Home ଓଡ଼ିଶା ବରଗଡ଼ରୁ କିଏ ହେବ ଭାଜପା ପାର୍ଥି:ମୂଳ ସଙ୍ଗଠନରୁ ନାଁ ଆମଦାନୀ ହେବେ?

ବରଗଡ଼ରୁ କିଏ ହେବ ଭାଜପା ପାର୍ଥି:ମୂଳ ସଙ୍ଗଠନରୁ ନାଁ ଆମଦାନୀ ହେବେ?

1194

ଭୁବନେଶ୍ୱର:ବରଗଡ଼ ଲୋକସଭା ଆସନରୁ କିଏ ହେବ ଭାଜପା ସାଂସଦ ପାର୍ଥି?ତାକୁ ନେଇ ଏବେ ବରଗଡ଼ ଭାଜପାର ଜୋରସୋର ଆଲୋଚନା।ଭାଜପାର ପ୍ରଥମ ପର୍ଯ୍ୟାୟ ଟିକେଟ ବଣ୍ଟନ ଆଉ କିଛି ଘଣ୍ଟା ରହିଯାଇଥିବ ବେଳେ,ବରଗଡ଼ ଆସନ ପ୍ରଥମ ପର୍ଯ୍ୟାୟରେ ଘୋଷଣା ହେବାର ସମ୍ଭାବନା ରହିଛି।

୨୦୧୪ ନିର୍ବାଚନରେ ଓଡ଼ିଶାରେ ଭାଜପା ଗୋଟିଏ ମାତ୍ର ସାଂସଦ ଜିତି ପାରିଥିଲା।ଏବଂ ଏହାପରେ ଯଦି ଭାଜପା,ବିଜେଡିକୁ ସବୁଠାରୁ ଭଲ ଟକ୍କର କେଉଁ ସ୍ଥାନରେ ଦେଇ ପାରିଥିଲା ତାହା ହେଲା ବରଗଡ଼।ଭାଜପା ଏଠାରୁ ବିଜୁ ଜନତା ଦଳ ପାର୍ଥିଙ୍କଠାରୁ ମାତ୍ର ୧୧,୧୭୮ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ।

ପାର୍ଲିଆମେଣ୍ଟ ଡିଲିମିଟେସନ କମିଶନ କମିଟି ୨୦୦୨ର ରିପୋର୍ଟ ଅନୁସାରେ ୨୦୦୮ ମସିହାରେ ସମ୍ବଲପୁରଠାରୁ ଅଲଗା ହୋଇ ନୂତନ ଭାବରେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ତିଆରି ହେଲା।ଅଲଗା ହେବା ପରେ ପ୍ରଥମ ଲୋକସଭା ସଦସ୍ୟ ଭାବେ ୨୦୦୯ରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ଡ଼ାକ୍ତର କୃପାସିନ୍ଧୁ ଭୋଇଙ୍କ ପୁଅ ସଞ୍ଜୟ ଭୋଇ ନିର୍ବାଚିତ ହେଲେ।ବିଜେଡି ପାର୍ଥି ଡା: ହମିଦ ହୁସେନ ଦୂତୀୟ ସ୍ଥାନରେ ଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ଥିଲା।ବିଜେପିର ପାର୍ଥି ଥିଲେ ଏବେକାର ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା।

୨୦୧୪ରେ ବିଜେଡିର ଡାଃ ପ୍ରଭାସ କୁମାର ସିଂହ ୩୪.୧୧% ଭୋଟ ପାଇ ଏଠାରୁ ନିର୍ବାଚନ ଜିତିଥିଲେ।ସେ ସର୍ବମୋଟ ୩,୮୩,୨୩୦ ଖଣ୍ଡ ଭୋଟ ପାଇଥିଲେ।ବିଜେପି ଥିଲା ଦୂତୀୟ ସ୍ଥାନରେ।୨୦୦୯ ତୁଳନାରେ ବିଜେପିର ଭୋଟ ପ୍ରତିଶତରେ ଯଥେଷ୍ଟ ବୃଦ୍ଧି ପାଇଥିଲା।ପ୍ରଥମ ଥର ନିର୍ବାଚନ ଲଢ଼ି ଭାଜପା ପାର୍ଥି ସୁବାସ ଚୌହାନ ବିଜେଡିକୁ କଡ଼ା ମୁକାବିଲା ଦେଇଥିଲେ।ସୁବାସ ଚୌହାନ ୩,୭୨,୦୫୨ ଖଣ୍ଡ ଭୋଟ ପାଇ ଦୂତୀୟ ସ୍ଥାନରେ ଥିଲେ।ଭୋଟ ପ୍ରତିଶତ ତାଙ୍କର ଥିଲା ୩୩.୧୨% ଏବଂ କଂଗ୍ରେସର ସଞ୍ଜୟ ଭୋଇ ୨,୭୪,୬୧୦ ଖଣ୍ଡ ଭୋଟ ପାଇ ୨୪.୪୪% ହାରରେ ତୃତୀୟ ସ୍ଥାନରେ ଥିଲେ।ଏହା ବାଦେ ସେଠାରେ ପଶ୍ଚିମାଞ୍ଚଳ ବିକାଶ ପାର୍ଟି, ସିପିଆଇ,ଆପ,ବିଏସପି ଆଦି ନିର୍ବାଚନ ଲଢ଼ିଥିଲେ ମଧ୍ୟ ସେମାନଙ୍କର ଭୋଟ ହାର ଖୁବ୍ କମ ଥିଲା।ନୋଟାରେ ମଧ୍ୟ ୧.୨୯ % ହାରରେ ୧୪,୫୦୦ ଭୋଟ ପଡ଼ିଥିଲା।

ଏହି ସବୁ ଦୃଷ୍ଟି କୋଣରୁ ସୁବାସ ଚୌହାନ ହିଁ ଭାଜପା ପାର୍ଥି ହେବା ବରଗଡ଼ ଭାଜପା ଦଳ ଭିତରେ ଏବଂ ସାଧାରଣ ଲୋକଙ୍କ ଭିତରେ ଆଲୋଚନା ହୋଇ ଆସୁଥିଲା।ଏହା ସହ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ପ୍ରଚାରକ ଜୀବନରୁ ରାଜନୀତିକୁ ଆସିଥିବା ସହ ୨୦୧୪ ନିର୍ବାଚନରେ ପ୍ରଥମ ଥର ଲଢ଼ି ଜବରଦସ୍ତ ପ୍ରଦର୍ଶନ ଏବଂ କ୍ରମାଗତ ଭାବରେ ସଙ୍ଗଠନ ଏବଂ ବରଗଡ଼ ଜନ ସାଧାରଣଙ୍କ ସହ ସମ୍ପର୍କରେ ରହି ଆସିଥିବା ସୁବାସ ଚୌହାନ ବୋଧହୁଏ ଭାଜପାର ପ୍ରଥମ କିଛି ଦାବେବାରଙ୍କ ମଧ୍ୟରୁ ଅନ୍ୟତମ ଥିଲେ।କିନ୍ତୁ ଏ’ ଭିତରେ ଏବେ ହଠାତ ଏକ ଆଲୋଚନା ଆରମ୍ଭ ହୋଇଛି,ବରଗଡ଼ରେ ଭାଜପା ପାର୍ଥି ଆମଦାନୀ କରିବ!ଜଗବନ୍ଧୁ ଭୋଇଙ୍କ ନାମ ଏହି କ୍ରମରେ ଶୁଣିବାକୁ ମିଳୁଛି।୨୦୧୪ରେ ଭାଜପା ଏଠାରେ ଭଲ ଲଢ଼େଇ କରିଥିବା ସତ୍ତ୍ୱେ,ଭାଜପା ପାର୍ଥି ଏଠାରେ କଡ଼ା ମୁକାବିଲା କରିଥିବା ସତ୍ତ୍ୱେ,ଯଦି ମୂଳ ସଙ୍ଗଠନକୁ ବିଶ୍ୱାସକୁ ନ’ନେଇ,ଭାଜପା ବରଗଡ଼ ପରି ଆସନରେ ପାର୍ଥି ଆମଦାନୀ କରେ,ଏହା ସଙ୍ଗଠନ ଭିତରେ ଅସନ୍ତୋଷ ବଢ଼ାଇବା ସହ ଏହାର ପ୍ରଭାବ ଅନ୍ୟ ସ୍ଥାନରେ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି।//ଦେବଦତ୍ତ ରଥ

ସମ୍ବଦ୍ଧିତ ଖବର:-

ଦକ୍ଷ ସଙ୍ଗଠକ : ସୁବାସ ଚୌହାନ

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.