Home ଓଡ଼ିଶା କେବଳ ଏମଏସଏମଇ ନୁହେଁ କୋଭିଡ ଜରୁରିକାଳୀନ ଋଣ ସୁବିଧା ସବୁ କମ୍ପାନୀ ପାଇଁ ଉପଲବ୍ଧ :...

କେବଳ ଏମଏସଏମଇ ନୁହେଁ କୋଭିଡ ଜରୁରିକାଳୀନ ଋଣ ସୁବିଧା ସବୁ କମ୍ପାନୀ ପାଇଁ ଉପଲବ୍ଧ : ଅର୍ଥମନ୍ତ୍ରୀ

168

ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି କହିଛନ୍ତି ଯେ କୋଭିଡ ଜରୁରିକାଳୀନ ଋଣ ସୁବିଧା କେବଳ ଏମଏସଏମଇଗୁଡ଼ିକ ପାଇଁ ନୁହେଁ ସମସ୍ତ କମ୍ପାନୀ ପାଇଁ ଉପଲବ୍ଧ ରହିଛି। ଫିକ୍କି କାର୍ଯ୍ୟକାରିଣୀ ସମିତି ସଦସ୍ୟମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ସୀତାରମଣ ଉଦ୍ୟୋଗ ଜଗତକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ପାଇଁ ଆଶ୍ବାସନା ଦେଇଥିଲେ। ଭାରତୀୟ ଉଦ୍ୟୋଗ ଜଗତକୁ ସହାୟତା କରିବା ଏବଂ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ସରକାରଙ୍କ ଉଦ୍ଦେଶ୍ୟ। ଏଥିପାଇଁ ଆପଣମାନଙ୍କର କେହି ଜଣେ ସଦସ୍ୟ ସମସ୍ୟାରେ ଥିଲେ, ସରକାର ସହାୟତା/ହସ୍ତକ୍ଷେପ କରିବାକୁ ପ୍ରସ୍ତୁତ ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ନଗଦ ପ୍ରସଙ୍ଗରେ ଉତ୍ତର ରଖି ଅର୍ଥମନ୍ତ୍ରୀ କହିଥିଲେ, ଆମେ ନଗଦ ପ୍ରସଙ୍ଗକୁ ସ୍ପଷ୍ଟ ଭାବେ ସମାଧାନ କରିବାକୁ ଉଦ୍ୟମ କରିଛୁ। ତଥାପି ସମସ୍ୟା ଥିଲେ ଆମେ ସମାଧାନ କରିବାକୁ ପ୍ରସ୍ତୁତ। ସେ ଆହୁରି କହିଥିଲେ ଯେ ସମସ୍ତ ବକେୟା ଅର୍ଥ ପଇଠ କରିବା ଲାଗି ସରକାରୀ ବିଭାଗଗୁଡ଼ିକୁ କୁହାଯାଇଛି। ଏହା ସତ୍ତ୍ବେ କୌଣସି ବିଭାଗରେ କୌଣସି ସମସ୍ୟା ରହିଥିଲେ ସରକାର ସେଥିପ୍ରତି ଧ୍ୟାନ ଦେବେ।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ନୂତନ ନିବେଶ ଉପରେ ୧୫ ପ୍ରତିଶତ କର୍ପୋରେଟ ଟିକସ ଦର ସୁବିଧା ହାସଲ କରିବାର ଶେଷ ତାରିଖ ବଢ଼ାଇବା ପ୍ରସଙ୍ଗ ପ୍ରତି ସରକାର ଧ୍ୟାନ ଦେବେ। “କ’ଣ କରାଯାଇପାରିବ ମୁଁ ଦେଖିବି। ନୂତନ ନିବେଶ ଉପରେ ୧୫ ପ୍ରତିଶତ କର୍ପୋରେଟ ଟିକସ ଦରର ଲାଭ ଶିଳ୍ପ ଜଗତକୁ ମିଳୁ ବୋଲି ଆମେ ଚାହୁଁ ଏବଂ ମୁଁ ୩୧ ମାର୍ଚ୍ଚ, ୨୦୨୩ର ଶେଷ ତାରିଖକୁ ସମ୍ପ୍ରସାରଣ କରିବାର ପ୍ରସଙ୍ଗ ପ୍ରତି ଧ୍ୟାନ ଦେବି”, ବୋଲି ଶ୍ରୀମତୀ ସୀତାରମଣ କହିଥିଲେ।

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ କିମ୍ବା ସେବା ଅନ୍ତିମ ତାରିଖ ସଂକ୍ରାନ୍ତରେ ସେମାନଙ୍କ ସୁପାରିସ ଦାଖଲ କରିବା ନିମନ୍ତେ ଅର୍ଥମନ୍ତ୍ରୀ ଶିଳ୍ପ ଜଗତକୁ ପରାମର୍ଶ ଦେଇଥିଲେ। ଯାହାଫଳରେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇପାରିବ।

ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରରେ ଜିଏସଟି ଦର ହ୍ରାସର ଆବଶ୍ୟକତା ସମ୍ପର୍କରେ ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି ପ୍ରସଙ୍ଗ ଜିଏସଟି ପରିଷଦରେ ଉପସ୍ଥାପନ କରାଯିବ। ତେବେ ପରିଷଦ ରାଜସ୍ବ ସଂଗ୍ରହ ପ୍ରତି ମଧ୍ୟ ଧ୍ୟାନ ଦେଉଛି। ଯେକୌଣସି କ୍ଷେତ୍ରରେ ଜିଏସଟି ଦର ହ୍ରାସ ପ୍ରସଙ୍ଗରେ ପରିଷଦ ହିଁ ନିଷ୍ପତ୍ତି ନେବ ବୋଲି ସେ କହିଥିଲେ।

ଏହି ଅବସରରେ ଅର୍ଥ ଓ ରାଜସ୍ବ ସଚିବ ଶ୍ରୀ ଅଜୟ ଭୂଷଣ ପାଣ୍ଡେ ଫିକ୍କି ସଦସ୍ୟମାନଙ୍କୁ ସୂଚନା ଦେଇ କହିଥିଲେ ଯେ କର୍ପୋରେଟଗୁଡ଼ିକୁ ଆୟକର ରିଫଣ୍ଡ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଗତ କିଛି ସପ୍ତାହ ମଧ୍ୟରେ ୩୫ ହଜାର କୋଟି ଟଙ୍କାର ଆଇଟି ରିଫଣ୍ଡ ଦାଖଲ କରାଯାଇସାରିଲାଣି।

ଏହି ବୈଠକରେ ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ, କର୍ପୋରେଟ ବ୍ୟାପାର ସଚିବ ରାଜେଶ ବର୍ମା ଓ ଅର୍ଥ ସେବା ସଚିବ ଶ୍ରୀ ଦେବାଶିଷ ପଣ୍ଡା ଉପସ୍ଥିତ ଥିଲେ।

କୋଭିଡ-୧୯ କାରଣରୁ ପଡ଼ିଥିବା ପ୍ରଭାବର ମୁକାବିଲା କରିବା ଲାଗି ଘୋଷଣା କରାଯାଇଥିବା ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସହଯୋଗ ନିମନ୍ତେ ଫିକ୍କି ସଦସ୍ୟମାନେ ନିରନ୍ତର ଭାବେ ବିଭିନ୍ନ ସରକାରୀ ବିଭାଗ ସହିତ ସମ୍ପର୍କରେ ରହିଛନ୍ତି ବୋଲି ଫିକ୍କି ଅଧ୍ୟକ୍ଷ ଡ. ସଙ୍ଗୀତା ରେଡ୍ଡୀ ଏହି ଅବସରରେ ଅର୍ଥମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ‘ଆତ୍ମନିର୍ଭର ଭାରତ’ର ଏକମାତ୍ର ସଂକଳ୍ପ ପ୍ରତି ଫିକ୍କି ପ୍ରତିଶ୍ରୁତି ବଦ୍ଧ ଏବଂ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କ ସହିତ ଚାମ୍ବର କାର୍ଯ୍ୟ କରୁଛି ବୋଲି ଡ. ରେଡ୍ଡୀ ଉଲ୍ଲେଖ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.