Home ଓଡ଼ିଶା ନିର୍ମାଣ ଶ୍ରମିକଙ୍କ ସମସ୍ୟା ଉପରେ ସିଏଫଏଆର ପକ୍ଷରୁ ଜନଶୁଣାଣି

ନିର୍ମାଣ ଶ୍ରମିକଙ୍କ ସମସ୍ୟା ଉପରେ ସିଏଫଏଆର ପକ୍ଷରୁ ଜନଶୁଣାଣି

151

ଭୁବନେଶ୍ୱର, ୩୦।୭।୨୦୧୯ (ଓଡ଼ିଆ ପୁଅ) – ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ କରିଥିବା ଯୋଜନାର ସୁଫଳ ଦଲାଲମାନଙ୍କ ଯୋଗଁ ମିଳି ପାରୁ ନାହାଁନ୍ତି। ଦଲାଲ ମାନେ ଶ୍ରମିକମାନଙ୍କୁ ଶେଶଷଣ କରୁଛନ୍ତି। ଏଥିପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂହ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରର ଗରିବ ବସ୍ତିବାସିନ୍ଦାଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଂଟର ଫର ଆଡ୍ଭୋକେସି ଆଣ୍ଡ ରିସର୍ଚ୍ଚ(ସିଏଫଏଆର) ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଅତ୍ୟତମ ଜୁରୀ ଭାବେ ଯୋଗ ଦେଇ ଶ୍ରୀ ସିଂହ ଏହା କହିଛନ୍ତି।

ସୂଚନାଯୋଗ୍ୟ ଯେ, ସିଏଫଏଆର ପକ୍ଷରୁ ଏହାର ୩ଟି ପ୍ରକଳ୍ପ ଅଂଚଳ ଯଥା କାରଗିଲ ବସ୍ତି, କେଳାସାହି ଓ ପଳାସପଲ୍ଲୀ ବସ୍ତିରେ ରହୁଥିବା ନିର୍ମାଣ ଶ୍ରମିକମାନଙ୍କୁ ନେଇ ଏହି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଏଫଏଆର ପକ୍ଷରୁ ସମୀର ରଞ୍ଜନ ଦାଶ ପ୍ରଥମେ ସମସ୍ତ ଅତିଥି, ଜୁରୀ ସଦସ୍ୟ ଓ ଅଂଶଗ୍ରଣକାରୀ ନିର୍ମାଣ ଶ୍ରମିକଙ୍କୁ ସ୍ୱାଗତ କରିଥିଲେ। ପରେ ସିଏଫଏଆର ପ୍ରକଳ୍ପ ସଂଯୋଜିକା ରୋଜାଲିନ୍ ପଟ୍ଟନାୟକଏହି ଜନଶୁଣାଣିର ଆଭିମୁଖ୍ୟ ଓ ସିଏଫଏଆର ପକ୍ଷରୁ କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଆଇନ୍ ଓ ସେସ୍ ଆଇନ୍ ୧୯୯୬ କିପରି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ କରାଯାଇଥିବା ସର୍ଭେର ଏକ ତଥ୍ୟ ଉପସ୍ଥାପନ କରିଥିଲେ। ଶ୍ରୀମତୀ ପଟ୍ଟନାୟକ ଏ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ, ସିଏଫଏଆର ପକ୍ଷରୁ କାରଗିଲ ବସ୍ତିରୁ ୮୦ ଜଣ, କେଳାସାହିରୁ ୪୫ ଜଣ ଓ ପଲାସପଲ୍ଲୀରୁ ୧୫ ଜଣ ମୋଟ୍ ୧୪୦ ଜଣ ନିର୍ମାଣ ଶ୍ରମକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ସେଥିରୁ ଜଣାଯାଇଥିଲା ଯେ, ୧୪୦ଜଣଙ୍କ ମଧ୍ୟରୁ ମାତ୍ର ୧୦୧ ଜଣ (କାରଗିଲ ବସ୍ତିର ୭୧ ଜଣ, କେଳାସାହିର ୧୯ ଜଣ, ପଲାସପଲ୍ଲର ୧୧ ଜଣ) କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଆଇନ୍ ଓ ସେସ୍ ଆଇନ୍ ୧୯୯୬ ରେ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି। ପଞ୍ଜିକୃତ ୧୦୧ ଜଣଙ୍କ ମଧ୍ୟରୁ ମାତ୍ର ୬୪ ଜଣ (କାରଗିଲ ବସ୍ତିରୁ ୪୮, କେଳାସାହିରୁ ୫ ଓ ପଳାସପଲ୍ଲରୁ ୧୧ ଜଣ) ଅର୍ଥାତ ୬୩.୩୬ ପ୍ରତିଶତ ଶ୍ରମିକ ସେମାନଙ୍କ ଶ୍ରମିକ କାର୍ଡର ନବୀକରଣ କରିଛନ୍ତି। ସେହିପରି ମାତ୍ର ୧୬ ଜଣ ଶ୍ରମିକ ଅର୍ଥାତ ୧୧.୪୨ ପ୍ରତିଶତ ଶ୍ରମିକ ର୍ନିର୍ମାଣ ଶ୍ରମିକଙ୍କ ପାଇଁ ଉଦିଷ୍ଟ ସାଇକେଲ, ସୁରକ୍ଷା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ପାଇଛନ୍ତି। ଶ୍ରୀମତୀ ପଟ୍ଟନାୟକ କହିଥିଲେ ଯେ, ଏତେ କମ୍ ସଂଖ୍ୟକ ଶ୍ରମିକ କାର୍ଡ ନବୀନକରଣର କାରଣ ହେଉଛି ଏ ଦିଗରେ ସଚେତନତାର ଅଭାବ ବା ଏ ନେଇ ଶ୍ରମିକମାନଙ୍କ ମଧ୍ୟରେ ରହିଥିବା ଅଜ୍ଞତା। ଏତଦ୍ବ୍ୟତୀତ ବାରମ୍ବାର ଦୌଡ଼ି ଦୌଡ଼ି ଓ ଟଙ୍କା ଖର୍ଚ୍ଚ କରି ମଧ୍ୟ କାର୍ଡ ନବୀକରଣ କରି ନ ପାରବାର ହତାଶାବୋଧ ସହିତ ନବୀକରଣ କରାଇଦେବା, ଯୋଜନାର ଲାଭ ଦେବା ନେଇ ଦଲାଲମାନଙ୍କ ଶୋଷଣ ମଧ୍ୟ କେତୋଂଶରେ ଦାୟୀ।

ଏହି ଅବସରରେ ଶ୍ରମିକ କାର୍ଡ ସମସ୍ୟା ନେଇ ୧୫ ଜଣ ନିର୍ମାଣ ଶ୍ରମିକ ଜୁରୀଙ୍କ ନିକଟରେ ସେମାନଙ୍କ ଦୁଃଖ ବଖାଣିଥିଲେ। ଏ ସମସ୍ତ ଅଭିଯୋଗ ଓ ସାକ୍ଷ୍ୟର ଶୁଣାଣି କରି ଜୁରୀ ସଦସ୍ୟ ସିଏସ୍ଏଫ୍ଏଚ୍ଆର୍ ସଂଯୋଜକ ଶ୍ରୀ ଧୀରେନ୍ଦ୍ର ପଣ୍ଣା କହିଥିଲେ ଯେ, କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କ ଅଧିକାର ଓ ଉପଲବ୍ଧ ସରକାରୀ ସୁବିଧାସୁଯୋଗ ସମ୍ପର୍କରେ ଆହୁରି ସଚେତନତାର ଆବଶ୍ୟକତା ରହିଛି। ମାନବାଧିକାର କର୍ମୀ ଶ୍ରୀ ସଚ୍ଚୀକାନ୍ତ ପ୍ରଧାନ, କାର୍ଡର ନିର୍ଦ୍ଦେଶିକା ଶ୍ରୀମତୀ ମଞ୍ଜୁପ୍ରିୟା ଧଳ ପ୍ରମୁଖ ଏହି ଜନଶୁଣାଣିରେ ଜୁରୀ ସଦସ୍ୟଭାବେ ଯୋଗ ଦେଇ ସେମାନଙ୍କ ମତାମତ ଓ ପରାମର୍ଶ ଦେଇଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜନଶୁଣାଣିରେ ଆସିଥିବା ଅଭିଯୋଗ ଓ ସମସ୍ୟାର ସମାଧାନ କରିବାକୁ ଉପସ୍ଥିତ ସରକାରୀ ଅଧିକାରୀ, କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟମାନେ ପ୍ରତିଶ୍ରୁତି ଦେଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ଭାରତରେ ପ୍ରାୟ ୯୪ ପ୍ରତିଶତ ଶ୍ରମିକ ଅଣସଙ୍ଗଠିତ ଓ ନିର୍ମାଣ ଶ୍ରମିକଭାବେ କାର୍ଯ୍ୟ କରନ୍ତି। ଏ କ୍ଷେତ୍ରରେ ଭାରତ ସରକାରଙ୍କ ପକ୍ଷରୁ ପ୍ରଣିତ କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଆଇନ୍ ୧୯୯୬ ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ଲାଗି କାର୍ଯ୍ୟ କରୁଛି। ତେବେ ଓଡ଼ିଶାରେ ଏ ନେଇ ୨୦୦୨ ମସିହାରେ ନିୟମ ପ୍ରଣୟନ କରାଯାଇଥିିବା ବେଳେ ବାସ୍ତବ କ୍ଷେତ୍ରରେ ୨୦୦୯ ମସିହାରେ, ଅର୍ଥାତ ପ୍ରାୟ ୧୩ ବର୍ଷ ବିଳମ୍ବରେ ଏହା କାର୍ଯାରମ୍ଭ କରିଛି। ଓଡ଼ିଶା ସରକାର ଦାବି କରନ୍ତି ଯେ ପ୍ରାୟ ୨୫ ଲକ୍ଷ ନିର୍ମାଣ ଶ୍ରମିକ ଏହି ଆଇନ ଅନୁଯାୟୀ, ନିଜ ନାମ ପଞ୍ଜିକୃତ କରିଛନ୍ତି। କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଆଇନ୍ ୧୯୯୬ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ପ୍ରକାର ସହାୟତା ଓ ସହଯୋଗ ଯଥା ଦୁର୍ଘଟଣା ଜନିତ ସହାୟତା (ବିକଳାଙ୍ଗ, ମୃତ୍ୟୁଜନିତ ସହାୟତା, ଡାକ୍ତରୀ ଚିକିତ୍ସା ସୁବିଧା), ଶ୍ରମିକଙ୍କ ପିଲାମାନଙ୍କ ଶିକ୍ଷା ପାଇଁ ସହାୟତା, ମହିଳା ନିର୍ମାଣ ଶ୍ରମକଙ୍କ ପାଇଁ ମାତୃତ୍ୱଜନିତ ସୁବିଧା, ସାଇକେଲ, ସୁରକ୍ଷା ଉପକରଣ ଓ ଯନ୍ତ୍ରପାତି କିଣିବା ପାଇଁ ଆର୍ଥିକ ସହାୟତା, ଗୃହନିର୍ମାଣ ପାଇଁ ସହାୟତା ସହିତ ଦକ୍ଷତା ବିକାଶ ପାଇଁ ଷ୍ଟାଇପେଣ୍ଡ୍ ଆଦି ବିଭିନ୍ନ ସହାୟତା ଯୋଗାଇ ଦେବାରେ ବ୍ୟବସ୍ଥା ରହିଛି।

ଜୁରୀମାନଙ୍କ ମତାମେତକୁ ନେଇ ଶ୍ରୀମତୀ ଉଷାରାଣୀ ବେହେରା ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ପରେ ସିଏଫଏଆର କ୍ଷେତ୍ର ସଂଯୋଜିକା ଶୁଶ୍ରୀ କୃଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଏହି ଜନଶୁଣାଣିର ପରିସମାପ୍ତିି ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.