Home ଓଡ଼ିଶା ଖୁଚୁରା ବ୍ୟବସାୟୀ ଓ କୋଠାବାଡ଼ି ନିର୍ମାଣ ପେସାଦାରମାନଙ୍କୁ ଏମଏସଏମଇ ଭାବେ ପଞ୍ଜିକରଣ ପ୍ରସ୍ତାବକୁ ଅନୁଧ୍ୟାନ କରାଯିବ...

ଖୁଚୁରା ବ୍ୟବସାୟୀ ଓ କୋଠାବାଡ଼ି ନିର୍ମାଣ ପେସାଦାରମାନଙ୍କୁ ଏମଏସଏମଇ ଭାବେ ପଞ୍ଜିକରଣ ପ୍ରସ୍ତାବକୁ ଅନୁଧ୍ୟାନ କରାଯିବ : ଶ୍ରୀ ନୀତିନ ଗଡ଼କରୀ

418

– ଆମଦାନୀର ବିକଳ୍ପ ଖୋଜିବା ଏବଂ ଜନସଂଖ୍ୟା ବହୁଳ ସହରରେ ଗହଳି ଏଡ଼ାଇବା ଦିଗରେ କାର୍ଯ୍ୟ କରିବା ଲାଗି ଖୁଚୁରା ବ୍ୟବସାୟୀ ଓ ପ୍ରାକ୍ଟିସିଂ ଇଞ୍ଜିନିୟର, ଆର୍କିଟେକ୍ଟ ଓ ଟାଉନପ୍ଲାନର ସଂଘକୁ ଆହ୍ଵାନ

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) କେନ୍ଦ୍ର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ଆଜି ଭାରତୀୟ ଖୁଚୁରା ବିକ୍ରେତା ସଂଘ ଏବଂ ପ୍ରାକ୍ଟିସିଂ ଇଞ୍ଜିନିୟର୍ସ, ଆର୍କିଟେକ୍ଟସ ଓ ଟାଉନ ପ୍ଲାନର୍ସ ସଂଘର ପ୍ରତିନିଧିମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ସେମାନଙ୍କୁ ଏମଏସଏମଇ ଭାବେ ପଞ୍ଜିକୃତ କରିବା ଲାଗି କରାଯାଇଥିବା ଅନୁରୋଧକୁ ତୁରନ୍ତ ବିଚାର କରାଯିବ ବୋଲି ଶ୍ରୀ ଗଡ଼କରୀ ପ୍ରତିଶ୍ରୁତି ଦେଇଥିଲେ।

ସେ ମଧ୍ୟ ଖୁଚୁରା ବ୍ୟବସାୟୀମାନଙ୍କୁ ହୋମ ଡେଲିଭରି ଓ ସାମାଜିକ ଦୂରତାର ବିକଳ୍ପ ଅନୁସନ୍ଧାନ କରିବା, ଉପଭୋକ୍ତା ଏବଂ କର୍ମଚାରୀମାନଙ୍କୁ ସାନିଟାଇଜର ଯୋଗାଇ ଦେବା ଓ ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ରରେ ମାସ୍କ ବ୍ୟବହାର କରିବା ଲାଗି ଆହ୍ଵାନ କରିଥିଲେ। 

ଏହି ଆଲୋଚନା ସମୟରେ ସଂଘର ପ୍ରତିନିଧିମାନେ କୋଭିଡ-୧୯ ମହାମାରୀ କାରଣରୁ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ଚିନ୍ତାବ୍ୟକ୍ତ କରିଥିଲେ। ସେମାନେ ଏହି କ୍ଷେତ୍ରକୁ ସହାୟତା ଯୋଗାଇ ଦେବା ସଂକ୍ରାନ୍ତରେ କେତେକ ପରାମର୍ଶ ଓ ଅନୁରୋଧ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। 

ଜନସଂଖ୍ୟା ବହୁଳ କ୍ଷେତ୍ରରେ ଗହଳି ଏଡ଼ାଇବା ଏବଂ ଗ୍ରାମୀଣ, ଜନଜାତି ଓ ପଛୁଆ ଅଞ୍ଚଳର ବିକାଶ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା, ବିଶେଷ କରି ନୂଆ ଦିଲ୍ଲୀ-ମୁମ୍ବାଇ ଦ୍ରୁତଗାମୀ ରାଜପଥ ଭଳି ସବୁଜ ରାଜପଥ କ୍ଷେତ୍ରର ବିକାଶ ଦିଗରେ ଇଞ୍ଜିନିୟର, ଆର୍କିଟେକ୍ଟ ଓ ଟାଉନ ପ୍ଲାନରମାନେ ଗୁରୁତ୍ଵ ଦେବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଏହି ମହତ୍ଵାକାଂକ୍ଷୀ ପ୍ରକଳ୍ପ କ୍ଷେତ୍ରରେ ବିଭିନ୍ନ କ୍ଲଷ୍ଟର ଓ ଲଜିଷ୍ଟିକ୍ସ ପାର୍କ ଗଢ଼ି ଉଠିବ ଯାହା ବ୍ୟାପକ ସୁଯୋଗ ସୃଷ୍ଟି କରିବ। 

ଖୁଚୁରା ବିକ୍ରେତା, ରେସ୍ତୋରାଁ, ଆର୍କିଟେକ୍ଚର ଫାର୍ମଗୁଡ଼ିକୁ ଏମଏସଏମଇ ଭାବେ ପଞ୍ଜିକୃତ କରିବା, କୋଭିଡ-୧୯ ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରି ମଲ ଖୋଲିବା, ଅଣଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଇ-କମର୍ସ କାରବାର ଆରମ୍ଭ କରିବା, ଖୁଚୁରା ବ୍ୟବସାୟୀଙ୍କ ପାଇଁ ଭଡ଼ା ସ୍ଥଗିତ ରଖିବା, ୯ ମାସ ପର୍ଯ୍ୟନ୍ତ ଋଣସ୍ଥଗନ ସୁବିଧା ପ୍ରଦାନ କରିବା, ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ବାରା ଆରବିଆଇ ଗାଇଡଲାଇନ ଅନୁଯାୟୀ ଲାଗୁ ସୁଧ ହାରକୁ ୧୦% ରୁ ୪-୫%କୁ ହ୍ରାସ କରିବା, କେବଳ ଗ୍ରହଣ ହେଉଥିବା ସାମଗ୍ରୀରେ ଜିଏସଟି ପ୍ରଯୋଗ କରିବା, ରେରା ଆଇନ ଅନୁଯାୟୀ ପଞ୍ଜିକୃତ ହୋଇଥିବା ବିଲ୍ଡରମାନଙ୍କୁ ଏମଏସଏମଇ ଭାବେ ପଞ୍ଜୀକରଣ କରିବା ଆଦି ପ୍ରସ୍ତାବ ଉତ୍ଥାପନ କରାଯିବା ସହିତ ଏ ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା।

କୋଭିଡ-୧୯ ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜରୁରି ସତର୍କତାମୂଳକ ପଦକ୍ଷେପ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀଗଡ଼କରୀ ଉଦ୍ୟୋଗଜଗତକୁ ପରାମର୍ଶ ଦେଇଥିଲେ। ବ୍ୟବସାୟିକ କାର୍ଯ୍ୟକଳାପ ସମୟରେ ପିପିଇ ଉପଯୋଗ କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଲାଗି ସେ ଜୋର ଦେଇଥିଲେ। ଏହି ସଙ୍କଟ ସମୟରେ ସକାରାତ୍ମକ ମନୋଭାବ ପୋଷଣ କରିବା ନିମନ୍ତେ ସେ ଉଦ୍ୟୋଗଜଗତକୁ ଅନୁରୋଧ କରିଥିଲେ।

ଏହି ସଙ୍କଟ ସମୟରେ ବିଦ୍ୟୁତ କାଟ, ଲଜିଷ୍ଟିକ୍ସ, ଉତ୍ପାଦନ ମୂଲ୍ୟ ହ୍ରାସ କରିବା ଦ୍ଵାରା ବିଶ୍ଵ ବଜାରେ ପ୍ରତିଦ୍ଵନ୍ଦିତା ବଜାୟ ରଖାଯାଇପାରିବ। ଆହୁରି ଘରୋଇ ଉତ୍ପାଦନରେ ବିଦେଶୀ ଆମଦାନୀ ସରଞ୍ଜାମର ବିକଳ୍ପ ସନ୍ଧାନ କରିବା ଉପରେ ସେ ଜୋର ଦେବାକୁ ପରାମର୍ଶ ଦେଇଥିଲେ।

ସେ ଆହୁରି କହିଥିଲେ ଯେ ସବୁଜ ଏକ୍ସପ୍ରେସ ରାଜପଥ ଉପରେ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏହା ଭବିଷ୍ୟତରେ ଅତ୍ୟାଧୁନିକ ସୁବିଧା ବିଶିଷ୍ଟ ଶିଳ୍ପ କ୍ଲଷ୍ଟର, ଲଜିଷ୍ଟିକ୍ସ ପାର୍କ କ୍ଷେତ୍ରରେ ନିବୋ ପାଇଁ ସୁଯୋଗ ସୃଷ୍ଟି କରିବ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଚୀନରୁ ଜାପାନୀ ନିବେଶ ହଟାଇ ନେଇ ଜାପାନ କିମ୍ବା ଅନ୍ୟସ୍ଥାନରେ ନିବେଶ କରିବା ଲାଗି ଜାପାନ ସରକାର ପ୍ରସ୍ତାବ ଦେଇଛନ୍ତି। ଏହା ଭାରତ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଗଡ଼କରୀ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.