Home ଓଡ଼ିଶା ସ୍ୱଚ୍ଛତା ହି ସେବା -୨୦୧୯ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସ୍ୱଚ୍ଛତା ହି ସେବା -୨୦୧୯ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

251

ମହିଳା ଗୋଷ୍ଠୀଙ୍କ ସହ ପ୍ଲାଷ୍ଟିକ ଆବର୍ଜନା ପୃଥକୀକରଣ କାର୍ଯ୍ୟରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ମଥୁରା/ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଜି ମଥୁରାଠାରେ ସ୍ୱଚ୍ଛତା ଉପରେ ଦେଶବ୍ୟାପୀ ଏକ ବିଶାଳ ସଚେତନତା ତଥା ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଖୋଲା ଶୌଚ ମୁକ୍ତ (ଓଡିଏଫ) ଭାରତ ଲକ୍ଷ୍ୟ ହାସଲ ପ୍ରତି ସ୍ୱଚ୍ଛ ଭାରତ ମିଶନ ସମର୍ପିତ ଥିବା ବେଳେ ପ୍ଲାଷ୍ଟିକ ବର୍ଜ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଏହାର ପରିଚାଳନା ପ୍ରତି ବିଶେଷ ଗୁରୁତ୍ୱାରୋପ କରାଯାଇ ୧୧ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା (ଏସଏଚଏସ)- ୨୦୧୯ ଆୟୋଜନ କରାଯାଉଛି। କେନ୍ଦ୍ର ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଏବଂ ଉତର ପ୍ରଦେଶ ସରକାରଙ୍କ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ପକ୍ଷରୁ ମିଳିତ ଭାବେ ଏସଏଚଏସ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମଧ୍ୟ ପଶୁଧନ ଆରୋଗ୍ୟ ବିଜ୍ଞାନ ମେଳା ପରିଦର୍ଶନ କରିଥିଲେ। ଏଠାରେ ଗାଈଙ୍କ ପାକସ୍ତଳିରୁ ଅସ୍ତ୍ରୋପଚାର ମାଧ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟ ବାହାର କରାଯାଉଥିବା ସେ ଦେଖିଥିଲେ। ଏହାପରେ ସେ ଉତର ପ୍ରଦେଶର ଏକ ମହିଳା ଗୋଷ୍ଠୀ ସହ ବାର୍ତ୍ତାଳାପ କରିଥିଲେ। ଏହି ମହିଳା ଗୋଷ୍ଠୀ ପ୍ଲାଷ୍ଟିକ ବର୍ଜ୍ୟ ମଧ୍ୟରୁ ପୁନଃବ୍ୟବହାର ଯୋଗ୍ୟ ଏବଂ ବ୍ୟବହାର ଅନୁପଯୋଗୀ ପ୍ଲାଷ୍ଟିକକୁ ଅଲଗା କରିବା କାର୍ଯ୍ୟ କରୁଛି। ଏକ ଅଭିନବ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ମଧ୍ୟ ମହିଳା ଗୋଷ୍ଠୀ ସହ ପ୍ଲାଷ୍ଟିକ ବର୍ଜ୍ୟ ପୃଥକୀକରଣ କାର୍ଯ୍ୟ କରିଥିଲେ।

୨୦ ହଜାର କୃଷକ, ସରପଂଚ, ମହିଳା ଗୋଷ୍ଠୀ ଓ ସ୍ୱଚ୍ଛାଗ୍ରହୀଙ୍କୁ ନେଇ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିଜ ଘରୁ, ଅଫିସରୁ ଓ କାର୍ଯ୍ୟସ୍ଥଳୀରୁ ଥରେ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକ ଦୂରେଇ ଦେବାକୁ ଆହ୍ୱାନ କରିଥିଲେ। ଏପରି ପ୍ଲାଷ୍ଟିକର କିଭଳି ଭାବେ ପରିବେଶ, ପଶୁସମ୍ପଦଙ୍କ ସ୍ୱାସ୍ଥ୍ୟ ଓ ଜଳଜୀବଙ୍କ ପ୍ରତି କ୍ଷତି ପହଁଚାଉଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ବଜାରକୁ ସାମଗ୍ରୀ କିଣିବା ପାଇଁ ଯିବା ସମୟରେ କପଡ଼ା କିମ୍ବା ଝୋଟ ବ୍ୟାଗ ଓ କାର୍ଯ୍ୟାଳୟରେ ମାଟି କିମ୍ବା ଧାତବ ପାତ୍ରରେ ପାଣି ପରଷିବା ଲାଗି ନିଜର ଆହ୍ୱାନକୁ ଦୋହରାଇଥିଲେ। ସ୍ୱଚ୍ଛତା ହି ସେବା ଅଭିଯାନ ସମୟରେ ନିଜ ଆଖପାଖରେ ଥିବା ସମସ୍ତ ପ୍ଲାଷ୍ଟିକ ଆବର୍ଜନାକୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର କରିବା ପରେ ସ୍ଥାନୀୟ ପ୍ରଶାସନ ସହ ସେଗୁଡ଼ିକୁ ନଷ୍ଟ କରିବା ଲାଗି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଆହ୍ୱାନ କରିଥିଲେ।

The Prime Minister, Shri Narendra Modi at the Swachhta Hi Seva Programme, in Mathura, Uttar Pradesh on September 11, 2019.

ଜନସଭାକୁ ସମ୍ବୋଧିତ କରି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟ ନାଥ ସ୍ୱଚ୍ଛ ଭାରତ ମିଶନର ସକାରାତ୍ମକ ପ୍ରଭାବକୁ ପ୍ରଶଂସା କରିଥିଲେ ଏବଂ ଏହି ଅଭିଯାନ ଯୋଗୁ ପୂର୍ବ ଉତର ପ୍ରଦେଶରେ କିଭଳି ଆତ୍ମଘାତି ଏନସେଫାଲାଇଟିସ ରୋଗର ନିରାକରଣ କରାଯାଇପାରିଛି ସେଥିପ୍ରତି ଆଲୋକପାତ କରିଥିଲେ। ସ୍ୱଚ୍ଛ ଭାରତ ମିଶନ କାରଣରୁ ଦେଶରେ ସ୍ୱଚ୍ଛତାର ପ୍ରସାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏହି ମାର୍ଗରେ ଖୋଲା ଶୌଚମୁକ୍ତ ଭାରତ ଭଳି ପ୍ଲାଷ୍ଟିକ ଆବର୍ଜନା ମୁକ୍ତ ଭାରତ ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଥିଲେ ଯେ ଭାରତ ଖୋଲା ଶୌଚ ମୁକ୍ତ ହେବାକୁ ସାରା ବିଶ୍ୱ ଆଗ୍ରହର ସହ ଚାହିଁ ରହିଛି। ସେ କହିଥିଲେ ଯେ ପ୍ଲାଷ୍ଟିକ ଆବର୍ଜନା ଏବଂ ଏହାର ପରବର୍ତ୍ତୀ ସଂଗ୍ରହ, ଏହାକୁ ପୁନଃବ୍ୟବହାରକ୍ଷମ କରିବା ଏବଂ ନଷ୍ଟ କରିବା ଦିଗରେ ଏସଏଚଏସ ୨୦୧୯ ବ୍ୟାପକ ଭାବେ ସହାୟକ ହେବ। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ନେତୃତ୍ୱ ଅଧୀନରେ ପରିବେଶ ସୁରକ୍ଷା ଲାଗି ଏହା ଏକ ନୂତନ ଜନ ଆନ୍ଦୋଳନରେ ପରିଣତ ହେବ।

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ, ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରତନ ଲାଲ କଟାରିଆ, ରାଜ୍ୟର ଅନ୍ୟ ମନ୍ତ୍ରୀଗଣ, ସ୍ଥାନୀୟ ସାଂସଦ ଓ ବିଧାୟକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

ଚଳିତ ବର୍ଷର ସ୍ୱଚ୍ଛତା ହି ସେବା ଜନ ଜାଗରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୧ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ, ଅକ୍ଟେବର ୨ ତାରିଖରେ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ଓ ପୃଥକୀକରଣ ଲାଗି ଦେଶବ୍ୟାପୀ ଶ୍ରମଦାନ ଏବଂ ୩ ଅକ୍ଟୋବରରୁ ୨୭ ଅକ୍ଟୋବର, ୨୦୧୯ ଦୀପାବଳି ପର୍ଯ୍ୟନ୍ତ ପ୍ଲାଷ୍ଟିକ ଆବର୍ଜନାର ପୁନଃପ୍ରକ୍ରିୟାକରଣ ଓ ପ୍ରଭାବୀ ଢଙ୍ଗରେ ଏହାକୁ ନଷ୍ଟ କରିବା କାର୍ଯ୍ୟ କରାଯିବ। ସ୍ୱଚ୍ଛତା ହି ସେବା ୨୦୧୯କୁ ବ୍ୟାପକ ଭାବେ ସଫଳ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ସରପଂଚ ଓ ସ୍ୱଚ୍ଛାଗ୍ରହୀମାନଙ୍କୁ ପତ୍ର ଲେଖିଛନ୍ତି। ସାରା ଦେଶରେ ସ୍ୱତନ୍ତ୍ର ଗ୍ରାମସଭା ଜରିଆରେ ଏହି ପତ୍ର ପାଠ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.