Home ଅପରାଧ ରାଜନୀତିକୁ ନେଇ ହିଂସାକାଣ୍ଡ ନାଁ ହିଂସାକାଣ୍ଡକୁ ନେଇ ରାଜନୀତି ..

ରାଜନୀତିକୁ ନେଇ ହିଂସାକାଣ୍ଡ ନାଁ ହିଂସାକାଣ୍ଡକୁ ନେଇ ରାଜନୀତି ..

113

ଭୁବନେଶ୍ୱର: ଗତ କିଛିଦିନ ହେଲା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା, ଉତୁକୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରୁଜାଲ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଲାଗି ରହିଛି। ଏଥିରୁ ଗୋଟିଏ ବିଜେଡି ସମର୍ଥକ ଏବଂ ଅନ୍ୟଟି ବିଜେପି ସମର୍ଥକ ଗୋଷ୍ଠୀ। ବିଜେପିର ଅଭିଯୋଗ ଅନୁଯାୟୀ, ବିଜେଡି ଦଳର ସମର୍ଥକ ଏବଂ ଗୁଣ୍ଡାମାନେ ବିଜେପି ସମର୍ଥକ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଶାସକ ବିଜେଡି ଦଳ ଚାପରେ ସ୍ଥାନୀୟ ଥାନା ଅଧିକାରୀ ପକ୍ଷପାତିତା କରି କେବଳ ବିଜେପି ସମର୍ଥକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଗିରଫ କରୁଛନ୍ତି। ଏହାର ସୁଯୋଗ ନେଇ ବିଜେଡି ସମର୍ଥିତ ଗୁଣ୍ଡାମାନେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଘର ଉପରେ ଏବଂ ମହିଳା ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି ସବୁ ହିଂସାର ଶିକାର ହୋଇଥିବା ମହିଳାମାନେ ଯେତେବେଳେ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବାକୁ ଗଲେ, ସେତେବେଳେ ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ସେମାନଙ୍କ ଏତଲା ଗ୍ରହଣ ନକରି ଓଲଟା ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମୋବାଇଲ ଛଡ଼ାଇ ଥାନାରୁ ଧକ୍କା ଦେଇ ବାହାର କରିଦେଇ ଥିଲେ। ଆଇଆଇସି ପ୍ରଜ୍ଞା ମହାନ୍ତି ସ୍ଥାନୀୟ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଇଙ୍ଗିତରେ ବିଜେଡିର କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରୁଛି। ଏହାସହ ଆଇଆଇସି ବିଭିନ୍ନ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ସହିତ ବିଜେଡି ପାଇଁ ଦଳୀୟ ପାଣ୍ଠି ସଂଗ୍ରହ କାରବାରରେ ଲିପ୍ତ ଅଛନ୍ତି ବୋଲି ବିଜେପି କହୁଛି।

ଆଇଆଇସିଙ୍କ ଏଭଳି କାରନାମା ବିରୋଧରେ କିଛି କାର୍ଯ୍ୟକର୍ତ୍ତାଙ୍କ ସହିତ ବିଜେପି ନେତା ମନମୋହନ ସାମଲ ଏବଂ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗତ ୪ ତାରିଖରେ ଏସପିଙ୍କୁ ଭେଟି ସବିଶେଷ ବିବରଣୀ ଦେଇଥିଲେ। କିନ୍ତୁ, ଏସପି ଆଇଆଇସିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧି ଦଳ ଗତ ୧୦ ତାରିଖରେ ଘଟଣା ସ୍ଥଳକୁ ଯାଇଥିଲା। ଏହାପରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏହା ଉପରେ ବିଜେପି ପକ୍ଷରୁ ଏକ ପ୍ରେସ ରିଲିଜ କରାଯାଇଥିଲା। ୪୮ ଘଣ୍ଟା ଭିତରେ ସଂପୃକ୍ତ ଆଇଆଇସିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମହିଳା ମୋର୍ଚ୍ଚା ଏହାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେବା ସହିତ କୋଭିଡ୍ ନିୟମ ପାଳନ କରି ଆନ୍ଦୋଳନକୁ ଓଲ୍ହାଇବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଚେତାବନୀ ଦେଇଥିଲେ। ଏହାପରେ ଗତକାଲି ସ୍ମୃତି ପଟ୍ଟନାୟକଙ୍କ ସମେତ ତିନି ଜଣିଆ ପ୍ରତିନିଧି ଦଳ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି।

ତେବେ ଗ୍ରାଉଣ୍ଡ ଜିରୋ ତଥ୍ୟ ଅନୁଯାୟୀ ଏହା ରାଜନୈତିକ ହିଂସାକାଣ୍ଡ ନୁହେଁ, ବରଂ ହିଂସାକାଣ୍ଡକୁ ନେଇ ଚାଲିଛି ରାଜନୀତି। ଭଦ୍ରକ ଜିଲ୍ଲାର ସଂପୃକ୍ତ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସବୁ ବେଳେ ଏପରି ହିଂସାକାଣ୍ଡ ଲାଗି ରହୁଛି। କଥା ଏତିକି, ଗୋଟିଏ ଗୋଷ୍ଠୀ ବିଜେଡି ସମର୍ଥକ ଏବଂ ଅନ୍ୟ ଗୋଷ୍ଠୀଟି ବିଜେପି ସମର୍ଥକ। ଏପରି ବି କୁହାଯାଇ ପାରେ ଗୋଟିଏ ଗୋଷ୍ଠୀକୁ ବିଜେଡି ସମର୍ଥନ କଲା ବେଳେ ଅନ୍ୟ ଗୋଷ୍ଠୀକୁ ବିଜେପି ସମର୍ଥନ କରୁଛି। ଉଭୟ ଦଳର ନେତୃତ୍ୱ ଦାୟିତ୍ୱବାନ ଭାବରେ ଉଭୟ ଗୋଷ୍ଠୀ ମଧ୍ୟରେ ସମାଧାନ କରାଇବା ବଦଳରେ ନିଜର ରାଜନୈତିକ ସ୍ୱାର୍ଥ ହାସଲ ଦିଗରେ ଅଛନ୍ତି। କଥା ନୁହେଁ ଯେ କେବଳ ବିଜେଡି ସମର୍ଥକ ବିଜେପି ସମର୍ଥକ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ବିଜେପି ସମର୍ଥକ ମଧ୍ୟ ବିଜେଡି ସମର୍ଥକ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। କଥା ଏତିକି ଯେଉଁ ଗୋଷ୍ଠୀର ସଂଖ୍ୟା କମ୍ ସ୍ୱାଭାବିକ ଭାବରେ ସେ ଅଧିକ ଆକ୍ରମଣର ଶୀକାର ହେଉଛି। ଏମାନେ ଯେପରି ବିଜେଡି ନେତାଙ୍କୁ ଦୋଷାରୋପ କରୁଛନ୍ତି, ଠିକ୍ ସେହିପରି ବିଜେଡି ସମର୍ଥକ ବିଜେପିକୁ ଦୋଷାରୋପ କରୁଛନ୍ତି। ସେମାନେ ଏବେ କହୁଛନ୍ତି, ମହିଳା ମୋର୍ଚ୍ଚାର ଟିମ୍ ସେଠାକୁ ଗସ୍ତ କରିବା ପରେ ବିଜେପି ସମର୍ଥକ ମାନେ ଅଧିକ ହିଂସାତ୍ମକ ହୋଇ ପଡ଼ିଛନ୍ତି। ତେବେ କଥା ହେଉଛି ହୁଏତ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଇଙ୍ଗିତରେ ଆଇଆଇସି କାମ କରୁଛନ୍ତି ଏବଂ ସମର୍ଥକ ମାନେ ଗଣ୍ଡଗୋଳ କରୁଛନ୍ତି। ତେବେ ସେଠାକାର ବିଧାୟକ ପାର୍ଥି ତଥା ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ଏବଂ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କରୁଛନ୍ତି କ’ଣ। ନିଜେ ଏହାକୁ ନେଇ ସ୍ୱର ଉତ୍ତୋଳନ ନକରି ମହିଳା ମୋର୍ଚ୍ଚାର ସାହାଯ୍ୟ ନେବା କି ଆବଶ୍ୟକ। କ’ଣ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବା କିମ୍ବା ମାନବାଧିକାର କମିଶନଙ୍କୁ ଦାବି ଜଣାଇବା ଅଥବା ବିଧାନସଭାରେ ପ୍ରଶ୍ନ ଉଠାଇବା କ୍ଷେତ୍ରରେ ବିରୋଧୀ ଦଳ ଉପନେତାଙ୍କ ଠାରୁ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ସ୍ୱର ଅଧିକ ଗୁରୁତ୍ୱ ବହନ କରିବ, ନାଁ ଏସବୁ କେବଳ ଡାର୍ଟି ପଲ୍ଟିକ୍ସ, ବୋଲି ଯାହା ଆଲୋଚନା ହେଉଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.