ଭଦ୍ରକ, ୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ଉଗ୍ରସେନ ବେହେରା (୫୨)ଙ୍କର ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ତଳାଙ୍ଗ ଗ୍ରାମର ବାସିନ୍ଦା ଏବଂ ରତ୍ନାକର ବେହେରାଙ୍କ ବଡ ପୁଅ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ଅପ୍ରେଲ ୧୮ ତାରିଖ ରାତି ପ୍ରାୟ ୮ଟା ସମୟରେ ଉଗ୍ରସେନ ନିଜ ବାଇକରେ ଘରକୁ ଫେରୁଥିବା ବେଳେ ତଳାଙ୍ଗ ଝାଟିଆ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ଗୁରୁତର ଆହତ ଉଗ୍ରସେନଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ମୁଣ୍ଡ ଓ ଛାତିରେ ଗୁରୁତର ଆଘାତ ଲାଗିଥିବାରୁ ଡାକ୍ତରମାନେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପରେ ସ୍ଥିତିର ଅବନତି ହେବାରୁ ପରିବାର ଲୋକେ ଭୁବନେଶ୍ୱରର ସମ୍ ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ଦୀର୍ଘ ଦିନର ଚିକିତ୍ସା ସତ୍ତ୍ୱେ ଲକ୍ଷାଧିକ ଟଙ୍କା ବ୍ୟୟ ହେବା ପରେ ବି ସେ ଚେତା ଫେରି ପାଇନଥିଲେ। ଶେଷରେ ତାଙ୍କର ଦେହାନ୍ତ ଘଟିଛି।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଅଜଣା ଗାଡ଼ି ଚାଳକଙ୍କୁ ଶୀଘ୍ର ଗିରଫ କରିବା ସହ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।








