Home ଓଡ଼ିଶା ଜିଲ୍ଲାର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବାକୁ ନେଇ ଉଦ୍‌ବେଗ – ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଚେତାବନୀ

ଜିଲ୍ଲାର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବାକୁ ନେଇ ଉଦ୍‌ବେଗ – ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଚେତାବନୀ

149

ବାଲେଶ୍ୱର, ୧୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦିଗରେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସମନ୍ୱୟର ଅଭାବ ତଥା ଅଦୂରଦୃଷ୍ଟି କାର୍ଯ୍ୟଧାରା ଯୋଜନା କାର୍ଯ୍ୟକାରୀରେ ଅନ୍ତରାୟ ହୋଇଥିବା ବେଳେ ଜନସାଧାରଣଙ୍କୁ ଉଚିତ ସେବା ମିଳିପାରୁ ନାହିଁ ବୋଲି ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରି୍ରୟାନୁଷ୍ଠାନ କମିଟି ଅଭିଯୋଗ ଉଠାଇଛି। ଏହି ପରିପେକ୍ଷୀରେ ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏକ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। କର୍ତ୍ତବ୍ୟରେ ଅବହେଳା କରୁଥିବା ମେଡିକାଲ କଲେଜ୍ ପ୍ରିନ୍ସିପାଲ୍‌, ସୁପରିଣ୍ଟେଣ୍ଡେଣ୍ଟ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭୃତିଙ୍କୁ ତୁରନ୍ତ ଦାୟିତ୍ୱରୁ ଅନ୍ତର କରିବାକୁ କରିବାକୁ ବୈଠକରେ ଦାବି ହୋଇଛିି। ସ୍ୱାସ୍ଥ୍ୟସେବା ପରି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଉଚ୍ଚ ଅଧିକାରୀମାନଙ୍କୁ ଅନ୍ୟତ୍ର ବଦଳିକରି ଦକ୍ଷ ଓ ବିଜ୍ଞ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ କ୍ରିୟାନୁଷ୍ଠାନ କମିଟି ବୈଠକରେ ସହମତି ପ୍ରକାଶ ପାଇଛି। ସମଗ୍ର ବିଶ୍ୱରେ କରୋନା ଭୂତାଣୁର ବିଭୀଷିକା ମୁକାବିଲାରେ ଜିଲ୍ଲାର ଛାମୁଆ ଯୋଦ୍ଧାମାନଙ୍କ ଚରମ ଅବହେଳାରୁ ସରକାରୀ ମଂଜୁରୀପ୍ରାପ୍ତ କରୋନା ଭୂତାଣୁ ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ପାରିଲାନାହିଁ ବୋଲି ଉପସ୍ଥିତ ସଭ୍ୟମନେ କ୍ଷୋଭର ସହ କହିଥିଲେ। ସେହିପରି ମେଡିକାଲ୍ କଲେଜ୍ ସଂଲଗ୍ନ ହସ୍‌ପିଟାଲ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଆୟସ ହସପିଟାଲ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ। ମେଡିକାଲ୍ କଲେଜର ହସପିଟାଲ ଭାବେ କାର୍ଯ୍ୟ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ରୋଗୀ ଆବଶ୍ୟକୀୟ ଚିକିତ୍ସା ସେବା ପାଇ ପାରୁନାହାନ୍ତ। ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସା କେନ୍ଦ୍ରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅଭାବ ଯୋଗୁଁ ଲୋକେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟସେବାରେ ସମନ୍ୱୟ ରକ୍ଷା କରିବାରେ ବିଫଳ ହୋଇଛି। କ୍ରିୟାନୁଷ୍ଠାନ କମିଟି ତରଫରୁ ସଂପୃକ୍ତ ଅଧିକାରୀମାନଙ୍କ ସହ ସାକ୍ଷାତ ଆଲୋଚନା ବେଳେ ପରସ୍ପର ଅନ୍ୟର ଅବହେଳା ଦର୍ଶାଉଛନ୍ତି। ତେଣୁ କ୍ରିୟାନୁଷ୍ଠାନ କମିଟିର ଉଦବେଗକୁ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଓ ନିର୍ବାଚିତ ଜନପ୍ରତିନିଧିମାନେ ଜିଲ୍ଲା ସ୍ୱାସ୍ଥ୍ୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ଦେବାକୁ ବୈଠକରେ ନିବେଦନ କରାଯାଇଛି। ଅନ୍ୟଥା କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଜିଲ୍ଲାବାସୀ ଗଣତାନ୍ତ୍ରିକଧାରାରେ ପୁଣଇ ଏକ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ବୈଠକରେ ଚେତାବନୀ ଦିଆଯାଇଛି। ଏହି ଅବସରରେ ଦିବଂଗତ ଓଡ଼ିଶାର ସୁନାମଧନ୍ୟ ଡାକ୍ତର ସନାତନ ରଥ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀ, ଗଣ ଆନ୍ଦୋଳନର ନେତା ଗଣନାଥ ପାତ୍ର ଓ ଡଃ. ଲକ୍ଷ୍ମଣ ମହାପାତ୍ରଙ୍କୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି ବୈଠକରେ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ାଙ୍କ ସମେତ ଗିରିଶ ଚନ୍ଦ୍ର ଦାଶ, ପ୍ରଫୁଲ୍ଲ କୁମାର ଦାସ, ଶ୍ୟାମସୁନ୍ଦର ଜେନା, ବିଜନ ଦେ, ବନ୍ଦନା ପାତ୍ର, ବ୍ରହ୍ମାନନ୍ଦ ଦାସ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରବି କୁମାର ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.