Home ଓଡ଼ିଶା କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମ୍ୟ ଜୀବନ...

କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମ୍ୟ ଜୀବନ ଜୀବିକା ମିଶନ ଅନ୍ତର୍ଗତ ସ୍ୱତନ୍ତ୍ର ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି

84

ନୂଆ ଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ପାଇଁ ୫୨୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଓ ଜାତୀୟ ଗ୍ରାମୀଣ ଜୀବନ ଜୀବିକା ମିଶନରେ ମଞ୍ଜୁର କରାଯାଇଛି। ଏହି ଅର୍ଥ ୫ ବର୍ଷ ପାଇଁ ଅର୍ଥାତ୍‌୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସଂପୃକ୍ତ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ଗ୍ରାମ୍ୟ ଜୀବିକା ମିଶନ ଓ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନାରେ ଖର୍ଚ୍ଚ ହେବ। ଏହି ପ୍ୟାକେଜରେ ମଞ୍ଜୁର ହୋଇଥିବା ଅର୍ଥ ଜରୁରୀ ଆବଶ୍ୟକତା ପୂରଣ ଭିତ୍ତିରେ ଖର୍ଚ୍ଚ ହେବ ଏବଂ ଏଥିରେ ଦାରିଦ୍ର୍ୟ ଅନୁପାତ ସହ ଅର୍ଥ ମଞ୍ଜୁରକୁ ହିସାବ କରାଯିବ ନାହିଁ।

ଏହା ଫଳରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଓ ଜାତୀୟ ଗ୍ରାମୀଣ ଜୀବନ ଜୀବିକା ମିଶନ ପାଇଁ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜର ଆବଶ୍ୟକତା ପୂରଣ ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ମିଳିବ। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ସବୁ କେନ୍ଦ୍ରୀୟ ପ୍ରାୟୋଜିତ ଜନକଲ୍ୟାଣକାରୀ ଯୋଜନାକୁ ସମୟବଦ୍ଧ ଭିତ୍ତିରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏଥିପାଇଁ ଅର୍ଥ ଯୋଗାଣକୁ ସୁଗମ କରାଯାଇଛି।

ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳକୁ ଜାତୀୟ ଗ୍ରାମାଞ୍ଚଳ ଜୀବିକା ଅଭିଯାନ କାର୍ଯ୍ୟକ୍ରମରେ ପର୍ଯ୍ୟାପ୍ତ ଅର୍ଥ ଯୋଗାଇଦେଲେ ସଂପୃକ୍ତ ଅଞ୍ଚଳର ଗରିବ ଲୋକ ବିଶେଷକରି ମହିଳାଙ୍କ ଜୀବନଧାରଣ ମାନରେ ଉନ୍ନତି ଘଟିବ। ଏହାଦ୍ୱାରା ମହିଳା ସଶକ୍ତୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆକଳନ କରାଯିବା ପରେ ଏହି ଅର୍ଥ ମଞ୍ଜୁର କରାଯାଇଛି।

ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଓ ଜାତୀୟ ଗ୍ରାମାଞ୍ଚଳ ଜୀବିକା ଅଭିଯାନ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଏକ କାର୍ଯ୍ୟକ୍ରମ। ଏହା ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରର ଦାରିଦ୍ର୍ୟ ଦୂର କରିବା ପାଇଁ ସ୍ୱତନ୍ତ୍ରଭାବେ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମ। ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୨୦୧୧ରେ ଜୁନ୍‌ରେ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୦ କୋଟି ଗ୍ରାମାଞ୍ଚଳ ଗରିବ ପରିବାରର ଦାରିଦ୍ର୍ୟ ଦୂର କରିବା ସହ ସେମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଲକ୍ଷ୍ୟ ରଖାଯାଇଛି। ଏଥିରେ ପ୍ରତ୍ୟେକ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟଭାବେ ଗ୍ରହଣ କରାଯାଇ ତାଙ୍କୁ ତାଲିମ, ଦକ୍ଷତା ନିର୍ମାଣ, ଜୀବିକା ଅର୍ଜନର ପନ୍ଥା ନିର୍ଦ୍ଧାରଣ ଏବଂ ରୋଜଗାରର ମାର୍ଗ ନିର୍ଦ୍ଧାରଣ କରି ଉପାର୍ଜନକ୍ଷମ କରିବା ଏହି ଯୋଜନାର ଅଂଶବିଶେଷ। ଏଥିପାଇଁ ସଂପୃକ୍ତ ମହିଳାମାନଙ୍କୁ ନିଜର ସ୍ୱେଚ୍ଛାସେବୀ ସଂଗଠନ ଏବଂ ବ୍ୟାଙ୍କରୁ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ମହିଳାମାନଙ୍କୁ ଗୋଷ୍ଠୀଗତ ପ୍ରତିଷ୍ଠାନଗୁଡିକରେ ଗୋଷ୍ଠୀର ବୃତ୍ତିଜୀବୀଙ୍କ ସହ ଆତ୍ମସହାୟତା ଭାବନାରେ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଛି। ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଓ ଜାତୀୟ ଗ୍ରାମ୍ୟ ଜୀବିକା ମିଶନର ବିଶେଷତ୍ୱ ହେଲା ଏହା ପୂର୍ବର ଦାରିଦ୍ର୍ୟ ଦୂରୀକରଣ ଯୋଜନାଠାରୁ ଭିନ୍ନ। ଏହାର ଅନ୍ୟ ବିଶେଷତ୍ୱ ହେଲା ଏହା ନିର୍ଦ୍ଦିଷ୍ଟ ଲକ୍ଷ୍ୟପୂରଣ ଭିତ୍ତିରେ ମିଶନ ମୋଡରେ କାର୍ଯ୍ୟକାରୀ ହୋଇଥାଏ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ସଂପୂର୍ଣ୍ଣ ସମର୍ପିତ ବ୍ୟବସ୍ଥାରେ ସ୍ପେଶାଲ ପର୍ପସ ଭେଇକିଲ ବା ସ୍ୱୟଂଶାସିତ ସଂସ୍ଥାଦ୍ୱାରା ଏହା କାର୍ଯ୍ୟକାରୀ ହେଉଛି। ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ମାନବ ସମ୍ବଳକୁ ବିନିଯୋଗ କରି ଗ୍ରାମାଞ୍ଚଳର ଦରିଦ୍ର ପରିବାରକୁ ଉପରକୁ ଉଠାଇବା ପାଇଁ ନିରନ୍ତର ସହାୟତା ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ।

ପୃଷ୍ଠଭୂମି

ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଏନ୍‌ଆର୍‌ଏଲ୍‌ଏନ୍‌ପୂର୍ବରୁ ତତ୍କାଳୀନ ଜମ୍ମୁ ଓ କଶ୍ମୀର ରାଜ୍ୟରେ କାର୍ଯ୍ୟକାରୀ ହେଉଥିଲା। ଜମ୍ମୁ-କଶ୍ମୀର ରାଜ୍ୟ ଗ୍ରାମୀଣ ଜୀବନ ଜୀବିକା ଅଭିଯାନ ଏହି କାର୍ଯ୍ୟକ୍ରମକୁ ‘ଉମୀଦ୍‌’ ନାମରେ କାର୍ଯ୍ୟକାରୀ କରୁଥିଲା। ଏହି ଯୋଜନାରେ ରାଜ୍ୟମାନଙ୍କୁ ଅର୍ଥ ଯୋଗାଣର ଯେଉଁ ବ୍ୟବସ୍ଥା ରହିଛି ସେହି ହିସାବରେ ଦେଖିଲେ ଜମ୍ମୁ-କଶ୍ମୀରର ଅଂଶ ଥିଲା ବାର୍ଷିକ କେନ୍ଦ୍ରୀୟ ବ୍ୟୟ ଅଟକଳର ୧ ଶତାଂଶରୁ କମ୍‌। ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱୟର ଗ୍ରାମୀଣ ଦରିଦ୍ରଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ଏହି ଅର୍ଥ ଯଥେଷ୍ଟ ହୋଇନଥିବାରୁ ଭାରତ ସରକାର ଏଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି। ଏହା ଫଳରେ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ ଦରିଦ୍ର ଗ୍ରାମାଞ୍ଚଳ ପରିବାର ଉପକୃତ ହେବେ। ସେମାନଙ୍କ ସଂଖ୍ୟା ସମଗ୍ର ଗ୍ରାମାଞ୍ଚଳ ଜନସଂଖ୍ୟାର ଦୁଇ ତୃତୀୟାଂଶ। ଏବେ ଯେଉଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି ତାହାକୁ ରାଜ୍ୟର ଦରିଦ୍ର ଲୋକଙ୍କ ଅନୁପାତ ସହିତ ସଂଯୋଗ କରାଯାଇନାହିଁ। ଏହାର ଅର୍ଥ ଲୋକଙ୍କ ଆବଶ୍ୟକତା ଭିତ୍ତିରେ କେନ୍ଦ୍ର ଟଙ୍କା ମଞ୍ଜୁର କରିଛି।

ମୂଳ ଯୋଜନା ଅନୁସାରେ ୫ ବର୍ଷ ପାଇଁ ଏହି ଯୋଜନାରେ ଉଭୟ କେନ୍ଦ୍ର ଶାସିତ ଅଞ୍ଚଳ ୭୫୫-୩୨ କୋଟି ଟଙ୍କା ପାଇବେ। ସେଥିମଧ୍ୟରୁ କେନ୍ଦ୍ରୀୟ ଅଂଶ ହେଲା ୬୭୯-୭୮ କୋଟି ଟଙ୍କା। ସୂଚନାଯୋଗ୍ୟ ଯେ ଜମ୍ମୁ-କଶ୍ମୀର ରାଜ୍ୟ ଥିବାବେଳେ ଏହି ଯୋଜନା ୨୦୧୩-୧୪ରୁ ୨୦୧୭-୧୮ ଆର୍ଥିକ ବର୍ଷ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବାର ଥିଲା। ତେବେ ସେଠାକାର ଅଶାନ୍ତ ସ୍ଥିତି ଏବଂ ଅନ୍ୟାନ୍ୟ ଅସୁବିଧା ହେତୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା।

ବିଭିନ୍ନ କାରଣ ତଥା ଅସ୍ଥିର ସ୍ଥିତି ଯୋଗୁଁ ୨୦୧୩ରେ ଯେଉଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଥିଲା ତାହାର ମିଆଦକୁ ୨୦୧୮-୧୯ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା। ଏହି ସମୟ ମିଆଦ ବୃଦ୍ଧି ସତ୍ତ୍ୱେ ଯୋଜନାଟି ସଂପୂର୍ଣ୍ଣ ହୋଇପାରିନଥିଲା। ଏହି ସ୍ୱତନ୍ତ୍ର ପ୍ୟାକେଜର କାର୍ଯ୍ୟକାରିତା ପାଇଁ ତୃତୀୟ ପକ୍ଷ ଦ୍ୱାରା ଆକଳନ କରାଯାଇଥିଲା। ଏଥିପାଇଁ ଗୁଜରାଟର ଆନନ୍ଦ ସ୍ଥିତ ଇର୍‌ମା ସଂସ୍ଥା ସର୍ଭେ କାର୍ଯ୍ୟ ୨୦୧୯ରେ ସଂପୂର୍ଣ୍ଣ କରିଥିଲା। ଏହି ସଂସ୍ଥାର ସର୍ଭେ ଅନୁସାରେ ତତ୍କାଳୀନ ଜମ୍ମୁ-କଶ୍ମୀର ରାଜ୍ୟରେ ଦୀନଦୟାଲ- ଏନ୍‌ଆରଏନ୍‌ଏଲ କାର୍ଯ୍ୟକ୍ରମ ଦ୍ୱାରା ସଂପୃକ୍ତ ଗରିବ ପରିବାରର ଆୟସ୍ତର ବଢିଥିଲା। ସେମାନଙ୍କର ସମ୍ପଦ ଆହରଣ ପରିସର ବୃଦ୍ଧି ପାଇଥିଲା। ମହିଳାମାନେ ବିଭିନ୍ନ ପ୍ରକାର ଉପାର୍ଜନ ସୁଯୋଗ ପାଇଥିଲେ। ସେମାନଙ୍କର ଜମା ବଢିଥିଲା ଏବଂ ସେମାନେ ଉତ୍ପାଦନକ୍ଷମ କ୍ଷେତ୍ରରେ ଅର୍ଥ ଲଗାଉଥିଲେ ଏବଂ ଋଣରେ ଯେଉଁ ଅର୍ଥ ଆଣୁଥିଲେ ତାହାକୁ ଉପାର୍ଜନକ୍ଷମ ଧନ୍ଦାରେ ବିନିଯୋଗ କରୁଥିଲେ। ଆହୁରି ମଧ୍ୟ ଏହି ଯୋଜନା ଦ୍ୱାରା ଗୋଷ୍ଠୀସ୍ତରୀୟ ପ୍ରସଙ୍ଗଗୁଡିକର ସମାଧାନ ସହଜ ହେବା ସହିତ ହିତାଧିକାରୀ ମନୋନୟରେ ସ୍ୱଚ୍ଛତା ରକ୍ଷା, ସାମାଜିକ ସଂହତି ଓ ପାରସ୍ପରିକ ସହାୟତା ବଢିଥିଲା। ଏହି ଯୋଜନାରେ ଅଧିକରୁ ଅଧିକ ସ୍ୱୟଂସହାୟିକା ଗୋଷ୍ଠୀ, ସାମାଜିକ ପୁଞ୍ଜି ଓ ରିସୋର୍ସ ପର୍ସନ ସୃଷ୍ଟିରେ ଉଲ୍ଲେଖନୀୟ ପ୍ରଗତି ଘଟିଥିଲା ବୋଲି ଇର୍‌ମା ତାହାର ରିପୋର୍ଟରେ ଉଲ୍ଲେଖ କରିଥିଲା। ଏହି ରିପୋର୍ଟ ଭିତ୍ତିରେ ସରକାର ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳର ଗ୍ରାମାଞ୍ଚଳର ସବୁ ଗରିବ ପରିବାର ପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଓ ଜାତୀୟ ଗ୍ରାମୀଣ ଜୀବନ ଜୀବିକା ମିଶନ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.