Home Top News କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି : ରାଜ୍ୟ ପାଳିବ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ

କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି : ରାଜ୍ୟ ପାଳିବ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ

126

ଭୁବନେଶ୍ୱର : ରାଜ୍ୟ ସରକାର ପାଳନ କରିବେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ ଥର ଆସିଥିଲେ। ତେବେ ପ୍ରଥମ ଥର ପାଇଁ ୧୯୨୧ ମସିହା ମାର୍ଚ୍ଚ ୨୩ରେ ଓଡ଼ିଶା ଆସିଥିଲେ ଗାନ୍ଧିଜୀ ଏବଂ କଟକ କାଠଯୋଡ଼ି ନଦୀ ବାଲିରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ। ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣର ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ୨୦୨୧ ମାର୍ଚ୍ଚ ୨୩ରୁ ବର୍ଷେ ବ୍ୟାପୀ ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ମହାସମାରୋହରେ ପାଳନ ହେବ। ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ ଏବଂ ସର୍ବୋପରି ‘ଅହିଂସା’ ମନ୍ତ୍ରରେ ଏହା ଓଡ଼ିଶାବାସୀଙ୍କୁ ଉଦବୁଦ୍ଧ କରିବା ସହ ଯୁବପିଢ଼ିଙ୍କୁ ମହାତ୍ମାଙ୍କ ମହନୀୟତାରେ ଉଦବୁଦ୍ଧ କରିବାରେ ସହାୟକ ହେବ। ସେହିଭଳି ରାଜ୍ୟ କ୍ୟାବିନେଟରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ସୁରକ୍ଷା ତଥା ବରପୁତ୍ର ମାନଙ୍କ ଗ୍ରାମକୁ ଆଦର୍ଶ ଗ୍ରାମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର ବରପୁତ୍ର ମାନେ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ଆମ କଳା, ସାହିତ୍ୟ ଏବଂ ସଂସ୍କୃତିର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି। ପାଇକ ବିଦ୍ରୋହ ଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଆଧୁନିକ ଓଡ଼ିଶାର ନବ ନିର୍ମାଣରେ ଅତୁଳନୀୟ ଅବଦାନ ରଖିଥିବା ବରପୁତ୍ର ମାନେ ଓଡ଼ିଶା ପାଇଁ ପ୍ରେରଣାର ଉତ୍ସ। ଏହି ମହାପୁରୁଷ ମାନଙ୍କର ସ୍ମୃତିକୁ ଚିରସ୍ମରଣୀୟ କରିବା ଏବଂ ସେମାନଙ୍କର ଜାତି ପ୍ରୀତି ସମ୍ପର୍କରେ ଉତ୍ତରପିଢ଼ିଙ୍କୁ ଅବଗତ କରିବା ଆମ ଦାୟିତ୍ୱ ଓ ଏହା ଏକ ନିରନ୍ତର ପ୍ରକ୍ରିୟା ବୋଲି ରାଜ୍ୟ ସରକାର ଉପଲବ୍ଧି କରିଛନ୍ତି।


ଏବେକାର ଡିଜିଟାଲ୍ ୱାର୍ଲ୍ଡ ଏବଂ ସୋସିଆଲ୍ ମିଡିଆର ଆଗମନ ପରେ ସେମାନଙ୍କର ତ୍ୟାଗକୃତ ଜୀବନୀ ଓ କାର୍ଯ୍ୟ ବିଷୟରେ ପାଠ୍ୟ ପୁସ୍ତକରେ ଉପଯୁକ୍ତ ଭାବରେ ସ୍ଥାନିତ କରିବା ପାଇଁ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆମର ଗୌରବମୟ, ଐତିହ୍ୟ, ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଏ’ ଜାତିକୁ ସେମାନଙ୍କ ପ୍ରତିଭାରେ ମହିୟାନ୍ କରିଥିବା ସମସ୍ତ ବରପୁତ୍ର ମାନଙ୍କର କାର୍ଯ୍ୟ ଏବଂ ଜୀବନର ବିଷୟ ବସ୍ତୁ ଏକତ୍ରିତ କରାଯାଇ ବିଭିନ୍ନ ପାଠ୍ୟକ୍ରମ, ଅତିରିକ୍ତ ପାଠ୍ୟକ୍ରମରେ ସାମିଲ୍ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେଣୁ, ନିଆଯାଇଥିବା ନିଷ୍ପତ୍ତି ମୁତାବକ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ଏହି ବିଷୟରେ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା କରାଯାଇ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦେବା ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। ଏଥି ନିମନ୍ତେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଶିକ୍ଷାବିତଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏଥିସହ ଆମ ରାଜ୍ୟର ବରପୁତ୍ରମାନଙ୍କୁ ଉତ୍ତରପିଢ଼ି ନିକଟରେ ଚିରସ୍ମରଣୀୟ କରିବା ଲାଗି ସେମାନଙ୍କର ଜନ୍ମ ସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ। ସେମାନଙ୍କର ଜନ୍ମ ଏବଂ ତିରୋଧାନ ଦିବସକୁ ଯଥୋଚିତ ଶ୍ରଦ୍ଧା ଏବଂ ସମ୍ମାନ ସହିତ ସମାରୋହ ସହକାରେ ପାଳନ କରାଯିବ। ଏହା ବରପୁତ୍ରମାନଙ୍କ ପ୍ରତି ଏ ଜାତିର ବିନମ୍ର ଶ୍ରଦ୍ଧାଞ୍ଜଳି ହେବ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.