Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଆସନ୍ତୁ ଜାଣିବା ଜଗନ୍ନାଥଙ୍କୁ

ଆସନ୍ତୁ ଜାଣିବା ଜଗନ୍ନାଥଙ୍କୁ

1877

– ଶ୍ରୀ ଅଖଣ୍ଡ

ପବିତ୍ର ନିଳାଦ୍ରୀ ନୀଳଶୈଳ ଶ୍ରୀକ୍ଷେତ୍ର ଭୂମି ପୁରୀରେ ନୀଳମାଧବ ଶ୍ରୀଜଗନ୍ନାଥ ଶୋଭାପାଉଛନ୍ତି। ମଧୁରମୟ ଠାକୁର। ମଙ୍ଗଳମୟ ନାମ। ଜନଗଣ ଦ୍ୱାରା ପୂଜିତ ସେହି ମୋ ପତିତପାବନ। ପାପ ଦ୍ୱାରା ମନୁଷ୍ୟର ଅଧପତନ ଘଟୁଥିବା ବେଳେ ସେ ହିଁ ଆମକୁ ପବିତ୍ର କରି ସେଥିରୁ ଉଦ୍ଧାର କରନ୍ତି। ପତିତପାବନ ମହାପ୍ରଭୁଙ୍କୁ ମୁଁ କୋଟି ନମସ୍କାର କରୁଛି। ଅନନ୍ତରୂପୀ ମହାପ୍ରଭୁ। ପ୍ରଭୁ କମଳାକାନ୍ତ ଦ୍ୱାପର ଯୁଗରେ ଗୋପୀମାନଙ୍କ ମନ ମଣ୍ଡନ କରିଥିଲେ। ତାଙ୍କ ସହ ରାସ ଲୀଳା କରିଥିଲେ। କଳିଯୁଗରେ ପରମ ପବିତ୍ର ରୂପରେ ପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତଙ୍କ ସହ ରାସଲୀଳା କରୁଛନ୍ତି। ଭକ୍ତ ଭଜନ କୀର୍ତ୍ତନରେ ମଜି ଯାଉଛନ୍ତି। ଶ୍ରୀକ୍ଷେତ୍ରରେ ଏପରି ପରିବେଶ ସୃଷ୍ଟି ହୋଇଛି, ସବୁବେଳେ ଏହା ବୃନ୍ଦାବନ ଭଳି ଲାଗୁଛି। କୋଟିତୀର୍ଥରାଜ ତଥା ନିତ୍ୟ ବୃନ୍ଦାବନ ଶ୍ରୀକ୍ଷେତ୍ର ଭୂମିକୁ ମୁଁ କୋଟି ପ୍ରଣାମ ଜଣାଉଛି। ମହାପ୍ରଭୁ ହେଉଛନ୍ତି ମହାମୂର୍ତ୍ତି। ବିଶାଳରୂପ ତାଙ୍କର ! ସେ ହେଉଛନ୍ତି ମହାଶକ୍ତି। ଏହି ସଂସାରକୁ ଧାରଣ କରିଥିବା ମହୀଧର ପ୍ରଭୁ ହେଉଛନ୍ତି ସ୍ୱଂୟ ତପମୂର୍ତ୍ତୀ। ସେଇ ତପସ୍ୱୀ, ସେହି ମହର୍ଷି। ସାରା ସଂସାରର ଅଧିପତି ଭାବେ ସଂସାରକୁ ଚଳାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେହି ବିଶ୍ୱରୂପଧରଙ୍କୁ ମୁଁ ପ୍ରଣାମ ଦଣ୍ଡବତ ଜଣାଉଛି। ମହାପ୍ରଭୁଙ୍କ ତପ ବଳରେ ହିଁ ନନ୍ଦିଘୋଷ ରୂପକ ସଂସାର ଚଳଚଂଚଳ ହୋଇଉଠିଛି। ପ୍ରଭୁ ଆମ ଆତ୍ମ ଉଦ୍ଧାରଣ କରୁଥିବାରୁ ସେ ଆମ ଆନନ୍ଦର କାରଣ ପାଲଟିଛନ୍ତି। ସୃଷ୍ଟି ଆରମ୍ଭକୁ ସାରା ମାନବ ସମାଜକୁ ସେ ହିଁ ଆନନ୍ଦର ସ୍ୱରୂପ ଶିକ୍ଷା ଦେଇଛନ୍ତି। ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଭାଇଉଭଣୀଙ୍କ ସହ ଗୃହସ୍ଥ ଅବସ୍ଥାରେ ମାନବୀୟ ଲୀଳା କରୁଥିବା ଦାରୁବ୍ରହ୍ମ ଦେବଙ୍କୁ ମୁଁ ପ୍ରଣାମ କରୁଛି। ପ୍ରଭୁଙ୍କର ଶଂଖ, ଚକ୍ର, ଗଦା, ପଦ୍ମ ଆମ ମନରେ ବିଶ୍ୱଶାନ୍ତିର ଅନୁଭବ ଆଣେ। ଶଂଖରେ ଶାନ୍ତି ଧ୍ୱନି। ଚକ୍ରରେ ଜଗତର ସୁରକ୍ଷା। ଗଦାରେ ଅଧର୍ମର ବିଲୋପ ଏବଂ ପଦ୍ମରେ ଭକ୍ତିର ପ୍ରକାଶ ହେଉଛି। ବଡ ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଭକ୍ତପ୍ରାଣ ବଲ୍ଲଭ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅବସ୍ଥାନ କରି ସାରା ସଂସାରକୁ କୃପା କରୁଛନ୍ତି। କରୁଣାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅନୁଭବ କରିବା ବ୍ୟକ୍ତି ହିଁ ଜାଣିଛି ପ୍ରଭୁଙ୍କ କୃପା କେତେ ଶକ୍ତିଶାଳୀ। କରୁଣାବତାରଙ୍କୁ ମୁଁ କୋଟି ଦଣ୍ଡବତ କରୁଛି। ପ୍ରଭୁଙ୍କୁ ନିଜ ଭିତରେ ଅନୁଭବ କଲେ ହିଁ ଏହି ଭାବ ଆସିଥାଏ। ଭକ୍ତ ଯିଏ ସେ ପ୍ରଭୁଙ୍କ ନାମ ସବୁବେଳେ ଭଜିଥାଏ। ଜଗନ୍ନାଥ ମହାମନ୍ତ୍ର ହେଉଛନ୍ତି କଳି ଯୁଗର ଭକ୍ତି ପ୍ରଦାୟକ ମନ୍ତ୍ର। ମନ୍ତ୍ରଟିକୁ ଦେଖନ୍ତୁ – “ଜୟ ଜୟ ଜଗନ୍ନାଥ ଜଗନ୍ନାଥ ହରେ ହରେ, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ହରେ ହର।” ଏଠାରେ ଜଗନ୍ନାଥଙ୍କ ନାମ ସହ “ହରେ” ଶବ୍ଦରେ ପ୍ରଭୁ ସୀତାରାମ ଓ ରାଧେଶ୍ୟାମ ବିରାଜିତ। ତେଣୁ ଏହି ନାମଟି କଳିର ବିକାର ଓ ଜଂଜାଳରୁ ମାନବକୁ ଉଦ୍ଧାର କରିପାରିବ। ପ୍ରଭୁଙ୍କ ନାମ ମହାମନ୍ତ୍ରରେ ଦୀକ୍ଷିତ ହୁଅନ୍ତୁ। ଆପଣ ମହାପ୍ରଭୁଙ୍କୁ ଅନୁଭବ କରିପାରିବେ ଓ ତାଙ୍କର ଦର୍ଶନ କରିପାରିବେ। ସେହି ମହାମନ୍ତ୍ରକୁ ମୁଁ ପ୍ରଣାମ କରୁଛି। ସାରା ଜଗତର ଜୀବନ ଓ ସାରା ଜଗତର ଶ୍ରେଷ୍ଠ ଧନ ହେଉଛନ୍ତି ମହାପ୍ରଭୁ। ସବୁ ଜୀବର ଆଦି ଗୁରୁ ହେଉଛନ୍ତି ଭଗବାନ ଶ୍ରୀଜଗନ୍ନାଥ। ତାଙ୍କ ମହାନାମ ଓ ତାଙ୍କ ମହାମନ୍ତ୍ର ସାରା ଜଗତରେ ନିତ୍ୟ ନିରନ୍ତର ପ୍ରତିଧ୍ୱନିତ ହେଉଛନ୍ତି। ଭକ୍ତମାନଙ୍କର ଜୟ ଜୟକାର ଭକ୍ତକୁ ଭଗବାନଙ୍କ ନିକଟତର କରାଇଥାଏ। ମୁଁ ସେହି ମହାପ୍ରଭୁଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ କରୁଛି। ଆସନ୍ତୁ ଜଗତର ଶ୍ରେଷ୍ଠ ଧନକୁ ପାଇବା ପାଇଁ ତାଙ୍କରି ଶରଣାଗତ ହେବା।
ଠିକଣା : ଦୀକ୍ଷା ମିଶନ, ପିପିଲି, ପୁରୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.