Home ଅପରାଧ ହାତୀ ହତ୍ୟାକୁ ନେଇ ଦେଶବ୍ୟାପି କ୍ରୋଧ: ମାନେକା, ଟାଟା, ସୁଦର୍ଶନଙ୍କ ଠାରୁ ବିରୁଷ୍କାଙ୍କ ଯାଏଁ କଡ଼ା...

ହାତୀ ହତ୍ୟାକୁ ନେଇ ଦେଶବ୍ୟାପି କ୍ରୋଧ: ମାନେକା, ଟାଟା, ସୁଦର୍ଶନଙ୍କ ଠାରୁ ବିରୁଷ୍କାଙ୍କ ଯାଏଁ କଡ଼ା ପ୍ରତିକ୍ରିୟା ..

1082

ଭୁବନେଶ୍ୱର: କେରଳରେ ଏକ ଗର୍ଭବତୀ ହାତୀର ନିର୍ଦ୍ଦୟ ହତ୍ୟା ଘଟଣାରେ ସମଗ୍ର ଦେଶ ଚକିତ ହୋଇଯାଇଛି। ବିଭିନ୍ନ ସ୍ତରରୁ ହାତୀ ହତ୍ୟାକୁ ନେଇ ଶୋକ ପ୍ରକଟ ସଙ୍ଗେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

ମାନେକା ଗାନ୍ଧୀ –
ପଶୁ ଅଧିକାର ଉପରେ କାମ କରିବା ପାଇଁ ପ୍ରସିଦ୍ଧ ବିଜେପି ସାଂସଦ ମନେକା ଗାନ୍ଧୀ ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ସେ କହିଛନ୍ତି ଯେ କେରଳରେ ପ୍ରତି ତୃତୀୟ ଦିନରେ ଗୋଟିଏ ହାତୀକୁ ହତ୍ୟା କରାଯାଏ। ସେ କହିଛନ୍ତି ଯେ କେବଳ ପଶୁ ନିଷ୍ଠୁରତା ପାଇଁ ନୁହେଁ, ମଣିଷ ମାନଙ୍କ ଉପରେ ମଧ୍ୟ ବର୍ବରତା ଘଟଣା ନେଇ କେରଳର ବିଶେଷ କରି ମାଲ୍ଲାପୁରମ୍ ଜିଲ୍ଲା ପୁରା ଦେଶରେ କୁଖ୍ୟାତ। ରାହୁଲ ଗାନ୍ଧୀ ସେଠାକାର ସାଂସଦ। ସେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି ମାନେକା ଗାନ୍ଧୀ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ରତନ ଟାଟା –
ଶିଳ୍ପପତି ରତନ ଟାଟା ମଧ୍ୟ ଏହି ଘଟଣାରେ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣାରେ ସେ ନ୍ୟାୟ ଦାବି କରିଛନ୍ତି। ଟାଟା ଟ୍ୱିଟ୍ କରି କହିଛନ୍ତି, “ମୁଁ ଜାଣି ଅତ୍ୟନ୍ତ ଦୁଃଖିତ ଏବଂ ସ୍ତବ୍ଧ ଯେ, ଏକ ଗୋଷ୍ଠୀ ଦ୍ୱାରା ଖାଦ୍ୟ ଭିତରେ ଫାୟାର କ୍ରାକର୍ (ବାଟୁଳି, ଛୋଟ ବାରୁଦ ବୋମା) ଭର୍ତ୍ତି କରି ଏକ ନିରୀହ, ନିଷ୍କ୍ରିୟ ଏବଂ ଗର୍ଭବତୀ ହାତୀକୁ ହତ୍ୟା କରି ଦିଆଗଲା। ନିରୀହ ପଶୁମାନଙ୍କ ବିରୁଦ୍ଧରେ ଏପରି ଅପରାଧିକ କାର୍ଯ୍ୟ ମନୁଷ୍ୟ ଦ୍ୱାରା ଯୋଜନାବଦ୍ଧ ହତ୍ୟାଠାରୁ କୌଣସି ଗୁଣରେ କମ୍ ନୁହେଁ। ନ୍ୟାୟ ହେବା ହିଁ ଉଚିତ୍।”

ବିରୁଷ୍କା (ବିରାଟ କୋହଲି ଏବଂ ଅନୁଷ୍କା) –
ଏହି ଘଟଣାକୁ ନେଇ ଭାରତୀୟ କ୍ରିକେଟ କ୍ୟାପଟେନ୍ ବିରାଟ କୋହଲି ବହୁତ ଆଘାତପ୍ରାପ୍ତ ଏବଂ କ୍ରୋଧିତ ହୋଇଛନ୍ତି। ସେ ଟୁଇଟ୍ କରି ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ କହିଛନ୍ତି ଯେ କେରଳରେ ଘଟିଥିବା ଘଟଣା ଶୁଣି ମୁଁ ବହୁତ କଷ୍ଟ ଅନୁଭବ କରୁଛି। ସେ କହିଛନ୍ତି, ଆମେ ପଶୁମାନଙ୍କୁ ପ୍ରେମର ସହିତ ବ୍ୟବହାର କରିବା ଉଚିତ୍। ସେମାନଙ୍କ ବିରୁଦ୍ଧରେ ଏପରି ଭିରୁତାପୂର୍ଣ୍ଣ କାର୍ଯ୍ୟ ବନ୍ଦ ହେବା ଉଚିତ୍। କୋହଲି କାର୍ଟୁନ୍ ମାଧ୍ୟମରେ ଟ୍ୱିଟରରେ ହାତୀ ଏବଂ ତାର ପେଟରେ ଥିବା ଶାବକର ଏକ ଫଟୋ ପୋଷ୍ଟ କରିଛନ୍ତି। ସେହିପରି ପଶୁ ସୁରକ୍ଷା ଦିଗରେ କଠୋର ନିୟମ ଦାବି କରି ଅନୁଷ୍କା ଶର୍ମା ଏକ ନ୍ୟୁଜ୍ କ୍ଲିପର ସ୍କ୍ରିନସଟ୍ ସେୟାର କରି କହିଛନ୍ତି, “ଏହି କାରଣରୁ ପଶୁମାନଙ୍କ ପ୍ରତି ନିର୍ଦ୍ଦୟତା ବିରୋଧରେ କଠୋର ଆଇନ ଆବଶ୍ୟକ।”

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ –
ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ହାତୀ ହତ୍ୟାରେ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ କଳା ମାଧ୍ୟମରେ ନିଜର ଦୁଃଖ ପ୍ରକଟ କରିଛନ୍ତି। ସୁଦର୍ଶନ ଟୁଇଟ୍ କରି ଶାବକ ସହ ମା’ ହାତୀର ଏକ ବାଲୁକା କଳା ତିଆରି କରି ଲେଖିଛନ୍ତି, ‘ମାନବିକତା ପୁଣି ଲଜ୍ଜିତ । ହାତୀ ସଂରକ୍ଷଣ ଉପରେ ମୋର ଏକ ବାଲୁକା କଳା।

ଦୁଃଖଦ ମୃତ୍ୟୁ: ନିର୍ଦ୍ଦୟତାକୁ ନେଇ ଆହୁରି ଅନେକ ପ୍ରତିକ୍ରିୟା –

ଦେଶରେ ବିଭିନ୍ନ ବର୍ଗର ଲୋକ ଏହି ଘଟଣାକୁ ନେଇ ଦୁଃଖ ଏବଂ କ୍ରୋଧ ପ୍ରକାଶ କରୁଛନ୍ତି। ଅଭିନେତା ରଣଦୀପ ହୁଡ୍ଡା, ବରୁଣ ଧୱନ, ଟାଇଗର ସ୍ରଫ୍, ଅଭିନେତ୍ରୀ ଦିଶା ପଟାଣୀ, ଆଲ୍ଲିଆ ଭଟ୍ଟ, ଆଦି ଅନେକ ସେଲିବ୍ରେଟି ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, କେରଳର ମଲାଲାପୁରମରେ କିଛି ଲୋକ ଏକ ଗର୍ଭବତୀ ହାତୀକୁ ସପୁରୀ ଭିତରେ ଫାୟାର କ୍ରାକର୍ (ବାଟୁଳି, ଛୋଟ ବାରୁଦ ବୋମା) ଭର୍ତ୍ତି କରି ଖାଇବାକୁ ଦେଇଥିଲେ। ହାତୀଟି ତାହା ଖାଉଥିବା ବେଳେ ପାଟିରେ ତାହା ଫାଟି ଯାଇଥିଲା। ହାତୀଟି ଗୁରୁତର ଆହତ ହୋଇଥିଲା। ଏହାପରେ ସେ ଦୌଡ଼ିଯାଇ ଏକ ନଦୀରେ ଠିଆ ହୋଇ ମୁହଁକୁ ପାଣି ଭିତରେ ବୁଡ଼ାଇ ରଖିଲା। କିନ୍ତୁ ସେ ନିଜକୁ ବଞ୍ଚାଇ ପାରିଲା ନାହିଁ ଏବଂ ନଦୀ ଭିତରେ ପେଟ ଭିତରେ ଥିବା ଶାବକ ହାତୀ ସହ ତାର ମୃତ୍ୟୁ ଘଟିଲା। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.