Home ଓଡ଼ିଶା ବିଜେପୁରରୁ ଲଢ଼ିବା ପାଇଁ ମନସ୍ଥିର କରୁଛନ୍ତି ନିରଞ୍ଜନ

ବିଜେପୁରରୁ ଲଢ଼ିବା ପାଇଁ ମନସ୍ଥିର କରୁଛନ୍ତି ନିରଞ୍ଜନ

2387

ଭୁବନେଶ୍ୱର ୨୧-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ବିଜେପୁର ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପୁରରୁ ନବୀନଙ୍କର ପ୍ରାର୍ଥୀତ୍ତ୍ୱ ଘୋଷଣା ହେବା ପରେ ପଶ୍ଚିମାଞ୍ଚଳ ରାଜନୀତିରେ ବିଭିନ୍ନ ପ୍ରକାରର ଅଙ୍କକଷା ଚାଲିଛି। ବିଜେପୁରରେ ନବୀନଙ୍କ ବିରୁଦ୍ଧରେ କାହାକୁ ପ୍ରାର୍ଥୀ କରିବେ ବୋଲି ଉଭୟ ବିଜେପି ଓ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛନ୍ତି। ରାଜନୈତିକ ଘଟଣା ଚକ୍ରରେ କଂଗ୍ରେସଦଳ ତରଫରୁ ଏକ ରୋଚକ ତଥ୍ୟ ଆମର ହସ୍ତଗତ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନବୀନଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ବିଜେପୁର ନିର୍ବାଚନ ମଣ୍ଡଳୀପାଇଁ ଆଶାୟୀଥିବା ସମସ୍ତ କଂଗ୍ରେସ ପ୍ରାର୍ଥୀଙ୍କୁ ନିରଞ୍ଜନ କହିସାରିଲେଣିଯେ, ବିଜେପୁରରୁ ମୁଁ ଲଢ଼ୁଛି, ମୋ ପାଖକୁ ନଆସି ସେଠାରେ ନିର୍ବାଚନ କାମରେ ଲାଗିଯାଅ। ଖୋଦ ପିସିସି ସଭାପତିଙ୍କ ମୁହଁରୁ ଏହି ବକ୍ତବ୍ୟ ଶୁଣି ବିଜେପୁର କଂଗ୍ରେସ ଆଶାୟୀ ଓ କର୍ମୀମାନେ ହତବାକ୍ ହୋଇପଡ଼ିଛନ୍ତି। ଏହା ନିରଞ୍ଜନଙ୍କର କେଉଁ ରଣନୀତି ସେମାନେ ବୁଝିପାରୁନାହାଁନ୍ତି। ପିସିସି ସଭାପତି ହୋଇ ନିରଞ୍ଜନ କାହିଁକି ଆତ୍ମହତ୍ୟା କରିବାକୁ ମନ ବଳେଇଲେ ବୋଲି ସେମାନେ ଓଲଟା ପ୍ରଶ୍ନ କରୁଛନ୍ତି। କେଉଁ ପରିପ୍ରେକ୍ଷୀରେ ସଭାପତି ଏହି ନିଷ୍ପତ୍ତି ନେଉଛନ୍ତି ତାହାର ଆଦି ଅନ୍ତ ପାଉନାହାଁନ୍ତି କଂଗ୍ରେସ ସ୍ଥାନୀୟ ନେତା ଓ କର୍ମୀମାନେ। ବିଜେପୁରର ରାଜନୈତିକ ଇତିହାସ କହୁଛି ବାହାର ପ୍ରାର୍ଥୀ ସେ କୌଣସି ଦଳରୁ ଛିଡ଼ା ହୋଇଥାଆନ୍ତୁ ନାଁ କାହିଁକି ସବୁବେଳେ ସ୍ଥାନୀୟ ନେତାହିଁ ନିର୍ବାଚନ ଜିତିବେ। ଏ ଆଧାରରେ ଦେଖିବାକୁ ଗଲେ ନବୀନ ପଟ୍ଟନାୟକ ମଧ୍ୟ ବାହାରର ପ୍ରାର୍ଥୀ। ମାତ୍ର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିଜେପୁରରୁ ନିର୍ବାଚନ ଲଢ଼ିବାର ନିଷ୍ପତ୍ତିକୁ ପଶ୍ଚିମାଞ୍ଚଳବାସୀ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି। ମାତ୍ର ନିରଞ୍ଜନ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତି କଂଗ୍ରେସ ଦଳପାଇଁ ଲାଭ ଦାୟକ ହେବ ନାଁ ଘାତକ ହେବ ତାହା ଏକ ବିରାଟ ପ୍ରଶ୍ନବାଚୀ। କଂଗ୍ରେସ ଆଶାୟୀ ଅନେକ ନେତାଙ୍କର ସନ୍ଦେହ ବୋଧହୁଏ ନିରଞ୍ଜନ କିଛି ଗୋଟାଏ ନୂତନ ରାଜନୈତିକ ଚାଲ ଖେଳିବାକୁ ଯାଉଛନ୍ତି। ଏହା ଦ୍ୱାରା ସେ ଅନେକ ଆଶାୟୀଙ୍କୁ ଭୁଆଁ ବୁଲାଇବାରେ ସକ୍ଷମ ହେବାପାଇଁ ଏହି ଚାଲ ଖେଳୁଥାଇ ପାରନ୍ତି କିମ୍ବା ବିଜେଡ଼ି ସହିତ କିଛି ଭିତିରିଆ ସଲାସୁତରା ଥାଇପାରେ ବୋଲି କଂଗ୍ରେସ କର୍ମୀ ସନ୍ଦେହ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.