Home Top News ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି; ନବୀନ ନମ୍ବର ୱାନ୍ ସିଏମ୍: ପରିପକ୍ୱ ଓଡ଼ିଶାବାସୀ; ଓଡ଼ିଶା...

ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି; ନବୀନ ନମ୍ବର ୱାନ୍ ସିଏମ୍: ପରିପକ୍ୱ ଓଡ଼ିଶାବାସୀ; ଓଡ଼ିଶା ବିଜେପିକୁ ଲଜ୍ଜା .. ନୁହେଁ କି?

144

ଭୁବନେଶ୍ୱର: ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଭିନ୍ନ ଭିନ୍ନ ସମୟରେ କରାଯାଉଥିବା ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି। ତେବେ ଏଠାରେ ଏକ ବଡ଼ କଥା ହେଲା ଦେଶବ୍ୟାପୀ ଯେଉଁ ସର୍ଭେ ରିପୋର୍ଟ ସଂଗ୍ରହ କରାଯାଉଛି, ସେଥିରେ ସାରା ଦେଶ ମଧ୍ୟରେ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ ରହୁଛି। ଅର୍ଥାତ୍ ଏସବୁ ସର୍ଭେ ମୁତାବକ ସମଗ୍ର ଦେଶ ଭିତରେ ଓଡ଼ିଶାରେ ମୋଦୀ ଅଧିକ ଲୋକପ୍ରିୟ ବୋଲି ପ୍ରମାଣ ମିଳୁଛି। ତେବେ, ନିର୍ବାଚନ ବେଳେ ଏହି ଲୋକପ୍ରିୟତା ଏବଂ ମୋଦିଙ୍କ ପ୍ରତି ଓଡ଼ିଶା ଲୋକଙ୍କ ଭଲ ପାଇବାଟା ଯାଉଛି କୁଆଡ଼େ? ଓଡ଼ିଶାରେ କାହିଁକି ବାରମ୍ବାର ବିଫଳ ହେଉଛି ବିଜେପି? ଏହାର କାରଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚଣ୍ଡ ଲୋକପ୍ରିୟତା ଏବଂ ତାଙ୍କର କେହି ବିକଳ୍ପ ନାହାଁନ୍ତି ବୋଲି କୁହାଯିବ? ନାଁ, ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଇ ଆସୁଥିବା ଅପାରଗ ତଥା ଦୃବଳ ନେତୃତ୍ୱ ଏଥିପାଇଁ ଦାୟୀ? ଯେଉଁ ସଂସ୍ଥା ଆଜି ଏହି ସର୍ଭେ କରିଛି ସେହି ସଂସ୍ଥାର ସର୍ଭେ ହିଁ ନବୀନ ପଟ୍ଟନାୟକଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଦର୍ଶାଇଛି। ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ କେତେକ ସର୍ଭେ ସଂସ୍ଥା ମଧ୍ୟ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଦର୍ଶାଇଛନ୍ତି। ଆଉ ସେତେବେଳେ ଓଡ଼ିଶା ବିଜେପିର ନେତୃତ୍ୱ ଏଥିରେ ଅସହ୍ୟ ହୋଇ ନବୀନ ଟଙ୍କା ଦେଇ ଶ୍ରେଷ୍ଠତାର ଉପାଧି କିଣି ନେଇଛନ୍ତି ବୋଲି ଆକ୍ଷେପ କରିଛନ୍ତି। ଆଜି ଅବଶ୍ୟ ସେହି ସମାନ ସଂସ୍ଥା ଉଭୟ ମୋଦି ଏବଂ ନବୀନଙ୍କୁ ଶ୍ରେଷ୍ଠ ଭାବରେ ଦର୍ଶାଇଥିବାରୁ ଓଡ଼ିଶା ବିଜେପି ନେତାନେତ୍ରୀଙ୍କ ପାଟି ଖନି ମାରିଯାଇଛି। କାରଣ ଏଠି ନବୀନଙ୍କୁ ଶ୍ରେଷ୍ଠତାର ଉପାଧି କିଣିଥିବା କଥା କହିଲେ, ସେହି ସମାନ କଥା ମୋଦିଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ତେବେ, ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ନେଇ ଏମାନେ ଖୁସିରେ ସୋସିଆଲ୍ ମିଡିଆ ଗୁଡ଼ିକରେ ପୋଷ୍ଟ୍ କରି ପକାଉଥିବା ବେଳେ, ସେମାନେ ନିଜେ ଏବଂ ତାଙ୍କ ମଙ୍ଗୁଆଳ ଯେ କେତେ ଅଯୋଗ୍ୟ, ଅପାରଗ ଏବଂ ଓଡ଼ିଶା ଲୋକଙ୍କ ପାଖରେ କେତେ ଅପ୍ରିୟ ବୋଲି ନିଜକୁ ନିଜେ କହି ହେଉଛନ୍ତି, ତାହା ସେମାନେ ବୁଝି ପାରୁଛନ୍ତି ନାଁ ନାହିଁ?

ମନେଅଛି ନାଁ ମୋଦିଙ୍କ ଏହି କଥା –
ମନେଥିବ, କିଛି ଦିନ ତଳେ “ଏକ ଦେଶ, ଏକ ନିର୍ବାଚନ” ଉପରେ କହିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଉଦାହରଣ ଦେଇ କହିଥିଲେ, ଓଡ଼ିଶାର ଜନସାଧାରଣ ଲୋକସଭା ପାଇଁ ଗୋଟିକରେ ଏବଂ ବିଧାନସଭା ପାଇଁ ଗୋଟିକରେ ଭୋଟ ଦେଇ ପରିପକ୍ୱତାର ପରିଚୟ ଦେଇଛନ୍ତି। ମୋଦୀ କହିଥିଲେ, “ଏକ ଦେଶ, ଏକ ନିର୍ବାଚନ” କ୍ଷେତ୍ରରେ ଓଡ଼ିଶା ଏକ ଭଲ ଉଦାହରଣ। ଏଠି ଗ୍ରାମୀଣ କ୍ଷେତ୍ର ଅଧିକ। ଓଡ଼ିଶା ଏକ ବିକଶିତ ରାଜ୍ୟ ନୁହେଁ। କିନ୍ତୁ, “ଏକ ଦେଶ ଏକ ନିର୍ବାଚନ” କ୍ଷେତ୍ରରେ ଓଡ଼ିଶା ଏକ ରୋଲ୍ ମଡେଲ। ବହୁ ରାଜନୈତିକ ଦଳ “ଏକ ଦେଶ ଏକ ନିର୍ବାଚନ”କୁ ବିରୋଧ କରୁଥିବା ବେଳେ ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକା ସମୟରେ ହୋଇଥିଲା। ଓଡ଼ିଶାର ଭୋଟର ଲୋକସଭା ପାଇଁ ବିଜେପିକୁ ଏବଂ ବିଧାନସଭା ପାଇଁ ବିଜେଡିକୁ ଭୋଟ ଦେଇ ପରିପକ୍ୱତାର ପରିଚୟ ଦେଇଛନ୍ତି। ଏକା ସମୟରେ ବିବେକ ଏବଂ ବୁଦ୍ଧିର ପୂରା ଜ୍ଞାନ ସେମାନଙ୍କ ନିକଟରେ ଅଛି। ଏପରିକି ଏପରି ସ୍ଥାନ ଅଛି, ଯେଉଁଠି ସମସ୍ତ ବିଧାନସଭା ଆସନ ବିଜେଡି ପାଇଥିବା ବେଳେ, ଲୋକସଭା ପାଇଁ ବିଜେପି ପାଇଛି। ଭୋଟରମାନେ ନିଜ ପସନ୍ଦର ଭୋଟ ଦେଇ ସରକାର ଗଢ଼ିଛନ୍ତି।

ମୋଦିଙ୍କର ଏହି କଥା ହେଉ ବା ଏହି ସର୍ଭେ ରିପୋର୍ଟ ହେଉ, ଏଥିରୁ ତେବେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଓଡ଼ିଶାର ଭୋଟର ଲୋକସଭା ପାଇଁ ବିଜେପିକୁ ଏବଂ ବିଧାନସଭା ପାଇଁ ବିଜେଡିକୁ ଭୋଟ ଦେଇ ପରିପକ୍ୱତାର ପରିଚୟ ଦେଇଛନ୍ତି। ଏକା ସମୟରେ ବିବେକ ଏବଂ ବୁଦ୍ଧିର ପୂରା ଜ୍ଞାନ ଓଡ଼ିଶା ଲୋକଙ୍କ ନିକଟରେ ଅଛି। ଅର୍ଥାତ୍ ଓଡ଼ିଶାର ଲୋକ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଶାସନ ଏବଂ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଶାସନକୁ ପସନ୍ଦ କରୁଛନ୍ତି। ଏମିତିରେ ବି ଉଭୟ ମୋଦି ଏବଂ ନବୀନଙ୍କ ଭିତରେ ସୁସମ୍ପର୍କ ରହିଛି। ନିଜେ ମୋଦି ଏବଂ ମୋଦିଙ୍କ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ବିଭିନ୍ନ ସମୟରେ ଓଡ଼ିଶା ଆସି ନବୀନ ସରକାରକୁ ପ୍ରଶଂସା କରିଛନ୍ତି। ମୋଦି ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅତ୍ୟନ୍ତ ଆବଶ୍ୟକୀୟ ସମୟରେ ନବୀନ ସରକାର ସମର୍ଥନ ଜଣାଇଛନ୍ତି। ଏହାର ଅନେକ ଉଦାହରଣ ରହିଛି। ଓଡ଼ିଶାବାସୀ ମଧ୍ୟ ଏହା ବୁଝିଛନ୍ତି ଏବଂ ଉଭୟ ମୋଦି ଆଉ ନବୀନଙ୍କୁ ସମର୍ଥନ ଦେଉଛନ୍ତି, ଉଭୟଙ୍କ ସାଙ୍ଗରେ ଅଛନ୍ତି, ଉଭୟଙ୍କୁ ଭଲ ପାଉଛନ୍ତି। ତେବେ, ଏସବୁ ବୁଝୁ ନାହାଁନ୍ତି ବିଜେପିର କିଛି ନେତା ଆଉ ଓଡ଼ିଶା ବିଜେପି ଶାଖା। ଅବଶ୍ୟ ବିଜେଡିର ଅନେକ ଦୂରଦର୍ଶୀ ନେତୃତ୍ୱ ମୋଦି କିମ୍ବା ମୋଦି ସରକାରଙ୍କୁ ସେପରି ସମାଲୋଚନା କରୁଥିବାର ଦେଖାଯାଏ ନାହିଁ। ସେମାନେ କେବଳ ଓଡ଼ିଶା ବିଜେପି ଶାଖାକୁ ଏବଂ ନିଜକୁ ମଙ୍ଗୁଆଳ ବୋଲାଉଥିବା ଓଡ଼ିଶା ବିଜେପି ନେତୃତ୍ୱଙ୍କୁ ହିଁ ସମାଲୋଚନା କରନ୍ତି। କିନ୍ତୁ, ଏପରି ବି ଅଳ୍ପ କିଛି ବିଜେଡିର ଅଦୂରଦର୍ଶୀ ନେତୃତ୍ୱ ଅଛନ୍ତି, ଯେଉଁମାନେ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ଅଯଥାଟାରେ ମୋଦିଙ୍କୁ ସମାଲୋଚନା କରନ୍ତି। ଆଉ ଏଇ ଓଡ଼ିଶା ବିଜେପି ଶାଖାର କିଛି ଅଗ୍ରହଣୀୟ, ଅପାରଗ, ଅଯୋଗ୍ୟ ନେତୃତ୍ୱ ତ’ ତୁଚ୍ଛାଟାରେ ଦିନ ରାତି ଖାଲି ନବୀନଙ୍କୁ ଗାଳି କରନ୍ତି!
/- ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.