ad
ଆମ ପର୍ବ ପର୍ବାଣୀ

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..

“ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ”

ରଜ ଓଡ଼ିଶାର ଏକ ପାରମ୍ପାରିକ ଗଣପର୍ବ। ଏହା ତିନିଦିନ ଧରି ପାଳନ କରାଯାଇଥାଏ। ରଜର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ।

ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା। ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳ, ଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାଆନ୍ତି। ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଏବଂ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, କବାଡ଼ି ଆଦି ଖେଳ ସହ ପାଳନ କରାଯାଇଥାଏ ।

ବିଶେଷତ୍ୱ –
ଆଷାଢ଼ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ। ଏହି ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକ ସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥାଆନ୍ତି। ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ। ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ। ମାଟି ମା’ ହୁଏ ରଜସ୍ୱଳା। ମାଆଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା’କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି। ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ। ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ। ଯେଉଁଥିପାଇଁ ଏହି ସମୟରେ ଭୂମି ଖନନ ବାରଣ କରାଯାଇଥାଏ। ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ। କୁମାରୀ ମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ। ଆଷାଢ଼ର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି କାରଣରୁ ଧରତୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ। ଜଣେ ନାରୀଭାବରେ ଆଗାମୀ ଦିନରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ରଜପର୍ବ ତାହା କୁମାରୀ ମାନଙ୍କୁ ଶିଖାଇଥାଏ। କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାର ସଂହିତାକୁ ବିଧିଭାବେ ପାଳିଥାଆନ୍ତି। ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାର ସଂହିତା ତାକୁ ସହାୟ ହୋଇଥାଏ। ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରତୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନକରି ବିଶ୍ରାମ ଦେଲାଭଳି କାଟିବା, ବାଟିବା ଆଦି ଭଳି ଗୃହକର୍ମ ନକରି କୁମାରୀମାନେ ବିଶ୍ରାମ କରନ୍ତି। ଶସ୍ୟ ଶ୍ୟାମଳା ହେବା ପାଇଁ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ଧରତୀ ମାତାଙ୍କୁ ବିଶ୍ରାମ ମିଳିଥାଏ। ଠିକ ସେହିପରି ଝିଅ ବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି। ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ, ଭବିଷ୍ୟତରେ ନିଜ ଝିଅ ମାନଙ୍କୁ ସ୍ୱଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ।

ରଜ ଦୋଳି –
ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି। ଝିଅମାନେ ନୂତନ ପୋଷାକ ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାଆନ୍ତି। ଘରେ ଘରେ ପୋଡ଼ ପିଠା, ଚକୁଳି ପିଠା ଆଦି ପ୍ରସ୍ତୁତ କରାଯାଇ ଥାଏ। ପରମ୍ପରା ଅନୁସାରେ ଏହି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ବାରଣ କରାଯାଇଥାଏ। କୁମାରୀମାନେ ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି। ଖାଲି ପାଦରେ ଚାଲନ୍ତି ନାହିଁ। ଚପଲ ପିନ୍ଧି, ଏପରିକି ଗୁଆ ଖୋଳପା କିମ୍ବା ଚଳପ୍ରଚଳ ହୁଅନ୍ତି।
ରଜ ଦୋଳି ଗୀତ –
“ରଜ ଦୋଳି କଟକଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ”।

ବସୁମତୀ ସ୍ନାନ –
ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ଆଦି କୁହାଯାଏ। ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାଆନ୍ତି। ମାର୍ଗଶୀର ଶେଷ ଗୁରୁବାର ଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ। ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ। ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ। ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ। ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।

ରଜପାନ –
ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ପ୍ରୀତି, ପ୍ରେମ, ବନ୍ଧୁତାର ୬ ଲକ୍ଷଣ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଏବଂ ପଚାରେ। ଏହି ୬ଟି ଆନ୍ତରିକତା ଓ ନିବିଡ଼ତାର କଥା। ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା। ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି। ପାନ ହେଉଛି ମୁଖବାସ, ପରିତୋଷ। ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡୋରିକୁ ସୁଦୃଢ଼ କରେ। ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦିଆନିଆ କରିଥାଆନ୍ତି। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ। ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ। ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ। ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ। ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ। ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ। ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର। ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢ଼ିଯାଏ।
ରଜପାନ ଗୀତ –
“ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ,
ରାଜା ହୋଇଗଲା ରଜରେ”।

ପିଠାପଣା (ପୋଡ଼ ପିଠା) –
ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ। ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ, ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ପିଠା ତିଆରି କରାଯାଇଥାଏ। ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ। ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାଆନ୍ତି। ଚାଉଳ ଚୂନା ଓ ବିରିରୁ ତିଆରି ଆଣକୁ କଦଳୀ ପତ୍ରରେ ବାନ୍ଧି ଚୁଲିରେ ରାତି ସାରା ପୋଡ଼ି ପୋଡ଼ପିଠା ପ୍ରସ୍ତୁତ କରାଯାଏ। ଏହି ପୋଡ଼ପିଠାକୁ ରଜ ୩ ଦିନ ଖିଆଯାଏ। -ଦେବଦତ୍ତ ରଥ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top