Home ଜିଲ୍ଲା ପରିକ୍ରମା କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା କାରିଗରଙ୍କ ମନଉଣା

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା କାରିଗରଙ୍କ ମନଉଣା

143

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଏହି ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପରମ୍ପରା ଯେଉଁ କାଳରୁ ଯୋଡି ହୋଇଯାଇଛି । କିଏ ସୋଲ ଡଙ୍ଗା ତ’ ଆଉ କିଏ କଦଳୀ ପଟୁଆ ଓ ଥର୍ମକୁଲରେ ତିଆରି ଡଙ୍ଗା ଭସାଇଥାନ୍ତି । ବ୍ରତଧାରୀମାନେ ଡଙ୍ଗା ଭସାଇ ପୂର୍ଣ୍ଣିମାରେ ପୂଣ୍ୟ ଅର୍ଜନ କରିଥାନ୍ତି । ଡଙ୍ଗା ଭସାଇବା ଉପରେ ପ୍ରଶାସନ କଟକଣା ଜାରି କରିଛି । କରୋନା ପାଇଁ ଗହଳିକୁ ଆଖିଆଗରେ ରଖି ବିଭିନ୍ନ ନଦୀ, ଘାଟ ଓ ପୁଷ୍କରଣୀ ପାଖରେ ୧୪୪ ଧାରା ଜାରି କରାଯାଇଛି । କଟକଣା ପାଇଁ ନଦୀଘାଟ ତୁଠରେ ଏଥର ଗହଳି ହେବନି କି ଆ..କା..ମା..ବୈ ଶୁଭିବନି । ପ୍ରଶାସନର କଟକଣା ବ୍ରତଧାରୀଙ୍କ ଠାରୁ ଡଙ୍ଗା ତିଆରି କରୁଥିବା କାରିଗରଙ୍କ ମନକୁ ଉଣା କରିଛି । ବିଶେଷକରି ମାଳି ପରିବାର କ୍ଷତିରେ ପଡିଛନ୍ତି । ଡଙ୍ଗା ତିଆରି ହୋଇପଡିଥିଲେ ବି ବେପାରୀ ଅବା ଗରାଖଙ୍କ ଦେଖାନାହିଁ ବୋଲି କହିଛନ୍ତି । ସୋଲ କାମକୁ ଜୀବିକା କରି ଚଳୁଥିବା ବାସୁଦେବପୁର ସ୍ଥିତ ବ୍ରାହ୍ମଣ ଗାଁର ଖଗେଶ୍ୱର ଓ ମନୋରଂଜନ ରଣାଙ୍କ ପରିବାର ଚିନ୍ତାରେ ପଡିଛନ୍ତି । ଦୁଇ ପରିବାର ବର୍ଷ ତମାମ ଫୁଲ ଓ ସୋଲ କାମକୁ ନେଇ ଜୀବିକା କରି ଚଳନ୍ତି । ଗାଁ ଗହଳିର ସୋଲ ପୋଖରୀକୁ ଲିଜ୍ ଆକାରରେ ନେଇ ସୋଲ ସଂଗ୍ରହ କରନ୍ତି । ବର୍ଷ ତମାମ ସୋଲରେ ବିଭିନ୍ନ ଜିନିଷ ତିଆରି କରନ୍ତି । ବିକଳ୍ପ ନଥିବାରୁ ନିଜର କୌଳିକ ବୃତ୍ତିକୁ ଆପଣାଇ ଆସିଛନ୍ତି ଏମାନେ । ସୋଲରେ ଫୁଲ, ଡୋହଳ, ନୁଳମୁକୁଟ ସମେତ ବିଭିନ୍ନ ଜିନିଷ ତିଆରି କରି ବେପାରୀମାନଙ୍କୁ ଦେଇଥାନ୍ତି । ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ଥିବା ଛୋଟବଡ ଦୋକାନୀଙ୍କୁ ସୋଲ ତିଆରି ଜିନିଷ ଯୋଗାଇ ଦେଇଥାନ୍ତି । ଘର ନିକଟ ମନ୍ଦିର ପାଖରେ ଛୋଟ ଦୋକାନ କରି ଜିନିଷକୁ ବିକ୍ରୟ କରିଥାନ୍ତି । ବର୍ଷ ତମାମ ଯାହା ବେପାର, ଚାଲେ, ଡଙ୍ଗାଭସା ପୂର୍ଣ୍ଣିମା ଆସିଲେ ବେଶ୍ ଚଳଚଞ୍ଚଳ ହୋଇଉଠେ ଏହି ମାଳି ପରିବାର ଲୋକଙ୍କ ହାତ । ପୂର୍ଣ୍ଣିମାକୁ ଆଖି ଆଗରେ ରଖି ମାସେ ତଳୁ ସୋଲ ଡଙ୍ଗା ତିଆରି କାମ ଆରମ୍ଭ ହୁଏ । ବୟସ୍କ ଠାରୁ ଯୁବକ ଯାଏ ଡଙ୍ଗା ତିଆରି କାମ କରିଥାନ୍ତି । କିଏ ସୋଲ କାଟୁଥାଏ ତ ଆଉ କିଏ ଚିରୁଥାଏ । କିଏ ବି ଡଙ୍ଗା ତିଆରି କରି ରଙ୍ଗ ଦେଉଥାଏ । ପରିବାରର ସବୁ ସଦସ୍ୟ ଡଙ୍ଗା ତିଆରିରେ ଲାଗିଥାନ୍ତି । ବେପାରୀଙ୍କୁ ଦେବା ପରେ ଯାହା ରହେ ଖୋଲାରେ ବିକ୍ରି ହୁଏ । ରୋଜଗାର ବି ଭଲ ଦୁଇପଇସା ହୋଇଥାଏ । ପୂର୍ବବର୍ଷ ପରି ଏଥର ବହୁ ସଂଖ୍ୟାରେ ଡଙ୍ଗା ତିଆରି କରାଯାଇଛି । ଛୋଟ ବଡ ଡଙ୍ଗା ତିଆରି କରାଯାଇ ରଙ୍ଗମାରି ଆକର୍ଷଣୀୟ କରାଯାଇଛି । ଦୁଇ ପରିବାର ଶହ ଶହ ସୋଲ ଡଙ୍ଗା ତିଆରି କରି ରଖିଛନ୍ତି । ଆସନ୍ତାକାଲି ପୂର୍ଣ୍ଣିମା, ହେଲେ ବେପାର ନାହିଁକି ବେପାରୀ ଆସୁନାହାଁନ୍ତି । କରୋନା ପାଇଁ ପ୍ରଶାସନର କଟକଣା ବେପାରକୁ ପୁରା ମାନ୍ଦା କରିଥିବା କହିଛନ୍ତି ବାସନ୍ତୀ ରଣା, କୃଷ୍ଣଚନ୍ଦ୍ର ରଣାଙ୍କ ସମେତ ସୋଲ କାରିଗର । ବାସନ୍ତୀଙ୍କ କହିବା କଥା, ସୋଲ କାମ ଓ କାଁ ଭାଁ ଫୁଲ କାମକୁ ନେଇ ପରିବାର ଚଳେ । କରୋନା ମହାମାରୀ ପାଇଁ ଏବର୍ଷ ବେପାର ହେଲାନି । ପୂର୍ଣ୍ଣିମାରେ ବେପାର ହେବ ବୋଲି ଆଶା କରିଥିଲୁ । ଜିନିଷ ତିଆରି ହୋଇ ପଡିଛି । କରୋନାକୁ ନେଇ ପ୍ରଶାସନର କଟକଣା ପାଇଁ ବେପାର ପୁରା ବନ୍ଦ । ଗାଁ ଗହଳିର କେହି ଯଦି କିଛି ଡଙ୍ଗା ନେବେ, ନହେଲେ ବେପାରୀ କେହି ଆସୁନାହାଁନ୍ତି । ଏ ବର୍ଷ ପୁରା କ୍ଷତିରେ ପଡିଛୁ ବୋଲି ଶ୍ରୀମତୀ ରଣା କହିଛନ୍ତି । ପ୍ରଶାସନ ତ କରୋନା ପାଇଁ ଭିଡ ହେବନି ଡଙ୍ଗା ଭସା ଉପରେ କଟକଣା କଲେ । ଆମର ଯେଉଁ ଶହ ଶହ ସଂଖ୍ୟାରେ ଜିନିଷ ପଡିଲା, ପ୍ରଶାସନ ଆମ କଥା ବୁଝନ୍ତୁ ବୋଲି ମନ ଉଣା କରି କହିଛନ୍ତି ଡଙ୍ଗା କାରିଗର ବାସନ୍ତୀ ରଣା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.