Home Top News ଗୁଳି ଫୁଟାଇ ଲୁଟିନେଲେ ୩ ଲକ୍ଷ, ନମ୍ବର ବିହୀନ ବାଇକରେ ଆସି ଛଡ଼ାଇ ନେଲେ ଟଙ୍କା...

ଗୁଳି ଫୁଟାଇ ଲୁଟିନେଲେ ୩ ଲକ୍ଷ, ନମ୍ବର ବିହୀନ ବାଇକରେ ଆସି ଛଡ଼ାଇ ନେଲେ ଟଙ୍କା ବ୍ୟାଗ୍‍

18

ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ବ୍ୟାଙ୍କରେ ଟଙ୍କା ଜମା ଦେବାକୁ ଯାଉଥିବା ବେଳେ ଜାତୀୟ ରାଜପଥର କୁରୁଡ଼ାଠାରେ ବନ୍ଧୁକ ଚଳାଇ ଦୁଇ ଅଚିହ୍ନା ଯୁବକ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଚାରୀଙ୍କଠାରୁ ୩ ଲକ୍ଷ ଲୁଟିନେବା ଘଟଣାକୁ ନେଇ ଏବେ ସବୁ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜେସିବି ଡିଲର ‘ସାମଲ ଇକ୍ୟୁପି’ର ଆକାଉଣ୍ଟାଣ୍ଟ ଅଶୋକ କୁମାର ଜେନା ୩ ଲକ୍ଷ ୨୦ ହଜାର ଟଙ୍କା ନେଇ ପୂର୍ବାହ୍ନ ପ୍ରାୟ ୧୧ ଟା ବେଳେ ବିରୁଆଁ ଷ୍ଟେଟବ୍ୟାଙ୍କ ଶାଖାକୁ ଯାଉଥିଲେ। ପ୍ରତିଷ୍ଠାନର ସିକ୍ୟୁରିଟି ଚାଳାଉଥିବା ବାଇକରେ ଟଙ୍କା ବ୍ୟାଗ ଧରି ବସିଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଜାତୀୟ ରାଜପଥର ମଡ଼ର୍ଣ୍ଣ ବୈଷୟିକ ଶିକ୍ଷାନୁଷ୍ଠାନ ଅତିକ୍ରମ କରୁଥିବା ବେଳେ ହେଲେମେଟ ପିନ୍ଧିତିବା ଦୁଇଜଣ ଅଚିହ୍ନା ଯୁବକ ଏକ ନମ୍ବର ବିହୀନ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇବା ସହ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଶ୍ରୀ ଜେନା ଓ ସିକ୍ୟୁରିଟି ଗାର୍ଡ଼ ବାଧାଦେବାରୁ ଲୁଟେରା ଯୁବକ ଶ୍ରୀ ଜେନାଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ବାମପାଦ ଉପରେ ବାଜିବା ପରେ ସେ ଚିତ୍କାର କରି ତଳେ ବସିପଡ଼ିଥିଲେ। ସେହି ସମୟରେ ଯୁବକ ଦ୍ୱୟ ଟଙ୍କା ବ୍ୟାଗନେଇ ସେଠାରୁ ଚମ୍ପଟ ମାରିଥିଲେ। ସେମାନେ ଜାତୀୟ ରାଜପଥର ରେମୁଣା ଅଭିମୁଖେ ପଳାଇଯାଇଥିବା ଆହତ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ତେବେ ଖବର ପାଇ ସଦର ଥାନା ପୁଲିସ ସମେତ ଜିଲ୍ଲା ପୁଲିସର କେତେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଆହତ ଆକାଉଣ୍ଟାଣ୍ଟ ଶ୍ରୀ ଜେନାଙ୍କୁ ବାଲେଶ୍ୱର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ଶୁକ୍ରବାର ବଡ଼ଦିନଠାରୁ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ୩ ଦିନର ବିକ୍ରି ଅର୍ଥକୁ ବ୍ୟାଙ୍କରେ ଜମା ଦେବାକୁ ସେ ଯାଉଥିଲେ। ଏହି ଟଙ୍କା ବାବଦରେ ଲୁଟେରାଙ୍କୁ ଜଣାଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରଖଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.