Home ଜିଲ୍ଲା ପରିକ୍ରମା ପ୍ରବାସୀଙ୍କ ସଂଖ୍ୟାକୁ ନେଇ ସରକାରୀ ତଥ୍ୟ ଏବେବି ଅସ୍ପଷ୍ଟ, କର୍ମକ୍ଷେତ୍ରକୁ ବାହୁଡିଲେଣି ଅଧିକାଂଶ ପ୍ରବାସୀ, ଶ୍ରମ...

ପ୍ରବାସୀଙ୍କ ସଂଖ୍ୟାକୁ ନେଇ ସରକାରୀ ତଥ୍ୟ ଏବେବି ଅସ୍ପଷ୍ଟ, କର୍ମକ୍ଷେତ୍ରକୁ ବାହୁଡିଲେଣି ଅଧିକାଂଶ ପ୍ରବାସୀ, ଶ୍ରମ କାର୍ଯ୍ୟାଳୟରେ ନାହିଁ ତଥ୍ୟ

70

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କରୋନା ମାହାମାରୀ ପାଇଁ ସରକାର ଜାରୀ କରିଥିବା ଲକ୍‌ଡାଉନ କଟକଣା କିଛିଟା କୋହଳ ହେବା ପରେ ପ୍ରବାସୀଙ୍କ ଘର ବାହୁଡ଼ା ଆରମ୍ଭ ହୋଇଗଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଘରକୁ ଫେରୁଥିବା ପ୍ରବାସୀଙ୍କ ପାଇଁ ପ୍ରଶଷାସନ ପକ୍ଷରୁ ଯାବତୀୟ ବ୍ୟବସ୍ଥା ଗ୍ରହଣ କରାଗଲା । ପ୍ରଥମେ ଜିଲ୍ଲାର ୨୧୮ଟି ପଞ୍ଚାୟତରେ ଟେମ୍ପରାରି ମେଡିକାଲ କ୍ୟାମ୍ପ(ଟିଏମସି) ପ୍ରତିଷ୍ଠା ହେଲା । ପରେ ପ୍ରବାସୀଙ୍କ ଫେରିବା ଆରମ୍ଭ ହେବା ପରେ ସେମାନଙ୍କୁ ରେଲୱେ ଷ୍ଟେସନରେ ରେଡ କାର୍ପେଟ ସମ୍ବର୍ଦ୍ଧାନା ଜ୍ଞାପନ କରାଗଲା । ସେମାନଙ୍କୁ ଗାଡ଼ି ଭଡା ପ୍ରଦାନ ସହ ୧୦ ଦିନ ଟିଏମସିରେ ସଂଗରୋଧରେ ରହିବାର ବ୍ୟବସ୍ଥା କରାଗଲା । ଏସମସ୍ତ ପ୍ରବାସୀ ଆଉ ଯେପରି ଭବିଷ୍ୟତରେ ପୁଣି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ନ ଯିବେ, ସେଥି ପାଇଁ ମଧ୍ୟ ସରକାରୀ ସ୍ତରରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଲା । କିନ୍ତୁ ଇତିମଧ୍ୟରେ ବିଭିନ୍ନ ରାଜ୍ୟରୁ ନିଜ ନିଜ ଘରକୁ ଫେରିଥିବା ପ୍ରବାସୀଙ୍କୁ ଆଉ ଦେଖିବାକୁ ମିଳୁ ନାହିଁ । ଘରବାହୁଡ଼ା କରିଥିବା ପ୍ରବାସୀଙ୍କ ମଧ୍ୟରୁ ଏବେ ୮୦ପ୍ରତିଶତଙ୍କ ପତ୍ତା ନାହିଁ । କାରଣ ଏଠାରେ ସେପରି କୌଣସି ଆୟର ପନ୍ଥା ନଥିବା ଦେଖି ସେମାନେ ପୁଣି ନିଜ ନିଜ ପୂର୍ବ କର୍ମକ୍ଷେତ୍ରକୁ ଫେରିଗଲେଣି । କିନ୍ତୁ ଏସମ୍ପର୍କରେ କୌଣସି ତଥ୍ୟ ସରକାର ବା ପ୍ରଶାସନ ନିକଟରେ ନାହିଁ । ଏପରିକି ବାସ୍ତବରେ କେତେ ପ୍ରବାସୀ ବାହାର ରାଜ୍ୟରୁ ଆମ ଜିଲ୍ଲାକୁ ଫେରିଥିଲେ, ସେସମ୍ପର୍କରେ ମଧ୍ୟ ନିର୍ଦ୍ଧିଷ୍ଟ ତଥ୍ୟ ପ୍ରଶାସନ ନିକଟରେ ନାହିଁ । ଘରବାହୁଡ଼ା ସମୟରେ ପ୍ରତ୍ୟେକ ଦିନ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିକଟରେ ପ୍ରବାସୀଙ୍କ ତଥ୍ୟ ଉପସ୍ଥାପନ କରାଯାଉଥିଲା । ସେହି ଅନୁଯାୟୀ ଭଦ୍ରକ ଜିଲ୍ଲାରୁ ମୋଟ ୩୬ ହଜାର ୯୩୪ଜଣ ପ୍ରବାସୀ ଫେରିଥିବା ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା ।

କିନ୍ତୁ ଚୂଡ଼ାନ୍ତ ସଂଖ୍ୟା ୪୫ହଜାର ୨୫ରେ ପହଞ୍ଚିଥିଲା । ତେଣୁ ପୂର୍ବ ଓ ପରବର୍ତ୍ତୀ ତଥ୍ୟରେ କାର୍ହିକି ଅମେଳ ରହିଲା, ସେମସମ୍ପର୍କରେ ସ୍ପଷ୍ଟ କରିବାକୁ ପ୍ରଶାସନକୁ ପଞ୍ଚାୟତରାଜ ବିଭାଗ କହିଥିଲା । ଅପରପକ୍ଷେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରବାସୀଙ୍କ ସମ୍ପର୍କରେ ଥିବା ତଥ୍ୟ । କାରଣ ଏହି କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ ମୋଟ ୨୭ହଜାର ୩୯୧ଜଣ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୩୪୨ଜଣ ଛାତ୍ର, ୨୪୦ଜଣ ଗୃହିଣୀ, ୧୪ବର୍ଷରୁ କମ୍ ୮୦୫ଜଣ ଓ ୬୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ସଂଖ୍ୟା ୫ଶହ ବୋଲି ଉଲ୍ଲେଖ ରହିଛି । ଏମାନଙ୍କ ବ୍ୟତୀତ କୁଶଳୀ ଶ୍ରେଣୀର ୪ହଜାର ୩୬୬ଜଣ ଥିବାବେଳେ, ୨୨ହଜାର ୪୪୩ଜଣ ଅଣକୁଶଳୀ ପ୍ରବାସୀ ଜିଲ୍ଳାକୁ ଫେରିଛନ୍ତି ବୋଲି ଶ୍ରମ ବିଭାଗ ସୂଚନାରୁ ପ୍ରକାଶ । ତେଣୁ ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କ ବାସ୍ତବ ସଂଖ୍ୟା ଉପରେ ଏବେ ମଧ୍ୟ ସାଧାରଣରେ ସନ୍ଦେହ ଲାଗି ରହିଛି । ତେବେ ପ୍ରବାସୀଙ୍କ ଫେରିବା ସମୟରେ ସେମାନଙ୍କ ଥଇଥାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ମନରେଗା ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଉପାୟରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯୋଜନା ହୋଇଥିଲା । ତଥାପି ଯଦି କୌଣସି ବ୍ୟକ୍ତି ବାହାର ରାଜ୍ୟକୁ ଯାଆନ୍ତି ତେବେ ସେମାନଙ୍କ ତଥ୍ୟ ପଞ୍ଚାତସ୍ତରରେ ରଖାଯିବ ଓ ଏହାକୁ ଭିତ୍ତୀି କରି ଏକ ଡାଟାବେସ ପ୍ରସ୍ତୁତ କରିବାର ଯୋଜନା ମଧ୍ୟ ଥିଲା । କିନ୍ତୁ ଇତିମଧ୍ୟରେ ଅଧିକାଂଶ ପ୍ରବାସୀ ନିଜ କର୍ମକ୍ଷେତ୍ରକୁ ଫେରି ସାରିଥିବାବେଳେ, ସେମାନଙ୍କ ତଥ୍ୟ କାହା ପାଖରେ ନାହିଁ । ଏପରିକି ଜିଲ୍ଲା ଶ୍ରମାଧିକାରୀ କୁବେର ଚନ୍ଦ୍ର ବେହେରା ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତିଯେ କେତେ ପ୍ରବାସୀ ଅନ୍ୟ ରାଜ୍ୟକୁ ଗଲେଣି ସେମ୍ପର୍କୀତ ତଥ୍ୟ ଆମ ନିକଟରେ ନାହିଁ । ତେଣୁ ସ୍ୱାଭାବିକ୍ ଭାବରେ ଦାଦନ ତଥା ପ୍ରବାସୀଙ୍କୁ ନେଇ ଜିଲ୍ଲା ପ୍ରଶାସନ କେତେ ସଚେତନ ଏଥିରୁ ଅନୁମେୟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.