Home ଓଡ଼ିଶା ଜମ୍ମୁ ଓ କାଶ୍ମୀର ଏବଂ ଅଧିକୃତ କାଶ୍ମୀର ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ରଦ୍ଦ

ଜମ୍ମୁ ଓ କାଶ୍ମୀର ଏବଂ ଅଧିକୃତ କାଶ୍ମୀର ମଧ୍ୟରେ ସୀମାପାର ବାଣିଜ୍ୟ କାରବାର ରଦ୍ଦ

847

ନୂଆ ଦିଲ୍ଲୀ ୧୮-୪ (ଓଡ଼ିଆ ପୁଅ) ୧୯.୦୪. ୨୦୧୯ ତାରିଖ ଠାରୁ ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଚାଲୁଥିବା ବାଣିଜ୍ୟ କାରବାରକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ରଦ୍ଦ କରାଯାଇଛି। ସୀମାପାର ବାଣିଜ୍ୟ ପଥକୁ ପାକିସ୍ତାନରେ ଥିବା ତତ୍ୱମାନେ ବେଆଇନ ଅସ୍ତ୍ରଶସ୍ତ୍ର, ମାଦକଦ୍ରବ୍ୟ ଏବଂ ଜାଲନୋଟ ଆଦି କାରବାର ସକାଶେ ଅପବ୍ୟବହାର କରୁଛନ୍ତି ରିପୋର୍ଟ ପାଇବା ପରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ବାଣିଜ୍ୟ ମାର୍ଗକୁ ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ ଯେ ନିୟନ୍ତ୍ରଣ ରେଖା ଦେଇ ଜମ୍ମୁ କାଶ୍ମୀର ସୀମାର ଉଭୟ ପାଶ୍ୱର୍ରେ ଥିବା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାରକୁ ସୁବିଧାରେ ଉପଲବ୍ଧ କରିବା ନିମନ୍ତେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଦ୍ରବ୍ୟ କାରବାର ଦୁଇଟି ବାଣିଜ୍ୟ ସୁବିଧା କେନ୍ଦ୍ର ଦେଇ କରାଯାଇଥାଏ। ସେଗୁଡ଼ିକ ହେଲା ବାରମୁଳା ଜିଲ୍ଲାର ଉରିସ୍ଥିତ ସଲାମାବାଦ ଏବଂ ପୁଂଛ ଜିଲ୍ଲାର ଚକ୍କାନ- ଦା- ବାଗ। ସପ୍ତାହକୁ ଚାରିଦିନ ପାଇଁ ଏହି ମାର୍ଗ ଦେଇ ଉଭୟ ପଟୁ ବାଣିଜ୍ୟ କାରବାର କରାଯାଇଥାଏ। ଏହିସବୁ ଦ୍ରବ୍ୟ ମୁଖ୍ୟତଃ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସାମଗ୍ରୀର ଦେଣନେଣ ଏବଂ ନିଃଶୁଳ୍ପ ଭିତିରେ କରାଯାଇଥାଏ।

କିନ୍ତୁ, ସରକାରଙ୍କୁ ସୂଚନା ମିଳିଛି ଯେ ନିୟନ୍ତ୍ରଣ ରେଖାରେ ହେଉଥିବା ଏହି ବାଣିଜ୍ୟ ବ୍ୟବସ୍ଥାକୁ ବ୍ୟାପକ ଭାବେ ଅପବ୍ୟବହାର କରାଯାଉଛି। ଜଣାପଡ଼ିଛି ଯେ ବାଣିଜ୍ୟ ଏହାର ସତା ହରାଇଛି ଏବଂ ଅଧିକତର ଭାବେ ତୃତୀୟ ପକ୍ଷ ବାଣିଜ୍ୟ ଏବଂ ଅପଶକ୍ତି ତଥା ଜାତୀୟତା ବିରୋଧୀ ତତ୍ୱ ମାନଙ୍କ ଦ୍ୱାରା ଏହି ପଥକୁ ମାଧ୍ୟମ ଭାବ ବ୍ୟବହାର କରାଯାଉଛି ଓ ସେମାନେ ଏହି ପଥ ଦେଇ ହୱାଲା ଅର୍ଥ, ମାଦକଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର କାରବାର କରୁଛନ୍ତି। ବାଣିଜ୍ୟ କାରବାରକୁ ସେମାନେ ବାହାନା ରୂପେ ଉପଯୋଗ କରୁଛନ୍ତି।

ଏନଆଇଏ (ଜାତୀୟ ଅନୁସନ୍ଧାନ ଏଜେନ୍ସି)ଙ୍କ ଦ୍ୱାରା ସେଠାରେ ଚାଲିଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସେଠାରେ କାର୍ଯ୍ୟ କରୁଥିବା ଅଧିକତର ନିୟନ୍ତ୍ରଣ ରେଖାର ବାଣିଜ୍ୟ ସଂସ୍ଥାଙ୍କର ନିଷିଦ୍ଧ ଆତଙ୍କବାଦୀ ସଂଗଠନମାନଙ୍କ ସହ ଘନିଷ୍ଠ ଯୋଗସୂତ୍ର ରହିଛି। ଏହି ସବୁ ସଂଗଠନମାନେ ଆତଙ୍କବାଦ/ ବିଚ୍ଛିନ୍ନତାବାଦ ସହ ସଂପୃକ୍ତ ଅଛନ୍ତି। ଅନୁସନ୍ଧାନରୁ ଆହୁରି ଜଣାପଡ଼ିଛି ଯେ କେତେକ ବ୍ୟକ୍ତିବିଶେଷ, ଯେଉଁମାନେ ପାକିସ୍ତାନକୁ ଯାଇଛନ୍ତି ଏବଂ ସେଠାରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ସେମାନେ ପାକିସ୍ତାନରେ ବାଣିଜ୍ୟ ସଂସ୍ଥାମାନ ଆରମ୍ଭ କରିଛନ୍ତି। ସେହିସବୁ ବାଣିଜ୍ୟ ସଂସ୍ଥାଗୁଡ଼ିକ ଆତଙ୍କବାଦୀ ସଂଗଠନମାନଙ୍କ ନିୟନ୍ତ୍ରଣରେ ରହିଛି ଏବଂ ସେମାନେ ଏବେ ନିୟନ୍ତ୍ରଣ ରେଖାରେ ବାଣିଜ୍ୟ କାରବାରରେ ଲିପ୍ତ ଅଛନ୍ତି।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ଠାରୁ ସବୁଠାରୁ ଅନୁଗୃହୀତ ରାଷ୍ଟ୍ର (ଏମଏନଏଫ) ମାନ୍ୟତା ଓହରାଇ ନେଇଥିଲା। ସେତେବେଳେ ସୂଚନା ମିଳିଥିଲା ଯେ ପରିଣାମତଃ ଏଭଳି ଉଚ୍ଚତର ଟିକସକୁ ଏଡ଼ାଇବା ସକାଶେ, ନିୟନ୍ତ୍ରଣ ରେଖାରେ ଚାଲିଥିବା ବାଣିଜ୍ୟକୁ ଯଥେଷ୍ଟ ମାତ୍ରାରେ ଅପବ୍ୟବହାର କରିବାର ସମ୍ଭାବନା ରହିଛି।

ତେଣୁ ଭାରତ ସରକାର ଜମ୍ମୁ ଓ କାଶ୍ମୀରର ସଲାମାବାଦ ଓ ଚକ୍କାନ-ଦା-ବାଗ ଠାରେ ଚାଲିଥିବା ଏଭଳି ଏଲଓସି ବାଣିଜ୍ୟ କାରବାରକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି। ଏ ଦିଗରେ କଠୋର ଏବଂ ତୁରନ୍ତ କାର୍ଯ୍ୟକାରୀ କରିବା ଭଳି ବ୍ୟବସ୍ଥା ଗ୍ରହଣ କରଯାଇଛି ଏବଂ ବିଭିନ୍ନ ଏଜେନ୍ସିମାନଙ୍କ ସହ ପରାମର୍ଶ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯିବା ସକାଶେ ନିଷ୍ପତି ହୋଇଛି। ଏହା ପରେ ଏଲଓସି ବାଣିଜ୍ୟ କାରବାର ପୁନଃଆରମ୍ଭ କରାଯିବା ପ୍ରସଙ୍ଗ ସଂଶୋଧନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.