Home ଓଡ଼ିଶା ପ୍ରଧାନମନ୍ତ୍ରୀ ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ଅବସରରେ ୭୫ ଟଙ୍କା ମୂଲ୍ୟର ସ୍ମାରକ...

ପ୍ରଧାନମନ୍ତ୍ରୀ ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ଅବସରରେ ୭୫ ଟଙ୍କା ମୂଲ୍ୟର ସ୍ମାରକ ମୁଦ୍ରା ଜାରି କରିବେ

75

ପ୍ରଧାନମନ୍ତ୍ରୀ ସଦ୍ୟ ବିକଶିତ ୮ଟି ଶସ୍ୟର ୧୭ ଜୈବସମୃଦ୍ଧ ପ୍ରଜାତି ରାଷ୍ଟ୍ରକୁ ସମର୍ପିତ କରିବେ

ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ)ର ୭୫ ତମ ବାର୍ଷିକୀ ଅବସରରେ ଭାରତ ସହ ଏଫଏଓର ଦୀର୍ଘଦିନର ସମ୍ପର୍କକୁ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୬, ୨୦୨୦ରେ ୭୫ ଟଙ୍କା ମୂଲ୍ୟର ସ୍ମାରକ ମୁଦ୍ରା ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନିକଟରେ ବିକଶିତ ୮ଟି ଶସ୍ୟର ୧୭ ଜୈବ ସମୃଦ୍ଧ ପ୍ରଜାତି ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ।

କୃଷି ଓ ପୋଷଣକୁ ସରକାରଙ୍କ ସର୍ବାଧିକ ପ୍ରାଥମିକତା ତଥା କ୍ଷୁଧା, କୁପୋଷଣ ଓ ଅପପୁଷ୍ଟି ଦୂରୀକରଣ ପାଇଁ ପ୍ରତିବଦ୍ଧତାର ପ୍ରତୀକ ଭାବେ ଏହି କାର୍ଯ୍ୟକ୍ରମ ପାଳିତ ହେବ। କାର୍ଯ୍ୟକ୍ରମରେ ସାରା ଦେଶର ଅଙ୍ଗନୱାଡି, କୃଷି ବିଜ୍ଞାନ କେନ୍ଦ୍ର, ଜୈବ ଓ ଉଦ୍ୟାନ କୃଷି ମିଶନଗୁଡିକ ଭାଗ ନେବେ। କେନ୍ଦ୍ର କୃଷି ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ।

ଭାରତ ଓ ଏଫଏଓ

ସମ୍ବେଦନଶୀଳ ଓ ସାଧାରଣ ଲୋକଙ୍କୁ ଆର୍ଥିକ ତଥା ପୋଷଣ ଦୃଷ୍ଟିରୁ ସଶକ୍ତ କରିବାରେ ଏଫଏଓର ଭୂମିକା ଅତୁଳନୀୟ। ଏଫଏଓ ସହିତ ଭାରତର ସମ୍ପର୍କ ବେଶ ପୁରୁଣା। ଭାରତୀୟ ସିଭିଲ ସେବା ଅଧିକାରୀ ଡଃ ବିନୟ ରଞ୍ଜନ ସେନ ୧୯୫୬-୧୯୬୭ ପର୍ଯ୍ୟନ୍ତ ଏଫଏଓର ମହାନିର୍ଦ୍ଦେଶକ ଥିଲେ। ଏହି ସମୟରେ ୨୦୨୦ରେ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୨୦୧୬କୁ ଅନ୍ତର୍ଜାତୀୟ ଡାଲି ଜାତୀୟ ଶସ୍ୟ ବର୍ଷ ଓ ୨୦୨୩କୁ ଅନ୍ତର୍ଜାତୀୟ ବାଜରା ବର୍ଷ ଭାବେ ପାଳନ କରିବା ପାଇଁ ଭାରତର ପ୍ରସ୍ତାବକୁ ଏଫଏଓ ଅନୁମୋଦନ ଦେଇଛି।

କୁପୋଷଣର ମୁକାବିଲା

୧୦ କୋଟିରୁ ଅଧିକ ଲୋକଙ୍କ ଶାରୀରିକ ବିକାଶ, କୁପୋଷଣ, ରକ୍ତହୀନତା, ଜନ୍ମ ସମୟରେ ଓଜନ ହ୍ରାସ ଆଦି ସମସ୍ୟା ଦୂରେଇବା ପାଇଁ ଭାରତ ଉଚ୍ଚାକାଂକ୍ଷୀ ପୋଷଣ ଅଭିଯାନ ଆରମ୍ଭ କରିଛି। ସାରା ବିଶ୍ୱର ୨ ବିଲିୟନ ଲୋକ କୁପୋଷଣ ଗ୍ରସ୍ତ ହୋଇଥିବାରୁ ଏହା ଏକ ବିଶ୍ୱସ୍ତରୀୟ ସମସ୍ୟା ପାଲଟିଛି। ପ୍ରାୟ ୪୫ ପ୍ରତିଶତ ଶିଶୁ ମୃତ୍ୟୁ କୁପୋଷଣ ଯୋଗୁଁ ହୋଇଥାଏ। ଜାତିସଂଘର ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ ମଧ୍ୟରୁ କୁପୋଷଣର ମୁକାବିଲା ଅନ୍ୟତମ।

ବିଭିନ୍ନ ପ୍ରକାର ପୋଷକ ତତ୍ୱରେ ଭରା ଖାଦ୍ୟଶସ୍ୟ ଅନ୍ତର୍ଜାତୀୟ ପ୍ରାଥମିକତା ଅନୁରୂପ ବିକଶିତ କରାଯାଉଛି। ଯେଉଁଥିରେ ଆଇରନ, ଜିଙ୍କ, କ୍ୟାଲସିୟମ, ସମ୍ପୂର୍ଣ୍ଣ ପ୍ରୋଟିନ, ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଲାଇସିନ ଓ ଟ୍ରାଇପ୍ଟୋଫାନ, ଆନ୍ଥୋସାୟନିନ, ପ୍ରୋଭିଟାମିନ ଏ, ଓଲେଇକ ଏସିଡ ଆଦି ସାମିଲ ରହିଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ତତ୍ୱାବଧାନରେ ଜାତୀୟ କୃଷି ଗବେଷଣା ପ୍ରଣାଳୀ ଗତ ୫ ବର୍ଷରେ ଏପରି ୫୩ଟି ପ୍ରଜାତିର ଶସ୍ୟ ବିକଶିତ କରିଛି। ୨୦୧୪ ପୂର୍ବରୁ ମାତ୍ର ଗୋଟିଏ ଜୈବସମୃଦ୍ଧ ପ୍ରଜାତି ବିକଶିତ ହୋଇଥିଲା।

ଭାରତୀୟ ଥାଳିକୁ ନ୍ୟୁଟ୍ରି-ଥାଳିରେ ବଦଳାଇବା

ପ୍ରଧାନମନ୍ତ୍ରୀ ୮ଟି ଶସ୍ୟର ୧୭ଟି ନୂତନ ବିକଶିତ ଜୈବସମୃଦ୍ଧ ପ୍ରଜାତି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାର ପୋଷଣ ମୂଲ୍ୟ ସାଧାରଣ ପ୍ରଜାତି ତୁଳନାରେ ୩ ଗୁଣ ଅଧିକ। ସିଆର ୩୧୫ ଧାନରେ ଜିଙ୍କ ଭରପୂର ଥିବା ବେଳେ ଏଚଆଇ ୧୬୩୩ ଗହମରେ ପ୍ରୋଟିନ, ଜିଙ୍କ, ଆଇରନ ଓ ଏଚଡି ୩୨୯୮ରେ ପ୍ରୋଟିନ ଓ ଆଇରନ, ଡିବିଡବ୍ଲୁ ୩୦୩ ଓ ଡିଡିଡବ୍ଲୁ ୪୮ରେ ପ୍ରୋଟିନ ଭରି ରହିଛି। ଲଢୋୱାଲ କିସମ ପ୍ରୋଟିନ ମକା ହାଇବ୍ରିଡ ୧, ୨ ଓ ୩ରେ ଲାଇସିନ ଓ ଟ୍ରାଇପ୍ଟୋଫାନ ଭରି ରହିଛି, ସିଏଫଏମଭି ୧ ଓ ୨ ରାଗିରେ କ୍ୟାଲସିୟମ, ଆଇରନ ଓ ଜିଙ୍କ, ସିଏଲଏମଭି ୧ରେ ଆଇରନ ଓ ଜିଙ୍କ, ପୁଷା ସୋରିଷ ୩୨ରେ କମ ୟୁରିକ ଏସିଡ, ଗିରନାର ୪ ଓ ୫ ବାଦାମରେ ଅଧିକ ଓଲେଇକ ଏସିଡ ଓ କନ୍ଦମୂଳର ଶ୍ରୀ ନୀଳିମା ଓ ଡିଏ ୩୪୦ ପ୍ରଜାତିରେ ଅଧିକ ଜିଙ୍କ, ଆଇରନ, ଆନ୍ଥୋସାଇନିନ ଭରି ରହିଛି।

ଅନ୍ୟ ଖାଦ୍ୟଶସ୍ୟ ସହିତ ଏହି ଫସଲଗୁଡିକ ମିଶିବା ପରେ ଭାରତୀୟ ଥାଳି ନ୍ୟୁଟ୍ରି ଥାଳିରେ ବଦଳି ଯିବ। ସ୍ଥାନୀୟ ଭୂମି ଓ କୃଷକଙ୍କ ଦ୍ୱାରା ଏହି ପ୍ରଜାତିଗୁଡିକୁ ବିକଶିତ କରାଯାଇଛି। ଅଧିକ ଜିଙ୍କ ସମୃଦ୍ଧ ଧାନ ପ୍ରଜାତିକୁ ଗାରୋ ପର୍ବତମାଳାରୁ ସଂଗ୍ରହ କରି ଆସାମରେ ବିକଶିତ କରାଯାଇଛି ଓ ଗୁଜୁରାଟରୁ ସଂଗୃହୀତ ରାଗିକୁ ଡାଙ୍ଗ ଜିଲ୍ଲାରେ ବିକଶିତ କରାଯାଇଛି।

ପୋଷଣ ସୁରକ୍ଷା ବଢାଇବା ପାଇଁ ଆଇସିଏଆର କୃଷି ସହିତ ପାରିବାରିକ ଚାଷ, ପୋଷଣ ସ୍ମାର୍ଟ ଗାଁକୁ ପ୍ରୋତ୍ସାହନ ଦେବା ପାଇଁ ନ୍ୟୁଟ୍ରି ସେନ୍ସିଟିଭ ଏଗ୍ରିକଲ୍ଚରାଲ ରିସୋର୍ସ ଆଣ୍ଡ ଇନୋଭେସନ (ଏନଏଆରଆଇ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କୃଷକ ବିକାଶ କେନ୍ଦ୍ର ଦ୍ୱାରା ସ୍ୱତନ୍ତ୍ର ପୋଷଣ ବଗିଚା ମଡେଲ ବିକଶିତ ଓ ପ୍ରୋତ୍ସାହିତ କରାଯାଉଛି। ସମ୍ପୂର୍ଣ୍ଣ ଓ ସୂକ୍ଷ୍ମ ପୁଷ୍ଟିରେ ଭରା ଖାଦ୍ୟ ସ୍ଥାନୀୟ ଅଂଚଳରେ ଉପଲବ୍ଧ କରାଇବା ଏହାର ଉଦ୍ଦେଶ୍ୟ।

ପ୍ରାକୃତିକ ପୁଷ୍ଟି ସମୃଦ୍ଧ ଖାଦ୍ୟଶସ୍ୟର ଉତ୍ପାଦନ ବଢାଇ ମଧ୍ୟାହ୍ନ ଭୋଜନ, ଅଙ୍ଗନୱାଡି ଆଦି ସରକାରୀ କାର୍ଯ୍ୟକ୍ରମ ସହିତ ଯୋଡି କୁପୋଷଣ ହ୍ରାସ କରାଯିବ ଏବଂ ପ୍ରାକୃତିକ ଖାଦ୍ୟଶସ୍ୟ ମାଧ୍ୟମରେ ଭାରତକୁ କୁପୋଷଣ ମୁକ୍ତ କରାଯିବ। ଏହାଦ୍ୱାରା ଚାଷୀଙ୍କ ରୋଜଗାର ବଢିବ ଓ ଉଦ୍ୟୋଗୀଙ୍କ ବିକାଶ ପାଇଁ ନୂତନ ପଥ ଉନ୍ମୋଚିତ ହେବ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.