Home ଓଡ଼ିଶା ଆଜି ବି ରହସ୍ୟ ଘେରରେ ନେତାଜୀଙ୍କ ମୃତ୍ୟୁ ରହସ୍ୟ: କିନ୍ତୁ; ଏମାନେ ଜଣାଇଲେ ଆଜି ଶ୍ରଦ୍ଧାଞ୍ଜଳି...

ଆଜି ବି ରହସ୍ୟ ଘେରରେ ନେତାଜୀଙ୍କ ମୃତ୍ୟୁ ରହସ୍ୟ: କିନ୍ତୁ; ଏମାନେ ଜଣାଇଲେ ଆଜି ଶ୍ରଦ୍ଧାଞ୍ଜଳି ..

389

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ସବୁବେଳେ ବିବାଦ ଘେରରେ ରହିଆସିଛି। ଆଜି ପର୍ଯ୍ୟନ୍ତ ମଧ୍ୟ ଠିକ ଭାବରେ ଜଣାପଡ଼ିଲା ନାହିଁ ଯେ ନେତାଜୀ ଶେଷରେ କେଉଁଠାରେ ଅଦୃଶ୍ୟ ହୋଇଗଲେ। ନେତାଜୀ ୨୩ ଜାନୁଆରୀ ୧୮୯୭ ମସିହାରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ନେତାଜୀଙ୍କ ମୃତ୍ୟୁ ଭାରତ ଇତିହାସରେ ସବୁଠାରୁ ବଡ଼ ରହସ୍ୟ ହୋଇରହିଛି। ସମୟକ୍ରମେ ତାଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ବିମାନ ଦୁର୍ଘଟଣାରେ ମୃତ୍ୟୁର ସତ୍ୟତା କେତେ –
ତଥ୍ୟ ଅନୁଯାୟୀ, ୧୮, ଅଗଷ୍ଟ ୧୯୪୫ରେ ନେତାଜୀ ଏକ ବିମାନ ଯୋଗେ ତାଇୱାନର ତାଇପେୟୀରୁ ମଞ୍ଚୁରିଆ ଯାଉଥିଲେ ଏବଂ ଏହି ବିମାନ ଯାତ୍ରା ପରେ ସେ ନିଖୋଜ ହୋଇଯାଇଥିଲେ। ଜାପାନର ଏକ ଅନୁଷ୍ଠାନ ସେହି ବର୍ଷ ଅଗଷ୍ଟ ୨୩ ତାରିଖରେ ଖବର ପ୍ରକାଶ କରିଥିଲା ​​ଯେ ନେତାଜୀଙ୍କ ବିମାନ ତାଇୱାନର ତାଇହୋକୁ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ନେତାଜୀ ମୃତ୍ୟୁ ବରଣ କରିଛନ୍ତି। କିନ୍ତୁ, କିଛି ଦିନ ପରେ, ଜାପାନ ସରକାର ନିଜେ ନିଶ୍ଚିତ କରିଥିଲେ ଯେ ୧୮ ଅଗଷ୍ଟ ୧୯୪୫ରେ ତାଇୱାନରେ କୌଣସି ବିମାନ ଦୁର୍ଘଟଣା ଘଟିନଥିଲା।

କେଉଁ ତଥ୍ୟ ପ୍ରକାଶ କରିବାକୁ ଚାହୁଁଥିଲେ ନେହେରୁଙ୍କ ଭଉଣୀ ବିଜୟାଲକ୍ଷ୍ମୀ –
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୮ ଅଗଷ୍ଟ ୧୯୪୫ ମସିହାରେ ତାଇୱାନରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ବୋଲି କୁହାଯାଏ। କିନ୍ତୁ ପ୍ରକୃତରେ ନେତାଜୀ ସେହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ କି ନାହିଁ, ଏହି ରହସ୍ୟର ସମାଧାନ ଆଜି ଯାଏଁ ହୋଇପାରିଲା ନାହିଁ। ଏକଦା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭଉଣୀ ବିଜୟାଲକ୍ଷ୍ମୀ ପଣ୍ଡିତ ଏକ ବିବୃତ୍ତି ଦେବା ପରେ ନେତାଜୀଙ୍କ ମୃତ୍ୟୁ ଘଟଣା ପୁନର୍ଜୀବିତ ହୋଇଥିଲା। ସେ କହିଥିଲେ ଯେ, ତାଙ୍କ ପାଖରେ ଏପରି ଏକ ଖବର ଅଛି ଯାହା ଭାରତରେ ହଇଚଇ ସୃଷ୍ଟି କରିଦେବ। ସମ୍ଭବତଃ ତାହା ସ୍ୱାଧୀନତା ଅପେକ୍ଷା ବଡ଼ ଖବର। କିନ୍ତୁ, ସେତେବେଳେ ନେହେରୁ ତାଙ୍କୁ କିଛି କହିବାକୁ ମନା କରିଦେଇ ଥିଲେ। ବିଜୟାଲକ୍ଷ୍ମୀଙ୍କ ସେହି ମନ୍ତବ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରସଙ୍ଗ ସହ ଯୋଡ଼ି ଦେଖାଯାଇ ଥିଲା। କାରଣ ବିଜୟାଲକ୍ଷ୍ମୀ ସେତେବେଳେ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ ଅବସ୍ଥାପିତ ଥିଲେ। କୁହାଯାଏ ଯେ ବିଜୟାଲକ୍ଷ୍ମୀ ରୁଷରେ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଖିଥିଲେ। ଏପରି ବି କୁହାଯାଏ, ବିଜୟାଲକ୍ଷ୍ମୀ ତତ୍କାଳୀନ ସରକାରଙ୍କୁ ଏହି ସୂଚନା ଦେଇଥିଲେ। କିନ୍ତୁ, ଏ ବାବଦରେ କିଛି କରାଗଲା ନାହିଁ। ଏହାପରେ ରୁଷ ସୈନିକମାନେ ନେତାଜୀଙ୍କୁ ଗିରଫ କରିଥିବା ଏବଂ ସେଠାରେ ଜେଲରେ ଥାଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଖବର ମଧ୍ୟ ଆସିଥିଲା। ସେହିପରି ଭାରତର ସ୍ବାଧୀନତା ପରେ ମଧ୍ୟ ନେତାଜୀ ଅନେକ ଦିନ ଯାଏଁ ବଞ୍ଚି ରହିଥିଲେ ବୋଲି କୁହାଯାଏ। ସେ ଭାରତକୁ ଫେରି ଗୁମନାମ ବାବା ଭାବରେ ଗୁମନାମ ଜୀବନ ବିତାଉଥିଲେ ବୋଲି ମଧ୍ୟ କୁହାଯାଏ।

କ’ଣ ଗୁମନାମ ବାବା ହିଁ ନେତାଜୀ ଥିଲେ –
ଗୁମନାମ ବାବାଙ୍କ କାହାଣୀ ସେପ୍ଟେମ୍ବର ୧୯୮୫ରେ ଆରମ୍ଭ ହୋଇଥିଲା , ଯେବେ ଅଯୋଧ୍ୟା ସହରର ସିଭିଲ୍ ଲାଇନ୍ ସ୍ଥିତ ରାମ ଭବନରେ ଗୁମନାମୀ ବାବା ଭଗବାନ ଜୀଙ୍କର ମୃତ୍ୟୁ ହୋଇଯାଇଥିଲା। କୁହାଯାଏ ଗୁମନାମୀ ବାବାଙ୍କ ଅଚାନକ ମୃତ୍ୟୁ ହେବାପରେ ଗୋପନୀୟ ଭାବେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। କିଛି ଲୋକ ଏହା ବି କହିଲେ କି ସେ କୌଣସି ସାଧାରଣ ବ୍ୟକ୍ତି ନଥିଲେ, ବରଂ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ। ଅଯୋଧ୍ୟାରେ ଗୁମନାମୀ ବାବା ଯେଉଁ ଯେଉଁ ସ୍ଥାନରେ ରହିଥିଲେ, ସେଠାରେ ରହିବାର ସ୍ଥାନ ଗୁପ୍ତ ଥିଲା। ସେଠାକାର ଲୋକେ କହିଥିଲେ କି ଗୁମନାମୀ ବାବା ତାଙ୍କ ସହରରେ ପ୍ରାୟ ୧୫ ବର୍ଷ କାଳ ରହିଥିଲେ। ୧୯୭୦ରେ ବାବା ଫୈଜାବାଦ ପହଞ୍ଚିଥିଲେ। ଏହା ପରେ ଅଯୋଧ୍ୟାର ଲାକୋଠିରେ ଏକ ଭଡ଼ା ଘର ନେଇ ରହୁଥିଲେ। ଏହାର କିଛି ଦିନ ପରେ ଉତ୍ତରପ୍ରଦେଶର ବସ୍ତିରେ ବି ରହିଥିଲେ। କିନ୍ତୁ ସେଠାରେ ଅଧିକା ଦିନ ନରହି ସେ ପୁଣି ଅଯୋଧ୍ୟା ଫେରିଆସିଥିଲେ। କୁହାଯାଏ ଗୁମନାମୀ ବାବାଙ୍କୁ ଦେଖା କରିବାକୁ ବହୁତ କମ୍ ଲୋକ ଆସୁଥିଲେ। କିଛି ଲୋକ ରାତିରେ ବି ଆସୁଥିଲେ ଏବଂ ସକାଳୁ ଚାଲିଯାଉ ଥିଲେ। ତାଙ୍କ ନାଁରେ ଚିଠି ବି ଆସୁଥିଲା। ଗୁମନାମୀ ବାବା ଅଧିକାଂଶ ଲୋକଙ୍କ ସହ ପର୍ଦାରେ ରହି କଥା ହେଉଥିଲେ। ଗୁମନାମୀ ବାବା ଇଂରାଜୀ, ଜର୍ମାନୀ, ବଙ୍ଗଳା ଭାଷା ସହ ବହୁତ ଭାଷାରେ ଅଭିଜ୍ଞ ଥିଲେ। ତାଙ୍କର ମୃତ୍ୟୁ ପରେ ସେ ସୁଭାଷ ଚନ୍ଦ୍ର ବୋଷ ହେବାର ସବୁ ଗୁଣ ମିଶିଯାଉଥିଲା। କୁହାଯାଏ, ସୁଭାଷ ଚନ୍ଦ୍ର ବୋଷ ଏବଂ ଗୁମନାମୀ ବାବାଙ୍କ ହ୍ୟାଣ୍ତରାଇଟିଙ୍ଗ୍ ଜଣେ ଲୋକର ହିଁ ଥିଲା। ଏହାବି କୁହାଯାଏ, ଗୁମନାମୀ ବାବାଙ୍କ ରୁମରୁ ଯେଉଁ ଦସ୍ତାବିଜ ମିଳିଥିଲା, ସେଥିରେ ତାଙ୍କ ପରିବାରର କିଛି ଫଟୋ ସାମିଲ୍ ଥିଲା। ଏହା ଅନୁଯାୟୀ ଦାବି ହେଲା କି ଗୁମନାମୀ ବାବା ହିଁ ଅସଲରେ ସୁଭାଷ ଚନ୍ଦ୍ର ବୋଷ ଥିଲେ। ତେବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି ସରକାରୀ ସ୍ତରରେ ପାଳନ କରାଯାଉଥିବା ବେଳେ ତାଙ୍କ ପୁଣ୍ୟତିଥୀ ସରକାରୀ ଭାବରେ ବା ଅନ୍ୟ କୌଣସି ସ୍ତରରେ ପାଳନ କରାଯିବାର ସେପରି ଦେଖାଯାଏ ନାହିଁ। କିନ୍ତୁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ବିଜେପି ରାଷ୍ଟ୍ରୀୟ ମହାସଚିବ ଡଃ ସରୋଜା ପାଣ୍ଡେ, ବିଜେପି ନେତା ମନୋଜ ତିୱାରି, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଓଡ଼ିଶା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ପରି କେତେଜଣ ଆଜିର ଦିନକୁ ନେତାଜୀଙ୍କ ତିରୋଧାନ ଦିବସ ମାନି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। –ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.