Home ଓଡ଼ିଶା ଓଡିଶାରେ ଏଥର ବିଜେପି ସରକାର ନିଶ୍ଚିନ୍ତ:ନରେନ୍ଦ୍ର ମୋଦି

ଓଡିଶାରେ ଏଥର ବିଜେପି ସରକାର ନିଶ୍ଚିନ୍ତ:ନରେନ୍ଦ୍ର ମୋଦି

1729

ସମ୍ବଲପୁରରେ ବିଜୟ ସଂକଳ୍ପ ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

– ଓଡିଶା ଲୋକଙ୍କୁ ମିଳୁଥିବା ଟଙ୍କିକିଆ ଚାଉଳରେ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଛି
– ଭେଦଭାବ, ଜାତିପ୍ରଥା କଂଗ୍ରେସ ଏବଂ ବିଜେଡିର ଉପଲବ୍ଧ
– ମହାନଦୀ ଏବଂ ହୀରାକୁଦ ଭଳି ଜଳଭଣ୍ଡାର ଥାଇ ମଧ୍ୟ ଟୋପାଏ ପାଣି ପାଇଁ ଚାଷୀ ହନ୍ତସନ୍ତ
– ଏଠାରେ କୃଷକଙ୍କ ପାଇଁ ସରକାର ଯେଉଁ ଯୋଜନା ଆଣିଛନ୍ତି, ସେଥିରେ ଘୋଟାଲା ନଜର ଆସିଛି
– ମଇ ୨୩ରେ ପୁଣି ମୋଦି ସରକାର ଆସିଲେ ଓଡିଶାର ସମସ୍ତ କୃଷକଙ୍କ ବ୍ୟାଙ୍କ ଆକାଉଂଟରେ ସିଧାସଳଖ ଟଙ୍କା ପଠାଯିବ
– ୨୦୨୨ ସୁଦ୍ଧା ଓଡିଶାର ସବୁ ଗରିବଙ୍କୁ ପକ୍କା ଘର ମିଳିସାରିଥିବ
– ଜଳଶକ୍ତି ମନ୍ତ୍ରାଳୟ ଗଠନ ହେବ, ଦେଶର ନଦୀ ଏବଂ ବର୍ଷା ପାଣିକୁ ଜମିରେ ପହଁଚାଯିବ
– ବିଜେପି ସରକାର ଦେଶରୁ ଭ୍ରଷ୍ଟାଚାର ହଟାଇବା କାମ କରିଛି, ଏବେ କେନ୍ଦ୍ରରୁ ଆସୁଥିବା ଶତ ପ୍ରତିଶତ ଟଙ୍କା ଲୋକଙ୍କ ନିକଟରେ ପହଁଚିଛି
– ସାଧାରଣ ଜନତା ପଦ୍ମ ଫୁଲରେ ଭୋଟ ଦେଲେ ସବୁ ସଂକଳ୍ପ ପୂରଣ ହେବ
– ଓଡିଶାରେ ବିଜେପ ଓ ମଜବୁତ୍ ସରକାର ଆବଶ୍ୟକ

ସମ୍ବଲପୁର/ଭୁବନେଶ୍ୱର, ୧୬/୦୪ (ଓଡ଼ିଆ ପୁଅ) : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶାରୁ ଯାହା ସଙ୍କେତ ଆସିଛି ପୁଣିଥର ଦିଲ୍ଲୀରେ ମୋଦି ସରକାର ଏବଂ ଓଡିଶାରେ ବିଜେପି ସରକାର ହେବା ନିଶ୍ଚିନ୍ତ। ଦେଶବାସୀ ସମସ୍ତେ ଚାହାନ୍ତି ଏକ ସଚ୍ଚୋଟ ଏବଂ ମଜବୁତ୍ ସରକାର। ସେଥିପାଇଁ ଓଡିଶାବାସୀ ବିଜେପିକୁ ସମର୍ଥନ କରୁଛନ୍ତି। ଓଡିଶାରେ ଥିବା ବିଜୁ ଜନତା ଦଳର ସରକାରର ମିଛ ଏବଂ ଠକାମିକୁ ଓଡିଶା ଲୋକମାନେ ଧରିସାରିଲାଣି। କେନ୍ଦ୍ର ଦେଉଥିବା ଅର୍ଥକୁ ଓଡିଶାରେ ଶାସନରେ ଥିବା ସରକାର ହଡପ କରୁଥିବା କଥା ଲୋକମାନେ ଜାଣିସାରିଲେଣି। ୧ ଟଙ୍କିକିଆ ଚାଉଳକୁ ନେଇ ବିଜୁ ଜନତା ଦଳ କରୁଥିବା ମିଛ ପ୍ରଚାରକୁ ଲୋକମାନେ ବୁଝିସାରିଲେଣି। ସମ୍ବଲପୁରର ଏହି ବିଶାଳ ଜନ ସମୁଦ୍ରକୁ ଦେଖି ଓଡିଶାରେ ଶାସନ ଗାଦିରେ ବସିଥିବା ଲୋକଙ୍କର ହୋସ ଉଡିଯାଇଛି। ଦେଶର ଚୌକିଦାରକୁ ଓଡିଆ ଲୋକଙ୍କର ଏତେ ଭଲ ପାଇବା ଏବଂ ସ୍ନେହ ଦେଖି ଓଡିଶାରେ ଶାସନ କରି ବଡ ବଡ ମହାଘୋଟାଲା କରିଥିବା ଲୋକମାନେ ଏବେ ଚିନ୍ତାରେ ପଡିଛନ୍ତି। ଓଡିଶାରେ ଏଥର ବିଜେପି ସରକାର ହେବା ନିଶ୍ଚିନ୍ତ ବୋଲି ସମ୍ବଲପୁୁରରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଖଣି ଏବଂ ଚିଟ୍ ଫଣ୍ଡ ମାଫିଆଙ୍କୁ ଓଡିଶା ସରକାର ପ୍ରଶ୍ରୟ ଦେଉଛନ୍ତି। ଯାହାର କେବଳ ପିସିରେ ମନ, ତାଙ୍କର ସାଧାରଣ ଜନତାଙ୍କ କଥା କେମିତି ମନେପଡିବ। ଚିଟଫଣ୍ଡରେ ଯିଏ ବୁଡିଛନ୍ତି, ସେ କେମିତି ଲୋକଙ୍କ କଥା ବୁଝିବେ ବୋଲି ସମ୍ବଲପୁର ଠାରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ୨୦ ବର୍ଷ ଧରି ଓଡିଶାର ଲୋକମାନେ ଆଖିବନ୍ଦ କରି ଗୋଟିଏ ସରକାର ଉପରେ ବହୁତ ଭରସା କଲେ, ଓଡିଶା ଏବେ ପରିବର୍ତ୍ତନ ପାଇଁ ମନ ସ୍ଥିର କରିସାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏତଦବ୍ୟତିତ ଓଡିଶା ଆସିବା ମୋ ପାଇଁ ତୀର୍ଥଯାତ୍ରା ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଠାକାର ସରକାର ଚତୁରତାର ସହ କାମ କରୁଛି। ଯେଉଁ ଚାଉଳ ୧ ଟଙ୍କାରେ ଗରିବଙ୍କୁ ମିଳୁଛି ସେଥିରୁ ୨୯ ଟଙ୍କା କେନ୍ଦ୍ର ଦେଉଥିବା ବେଳେ ରାଜ୍ୟ ମାତ୍ର ୨ ଟଙ୍କା ଦେଉଛି। ଓଡିଶା ସରକାର ମାତ୍ର ୨ ଟଙ୍କା ଦେଇ ଶସ୍ତାରେ ଚାଉଳ ଯୋଗାଉଥିବା କହୁଛନ୍ତି। ଚୌକିଦାର ଚାଉଳ ଦେବାରୁ ସେମାନେ ଶସ୍ତାରେ ଚାଉଳ ଦେଇପାରୁଛନ୍ତି ବୋଲି ମୋଦି କହିଛନ୍ତି। ଏକ ଉଦାହାରଣ ମାଧ୍ୟମରେ ମୋଦି କହିଛନ୍ତି ଯେ ପୁଅ ଯେଉଁ ଟଙ୍କା ଦିଲ୍ଲୀରୁ ପଠାଉଛି ତାହା ପୁଅ ଦେଉଛି ପୋଷ୍ଟମ୍ୟାନ ନୁହେଁ। ଏପରି ରାଜ୍ୟ ସରକାର ଅଧା ଅଧୁରା ମିଛ କହୁଛନ୍ତି।

ସ୍ୱାଧୀନତାର ଏତେ ବର୍ଷ ପରେ ଓଡିଶାବାସୀ ଗରିବ ହୋଇ ରହିଗଲେ। ଭେଦଭାବ, ଜାତିପ୍ରଥା କଂଗ୍ରେସ ଏବଂ ବିଜେଡିର ଉପଲବ୍ଧି। ମହାନଦୀ ଏବଂ ହୀରାକୁଦ ଭଳି ଜଳଭଣ୍ଡାର ଥାଇ ମଧ୍ୟ ଟୋପାଏ ପାଣି ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଧାନରେ ପୋକ ଲାଗୁଛି। ସରକାର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। କେନ୍ଦ୍ର ସରକାର ଧାନ ଉପରେ ଦେଢଗୁଣା ଏମଏସପି କରିଥିବା ବେଳେ ବିଜେଡି ସରକାର ଧାନ କିଣିପାରିଲା ନାହିଁ। ପିଏମ କିଷାନ ଯୋଜନାକୁ ରାଜ୍ୟ ସରକାର ଲାଗୁ କଲେନି। ଓଡିଶା ସରକାର ଅଧା ଚାଷୀଙ୍କ ତାଲିକା ପଠାଇଛି। ଫଳରେ କେବଳ ସାଢେ ୮ଲକ୍ଷ କୃଷକଙ୍କ ପାଖରେ ପିଏମ କିଷାନ ଯୋଜନା ଟଙ୍କା ପହଁଚିଛି। ଏଠାରେ କୃଷକଙ୍କ ପାଇଁ ସରକାର ଯେଉଁ ଯୋଜନା ଆଣିଛନ୍ତି, ସେଥିରେ ଘୋଟାଲା ନଜର ଆସିଛି ବୋଲି ମୋଦି କହିଛନ୍ତି। କୋଲବ୍ଲକ ଘୋଟାଲାରେ ମଧ୍ୟ ଯେପରି ଅଙ୍ଗୁଳି ଉଠିଛି ଓଡିଶାର ଲୋକମାନେ ଭଲ ଭାବରେ ଜାଣିଛନ୍ତିା

ଓଡିଶାର ଜଙ୍ଗଲ, ପ୍ରାକୃତିକ ସମ୍ପଦ ଭାରତକୁ ସମୃଦ୍ଧ କରିଛି। ଏହି ଶକ୍ତି ଭାରତକୁ ଉର୍ଜା ଯୋଗାଉଛି କିନ୍ତୁ ଏଠାରେ ଜଙ୍ଗଲ ଆଦିବାସୀଙ୍କ ସହ ଧୋକା ହେଉଛି। ଓଡିଶାରେ ଆଦିବାସୀଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି କରାଯାଇଛି। ପାଣ୍ଠିରେ ୬ ହଜାର ଟଙ୍କାରୁ ମାତ୍ର ୧ ହଜାର ଟଙ୍କା ଓଡିଶା ସରକାର ଖର୍ଚ୍ଚ କରିଛି। ଯେଉଁ ସରକାରର ନିୟତ ଏମିତି ତାଙ୍କୁ ପରିବର୍ତ୍ତନ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟର ଖଣିଜ ସମ୍ପଦରୁ ଆସୁଥିବା ଲାଭର ଏକ ଅଂଶ ସ୍ଥାନୀୟ ବିକାଶରେ ଲାଗିପାରିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତିା

ଆଗାମୀ ମଇ ୨୩ରେ ପୁଣି ମୋଦି ସରକାର ଆସିଲେ ଓଡିଶାର ସମସ୍ତ କୃଷକଙ୍କ ବ୍ୟାଙ୍କ ଆକାଉଂଟରେ ସିଧାସଳଖ ଟଙ୍କା ପଠାଯିବ। କୌଣସି ଦଲାଲ ଚାଷୀଙ୍କ ହାତରେ ଟଙ୍କା ମାରିପାରିବେ ନାହିଁ। ସେହିପରି ଗରିବଙ୍କୁ ଘର ପ୍ରଦାନ ତ୍ୱରାନ୍ୱିତ ହେବ। ୨୦୨୨ ସୁଦ୍ଧା ଓଡିଶାର ସବୁ ଗରିବଙ୍କୁ ପକ୍କା ଘର ମିଳିସାରିଥିବ, ଘରେ ବିଜୁଳି, ପାନୀୟ ଜଳ, ଗ୍ୟାସ, ଶୌଚାଳୟ ଆଦି ସମସ୍ତ ସୁବିଧା ରହିଥିବ। ଦେଶର ଯେ କୌଣସି ମେଡିକାଲରେ ଗରିବ ପରିବାରକୁ ୫ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟସେବା ଦେବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏହାବ୍ୟତିତ କେନ୍ଦ୍ରରେ ମୋଦି ସରକାର ହେବା ପରେ ଜଳଶକ୍ତି ମନ୍ତ୍ରାଳୟ ଗଠନ ହେବ, ଦେଶର ନଦୀ ଏବଂ ବର୍ଷା ପାଣିକୁ ଜମିରେ ପହଁଚାଯିବ। ଫଳରେ ପାଣି ସମସ୍ୟା ଦୂର ହୋଇପାରିବ। ମତ୍ସ୍ୟଜୀବୀଙ୍କ ପାଇଁ ଭିନ୍ନ ଏକ ମନ୍ତ୍ରାଳୟ ଗଠନ କରାଯିବ, ମତ୍ସ୍ୟ ସଂପଦ ଯୋଜନାରେ ୧୦ ହଜାର କୋଟି ଖର୍ଚ୍ଚ ହେବ। ମାଛଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡରେ ସାମିଲ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଝାରସୁଗୁଡା, ବଲାଙ୍ଗୀର, ଖୋର୍ଦ୍ଧା, ରାଉରକେଲା, ସମ୍ବଲପୁର, ଟିଟଲାଗଡ ଭଳି ଅନେକ ଜିଲ୍ଲା ରେଳବାଇ ପ୍ରକଳ୍ପ ସହ ଯୋଡି ହୋଇଛି, ଟୁଜି ଇଥାନଲ ପ୍ଲାଂଟ କାମ ଜାରି ରହିଛି, ସମ୍ବଲପୁର ଆଇଆଇଏମ ଭଳି ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହୋଇଛି। ଏଠାରେ ଆଇଆଇଏମ ଦାବି ହେଉଥିବା ବେଳେ ରାଜ୍ୟ ସରକାର ଏହାକୁ ଅଣଦେଖା କରିଥିଲେ। ମାତ୍ର ଚୌକିଦାର ଜନସାଧାରଣଙ୍କ ଆବାଜକୁ ଏହାକୁ ଶୁଣିଥିଲା। ଆଗାମୀ ବର୍ଷରେ ଏଠାରେ ଅନେକ କାମ କରାଯିବ। ସାଧାରଣ ଜନତା ପଦ୍ମ ଫୁଲରେ ଭୋଟ ଦେଲେ ସବୁ ସଂକଳ୍ପ ପୂରଣ ହେବ। ଭୁବନେଶ୍ୱର ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ ବୋଲି ମୋଦି କହିଛନ୍ତି।

ପୂର୍ବରୁ ଦିଲ୍ଲୀରେ ଦୁର୍ନୀତିଗ୍ରସ୍ତ ଏବଂ ମଜବୁର ସରକାର ଥିଲା। ଯେଉଁ ସରକାର ଚିନି, ରାସନ, ୟୁରିଆ, ଖଣିଜ, କୋଇଲା, ଗରିବଙ୍କ ଯୋଜନାରେ ଘୋଟାଲା କରୁଥିଲା। ଟଙ୍କା ଆସିଲେ ଏମାନେ ଲୋକଙ୍କ ପଇସା ଲୁଟୁଥିଲେ। ମୋଦି ଆସିବା ପରେ ଏ ଭ୍ରଷ୍ଟାଚାର ବନ୍ଦ ହୋଇଛି।ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ପୂର୍ବେ ଦିଲ୍ଲୀରୁ ଆସୁଥିବା ଟଙ୍କା ଲୋକଙ୍କ ପାଖରେ ଠିକରେ ପହଁଚିପାରୁନଥିଲା। ଦିଲ୍ଲୀରୁ ୧ ଟଙ୍କା ଆସିଲେ ୮୫ ପଇସା ଦଲାଲ୍ ନେଇଯାଉଥିଲା। ଫଳରେ ବିଦ୍ୟାଳୟ, ହସ୍ପିଟାଲ ନିର୍ମାଣ ଆଦି ବିକାଶର କାମ ହୋଇପାରୁ ନଥିଲା। ମାତ୍ର ଏବେ କେନ୍ଦ୍ରରୁ ଆସୁଥିବା ଶତ ପ୍ରତିଶତ ଟଙ୍କା ଲୋକଙ୍କ ନିକଟରେ ପହଁଚୁଛି।

ପ୍ରଥମ ପର୍ଯ୍ୟାୟ ଭୋଟିଂରେ ଦିଲ୍ଲୀରେ ପୁଣି ଥରେ ମୋଦି ସରକାର ଏବଂ ଓଡିଶାରେ ବିଜେପି ସରକାର ବୋଲି ଓଡିଶାରୁ ସଙ୍କେତ ଆସିଛି। ସମସ୍ତେ ମଜବୁତ ସରକାର ଚାହୁଁଥିବାରୁ ଦେଶ ଏଥିପାଇଁ ସମର୍ଥନ ଦେଉଛି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଏହି ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ବଲପୁର ଲୋକସଭା ସଂସଦ ବିଜେପି ପ୍ରାର୍ଥୀ ଶ୍ରୀ ନିତିଶ ଗଙ୍ଗଦେବ, କୁଚିଣ୍ଡା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ରବି ନାୟକ, ସମ୍ବଲପୁର ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାନସଭାର ବିଧାୟକ ପ୍ରାର୍ଥୀ ଶ୍ରୀ ନାଉରୀ ନାୟକ, ଦେବଗଡ ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଦେବାନନ୍ଦ ମହାପାତ୍ର, ସଂପାଦିକା ସବିତା ନନ୍ଦଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ନେତା ଏବଂ ବିଜେପିର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.