Home ଆନ୍ତର୍ଜାତୀୟ ସସ୍ପେନ୍ସ୍: କିମ୍ ଜୋଙ୍ଗ୍ ଉନ୍ ମୃତ ନାଁ ଜୀବିତ?

ସସ୍ପେନ୍ସ୍: କିମ୍ ଜୋଙ୍ଗ୍ ଉନ୍ ମୃତ ନାଁ ଜୀବିତ?

1749

ଭୁବନେଶ୍ୱର: ଉତ୍ତର କୋରିଆର ଏକଛତ୍ରବାଦ ତଥା କ୍ରୁର ଶାସକ କିମ୍ ଜୋଙ୍ଗ୍ ଉନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଉଛି। କିମ୍ ଜୋଙ୍ଗ୍ ଉନ୍ ଗୁରୁତ୍ୱର ଅସୁସ୍ଥ ଥିବା, ତାଙ୍କର ଗୁରୁତ୍ୱର ଅସ୍ତ୍ରୋପଚାର ହୋଇଥିବା ଏପରିକି ଏ’ ଭିତରେ ତାଙ୍କର ମୃତ୍ୟୁ ଘଟି ସାରିଥିବା ନେଇ ବିଭିନ୍ନ ଦେଶର ଗଣମାଧ୍ୟମରେ ଭିନ୍ନଭିନ୍ନ ପ୍ରକାର ରିପୋର୍ଟ ପ୍ରକାଶ ପାଉଛି। ଯଦି ବାସ୍ତବରେ କିମ୍ ଜୋଙ୍ଗ୍ ଉନଙ୍କ ମୃତ୍ୟୁ ହୋଇଥାଏ, ତେବେ ଏହାପରେ ଉତ୍ତର କୋରିଆର ଭବିଷ୍ୟତ କ’ଣ ହେବ ନେଇ ବିଭିନ୍ନ ପ୍ରକାର ଆକଳନ କରାଯାଉଛି।

ବାସ୍ତବରେ ଏବେ କିମ୍ ଜୋଙ୍ଗ୍ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କ୍ରମାଗତ ଭାବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିମ୍ ଜୋଙ୍ଗ୍ ଉନ୍ କିଛି ଦିନ ହେଲା ସର୍ବସାଧାରଣରେ ଦୃଶ୍ୟମାନ ହେଉନାହାଁନ୍ତି। ଉତ୍ତର କୋରିଆର ଗୁପ୍ତ ପ୍ରକୃତିକୁ ଦେଖି କିଛି ବାହାର ଦେଶ ସନ୍ଦେହ କରୁଛନ୍ତି ଯେ ସେ ଗୁରୁତ୍ୱର ଅସୁସ୍ଥ ହୋଇଥାଇ ପାରନ୍ତି କିମ୍ବା ମୃତ୍ୟୁ ବରଣ କରି ସାରିଛନ୍ତି। ବିଶେଷ କରି ଏପ୍ରିଲ ୧୫ରେ ସେ ତାଙ୍କ ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ୍ ଇଲ୍ ସାଙ୍ଗଙ୍କ ୧୦୮ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଯୋଗ ନଦେବା ପରେ ଏପରି ସବୁ ଆଶଙ୍କା କରାଯାଉଛି। କାରଣ ଏହା ଉତ୍ତର କୋରିଆର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ୨୦୧୧ ମସିହାରେ ୩୬ ବର୍ଷ ବୟସରେ କିମ୍ ଜୋଙ୍ଗ୍ ଉନ୍ ତାଙ୍କ ପିତାଙ୍କ ଠାରୁ କ୍ଷମତା ହାସଲ କରିବା ପରେ କେବେ ମଧ୍ୟ ଜେଜେ ବାପା କିମ୍ ଇଲ୍ ସାଙ୍ଗଙ୍କ ଜନ୍ମ ବାର୍ଷିକୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ବନ୍ଦ କରିନଥିଲେ। କିମ୍ ଇଲ୍ ସାଙ୍ଗଙ୍କ ଜନ୍ମ ବାର୍ଷିକୀ ଉତ୍ସବ ଉତ୍ତର କୋରିଆର ଅନ୍ୟତମ ବଡ଼ ରାଷ୍ଟ୍ରୀୟ ଉତ୍ସବ ଭାବରେ ପାଳନ କରାଯାଇଥାଏ।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମରେ ଏବେ କିମ୍ ଜୋଙ୍ଗ୍ ଉନଙ୍କ କିଛି ପୁରୁଣା ମନ୍ତବ୍ୟ ପ୍ରକାଶ ପାଇଛି। କିନ୍ତୁ କୌଣସି ପ୍ରକାର ନୂତନ କାର୍ଯ୍ୟକଳାପ ରିପୋର୍ଟ ପ୍ରକାଶ କରାଯାଇନଥିବା ବେଳେ ଉତ୍ତର କୋରିଆର ଚିର ଶତୃ ଦକ୍ଷିଣ କୋରିଆ ଏପରି ସବୁ ଆକଳନକୁ ଅସ୍ବୀକାର କରିବା ସହ କହିଛି ଯେ ଉତ୍ତର କୋରିଆରେ ସେପରି କୌଣସି ଅସାଧାରଣ ଘଟଣା ଘଟି ନାହିଁ। କିମ୍ ଜୋଙ୍ଗ୍ ଉନଙ୍କ ଏହା କୌଣସି ନୂଆ ଚାଲ୍ ବୋଲି ଦକ୍ଷିଣ କୋରିଆ ସନ୍ଦେହ କରୁଛି।

କ’ଣ ହେବ ଉତ୍ତର କୋରିଆର ଭବିଷ୍ୟତ?
ତେବେ, ଏପରି ପରିସ୍ଥିତିରେ କିମ୍ ଜୋଙ୍ଗ୍ ଉନଙ୍କ ମୃତ୍ୟୁ ପରେ ପରମାଣୁ ଅସ୍ତ୍ରରେ ସଜ୍ଜିତ ଉତ୍ତର କୋରିଆର ଭବିଷ୍ୟତ କ’ଣ ହେବ, ପରବର୍ତ୍ତୀ ଶାସକ କିଏ ହେବ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କିମ୍ ଜୋଙ୍ଗ୍ ଉନ୍ ହେଉଛନ୍ତି ଉତ୍ତର କୋରିଆର ଶାସକ ପରିବାରର ତୃତୀୟ ପୀଢ଼ିର ଶାସକ। ଉତ୍ତର କୋରିଆ ସେହି ଗୋଟିଏ ପରିବାରର ସଦସ୍ୟ ମାନଙ୍କ ଦ୍ୱାରା ୭୦ ବର୍ଷ ଧରି ଶାସିତ ହୋଇଆସୁଛି। ଏଭଳି ପରିସ୍ଥିତିରେ ଯଦି କିମ୍ ଜୋଙ୍ଗ୍ ଉନ୍ ଆଗାମୀ କାର୍ଯ୍ୟକ୍ରମ ଗୁଡ଼ିକରେ ଉପସ୍ଥିତ ନ’ ହୁଅନ୍ତି, ତେବେ ଉତ୍ତର କୋରିଆର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ।

ଯଦି କିମ୍ ଜୋଙ୍ଗ୍ ଉନ୍ ଗୁରୁତର ଅସୁସ୍ଥ, ଶଯ୍ୟାଶାୟୀ କିମ୍ବା ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ସାନ ଭଉଣୀ କିମ୍ ୟୋ ଜୋଙ୍ଗ୍ ତାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି। କିନ୍ତୁ, କିଛି ବିଶେଷଜ୍ଞ ଆଶା କରୁଛନ୍ତି ଯେ ଏହାପରେ ଉତ୍ତର କୋରିଆରେ ଏକ ସାମୂହିକ ନେତୃତ୍ୱର ସମ୍ଭାବନା ମଧ୍ୟ ରହିଛି। ଯାହା ୭୦ ବର୍ଷ ଧରି ଚାଲି ଆସିଥିବା ଏକଛତ୍ରବାଦ ପାରିବାରିକ ଶାସନ ନିୟମକୁ ସମାପ୍ତ କରିପାରେ। ସେହିପରି ଆଉ କିଛି ଆକଳନ ଅନୁଯାୟୀ, କିମ୍ ଜୋଙ୍ଗ୍ ଉନଙ୍କ ମୃତ୍ୟୁ ପରେ ଉତ୍ତର କୋରିଆରେ ଭୟଙ୍କର ଗୃହଯୁଦ୍ଧ ଘଟିପାରେ ବୋଲି ଆଶଙ୍କା କରାଯାଉଛି। ଏପରି ପରିସ୍ଥିତିରେ ଆମେରିକା ଏବଂ ଦକ୍ଷିଣ କୋରିଆ ଉତ୍ତର କୋରିଆରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଯାହା ଆଫଗାନିସ୍ତାନ ଏବଂ ଇରାକ ତୁଳନାରେ ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। -ଦେବଦତ୍ତ ରଥ

ଏକ୍ସ୍- ସରପଞ୍ଚଙ୍କ ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.