Home ଓଡ଼ିଶା ଓଡିଆ ଜାତୀୟତାବୋଧ ସୃଷ୍ଟିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଗଣମାଧ୍ୟମରେ ଓଡିଆ ଭାଷା” ଶୀର୍ଷକ ୱେବନର...

ଓଡିଆ ଜାତୀୟତାବୋଧ ସୃଷ୍ଟିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଗଣମାଧ୍ୟମରେ ଓଡିଆ ଭାଷା” ଶୀର୍ଷକ ୱେବନର ସଭାରେ ବିଶିଷ୍ଟ ବକ୍ତାଙ୍କ ମତ

142

ଭୁବନେଶ୍ୱର, ୧୭।୮ (ଓଡ଼ିଆ ପୁଅ) ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଗଣମାଧ୍ୟମ କେବଳ ସାଧାରଣ ଜନତାଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣେ ନାହିଁ, ବରଂ ସାମାଜିକ ଜୀବନକୁ ସିଧାସଳଖ ପ୍ରଭାବିତ କରିଥାଏ। ବିଶେଷକରି ଓଡିଆ ଭାଷା, ସଂସ୍କୃତିକୁ ସୁରକ୍ଷିତ ରଖିବାପାଇଁ ଉତ୍କଳଦୀପିକା ମାଧ୍ୟମରେ ଜନ୍ମ ନେଇଥିବା ଆଧୁନିକ ଓଡିଆ ଗଣମାଧ୍ୟମ ଏ ପର୍ଯ୍ୟନ୍ତ ନିଜର ଦାୟିତ୍ୱ ସୂଚାରୁ ରୂପେ ପାଳନ କରିଆସୁଛି। ସତ୍ୟବାଦୀ ଚେତନାର ମୁଖପତ୍ର ସମାଜ, ବିଷୁବ ମିଳନ ମାଧ୍ୟମରେ ଭାଷା, ସାହିତ୍ୟର ବିକାଶପାଇଁ ପ୍ରଜାତନ୍ତ୍ର ଓ ଶୁଦ୍ଧ ଲିଖନ ମାଧ୍ୟମରେ ସମ୍ବାଦ ଭଳି ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଆସିଛନ୍ତି। ମାତ୍ର ଗତ କିଛି ବର୍ଷ ଧରି ଓଡିଶାର ବିଭିନ୍ନ ଗଣମାଧ୍ୟମରେ ଓଡିଆଭାଷାର ବ୍ୟବହାର ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରୁଛି। ଯାହା ଫଳରେ କୋଣାର୍କରୁ ଗୋଟିଏ ପରେ ଗୋଟିଏ ପଥର ଖସି ଏହାର ସୌନ୍ଦର୍ଯ୍ୟକୁ ହଜାଇ ଦେବାପରି ଭାରତର ପ୍ରାଚୀନ ଓ ଗୌରବମୟ ଭାଷା ଭାବରେ ପରିଚିତ ଓଡିଆଭାଷାର ବହୁ ମୌଳିକ ଓ ମାଧୁର୍ଯ୍ୟ ଶବ୍ଦ ଲୋପ ପାଇବାକୁ ଯାଉଛି। ଏଭଳି ସମସ୍ୟାର ଚିହ୍ନଟ ଓ ନିରାକରଣ କରିବାର ଆବଶ୍ୟକତା ରହିଛି ବୋଲି ଆଜି ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ଗଣମାଧ୍ୟମରେ ଭାଷା ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଅତିଥିଗଣ ମତ ଦେଇଛନ୍ତି। କାନାଡାର ଓଡିଆ ସାହିତ୍ୟ ଟୁଙ୍ଗୀ ସହଯୋଗରେ ଆୟୋଜିତ ଏହି ଆନ୍ତର୍ଜାତିକ ଆଲୋଚନା ସଭାକୁ ଉଦଘାଟନ କରି ଲୋକସଭା ସାଂସଦ ତଥା ଦୈନିକ ପ୍ରଜାତନ୍ତ୍ରର ସମ୍ପାଦକ ଶ୍ରୀଯୁକ୍ତ ଭର୍ତ୍ତୁହରି ମହତାବ କହିଥିଲେ ଯେ, ସମୟ ଅନୁସାରେ ଖବରକାଗଜର ଲେଖନଗତ ଶୈଳୀରେ ପରିବର୍ତ୍ତନ ଆସିବା ଭଳି ଶବ୍ଦରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଗଣମାଧ୍ୟମ ହିଁ ଲୋକଭାଷାକୁ ପ୍ରକାଶ କରି କ୍ରମେ ମାନକଭାଷାର ରୂପ ଦେଇଥାଏ। ବିଶିଷ୍ଟ ଶିକ୍ଷାବିତ ତଥା ମାସିକ କଥା ପତ୍ରିକାର ସମ୍ପାଦକ ଡକ୍ଟର ଗୌରହରି ଦାସ କହିଥିଲେ ଯେ, ଯାନ୍ତ୍ରିକ କୌଶଳ ସାମ୍ବାଦିକତାର କାର୍ଯ୍ୟକୁ ସରଳ କରୁଥିଲେ ମଧ୍ୟ ଅନେକ ସମୟରେ ସମୟର ଆବଶ୍ୟକତାକୁ ନେଇ ଭାଷାର ରୂପ ଓ ଶୈଳୀର ନୂତନତାକୁ ଗ୍ରହଣ କରିବାପାଇଁ ବାଧ୍ୟ ହେଉଛି। ତେବେ ଏଦିଗରେ ଗଣମାଧ୍ୟମକୁ ଆହୁରି ସତର୍କ ହେବାର ଆବଶ୍ୟକତା ଅଛି। ଦୈନିକ ସମାଜର ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାନ୍ତି କହିଲେ ଯେ, ଜଣେ ସମ୍ପାଦକ ଖଣ୍ଡାଧାରରେ ରହି କାର୍ଯ୍ୟ କରିଥାଏ। ସାମାନ୍ୟମାତ୍ର ଭୁଲ ପ୍ରକାଶ ପାଇବା ପରେ ସଚେତନଶୀଳ ନାଗରିକଙ୍କ ପ୍ରତିକ୍ରିୟାର ଶିକାର ସମ୍ପାଦକ ହିଁ ହୋଇଥାଏ। ତ୍ରୁଟି ସଂଶୋଧନକୁ ଗୁରୁତ୍ୱ ଦେବା ବର୍ତ୍ତମାନ ସମସ୍ତ ଗଣମାଧ୍ୟମର ସମ୍ପାଦକଙ୍କ ନିମନ୍ତେ ଏକ ସମୟୋପଯୋଗୀ ଆହ୍ୱାନ।

ପ୍ରାକ୍ତନ ରାଷ୍ଟ୍ରଦୂତ ତଥା ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବସର ବେଉରିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାର ଆରମ୍ଭରେ ଶାସ୍ତ୍ରୀୟ ଓଡିଆ ଭାଷା ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ବସନ୍ତକୁମାର ପଣ୍ଡା ଭିତ୍ତିପତ୍ର ଉପସ୍ଥାପନ କରିଥିବାବେଳେ ପ୍ରଫେସର ଓଁକାର ନାଥ ମହାନ୍ତି ଏହାର ନିର୍ଯ୍ୟାସ ଓ ନିରାକରଣ ସମ୍ପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଆଲୋଚନା ସଭାରେ ଆମେରିକା, କାନାଡା, ଦୁବାଇ, ସିଙ୍ଗାପୁର, ମାଲେସିଆ, ଜର୍ମାନୀ ଆଦି ବିଦେଶରେ ଥିବା ପ୍ରବାସୀ ଓଡିଆ ସମାଜ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିବାବେଳେ ସମୁଦାୟ କାର୍ଯ୍ୟକୁ ଡକ୍ଟର ସୁବ୍ରତ ପୃଷ୍ଟି ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.