Home Coronavirus Outbreak କୋଭିଡ-୧୯ର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା – ଲକଡାଉନ ଅବଧି ଆଉ ଦୁଇ...

କୋଭିଡ-୧୯ର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା – ଲକଡାଉନ ଅବଧି ଆଉ ଦୁଇ ସପ୍ତାହ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରସ୍ତାବ

373

ଆଗରୁ ‘ଜାନ ହେ ତୋ ଜାହାଁ ହେ’ ମନ୍ତ୍ର ଥିବା ବେଳେ ବର୍ତ୍ତମାନ ‘ଜାନ ଭି ଜାହାଁ ଭି’ – ପ୍ରଧାନମନ୍ତ୍ରୀ
ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଆଗାମୀ ୩ ରୁ ୪ ସପ୍ତାହ ଖୁବ ଗୁରୁତ୍ୱପୂର୍ଣ୍ଣ
କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ସହ କୃଷିଜାତ ସାମଗ୍ରୀର ବିକ୍ରୟ ପାଇଁ ଏପିଏମସି ଆଇନରେ ସଂଶୋଧନ ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ
କୋଭିଡ-୧୯ର ମୁକାବିଲା ଲାଗି ‘ଆରୋଗ୍ୟ ସେତୁ’ ଆପର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ; ଭବିଷ୍ୟତ ଭ୍ରମଣ ପାଇଁ ଏହା ଇ-ପାସର କାର୍ଯ୍ୟ କରିବ – ପ୍ରଧାନମନ୍ତ୍ରୀ
ସ୍ୱାସ୍ଥ୍ୟ କର୍ମଚାରୀ ତଥା ଉତ୍ତରପୂର୍ବାଞ୍ଚଳ ଓ କଶ୍ମୀର ଛାତ୍ରଛାତ୍ରୀଙ୍କ ଉପରେ ଦୁର୍ବ୍ୟବହାର ନେଇ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା
ଦେଶରେ ପର୍ଯ୍ୟାପ୍ତ ଔଷଧ ମହଜୁଦ, କଳାବଜାରୀ ଓ ମହଜୁଦକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ର ମୁକାବିଲା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି। ମାର୍ଚ୍ଚ ୨୦ ଓ ଏପ୍ରିଲ ୨ ତାରିଖ ପରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏପରି ମତ ବିନିମୟ କରିଛନ୍ତି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟା ଯୋଗୁଁ କୋଭିଡ-୧୯ର ମୁକାବିଲା ଦିଗରେ ନିଶ୍ଚିତ ସୁଫଳ ମିଳିଛି, ତେବେ ସଂକ୍ରମଣ ହାର ଦ୍ରୁତ ହୋଇଥିବାରୁ ନିରବଚ୍ଛିନ୍ନ ସତର୍କତା ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି। ଆଗାମୀ ୩ ରୁ ୪ ସପ୍ତାହ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପରିସ୍ଥିତିରେ ସୁଧାର ଆଣିବା ଲାଗି ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଦେଶରେ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ଓ କରୋନା ଯୁଦ୍ଧରେ ସବୁଠୁ ଆଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ନିରାପତ୍ତା ଉପକରଣ ଯୋଗାଇଦେବାର ମଧ୍ୟ ବ୍ୟବସ୍ଥା କରାଯାଉଛି। ସେ ମହଜୁଦକାରୀ ଓ କଳାବଜାରୀମାନଙ୍କୁ କଡା ଚେତାବନୀ ଦେଇଛନ୍ତି। ଚିକିତ୍ସକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ଉଦବେଗ ପ୍ରକାଶ କରିବା ସହ ଉତ୍ତରପୂର୍ବାଞ୍ଚଳ ଓ କଶ୍ମୀର ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଘଟଣା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି। ଲକଡାଉନ ଉଲଂଘନକୁ କଠୋର ଭାବେ ଦମନ କରିବା ସହ ସାମାଜିକ ଦୂରତ୍ଵକୁ ବଜାୟ ରଖିବା ଉପରେ ସେ ଗୁରୁତ୍ଵାରୋପ କରିଛନ୍ତି।

ଲକଡାଉନ ପ୍ରତ୍ୟାହାର ନେଇ ସେ କହିଛନ୍ତି ଯେ, ଆଉ ଦୁଇ ସପ୍ତାହ ଏହି ଅବଧିକୁ ବଢାଇବା ନିମନ୍ତେ ଅଧିକାଂଶ ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ଆଗରୁ ସରକାରଙ୍କ ଥିବା ମନ୍ତ୍ର ‘ଜାନ ହେ ତୋ ଜାହାଁ ହେ’ ଏବେ ‘ଜାନ ଭି ଜାହାଁ ଭି’ରେ ପରିବର୍ତ୍ତିତ ହୋଇଯାଇଛି।

ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ କରି ଟେଲିମେଡ଼ିସିନ ଜରିଆରେ ରୋଗୀଙ୍କ ଚିକିତ୍ସା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି। ଏପିଏମସି ନିୟମରେ ପରିବର୍ତ୍ତନ ଆଣି କୃଷିଜାତ ସାମଗ୍ରୀର ବିକ୍ରୟ ବିନା ମାଣ୍ଡିରେ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହାଫଳରେ କୃଷକମାନେ ସେମାନଙ୍କ କୃଷିଜାତ ସାମଗ୍ରୀ ଘର ପାଖରେ ବିକ୍ରୟ କରିପାରିବେ।

ପ୍ରଧାନମନ୍ତ୍ରୀ ‘ଆରୋଗ୍ୟ ସେତୁ’ ଆପର ବହୁଳ ଡାଉନଲୋଡ ଦ୍ଵାରା ଏହାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି। ମତ ବିନିମୟ କାଳରେ କିପରି ଦକ୍ଷିଣ କୋରିଆ ଓ ସିଙ୍ଗାପୁର ସଂକ୍ରମିତ ବ୍ୟକ୍ତିମାନଙ୍କ ଚିହ୍ନଟ କାର୍ଯ୍ୟ ଶୀଘ୍ର କରିପାରିଲେ ସେ ତାହାର ଉଦାହରଣ ଦେଇଥିଲେ। ସେହିସବୁ ଘଟଣାକୁ ଅନୁସରଣ କରି ଭାରତ ନିଜ ଉଦ୍ୟମରେ ମହାମାରୀର ମୁକାବିଲା ପାଇଁ ଏହି ଆପ ବିକଶିତ କରିଛି। ଭବିଷ୍ୟତରେ ଦେଶର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଏହା ଇ-ପାସ ଭାବେ କାର୍ଯ୍ୟ କରିବ ବୋଲି ସେ କହିଥିଲେ।

ଏଭଳି ପରିସ୍ଥିତିରେ ଆର୍ଥିକ ଆହ୍ଵାନର ଅବତାରଣ କରି ବର୍ତ୍ତମାନର ପରିସ୍ଥିତି ଦେଶକୁ ଆତ୍ମନିର୍ଭରଶୀଳ ହେବାର ଏକ ସୁଯୋଗ ଦେଇଛି ଓ ଦେଶ ପରିସ୍ଥିତିର ମୁକାବିଲା ସହ ଏକ ଆର୍ଥିକ ଶକ୍ତି ଭାବେ ଉଭା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କୋଭିଡ-୧୯ର ମୁକାବିଲା ପାଇଁ ନିଜ ନିଜ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢୀକରଣ, ସାମାଜିକ ଦୂରତ୍ଵ ରକ୍ଷା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କ ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀମାନେ ଲକଡାଉନର ଅବଧିକୁ ଆଉ ଦୁଇ ସପ୍ତାହ ବଢାଇବାକୁ ପ୍ରସ୍ତାବ ଦେବା ସହ ମହାମାରୀର ମୁକାବିଲା ପାଇଁ ଅଧିକ କେନ୍ଦ୍ରୀୟ ଆର୍ଥିକ ସହାୟତା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ମତ ବିନିମୟ ବେଳେ କେନ୍ଦ୍ର ସ୍ଵରାଷ୍ଟ୍ର, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.