Home Top News ଗଞ୍ଜାମ ଗୋଳନ୍ଥରାରେ ‘ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ’କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଘରେ...

ଗଞ୍ଜାମ ଗୋଳନ୍ଥରାରେ ‘ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ’କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ଶପଥ ନେବା – ଧର୍ମେନ୍ଦ୍ର ପ୍ରଧାନ

30

– ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଦର୍ଶନ
– ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ମୋଦି ସାଢେ ଚାରି କୋଟି ଓଡ଼ିଆଙ୍କୁ ସମ୍ମାନିତ କରିଛନ୍ତି
– ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଲୋକମାନେ ମୋଦିଙ୍କୁ ଭୁଲିପାରିବେ ନାହିଁ
– ରାଜ୍ୟ ସରକାର ଜମି ଦେଲେ ବ୍ରହ୍ମପୁରରେ ଏୟାରପୋର୍ଟ କରିବାର ଦାୟିତ୍ୱ ମୋଦି ସରକାର ନେବେ
– ଓଡ଼ିଶାକୁ ଭବ୍ୟ ଓ ସମୃଦ୍ଧମୟ କରିବାକୁ ହେଲେ ରାଜ୍ୟକୁ ମୋଦିମୟ କରିବାକୁ ପଡ଼ିବ
– ପ୍ରଧାନସେବକ ଭାବରେ ନରେନ୍ଦ୍ର ମୋଦି ଦେଶର ସେବା କରୁଛନ୍ତି

ଗୋଳନ୍ଥରା, ଜୁଲାଇ ୧୦ (ଓଡ଼ିଆ ପୁଅ) – ମୋଦି ସରକାରରେ ଓଡ଼ିଶା ଜନକଲ୍ୟାଣର ପ୍ରୟୋଗଶାଳା ହୋଇଛି। ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ବରଂ ପ୍ରଧାନସେବକ ଭାବରେ ନରେନ୍ଦ୍ର ମୋଦି ଦେଶର ସେବା କରୁଛନ୍ତି। ମୋଦି ଦେଇଥିବା କଥାକୁ ଘରେ ଘରେ ପହଞ୍ଚାଇବା ପାଇଁ ପଡ଼ିବ। ଓଡ଼ିଶାକୁ ଭବ୍ୟ, ସମୃଦ୍ଧ ସହ ଯୁବକଙ୍କୁ ରୋଜଗାର ସହ ଯୋଡ଼ିବାକୁ ହେଲେ ରାଜ୍ୟକୁ ମୋଦିମୟ କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରବିବାର ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ସେବା, ଗରିବ କଲ୍ୟାଣର ୮ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ‘ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ’କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାରରେ ଓଡ଼ିଆ ସମ୍ମାନିତ। ଓଡ଼ିଶାର ସାଧାରଣ ପରିବାରର ଜନଜାତି ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କୁ ସମ୍ମାନ କରିଛନ୍ତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପାର୍ଥୀ ହେବା ଏକ ନିର୍ବାଚନ ବିଷୟ ନୁହେଁ ବରଂ ଓଡିଶାର ସ୍ୱାଭିମାନର ବିଷୟ। ପ୍ରଧାନମନ୍ତ୍ରୀ ପଦ୍ମ ପୁରସ୍କାର ସମେତ, ଓଡ଼ିଆଙ୍କୁ ଅନ୍ୟାନ୍ୟ ବଡ ଦାୟିତ୍ୱ ଦେବା ଓ ଗରିବ କଲ୍ୟାଣରେ ଓଡ଼ିଶାକୁ ପ୍ରାଧାନ୍ୟ ଦେଇଛନ୍ତି। ମୋଦି ଯେଉଁ କାମ ଓଡ଼ିଶା ପାଇଁ କରିଛନ୍ତି, ସେଥିପାଇଁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଲୋକମାନେ ତାଙ୍କୁ ଭୁଲିପାରିବେ ନାହିଁ। ଏଥିପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କ ତରଫରୁ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ବ୍ରହ୍ମପୁରରେ ଏୟାରପୋର୍ଟ ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀଙ୍କ ଦାବି ରହିଛି। ରାଜ୍ୟ ସରକାର ଏଥିପାଇଁ ଜମି ଉପଲବ୍ଧ କରାଇଲେ ବ୍ରହ୍ମପୁରରେ ଏୟାରପୋର୍ଟ ନିର୍ମାଣ କରିବାର ଦାୟିତ୍ୱ ମୋଦି ସରକାର ନେବେ। ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବା ସହ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ।

ସେ କହିଛନ୍ତି ପୂର୍ବ ସରକାର କେବଳ ଘୋଷଣାନାମାରେ ସୀମିତ ଥିଲା ମାତ୍ର ମୋଦି ସରକାରରେ ବିକାଶର କାମ ବାସ୍ତବର ରୂପ ନେଇଛି। ମୋଦି ହୈ ତ ମୁମକିନ୍ ହୈ ଅର୍ଥାତ୍ ମୋଦି ଅଛନ୍ତି ତ ସବୁ ସମ୍ଭବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ସୌଭାଗ୍ୟ ଯୋଜନାରେ ବିଜୁଳି, ଜଳ ଜୀବନ ମିଶନରେ ପାଇପ ଯୋଗେ ଘରକୁ ପାଣି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ, କରୋନା ସମୟରେ ଜନଧନରେ ଟଙ୍କା, ମୁଦ୍ରା ଯୋଜନାରେ ଋଣ, ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଜାତୀୟ ରାଜପଥ, ରେଳ, ବିମାନବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ମୋଦି ସରକାର ଓଡ଼ିଶାକୁ ବିପୁଳ ଅନୁଦାନ ଦେଉଛନ୍ତି। ମାଗଣା କୋଭିଡ୍ ଟିକାକରଣର ବ୍ୟବସ୍ଥା ହୋଇଛି। କରୋନା ସମୟରେ ସୁରତ ସମେତ ବାହାରେ କାମ କରୁଥିବା ଗଞ୍ଜାମର ଲୋକଙ୍କୁ ଫେରାଇ ଆଣିବା ତଥା ବିଦେଶରେ ଫସି ରହିଥିବା ପ୍ରବାସୀ ମାନଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ।

ଦେଶର ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଥିବା ବେଳେ ଆଗାମୀ ୨୫ ବର୍ଷର ଯାତ୍ରାର ଅମୃତ କାଳ ଭାରତର ହେବ। ଭାରତର ଗରିବ, ଯୁବକ ମାନଙ୍କର ହେବ। ଭାରତ ବିଶ୍ୱଗୁରୁ ହେବ ଏବଂ ବିଶ୍ୱର ନେତୃତ୍ୱ ନେବ ବୋଲି ପ୍ରଧାନମନ୍ତ୍ରୀ କହିଥିବା କଥାକୁ ଶ୍ରୀ ପ୍ରଧାନ ଦୋହରାଇଥିଲେ।

ଉଲ୍ଲେନୀୟ ଯେ, ଏହି କାର୍ଯ୍ୟକ୍ରମ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଦର୍ଶନ କରିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ସ୍ଥିତ ଇଶାନେଶ୍ୱର ମନ୍ଦିରରେ ମଧ୍ୟ ଦର୍ଶନ କରିଥିଲେ। ଏହି ଗଞ୍ଜାମ ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଟକୁମରଡ଼ା, ଲୌଡ଼ିଗାଁ, କନିଷି, ଗୋଳନ୍ଥରା ସମେତ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଜନସାଧାରଣ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.