Home Top News କୃଷି ଓ କୃଷକ କଲ୍ୟାଣ ପାଇଁ ମୋଦି ସଂକଳ୍ପବଦ୍ଧ: ବିଜେପି

କୃଷି ଓ କୃଷକ କଲ୍ୟାଣ ପାଇଁ ମୋଦି ସଂକଳ୍ପବଦ୍ଧ: ବିଜେପି

45

ଭୁବନେଶ୍ୱର: ଆତ୍ମନିର୍ଭର ଭାରତର ଆଧାର ଆତ୍ମନିର୍ଭର କୃଷକ ହୁଅନ୍ତୁ, ଏଥିପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ଆର୍ଥିକ ସଂପର୍ଣ୍ଣ ହେଲେ, କୃଷକ ଆତ୍ମନିର୍ଭର ଜୀବନ ବଞ୍ଚିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶ ସମେତ ଆମ ରାଜ୍ୟର ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବଦ୍ଧପରିକର। ଯେଉଁମାନେ ସ୍ୱାଧୀନତାର ୭ ଦଶନ୍ଧିରେ ଚାଷୀ ଭାଇମାନଙ୍କ ସ୍ୱାର୍ଥକୁ ଦଲାଲଙ୍କ ହାତରେ ଟେକି ଦେଇଛନ୍ତି, ସେମାନଙ୍କ କୁମ୍ଭୀର କାନ୍ଦଣାର ମୁଖା ଖୋଲିଯିବା ଓ ଅସ୍ତିତ୍ୱ ବଜାୟ ରଖିବା ପାଇଁ ଭୟଭୀତ ହୋଇ ମୋଦିଙ୍କ କୃଷି ବିଲ୍‌କୁ ବିରୋଧ କରୁଛନ୍ତି। କେବଳ ମୋଦିଙ୍କୁ ବିରୋଧ କରିବା ପାଇଁ ଏହି ଆଇନ୍‌କୁ ବିରୋଧ କରାଯାଉଛି। ଏହି ନୂତନ କୃଷି ଆଇନ ବଳରେ ଖୋଲା ବଜାରରେ ଚାଷୀ ନିଜର ଉତ୍ପାଦିତ ଶସ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ନୁହେଁ, ବରଂ ସର୍ବାଧିକ ମୂଲ୍ୟରେ ବିକ୍ରି କରି ଲାଭାନ୍ୱିତ ହୋଇପାରିବ। ଏହି ଆଇନ୍‌ରେ ମଧ୍ୟସ୍ଥି ବା ଦଲାଲି ଉଚ୍ଛେଦ କରାଯାଇଛି। ତେଣୁ ଏହି ଆନ୍ଦୋଳନ ଦଲାଲ୍‌ ମାନଙ୍କ ପ୍ରାୟୋଜିତ ଆନ୍ଦୋଳନ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି କହିଛନ୍ତି ଯେ, ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧିରେ ଦେଶ ଓ ରାଜ୍ୟର ଚାଷୀ ଭାଇମାନଙ୍କ ବିକାଶ ପାଇଁ ଯାହା କରାଯାଇ ପାରି ନଥିଲା, ମୋଦି ସରକାର ଗତ ୬ ବର୍ଷ ଶାସନରେ ତା’ଠାରୁ ଅଧିକ ଯୋଗଦାନ କରିଛନ୍ତି। ଚାଷୀମାନଙ୍କୁ ତାଙ୍କର ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ହେଉ ଅଥବା ଚାଷୀମାନଙ୍କୁ ଆର୍ଥିକ ସହାୟତା, ମୋଦି ସରକାର କୃଷକ ସଶକ୍ତିକରଣର ନୂଆ ଯୁଗ ଆରମ୍ଭ କରିଛନ୍ତି। ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବା ଓ ଚାଷୀଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ମୋଦି ସରକାର ନୂଆ ଅଧିନିୟମ ଆଣିଛନ୍ତି। ଚାଷୀଙ୍କ ପାଇଁ ଦୀର୍ଘ ଦଶନ୍ଧିରେ କିଛି କରିନଥିବା କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳମାନେ ଏକାଠି ହୋଇ ମୋଦିଙ୍କ କୃଷି ବିଲ୍ ପ୍ରସଙ୍ଗରେ ମିଥ୍ୟା ପ୍ରଚାର କରି ଜନମତକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ବିରୋଧୀ ଦଳମାନେ ନୂତନ କୃଷି ଆଇନ୍‌ରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନାହିଁ ବୋଲି କହି ମିଥ୍ୟା ପ୍ରଚାର କରୁଛନ୍ତି। ଏମଏସପିର ମାନେ ‘ଗ୍ୟାରେଣ୍ଟେଡ୍ ପ୍ରାଇସ୍’ ବୋଲି ଏହି ନୂତନ ବିଲ୍‌ର ୫ମ ଭାଗରେ ସ୍ପଷ୍ଟ ଉଲ୍ଲେଖ ଅଛି। ସେହିପରି ନୂତନ ଆଇନ ବଳରେ କୃଷକଙ୍କ ଜମି ଉପରେ ଶିଳ୍ପପତି ମାନେ କବଜା କରିଦେବେ ବୋଲି ବିରୋଧୀମାନେ ଅପପ୍ରଚାର କରୁଛନ୍ତି, ଯାହାକି ସଂପୂର୍ଣ୍ଣ ମିଥ୍ୟା। ବରଂ ଏହି ନୂତନ ବିଲ୍‌ର ୮ମ ଭାଗରେ ଚାଷୀ ମାନଙ୍କ ଜମି ବିକ୍ରି, ଲିଜ୍ ବା ବନ୍ଧକ ଉପରେ ପ୍ରତିବନ୍ଧକର ବ୍ୟବସ୍ଥା ରହିଛି ବୋଲି ସମୀର ମହାନ୍ତି କହିଛନ୍ତି। କୃଷି ବିପଣନରେ ସଂସ୍କାର ଆଣିବା ପାଇଁ କଂଗ୍ରେସ- ଏନସିପି ଭଲି ରାଜନୈତିକ ଦଳମାନେ ଦୋହରା ମାପଦଣ୍ଡ ମନ୍ତବ୍ୟମାନ ଦେଇ ଆସୁଛନ୍ତି। ମାତ୍ର ମଧ୍ୟସ୍ଥି ଭାବରେ ଲାଭଖୋର ଓ ବହୁତ ବଡ଼ ବଡ଼ କୃଷକଙ୍କ ଚାପରେ ସାଧାରଣ ଗରୀବ ଚାଷୀ ମାନଙ୍କ ସ୍ୱାର୍ଥ ରକ୍ଷାକାରୀ ଆଇନ ଆଣିବାରେ ବିଫଳ ହୋଇଥିଲେ। ମୋଦିଙ୍କୁ ବିରୋଧ କରୁଥିବା ଦଳ ଗୁଡ଼ିକ ଭାରତୀୟ କୃଷକଙ୍କ ଆର୍ଥିକ ସଶକ୍ତିକରଣର ବିରୋଧୀ। ଏହି ଦଳ ଗୁଡ଼ିକଙ୍କ ଆଧାରରେ ଚାଷୀଙ୍କ ବିକାଶର ଟ୍ରାକ୍ ରେକର୍ଡ ବହୁତ ଖରାପ। ଚାଷୀ ନୁହେଁ, ମିଡିଲ୍ ମ୍ୟାନ୍ ତଥା ଦଲାଲଙ୍କ ସ୍ୱାର୍ଥ ରକ୍ଷାରେ ବିରୋଧୀ ଦଳ ଏକାଠି ହୋଇଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି। ସଏଲ ହେଲଥ କାର୍ଡ, କିଷାନ ମାନଧନ ଯୋଜନା ଓ କ୍ରେଡିଟ କାର୍ଡର ବିସ୍ତାର, ପ୍ରଧାନମନ୍ତ୍ରୀ ଫସଲ ବୀମା, ପିଏମ୍ କିଷାନ ନିଧି ଯୋଜନା ଆଦି ମୋଦିଙ୍କ କୃଷକ କେନ୍ଦ୍ରୀକ ଯୋଜନାର ପ୍ରମାଣ। ଋଣ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଲାଭାନ୍ବିତ ହୋଇପାରିବେ। ଏମଏସପି ମୋଦି ସରକାରରେ ସର୍ବାଧିକ ବୃଦ୍ଧି କରାଯାଇଛି।


୨୦୦୯ ମସିହାରେ ଧାନ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ମାତ୍ର ୯୫୦ ଟଙ୍କା ଥିବାବେଳେ ୨୦୧୪ ମସିହାରେ ଏହା ବୃଦ୍ଧି ହୋଇ ୧୩୧୦ ଟଙ୍କା ଏବଂ ୨୦୨୦- ୨୧ରେ ଏହା ୧୮୬୮ ଟଙ୍କାରେ ପହଞ୍ଚିଛି। ସେହିପରି ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦୯ ମସିହାରେ କ୍ୱିଣ୍ଟାଲ ପିଛା ମାତ୍ର ୧୦୮୦ ଟଙ୍କା ଥିବାବେଳେ ୨୦୧୪ ମସିହାରେ ଏହା ବୃଦ୍ଧି ପାଇ ୧୩୫୦ ଟଙ୍କା ଏବଂ ୨୦୨୦- ୨୧ରେ ଏହା ୧୯୨୫ ଟଙ୍କାରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ଉଦାସୀନତା ଓଡ଼ିଶାର ଚାଷୀକୁଳ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବାର ଅଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୦୯- ୧୦ ରୁ ୨୦୧୩- ୧୪ ବର୍ଷ ଭିତରେ ୟୁପିଏ ଶାସନରେ ଓଡିଶାରୁ ମୋଟ ୧୪.୨୬ ମିଲିୟନ ମେଟ୍ରିକ ଟନ ଧାନ କ୍ରୟ ହୋଇଥିଲା। ଏହି ସମୟରେ ହାରାହରି ଧାନ କ୍ୱିଣ୍ଟାଲ ପିଛା ଏମଏସପି ଥିଲା ୧୧୬୦ ଟଙ୍କା। ମୋଦିଙ୍କ ଶାସନରେ ୨୦୧୪- ୧୫ ରୁ ୨୦୧୯- ୨୦ ବର୍ଷ ସୁଦ୍ଧା ରାଜ୍ୟରୁ ୨୨.୮୬ ମିଲିୟନ ମେଟ୍ରକ ଟନ ଧାନ କ୍ରୟ କରାଯାଇଛି ଏବଂ ଏହି ସମୟରେ ଧାନ କ୍ୱିଣ୍ଟାଲ ପିଛା ହାରାହାରି ଏମଏସପି ରହିଛି ୧୬୦୩.୨୮ ଟଙ୍କା। ଚଳିତ ୨୦୨୦- ୨୧ ଆର୍ଥକ ବର୍ଷରେ ଧାନର ଏମଏସପି ୧୮୬୮ ଟଙ୍କାରେ ପହଞ୍ଚିଛି। ସେହିପରି ୨୦୦୯- ୧୦ ରୁ ୨୦୧୩- ୧୪ବର୍ଷ ମଧ୍ୟରେ ୟୁପିଏ ସରକାର ଓଡ଼ିଶାରୁ କିଲୋଟିଏ ବି ଡାଲି କିଣି ନଥିବା ବେଳେ ଶେଷ ୫ ବର୍ଷରେ କେବଳ ୧୧୪୨.୨୭ ଟନ ତୈଳବୀଜ କିଣିଥିଲେ। ମାତ୍ର ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଗତ ୬ ବର୍ଷରେ ୨୦୨୭୨.୩୩ ଟନ ଡାଲି ଏବଂ ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ୧୨୯୫୭.୬୩ ଟନର ତୈଲବୀଜ କିଣାଯାଇଛି। ୨୦୧୪- ୧୫ ରୁ ୨୦୨୦- ୨୧ ମଧ୍ୟରେ ଡାଲି କ୍ୱିଣ୍ଟାଲ ପିଛା ହାରାହାରି ଏମଏସପି ରହିଛି ୬୨୭୧ ଟଙ୍କା ଏବଂ ତୈଳବୀଜ କ୍ୱିଣ୍ଟାଲ ପିଛା ୪୩୫୧.୮୮ ଟଙ୍କାରେ ପହଞ୍ଚିଛି ବୋଲି ସମୀର ମହାନ୍ତି ସୂଚନା ଦେଇ କହିଛନ୍ତି। ନିଜ ଅପାରଗତା ଲୁଚେଇବାକୁ ଏବଂ ଭୋଟ ସର୍ବସ୍ୱ ରାଜନୀତି କରିବା ପାଇଁ ଏଠି କିଛି ବନ୍ଧୁ ଏହାକୁ ବିରୋଧ କରୁଛନ୍ତି। ଓଡ଼ିଶାର ଚାଷୀ ଏହି ଆଇନ ଦ୍ୱାରା ସବୁଠୁ ଅଧିକ ଉପକୃତ ହେବେ। ଏହି ଅବସରରେ କୃଷକ କଲ୍ୟାଣ ପାଇଁ ମୋଦି ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ବିଭିନ୍ନ ଚାଷୀ କଲ୍ୟାଣ ଯୋଜନାର ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ରାଜ୍ୟରେ ଥିବା ୩୫୦୦ରୁ ଉର୍ଦ୍ଧ୍ୱ ମଣ୍ଡିରେ ଜାଗ୍ରତ ପ୍ରହରୀର ଭୂମିକା ନିଭାଇ ଚାଷୀଙ୍କୁ ତାଙ୍କ ଉତ୍ପାଦିତ ଶସ୍ୟର ବିକ୍ରିଠାରୁ ଆରମ୍ଭ କରି ସର୍ବାଧିକ ମୂଲ୍ୟ ପାଇବାରେ ସହୟତା କରିବେ ବୋଲି ସମୀର ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର, କୃଷକ ନେତା ସୁରଥ ବିଶ୍ୱାଳ ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.