪.୬୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଭିତ୍ତିପ୍ରସ୍ତର ରଖାଯାଇଥିବା ୯ଟି ପ୍ରକଳ୍ପର ମୂଲ୍ୟ ୩୩.୬୮ କୋଟି ଟଙ୍କା। ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭ କୋଟି ଟଙ୍କା ବିନିଯୋଗ କରାଯାଉଛି। ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ସ୍କୁଲ, କଲ୍ୟାଣ ମଣ୍ଡପ, Sports Complex ଆଦିର ବିକାଶ ସହିତ କୋମନା ଠାରେ ଏକ ମିଲେଟ୍‌ପ୍ରକ୍ରିୟାକରଣ ପ୍ରକଳ୍ପ ରହିଛି। ସେହିପରି ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମାନଙ୍କ ମଧ୍ୟରେ ଇକୋ ଟୁରିଜିମ, ଭିତ୍ତିଭୂମି, ଇକୋ ପାର୍କ, ଷ୍ଟାଡିଅମ, ହସ୍ତତନ୍ତ ମଲ୍‌ଆଦିର ବିକାଶ କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶ ଉପରେ ଗୁରୁତ୍ବ ଦେଇ କାମ କରୁଛନ୍ତି। ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି। ଗତବର୍ଷ ପରିଷଦର annual grantକୁ ୧୦୦ କୋଟିରୁ ୨୦୦ କୋଟିକୁ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଅଧିକ ପ୍ରକଳ୍ପ ହାତକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିଛି।

ପଶ୍ଚିମ ଓଡିଶାର ବିକାଶ ପାଇଁ ଭିତ୍ତିଭୂମି ସହିତ କୃଷି, ଜଳସେଚନ ଓ ଶିଳ୍ପ ଉପରେ ଆମେ ବିଶେଷ ଜୋର ଦେଉଛୁ। ତାସହିତ ପର୍ଯ୍ୟଟନ ଓ ହସ୍ତତନ୍ତ ଆଦିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି। ସେହିପରି ହରିଶଙ୍କର, ନୃସିଂହନାଥ ଓ ମା ସମଲେଇ କ୍ଷେତ୍ରର ବିକାଶ ପାଇଁ ମଧ୍ୟ କାମ ଚାଲିଛି ବୋଲି ସେ କହିଥିଲେ।

ବିଜୁ ଏକ୍‌ସପ୍ରେସ୍‌ୱେର ପଶ୍ଚିମ ଓଡିଶା କରିଡର କାମ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହାଦ୍ବାରା ଏଠାରେ ଅର୍ଥନୈତିକ ପ୍ରକ୍ରିୟା ତ୍ବରାନ୍ବିତ ହେବ। ଆଗାମୀ ମେକ୍‌ଇନ୍‌ଓଡିଶା କନ୍‌କ୍ଲେଭରେ ଶିଳ୍ପ ପାଇଁ ଏକ Special Initiative package ଘୋଷଣା କରାଯିବ ବୋଲି ସେ କହିଥିଲେ।

ପଶ୍ଚିମ ଓଡିଶାରେ ବିକାଶ ରଥକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କରିଥିଲେ।

ଏହି ଅବସରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମର ଉଚ୍ଚପ୍ରଶଂସା କରିବା ସହିତ ରାଜ୍ୟର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଂପର୍କରେ ବର୍ଣ୍ଣନା କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଛନ୍ତି ଓ ପରିଷଦର ମାର୍ଗଦର୍ଶନ କରିଛନ୍ତି। ପରିଷଦ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲାର Baseline Economic Data ରଖାଯାଇଛି ଏବଂ ବିଭିନ୍ନ ଅଞ୍ଚଳର ମୌଳିକ ସୁବିଧା ଆସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ନିର୍ମାଣ କରାଯାଉଛି। ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲାଯାଇଛି ବୋଲି ସେ କହିଥିଲେ। ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଶ୍ରୀ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ପଶ୍ଚିମ ଓଡିଶାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.