ad
ଜିଲ୍ଲା ପରିକ୍ରମା

ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ଜୀବନର ଅନାଲୋଚିତ ଅଧ୍ୟାୟ : ରାୟ ବାହାଦୂର ଭୂୟାଁ ଭାସ୍କର ଚନ୍ଦ୍ର ମହାପାତ୍ର

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାୟ ବାହାଦୂର ଭୂୟାଁ ଭାସ୍କର ଚନ୍ଦ୍ର ମହାପାତ୍ର । ଏହି ଜିଲାର ବାସୁଦେବପୁର ବ୍ଲକ୍ ଏଡତାଳର ତତ୍କାଳୀନ ଜମିଦାର । ସେ ଥିଲେ ସୌଖିନ୍ ଓ ବିଳାସପ୍ରିୟ । ଏହାବ୍ୟତୀତ ପ୍ରବଳ ଅଂହକାରୀ, ପ୍ରତାପି ଓ ଅତ୍ୟାଚାରୀ ମଧ୍ୟ । ଲୋକମୁଖରୁ ତାଙ୍କ ବିଷୟରେ ବହୁତ କିଛି ରୋମାଞ୍ଚକର କାହାଣୀ ଶୁଣିବାକୁ ମିଳିଥାଏ । ତେବେ ୧୯୩୮ ମସିହାରେ ତାଙ୍କର ପରଲୋକ ଘଟିଥିଲା । ଜମିଦାରୀ ପ୍ରଥାର ବିଲୋପ ପରେ ଏବେ ଏଡ଼ତାଳ ଠାରେ ତାଙ୍କର ଉଆସ, ନିକଟବର୍ତ୍ତୀ ପୋଖରୀ ଆଜି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ତାଙ୍କ ପୁରୁଣାକାଳିଆ ଉଆସ ଏବେ ଏକପ୍ରକାର ଭୂତକୋଠୀରେ ପରିଣତ ହୋଇସାରିଛି । ତେବେ ରାୟ ବାହାଦୂର ଭାସ୍କର ଚନ୍ଦ୍ର ଆଜି ଅତୀତ । ତାଙ୍କ ଜମିଦାରୀ ନୀତି, ପ୍ରଜାପୀଡ଼ନ ଓ ବିଳାସବ୍ୟସନର କଥା ଯେତେ ଆଲୋଚିତ ହୁଏ, ସେହି ପରିମାଣରେ ତାଙ୍କର ଜନସେବା ଓ ଉନ୍ନତିମୂଳକ କାର୍ଯ୍ୟ ଦିଗ କଥା ଚର୍ଚ୍ଚାର ପରିସରକୁ ଆସେନାହିଁ । ତଥାପି ସେ ଏମିତି କିଛି କରିଯାଇଛନ୍ତି ଯାହାକି ଆମ ସଂସ୍କୃତି ଓ ଜାତୀୟ ଜୀବନର ଇତିହାସରେ ଅଲିଭା ସ୍ୱାକ୍ଷର ବୋଲି ଆଜି ମଧ୍ୟ ବହୁ ବୁଦ୍ଧିଜୀବୀ ମତପୋଷଣ କରିଥାନ୍ତି । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏଡ଼ତାଳ ଗ୍ରାମରେ ଭାସ୍କର ବାବୁ ୧୮୮୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ପିତା ଯୁଧିଷ୍ଠିର ମହାପାତ୍ର କଲିକତାର ଖିଦିରିପୁର ଅଞ୍ଚଳରେ ଜାହାଜ କାର୍ଯ୍ୟରେ ବ୍ୟବସାୟ କରୁଥିଲେ । ପରବର୍ତ୍ତୀ ସମୟରେ ସେ ଇଂରେଜମାନଙ୍କ ନିକଟତର ହୋଇଥିଲେ ଓ କ୍ରମେ ଜମିଦାରୀ ହାସଲ କରିଥିଲେ । ଧନୀକ ପରିବାରର ପୁତ୍ର ହିସାବରେ ଏକମାତ୍ର ପୁତ୍ର ଭାସ୍କର ବାବୁଙ୍କ ନିକଟରେ ଅର୍ଥ, ପ୍ରତିପତ୍ତି ଓ କ୍ଷମତା- କେଉଁଥିରେ ଅଭାବ ନଥିଲା । ତାଙ୍କ ସମ୍ପର୍କରେ ବହୁ ନକରାତ୍ମକ ଟିପ୍ପଣୀ ଶୁଣିବାକୁ ମିଳୁଥିଲେ ମଧ୍ୟ ସେ ଜଣେ ଥିଲେ ଗାଁ ଓ ମାଟିକୁ ଭଲପାଉଥିବା ଜଣେ ମଣିଷ । ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ ଭିତରେ ବି ସେ ଗାଁ ମାଟିର ଉନ୍ନତି, ସଂସ୍କୃତି ରକ୍ଷା ଓ ଶିକ୍ଷା ସଭ୍ୟତାର ପ୍ରସାର ଦିଗରେ ଯତ୍ନବାନ ଥିଲେ । ପାଳିଆର ବିରଞ୍ଚି ନାରାୟଣ ମନ୍ଦିରର ପୁନରୁଦ୍ଧାର ଓ ଓଡ଼ିଆ ପ୍ରାଚୀନ ଗ୍ରନ୍ଥର ସୁରକ୍ଷା ଓ ସମ୍ପାଦନା କ୍ଷେତ୍ରରେ ତାଙ୍କର ଉଦ୍ୟମ ସ୍ମରଣୀୟ । କଳାପାହାଡ଼ ଗୋଟିଏ ପରେ ଗୋଟିଏ ମନ୍ଦିର ଭାଙ୍ଗି ଚାଲିଥିବାବେଳେ, ଏଥିରୁ ବାଦ ପଡ଼ିନଥିଲା ତିହିଡ଼ି ବ୍ଲକ ପାଳିଆସ୍ଥିତ ଦ୍ୱିତୀୟ ଅର୍କକ୍ଷେତ୍ର ଭାବେ ବିବେଚିତ ବିରଞ୍ଚି ନାରାୟଣ ମନ୍ଦିର । ପରବର୍ତ୍ତୀ ସମୟରେ ଭାସ୍କର ଚନ୍ଦ୍ର ଏହି ଭଙ୍ଗାରୁଜା ମନ୍ଦିରର ପୁନରୁଦ୍ଧାର କରିଥିଲେ ।

 

 

୧୯୧୩ ମସିହାରେ ଏଡ଼ତାଳ ଠାରେ ସେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଯାହାକି ଆଜି ବିସି ଉଚ୍ଚ ବିଦ୍ୟାଳୟ ଭାବେ ପରିଚିତ । ଭଦ୍ରକ ଡାକ୍ତରଖାନା, ଏହାର ମେଟରିନିଟି ୱାର୍ଡ଼ ଖୋଲିବାରେ ମଧ୍ୟ ଭାସ୍କର ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ସେହିପରି ଗୋ-ମଙ୍ଗଳ ନିମିତ୍ତ ଜିଲ୍ଲାରେ ଗୋ-ଶାଳା ଖୋଲିବା, ପୁରୀରେ ଥିବା ସାଲବେଗ ମନ୍ଦିର ନିର୍ମାଣ, ଲିଙ୍ଗରାଜ ମନ୍ଦିରର ବାହାର ବେଢ଼ାର ନିର୍ମାଣ କାର୍ଯ୍ୟରେ ତାଙ୍କ ପ୍ରମୁଖ ଆର୍ଥୀକ ଅବଦାନ ଓ ସହଯୋଗ ସମ୍ପର୍କରେ କେତେକ ପତ୍ରିକାର ତଥ୍ୟରୁ ସୂଚନା ମିଳିଥାଏ । ଏହା ବ୍ୟତୀତ ୧୯୦୯ ମସିହାରେ ଏଡ଼ତାଳ ଗ୍ରାମରେ ଏକ ଶ୍ୟମସୁନ୍ଦର ଥିଏଟର୍ସ ନାମକ ଏକ ନାଟ୍ୟ ସଂସ୍ଥା ଗଠନ କରିଥିଲେ । ଗ୍ରାମାଞ୍ଚଳରେ ନାଟ୍ୟକଳାର ପ୍ରଚାର ପ୍ରସାର ଥିଲା ଏହି ଅନୁଷ୍ଠାନର ଉଦ୍ଦେଶ୍ୟ । ତେବେ ଭାସ୍କର ବାବୁଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ପ୍ରାଚୀନ ଓଡ଼ିଆ ଗ୍ରନ୍ଥର ସୁରକ୍ଷା ଓ ସମ୍ପାଦନା ଦିଗରେ ଉଦ୍ୟମ । ବିଭିନ୍ନ ମୂଲ୍ୟବାନ ପୋଥି ଉଦ୍ଧାର ଓ ଏହାର ସଂରକ୍ଷଣ ପାଇଁ ତାଙ୍କର କାଳଜୟୀ ଭୂମିକା ରହିଥିଲା । ପ୍ରଥମେ ୧୯୨୨ରେ ତାଙ୍କ ପୟାସରେ କଟକରେ ପ୍ରାଚୀ ସମିତି ଆରମ୍ଭ ହୋଇଥିଲା । ୧୯୨୯ରେ ଏହା ସରକାରୀ ଭାବେ ପଞ୍ଜିକୃତ ହୋଇ ପ୍ରାଚୀନ ଓଡ଼ିଆ ସାହିତ୍ୟର ଉନ୍ନତି ଓ ସୁରକ୍ଷା କ୍ଷେତ୍ରରେ ଅଗ୍ରଣୀ ପ୍ରତିଷ୍ଠାନର ଭୂମିକା ନେଇଥିଲା । ପ୍ରାଚୀ ସମିତିର ମୁଖ୍ୟ ପୃଷ୍ଠପୋଷକ ଭାବେ ଭାସ୍କର ବାବୁ ସେ ସମୟରେ ୨୫ହଜାର ଟଙ୍କା ଏହି ଅନୁଷ୍ଠାନକୁ ଦାନ କରିଥିଲେ ବୋଲି ଜଣାଯାଏ । ସେ ଏହି ସମିତିର ଆଜୀବନ ସଦସ୍ୟ ଥିଲେ । ତେବେ ଜମିଦାରୀ ସମୟର ତାଙ୍କ ସମ୍ପର୍କରେ ବହୁ ନକରାତ୍ମକ ଲୋକକଥା ଆଜି ଇତିହାସ ହୋଇଯାଇଛି । ଲୋକେ ଏହାକୁ ଏକପ୍ରକାର ଭୂଲିଗଲେଣି । ତଥାପି ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ ମଧ୍ୟରେ ଏହିପରି କେତେକ ମହନୀୟ କାର୍ଯ୍ୟ ପାଇଁ ରାୟ ବାହାଦୂର ଭୂୟାଁ ଭାସ୍କର ଚନ୍ଦ୍ର ଆଜି ମଧ୍ୟ ବିଭନ୍ନ ମହଲରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ, ଯାହାକି ଏକ ଅନାଲୋଚିତ ଅଧ୍ୟାୟ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top