ad
ଓଡ଼ିଶା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ମନର କଥା ୨.୦

– ପାର୍ବଣ ଋତୁ ମେଳାରେ ଜଳ ସଂରକ୍ଷଣ ବାର୍ତ୍ତା ବାଂଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
– ଆରମ୍ଭ ହେବ ମହାକାଶ ସମ୍ପର୍କୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା
– ଶ୍ରୀହରିକୋଟାରୁ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ଅବତରଣ କରିବା ଦୃଶ୍ୟ ଦେଖିବେ କୃତୀ ଛାତ୍ରଛାତ୍ରୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ସବୁଥର ପରି “ମନ କି ବାତ୍” ପାଇଁ ଆପଣଙ୍କର ଏବଂ ମୋର ବି ପ୍ରତୀକ୍ଷା ରହିଛି। ଏଥର ବି ମୁଁ ଦେଖିଛି ଯେ, ବହୁତ ଚିଠି, ଫୋନ ମିଳିଛି ଯେଉଁଥିରେ ଅନେକ କାହାଣୀ ରହିଛି, ପ୍ରସ୍ତାବ ରହିଛି ପ୍ରେରଣା ରହିଛି-ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି କରିବାକୁ ଚାହୁଁଛନ୍ତି, ଆଉ କହିବାକୁ ବି ଚାହୁଁଛନ୍ତି – ଏକ ପ୍ରକାର ଆବେଗ ଅନୁଭୂତ ହେଉଛି। ଏସବୁରେ ବହୁତ କିଛି ରହିଛି, ଯାହାକୁ ମୁଁ ଏକାଠି କରିବାକୁ ଚାହୁଁଛି। କିନ୍ତୁ ସମୟ ସୀମିତ, ତେଣୁ ଏକତ୍ର କରିପାରୁନି। ଲାଗୁଛି ସତେ ଯେମିତି ଆପଣମାନେ ମୋର କଠିନ ପରୀକ୍ଷା ନେଉଛନ୍ତି। ତଥାପି, ଆପଣଙ୍କ କଥାଗୁଡ଼ିକୁ ହିଁ ଏହି “ମନ କି ବାତ୍”ର ସୂତାରେ ଗୁନ୍ଥି ପୁଣିଥରେ ଆପଣମାନଙ୍କୁ ବାଂଟିବାକୁ ଚାହୁଁଛି।

ଆପଣମାନଙ୍କର ମନେଥିବ, ଗତଥର ମୁଁ ପ୍ରେମଚନ୍ଦ୍ଜୀଙ୍କର କାହାଣୀ ସମ୍ବଳିତ ଗୋଟିଏ ବହି ବିଷୟରେ ଆଲୋଚନା କରୁଥିଲି। ଆଉ ଆମେ ସ୍ଥିର କରିଥିଲୁ ଯେ, ଯିଏ ଯେଉଁ ବହି ପଢ଼ୁଛନ୍ତି, ସେ ସମ୍ପର୍କରେ କିଛି କଥା ନରେନ୍ଦ୍ର ମୋଦୀ ଆପ ମାଧ୍ୟମରେ ସମସ୍ତଙ୍କ ସହ ବାଂଟନ୍ତୁ। ମୁଁ ଦେଖୁଥିଲି ଯେ, ଲୋକେ ଅନେକ ପ୍ରକାର ବହି ସମ୍ପର୍କରେ ବହୁସଂଖ୍ୟାରେ ସୂଚନା ପ୍ରଦାନ କରିଛନ୍ତି। ବିଜ୍ଞାନ, ପ୍ରଯୁକ୍ତି, ଇତିହାସ, ସଂସ୍କୃତି, ବ୍ୟବସାୟ, ଜୀବନୀ ଭଳି ଅନେକ ବିଷୟ ଉପରେ ଲେଖାଯାଇଥିବା ବହିଗୁଡ଼ିକ ସମ୍ପର୍କରେ ଲୋକେ ଆଲୋଚନା କରୁଥିବା ଦେଖି ମୋତେ ଖୁସି ଲାଗିଲା। କିଛି ଲୋକ ତ ଆହୁରି କିଛି ବହି ସମ୍ପର୍କରେ କହିବା ପାଇଁ ମୋତେ ପରାମର୍ଶ ଦେଇଛନ୍ତି। ଠିକ୍ ଅଛି, ମୁଁ ଆହୁରି କିଛି ବହି ସମ୍ପର୍କରେ ଆପଣମାନଙ୍କ ସହ କଥା ହେବି। କିନ୍ତୁ ଗୋଟିଏ କଥା ମୋତେ ସ୍ୱୀକାର କରିବାକୁ ପଡ଼ିବ ଯେ, ଏବେ ମୁଁ ପୁସ୍ତକ ପଠନ ପାଇଁ ଅଧିକ ସମୟ ଦେଇପାରୁନି। ମାତ୍ର, ଗୋଟିଏ ଲାଭ ନିଶ୍ଚୟ ହୋଇଛି ଯେ, ଆପଣମାନେ ଲେଖି ପଠାଉଥିବାରୁ ଅନେକ ବହି ବିଷୟରେ ଜାଣିବାକୁ ମୋତେ ସୁଯୋଗ ମିଳୁଛି। କିନ୍ତୁ ଗତ ମାସକର ଅନୁଭୂତିକୁ ନେଇ ମୋତେ ଲାଗୁଛି ଯେ, ଏହାକୁ ଆମକୁ ଆଗେଇ ନେବାକୁ ହେବ। ଆମେ ନରେନ୍ଦ୍ର ମୋଦୀ ଆପରେ ଗୋଟିଏ ସ୍ଥାୟୀ ବୁକ କର୍ଣ୍ଣର କାହିଁକି ନ କରିଦେବା, ଆଉ ଯିଏ ଯେତେବେଳେ କୌଣସି ନୂଆ ବହି ପଢ଼ିଲେ, ତା’ ସମ୍ପର୍କରେ ସେ କର୍ଣ୍ଣରରେ ଲେଖିପାରିବେ, ଚର୍ଚ୍ଚା କରିପାରିବେ। ଆଉ ଆପଣ ଭଲ ନାଁଟିଏ ବାଛନ୍ତୁ। ମୁଁ ଚାହୁଁଛି ଏହି କର୍ଣ୍ଣର ପାଠକ ଏବଂ ଲେଖକଙ୍କ ପାଇଁ ଗୋଟିଏ ସକ୍ରିୟ ମଂଚ ପାଲଟିଯାଉ। ଆପଣ ପଢ଼ୁଥାନ୍ତୁ, ଲେଖୁଥାନ୍ତୁ ଆଉ ‘ମନ୍ କି ବାତ୍’ର ସମସ୍ତ ସାଥୀମାନଙ୍କ ସହ ଅନୁଭବ ବାଂଟୁଥାନ୍ତୁ।

ବନ୍ଧୁଗଣ, “ମନ କି ବାତ୍”ରେ ଜଳ ସଂରକ୍ଷଣ ବିଷୟକୁ ମୁଁ ସ୍ପର୍ଶ କରିଥିଲି। କିନ୍ତୁ ଆଜି ମୁଁ ଅନୁଭବ କରୁଛି ଯେ, ହୁଏତ ମୋର କହିବାର ଅନେକ ପୂର୍ବରୁ ଜଳ ସଂରକ୍ଷଣ କଥା ଆପଣମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା ଏବଂ ଏହା ସାଧାରଣ ଲୋକଙ୍କର ଆଗ୍ରହର ବିଷୟ ଥିଲା। ଜଳ ସଂରକ୍ଷଣ ବିଷୟଟି ଆଜିକାଲି ଭାରତର ହୃଦୟକୁ ଦୋହଲାଇ ଦେଇଛି। ଜଳ ସଂରକ୍ଷଣକୁ ନେଇ ସାରା ଦେଶରେ ଅନେକ ପ୍ରଭାବଶାଳୀ ପ୍ରଚେଷ୍ଟା ଜାରି ରହିଛି। ଲୋକେ ପାରମ୍ପରିକ ଉପାୟଗୁଡ଼ିକ ସମ୍ପର୍କରେ ସୂଚନା ତ ପ୍ରଦାନ କରିଛନ୍ତି! ଗଣମାଧ୍ୟମମାନେ ଜଳ ସଂରକ୍ଷଣକୁ ନେଇ କେତେକ ଅଭିନବ ଅଭିଯାନ ଆରମ୍ଭ କରିଛନ୍ତି। ସରକାର ହୁଅନ୍ତୁ, ସ୍ୱେଚ୍ଛାସେବୀ ସଂଗଠନ ହୁଅନ୍ତୁ – ସମସ୍ତେ ଯୁଦ୍ଧକାଳୀନ ଭିତିରେ କିଛି ନା କିଛି କରୁଛନ୍ତି। ସାମୁହିକତାର ସାମର୍ଥ୍ୟ ଦେଖି ବେଶ୍ ଭଲ ଲାଗୁଛି, ଖୁବ୍ ସନ୍ତୋଷ ମଧ୍ୟ ମିଳୁଛି। ଯେମିତିକି, ଝାଡଖଣ୍ଡର ରାଂଚିଠାରୁ କିଛି ଦୂରରେ ଅବସ୍ଥିତ ଓର୍ମାଂଝି ପ୍ରଖଣ୍ଡର ଆରା କେରମ୍ ଗାଁର ଅଧିବାସୀମାନେ ଜଳ ପରିଚାଳନାକୁ ନେଇ ଯେଉଁ ମନୋବଳ ପ୍ରଦର୍ଶନ କରିଛନ୍ତି, ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛି। ଗ୍ରାମବାସୀମାନେ ଶ୍ରମଦାନ କରି ପାହାଡ଼ ଉପରୁ ବହିଯାଉଥିବା ଗୋଟିଏ ଝରଣାକୁ ଏକ ନିଶ୍ଚିତ ଦିଗ ପ୍ରଦାନ କରିବାର କାର୍ଯ୍ୟ କରିଛନ୍ତି। ତାହା ପୁଣି ବିଲକୁଲ ଦେଶୀ ଉପାୟରେ। ଏହାଦ୍ୱାରା କେବଳ ଯେ ମୃତିକାକ୍ଷୟ ଏବଂ ଫସଲ ନଷ୍ଟ ହେବାରୁ ରକ୍ଷା ମିଳିଛି ତାହାନୁହେଁ, ବରଂ ଚାଷଜମିକୁ ବି ପାଣି ମିଳିପାରୁଛି। ଗ୍ରାମବାସୀମାନଙ୍କର ଏହି ଶ୍ରମଦାନ, ସାରା ଗାଁ ପାଇଁ ଜୀବନ ଦାନଠାରୁ କମ୍ ନୁହେଁ। ଆପଣମାନେ ଜାଣି ଖୁବ୍ ଖୁସି ହେବେ ଯେ, ଉତର ପୂର୍ବାଂଚଳର ସୁନ୍ଦର ରାଜ୍ୟ ମେଘାଳୟ, ନିଜର ଜଳନୀତି ପ୍ରସ୍ତୁତ କରିବାରେ ଦେଶର ପ୍ରଥମ ରାଜ୍ୟ ପାଲଟିଛି। ମୁଁ ସେଠାକାର ସରକାରଙ୍କୁ ଅଭିନନ୍ଦନ ଜଣାଉଛି।

ହରିୟାଣାରେ ସେହି ଫସଲଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ଯେଉଁଥିରେ ପାଣିର ଆବଶ୍ୟକତା କମ୍ ହୋଇଥାଏ, ଆଉ ଏହାଦ୍ୱାରା ଚାଷୀମାନଙ୍କର ମଧ୍ୟ କୌଣସି କ୍ଷତି ହେଉନି। ଚାଷୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ପାରମ୍ପରିକ ଚାଷରୁ ନିବୃତ କରି, କମ୍ ଜଳ ଆବଶ୍ୟକ ହେଉଥିବା ଫସଲ କରିବାକୁ ପ୍ରେରିତ କରିଥିବାରୁ, ମୁଁ ହରିୟାଣା ସରକାରଙ୍କୁ ବିଶେଷ ଅଭିନନ୍ଦନ ଜଣାଉଛି।

ଏବେ ପାର୍ବଣ ଋତୁ ଆସିଗଲାଣି। ଏ ସମୟରେ ଅନେକ ସ୍ଥାନରେ ମେଳାର ଆୟୋଜନ ହୋଇଥାଏ। ଜଳ ସଂରକ୍ଷଣ ପାଇଁ ଏହି ମେଳାଗୁଡ଼ିକୁ କାହିଁକି ଯେ ବ୍ୟବହାର ନ କରିବା? ମେଳାକୁ ସମାଜର ସବୁ ଶ୍ରେଣୀର ଲୋକ ଆସିଥା’ନ୍ତି। ଏହି ମେଳାଗୁଡ଼ିକରେ ଜଳ ସଂଚୟର ବାର୍ତ୍ତାକୁ ଆମେ ଖୁବ ପ୍ରଭାବଶାଳୀ ଢଙ୍ଗରେ ପ୍ରଚାର କରିପାରିବା, ପ୍ରଦର୍ଶନୀ ଲଗାଇପାରିବା, ପଥପ୍ରାନ୍ତ ନାଟକ କରିପାରିବା, ଉତ୍ସବ ସାଙ୍ଗକୁ ଜଳ ସଂରକ୍ଷଣର ବାର୍ତ୍ତା ମଧ୍ୟ ଖୁବ ସହଜରେ ପହଂଚାଇପାରିବା।

ବନ୍ଧୁଗଣ, ଜୀବନରେ କିଛି କଥା ଆମକୁ ଉତ୍ସାହରେ ଭରିଦିଏ। ବିଶେଷକରି ପିଲାମାନଙ୍କ ଉପଲବ୍ଧି, ସେମାନଙ୍କ କାର୍ଯ୍ୟକଳାପ ଆମ ସମସ୍ତଙ୍କୁ ନୂତନ ଶକ୍ତି ଦେଇଥାଏ। ତେଣୁ, କେତେକ ପିଲାଙ୍କ ବିଷୟରେ କଥା ହେବାପାଇଁ ଆଜି ମୋର ଇଚ୍ଛା। ସେହି ପିଲାମାନେ ହେଉଛନ୍ତି – ନିଧି ବାଇପୋଟୁ, ମୋନିଷ ଜୋଶୀ, ଦେୱାଂଶୀ ରାୱତ୍, ତନୁଷ ଜୈନ, ହର୍ଷ ଦେୱଧରକର, ଅନନ୍ତ ତିୱାରୀ, ପ୍ରୀତି ନାଗ, ଅଥର୍ବ ଦେଶମୁଖ, ଅରୋଣ୍ୟତେଷ ଗାଙ୍ଗୁଲି ଏବଂ ହି୍ରତିକ ଅଲା-ମନ୍ଦା।

ଏମାନଙ୍କ ବିଷୟରେ ମୁଁ ଯାହା କହିବି, ସେକଥା ଶୁଣି ଆପଣଙ୍କ ମନ ମଧ୍ୟ ଗର୍ବ ଓ ଉତ୍ସାହରେ ଭରିଯିବ। ଆମେ ସମସ୍ତେ ଜାଣିଛୁ ଯେ, କ୍ୟାନ୍ସର ଏଭଳି ଏକ ଶବ୍ଦ, ଯାହାକୁ ଶୁଣିଲେ ସାରା ଦୁନିଆ ଭୟ କରେ। ଲାଗେ, ସତେଯେମିତି ମୃତ୍ୟୁ ଦୁଆର ମୁହଁରେ ଠିଆ ହୋଇଛି, କିନ୍ତୁ ଏହି ସମସ୍ତ ଦଶଜଣ ବାଳକ-ବାଳିକା, ନିଜ ଜୀବନ ସଂଗ୍ରାମରେ କେବଳ ଯେ କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧିକୁ ପରାସ୍ତ କରିଛନ୍ତି ତା’ନୁହେଁ ବରଂ ନିଜର କାର୍ଯ୍ୟକଳାପ ମାଧ୍ୟମରେ ସାରା ଦୁନିଆରେ ଭାରତ ପାଇଁ ସୁନାମ ଅର୍ଜନ କରିଛନ୍ତି। କ୍ରୀଡ଼ାକ୍ଷେତ୍ରରେ ଆମେ ପ୍ରାୟ ଦେଖୁ ଯେ, ଖେଳାଳି ଜିତିବା କିମ୍ବା ପଦକ ହାସଲ କରିବା ପରେ ଚାମ୍ପିଅନ ହୋଇଥାନ୍ତି, କିନ୍ତୁ ଏହା ଏକ ଦୁର୍ଲ୍ଲଭ ମୁହୂର୍ତ ଥିଲା, ଯେଉଁଠି ଏମାନେ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଆଗରୁ ହିଁ ବିଜୟୀ ଥିଲେ ଆଉ ତାହାପୁଣି ଜୀବନ ସଂଗ୍ରାମରେ।

ବାସ୍ତବରେ, ଚଳିତ ମାସରେ ମସ୍କୋଠାରେ World Children’s Winners Games ର ଆୟୋଜନ ହୋଇଥିଲା। ଏହା ଏଭଳି ଏକ ଅନନ୍ୟ ପ୍ରତିଯୋଗିତା ଯେଉଁଥିରେ କ୍ୟାନସରରୁ ରକ୍ଷା ପାଇଥିବା ଅଳ୍ପବୟସ୍କ ପିଲା, ଅର୍ଥାତ୍ ଯେଉଁମାନେ ନିଜ ଜୀବନରେ କ୍ୟାନସର ସହ ସଂଗ୍ରାମ କରି ବିଜୟ ଲାଭ କରିଛନ୍ତି, ସେମାନେ ହିଁ ଅଂଶଗ୍ରହଣ କରିଥା’ନ୍ତି। ଏହି ପ୍ରତିଯୋଗିତାରେ ବନ୍ଧୁକ ଚାଳନା, ଚେସ୍, ସନ୍ତରଣ, ଦୌଡ଼, ଫୁଟବଲ ଏବଂ ଟେବୁଲ ଟେନିସ ଭଳି ଖେଳର ଆୟୋଜନ କରାଗଲା। ଆମ ଦେଶର ଏହି ସମସ୍ତ ଦଶଜଣ ଚମ୍ପିଆନମାନେ ଏହି ପ୍ରତିଯୋଗିତାରେ ପଦକ ଜିତିଲେ। ଏମାନଙ୍କ ମଧ୍ୟରୁ କେତେଜଣ ଖେଳାଳି ତ ଏକାଧିକ ପଦକ ଜିତିଛନ୍ତି।

ମୋର ପ୍ରିୟ ଦେଶବାସୀଗଣ, ମୋର ପୁରା ବିଶ୍ୱାସ ଯେ ଆକାଶ ସେପାରି ଅନ୍ତରୀକ୍ଷରେ ଭାରତର ସଫଳତାକୁ ନେଇ ଆପଣ ନିଶ୍ଚୟ ଗର୍ବ ଅନୁଭବ କରିଥିବେ! ଚନ୍ଦ୍ରଯାନ-୨।

ରାଜସ୍ଥାନ ଯୋଧପୁରର ସଞ୍ଜୀବ ହରିପୁରା, କୋଲକାତାର ମହେନ୍ଦ୍ର କୁମାର ଡାଗା, ତେଲଙ୍ଗାନାର ପି. ଅରବିନ୍ଦ ରାଓ, ଏମିତି ଅନେକ, ଦେଶର ବିଭିନ୍ନ ଅଂଚଳରୁ କେତେକ ଲୋକ “ମନ କି ବାତ୍”ରେ ଚନ୍ଦ୍ରଯାନ-୨ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋତେ ଅନୁରୋଧ କରିଛନ୍ତି।

ପ୍ରକୃତରେ, ମହାକାଶ ଗବେଷଣା କ୍ଷେତ୍ରରେ ୨୦୧୯ ଭାରତ ପାଇଁ ଖୁବ୍ ସଫଳ ବର୍ଷଟିଏ। ଆମ ବୈଜ୍ଞାନିକମାନେ, ମାର୍ଚ୍ଚ ମାସରେ, ଇ-ସାଟ ଉତ୍କ୍ଷେପଣ କରିଥିଲେ। ଆଉ ତା’ପରେ ଚନ୍ଦ୍ରଯାନ-୨। ନିର୍ବାଚନର ହୋ-ହାଲ୍ଲା ମଧ୍ୟରେ ସେତେବେଳେ ଇ-ସାଟ ପ୍ରେରଣ ଭଳି ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଅଧିକ ଆଲୋଚନା ହୋଇପାରିନଥିଲା। କିନ୍ତୁ ଆମେ ଇ-ସାଟ ମିସାଇଲ୍ ସାହାଯ୍ୟରେ ମାତ୍ର ତିନି ମିନିଟ ମଧ୍ୟରେ ତିନିଶହ କିଲୋମିଟର ଦୂରରେ ଥିବା ସାଟେଲାଇଟକୁ ଲକ୍ଷ୍ୟଭେଦ କରି ଖସାଇଦେବାର କ୍ଷମତା ହାସିଲ କରିଥିଲୁ। ଏହି ଦକ୍ଷତା ହାସଲ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଲା ଆଉ ଏବେ ଜୁଲାଇ ୨୨ ତାରିଖ ଦିନ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ କିଭଳି ମହାକାଶକୁ ଗତି କଲା ତାହା ସାରା ଦେଶ ଗର୍ବର ସହ ପ୍ରତ୍ୟକ୍ଷ କଲା। ଚନ୍ଦ୍ରଯାନ-୨ ଉତ୍କ୍ଷେପଣର ଛବିମାନ ଦେଶବାସୀଙ୍କୁ ଗୌରବ, ଉତ୍ସାହ ଓ ପ୍ରସନ୍ନତାରେ ଭରିଦେଲା।

ଚନ୍ଦ୍ରଯାନ-୨ ଅଭିଯାନଟି ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଚନ୍ଦ୍ରଯାନ-୨ ଚନ୍ଦ୍ର ସମ୍ପର୍କରେ ଆମର ଧାରଣାକୁ ଆହୁରି ସ୍ପଷ୍ଟ କରିବ। ଏହାଦ୍ୱାରା ଆମକୁ ଚନ୍ଦ୍ର ସମ୍ପର୍କରେ ଅଧିକ ବିସ୍ତୃତ ଭାବେ ସୂଚନା ମିଳିପାରିବ। କିନ୍ତୁ ଯଦି ଆପଣ ମୋତେ ପଚାରନ୍ତି ଯେ, ଚନ୍ଦ୍ରଯାନ-୨ ରୁ ଆପଣ କ’ଣ ଦୁଇଟି ବଡ଼ କଥା ଶିଖିଛନ୍ତି? ତେବେ ମୁଁ କହିବି – ଏ ଦୁଇଟି ହେଲା – ବିଶ୍ୱାସ ଏବଂ ନିର୍ଭୀକତା। ଆମକୁ ନିଜର ପ୍ରତିଭା ଏବଂ ସାମର୍ଥ୍ୟ ଉପରେ ବିଶ୍ୱାସ ରହିବା ଦରକାର। ଆପଣ ଜାଣି ଖୁସି ହେବେ ଯେ ଚନ୍ଦ୍ରଯାନ-୨ ସମ୍ପୂର୍ଣ୍ଣ ଭାବେ ଭାରତୀୟ ରଙ୍ଗରେ ରଙ୍ଗାୟିତ। ଏହା ଭାରତୀୟ। ଏହା ସମ୍ପୂର୍ଣ୍ଣ ଭାବେ ଏକ ସ୍ୱଦେଶୀ ଅଭିଯାନ। ଏହି ଅଭିଯାନ ପୁଣିଥରେ ପ୍ରମାଣିତ କରିଦେଇଛି ଯେ, ନୂତନ କ୍ଷେତ୍ରରେ ନୂଆ କିଛି କରିଯିବାର ଥିଲେ, – ଆମର ବୈଜ୍ଞାନିକମାନେ ସର୍ବଶ୍ରେଷ୍ଠ, ବିଶ୍ୱସ୍ତରୀୟ।

ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଶିଖିବାର କଥା ହେଲା ଯେ, କୌଣସି ଅସୁବିଧାକୁ ଭୟ କରିବା ଉଚିତ ନୁହେଁ। ଆମ ବୈଜ୍ଞାନିକମାନେ ଯେଉଁଭଳି ରେକର୍ଡ ସମୟ ମଧ୍ୟରେ ରାତିଦିନ ଏକକରି ସମସ୍ତ ଯାନ୍ତ୍ରିକ ତ୍ରୁଟିକୁ ଠିକ୍କରି ଚନ୍ଦ୍ରଯାନ-୨ କୁ ସଫଳ କଲେ, ତାହା ଅଭୁତପୂର୍ବ ଥିଲା। ବୈଜ୍ଞାନିକମାନଙ୍କ ଏହି ମହାନ ତପସ୍ୟାକୁ ସାରା ଦୁନିଆ ଦେଖିଲା। ଏଥିପାଇଁ ଆମେ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ। କେତେକ ତ୍ରୁଟି ସତ୍ୱେ ସେମାନେ ପହଂଚିବା ସମୟକୁ ଅପରିବର୍ତିତ ରଖିଲେ ଏକଥା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି। ଆମମାନଙ୍କୁ ନିଜ ଜୀବନରେ ମଧ୍ୟ କ୍ଷଣସ୍ଥାୟୀ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ, କିନ୍ତୁ ସବୁବେଳେ ମନେରଖନ୍ତୁ, ଏହାକୁ ପାରି କରିବାର ସାମର୍ଥ୍ୟ ମଧ୍ୟ ଆମରି ଭିତରେ ଥାଏ। ଚନ୍ଦ୍ରଯାନ-୨ ଅଭିଯାନ ଦେଶର ଯୁବଗୋଷ୍ଠୀଙ୍କୁ ବିଜ୍ଞାନ ଓ ନବୋନ୍ମେଷ ଦିଗକୁ ପ୍ରେରିତ କରିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି। ଯେତେହେଲେ ବିଜ୍ଞାନ ହିଁ ତ ବିକାଶର ମାର୍ଗ। ଏବେ ସେପ୍ଟେମ୍ବର ମାସକୁ ଉତ୍କଣ୍ଠାର ସହ ଅପେକ୍ଷା ରହିଛି ଯେତେବେଳେ ଲାଂଡର ବିକ୍ରମ ଓ ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ।

ଆଜି, ମନ କି ବାତ୍ ମାଧ୍ୟମରେ ମୁଁ ଦେଶର ବିଦ୍ୟାର୍ଥୀ ବନ୍ଧୁମାନଙ୍କୁ, ଯୁବବନ୍ଧୁମାନଙ୍କୁ ଗୋଟିଏ ଅତ୍ୟନ୍ତ ଚିତାକର୍ଷକ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେବାକୁ ଚାହୁଁଛି ଏବଂ ଦେଶର ଯୁବକ ଯୁବତୀମାନଙ୍କୁ ଗୋଟିଏ ସାଧାରଣ ଜ୍ଞାନ ପ୍ରତିଯୋଗିତାକୁ ନିମନ୍ତ୍ରଣ କରୁଛି। ମହାକାଶ ସମ୍ପର୍କୀୟ ଜିଜ୍ଞାସା, ଭାରତର ମହାକାଶ ଅଭିଯାନ, ବିଜ୍ଞାନ ଏବଂ କାରିଗରୀ କୌଶଳ ମୁଖ୍ୟ ବିଷୟବସ୍ତୁ ହେବ। ଯେମିତିକି, ରକେଟ ଉତକ୍ଷେପଣ ପାଇଁ କ’ଣ ସବୁ କରିବାକୁ ପଡେ, କୃତ୍ରିମ ଉପଗ୍ରହକୁ କିଭଳି ତାହାର କକ୍ଷପଥରେ ସ୍ଥାନିତ କରାଯାଇଥାଏ, ଉପଗ୍ରହରୁ ଆମକୁ କି କି ସୂଚନା ମିଳିଥାଏ, ଇ-ସାଟ କ’ଣ, ଏମିତି ଅନେକ କଥା ରହିଛି। Mygov ୱେବସାଇଟରେ ପ୍ରତିଯୋଗିତାର ବିସ୍ତୃତ ବିବରଣୀ ଦିଆଯିବ।

ମୁଁ ଯୁବବନ୍ଧୁମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରୁଛି। ସେମାନେ ନିଜର ଅଂଶଗ୍ରହଣ ମାଧ୍ୟମରେ ଏହାକୁ ଆହୁରି କୌତୁହଳପ୍ରଦ, ରୁଚିକର ଏବଂ ସ୍ମରଣୀୟ କରନ୍ତୁ। ନିଜ ସ୍କୁଲକୁ ବିଜୟୀ କରାଇବା ପାଇଁ ପ୍ରାଣପଣେ ପରିଶ୍ରମ କରିବାକୁ ମୁଁ ବିଦ୍ୟାଳୟମାନଙ୍କୁ, ଅଭିଭାବକମାନଙ୍କୁ, ଆଗ୍ରହୀ ଶିକ୍ଷକମାନଙ୍କୁ ବିଶେଷ ଭାବେ ଅନୁରୋଧ କରୁଛି। ସେମାନେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଅଂଶଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ। ସବୁଠାରୁ ରୋମାଂଚକର କଥା ହେଲା ଯେ, ପ୍ରତ୍ୟେକ ରାଜ୍ୟରେ ସବୁଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଭାରତ ସରକାର ନିଜ ଖର୍ଚ୍ଚରେ ଶ୍ରୀହରିକୋଟା ନେଇଯିବେ ଆଉ ସେପ୍ଟେମ୍ବର ମାସରେ ସେମାନେ ସେହି ମୁହୂର୍ତର ସାକ୍ଷୀ ହେବେ ଯେତେବେଳେ ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହି ବିଜୟୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ତାଙ୍କ ଜୀବନର ଐତିହାସିକ ଘଟଣା ହେବ। କିନ୍ତୁ ଏଥିପାଇଁ ଆପଣଙ୍କୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପଡ଼ିବ। ସମସ୍ତଙ୍କଠାରୁ ଅଧିକ ନମ୍ବର ରଖିବାକୁ ପଡ଼ିବ ଏବଂ ବିଜୟୀ ହେବାକୁ ପଡ଼ିବ।

ବନ୍ଧୁଗଣ, ମୋର ଏହି ପ୍ରସ୍ତାବ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହା କ’ଣ ଏକ ସୁନ୍ଦର ସୁଯୋଗ ନୁହେଁ କି? ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଭୁଲିବେନି ଓ ଅଧିକରୁ ଅଧିକ ସାଙ୍ଗସାଥୀମାନଙ୍କୁ ଏଥିପାଇଁ ପ୍ରେରିତ କରିବେ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଗୋଟିଏ କଥା ଲକ୍ଷ୍ୟ କରିଥିବେ। ଆମର ‘ମନ୍ କି ବାତ୍’ ସ୍ୱଚ୍ଛତା ଅଭିଯାନକୁ ମଝିରେ ମଝିରେ ଗତିଶୀଳ କରିଛି। ଆଉ ସେହିପରି ସ୍ୱଚ୍ଛତା ଅଭିଯାନରେ କରାଯାଉଥିବା ପ୍ରଚେଷ୍ଟାମାନ ମଧ୍ୟ ‘ମନ କି ବାତ୍’କୁ ସବୁବେଳେ ପ୍ରେରଣା ଯୋଗାଇଆସିଛି। ପାଂଚବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ପ୍ରତ୍ୟେକ ଲୋକଙ୍କ ସହଭାଗିତାରେ ସ୍ୱଚ୍ଛତାର ନୂଆ ନୂଆ ମାନଦଣ୍ଡ ସ୍ଥାପିତ କରୁଛି। ଆମେ ସ୍ୱଚ୍ଛତାରେ ଆଦର୍ଶ ସ୍ଥାନ ପ୍ରାପ୍ତ କରିସାରିଛୁ ଏକଥା ନୁହେଁ, ବରଂ ଯେଉଁଭଳି ଭାବେ ଘରଠାରୁ ଆରମ୍ଭ କରି ସାର୍ବଜନୀନ ସ୍ଥାନମାନଙ୍କରେ ସ୍ୱଚ୍ଛତା ଅଭିଯାନ ସଫଳତା ଲାଭ କରିଛି, ତାହା ଶହେ ତିରିଶ କୋଟି ଦେଶବାସୀଙ୍କ ସଂକଳ୍ପର ଶକ୍ତି। ଆମେ କିନ୍ତୁ ଏତିକିରେ ଅଟକିଯିବାନି। ଏହି ଆନ୍ଦୋଳନ ଏବେ ସ୍ୱଚ୍ଛତାରୁ ସୌନ୍ଦର୍ଯ୍ୟ ଦିଗକୁ ଗତି କଲାଣି। ଏଇ କିଛିଦିନ ତଳେ ମୁଁ ଗଣମାଧ୍ୟମରେ ଶ୍ରୀମାନ ୟୋଗେଶ ସୈନୀ ଏବଂ ତାଙ୍କ ଦଳର କାହାଣୀ ଦେଖୁଥିଲି। ୟୋଗେଶ ସୈନୀ ଜଣେ ଇଞ୍ଜିନିୟର ଏବଂ ଆମେରିକାରୁ ନିଜ ଚାକିରି ଛାଡ଼ି ଭାରତ ମା’ର ସେବା କରିବା ପାଇଁ ଏଠିକି ଫେରିଆସିଛନ୍ତି। ସେ କିଛିଦିନ ପୂର୍ବେ ଦିଲ୍ଲୀକୁ କେବଳ ସ୍ୱଚ୍ଛ ନୁହେଁ ବରଂ ସୁନ୍ଦର କରି ଗଢ଼ି ତୋଳିବା କାମ ହାତକୁ ନେଇଛନ୍ତି। ସେ ନିଜ ଦଳ ସହିତ ଲୋଧି ଗାର୍ଡେନର ଡଷ୍ଟବିନ୍ଠାରୁ କାମ ଆରମ୍ଭ କରିଛନ୍ତି। ଷ୍ଟ୍ରିଟ ଆର୍ଟ ମାଧ୍ୟମରେ ଦିଲ୍ଲୀର ଅନେକ ଅଂଚଳକୁ ସୁନ୍ଦର ଚିତ୍ରକଳାରେ ସଜ୍ଜିତ କରିଛନ୍ତି। ସ୍କୁଲର କାନ୍ଥରୁ ଆରମ୍ଭ କରି ବସ୍ତି ଅଂଚଳ ଯାଏ ସେ ନିଜର କଳାକୌଶଳ ପ୍ରଦର୍ଶନ କରିବା ଆରମ୍ଭ କରିବାରୁ ଲୋକଙ୍କ ସହଯୋଗ ମଧ୍ୟ ମିଳିଚାଲିଲା ଏବଂ ଏହି ଧାରା ଆରମ୍ଭ ହୋଇଗଲା। ଆପଣମାନଙ୍କର ମନେଥିବ ଯେ, କୁମ୍ଭମେଳା ସମୟରେ ପ୍ରୟାଗରାଜକୁ କିଭଳି ଭାବେ ସୁସଜ୍ଜିତ କରାଯାଇଥିଲା। ଭାଇ ମୁଁ ଜାଣିପାରିଲି ଯେ, ୟୋଗେଶ ସୈନୀ ଆଉ ତାଙ୍କ ଦଳ ଏଥିରେ ବହୁତ ବଡ଼ ଭୂମିକା ନିର୍ବାହ କରିଥିଲେ।

ରଙ୍ଗ ଓ ରେଖାମାନଙ୍କରେ କୌଣସି ସ୍ୱର ନ ଥାଉ ପଛେ କିନ୍ତୁ ଏଥିରୁ ଜନ୍ମ ନେଉଥିବା ଛବିରୁ ଯେଉଁ ଇନ୍ଦ୍ରଧନୁ ସୃଷ୍ଟି ହେଉଛି, ତା’ର ବାର୍ତ୍ତା ସହସ୍ର ଶବ୍ଦଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେଉଛି ଏବଂ ସ୍ୱଚ୍ଛତା ଅଭିଯାନର ସୌନ୍ଦର୍ଯ୍ୟରେ ମଧ୍ୟ ଏ କଥା ଆମେ ଅନୁଭବ କରିପାରୁଛୁ। ଆବର୍ଜନାରୁ ସମ୍ପଦ ସୃଷ୍ଟି କରିବାର କଳା ଆମ ସମାଜରେ ବିକଶିତ ହେବା ଆବଶ୍ୟକ। ଏକ ପ୍ରକାର କହିବାକୁ ଗଲେ, ଆବର୍ଜନାକୁ ସୁନାରେ ପରିଣତ କରିବା ଦିଗରେ ଆମକୁ ଅଗ୍ରସର ହେବାକୁ ପଡ଼ିବ।

ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ, ମାଇ ଗଭରେ ମୁଁ ଗୋଟିଏ ଖୁବ କୌତୁହଳପ୍ରଦ ମନ୍ତବ୍ୟ ପଢ଼ିଲି। ଏହି ମନ୍ତବ୍ୟ ଜାମ୍ମୁକାଶ୍ମୀରର ଶୋପିୟାଁ ନିବାସୀ ଭାଇ ମୁହମ୍ମଦ ଅସଲମ ପ୍ରଦାନ କରିଥିଲେ।

ସେ ଲେଖିଥିଲେ – ‘ମନ କି ବାତ’ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ଲାଗୁଛି। ଏକଥା ଜଣାଇବାରେ ମୋତେ ଖୁସି ଲାଗୁଛି ଯେ, ମୁଁ ମୋ ରାଜ୍ୟ ଜାମ୍ମୁ କାଶ୍ମୀରରେ ଗାଁ କୁ ଫେରିଚାଲ- ଏକ ପ୍ରେରଣାଦାୟୀ ଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଛି। ଏହି କାର୍ଯ୍ୟକ୍ରମର ଆୟୋଜନ ଜୁନ ମାସରେ ହୋଇଥିଲା। ଏଭଳି କାର୍ଯ୍ୟକ୍ରମ ପ୍ରତି ତିନିମାସରେ ଥରେ ଆୟୋଜିତ ହେବା ଉଚିତ ବୋଲି ମୁଁ ଅନୁଭବ କରୁଛି। ଏହା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ଅନଲାଇନ ମନିଟରିଂ ବ୍ୟବସ୍ଥା ମଧ୍ୟ ହେବା ଦରକାର। ମୋ ମତରେ, ଏହା ଏଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯେଉଁଥିରେ ଜନତା ସରକାରଙ୍କ ସହ ସିଧା କଥାବାର୍ତ୍ତା କରିପାରୁଛନ୍ତି।

ଭାଇ ମହମ୍ମଦ ଅସଲମ୍ଜୀ ଏହି ଯେଉଁ ବାର୍ତ୍ତା ମୋତେ ପଠାଇଛନ୍ତି, ତାହାକୁ ପଢ଼ିବା ପରେ ଏହି କାର୍ଯ୍ୟକ୍ରମ ବିଷୟରେ ଜାଣିବା ପାଇଁ ମୋର ଉତ୍କଣ୍ଠା ବଢ଼ିଗଲା ଆଉ ଯେତେବେଳେ ଏ ସମ୍ପର୍କରେ ମୁଁ ବିସ୍ତୃତ ଭାବେ ଜାଣିଲି ସେତେବେଳେ ଅନୁଭବ କଲି ଯେ, ସାରା ଦେଶ ଏ ବିଷୟରେ ଜାଣିବା ଦରକାର। କାଶ୍ମୀରର ଲୋକେ ବିକାଶର ମୁଖ୍ୟଧାରାରେ ସାମିଲ ହେବାପାଇଁ କେତେ ଉତ୍ସୁକ, କେତେ ଆଗ୍ରହୀ ତାହା ଏହି କାର୍ଯ୍ୟକ୍ରମରୁ ଜଣାପଡ଼ୁଛି। ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଉଚ୍ଚ ପଦାଧିକାରୀମାନେ ଗାଁରେ ପହଂଚିଥିଲେ। ଯେଉଁ ଅଧିକାରୀମାନଙ୍କୁ ଗାଁ ଲୋକେ କେବେ ବି ଦେଖିନଥିଲେ, ସେମାନେ ନିଜେ ତାଙ୍କ ଦୁଆରମୁହଁକୁ ଆସିଲେ ଯେମିତିକି ବିକାଶ କାର୍ଯ୍ୟରେ ଉପୁଜୁଥିବା ବାଧାବିଘ୍ନକୁ ଠିକ୍ଭାବେ ବୁଝିହେବ ଏବଂ ସମସ୍ୟାକୁ ଦୂର କରାଯାଇପାରିବ। ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଲା ଏବଂ ରାଜ୍ୟର ସମସ୍ତ ପ୍ରାୟ ସାଢ଼େ ଚାରି ହଜାର ପଂଚାୟତରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ଗ୍ରାମବାସୀଙ୍କୁ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। ସେମାନଙ୍କ ପର୍ଯ୍ୟନ୍ତ ସରକାରୀ ସେବା ପହଂଚୁଛି କି ନାହିଁ ତାହା ମଧ୍ୟ ସେମାନେ ପଚାରି ବୁଝିଥିଲେ। ପଂଚାୟତଗୁଡ଼ିକୁ କିଭଳି ଆହୁରି ମଜଭୁତ କରାଯାଇପାରିବ? ଏହାର ଆୟ କିପରି ବୃଦ୍ଧି କରାଯାଇପାରିବ? ଗାଁ ଲୋକେ ମନଖୋଲି ସେମାନଙ୍କର ଏହି ସମସ୍ୟାଗୁଡ଼ିକ ବିଷୟରେ କହିଲେ। ସାକ୍ଷରତା, ଲିଙ୍ଗ ଅନୁପାତ, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ଜଳ ସଂରକ୍ଷଣ, ବିଦ୍ୟୁତ୍, ପାଣି, ବାଳିକାମାନଙ୍କୁ ଶିକ୍ଷା, ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସମସ୍ୟା, ଏଭଳି ଅନେକ ବିଷୟ ଉପରେ ଆଲୋଚନା ହେଲା।

ବନ୍ଧୁଗଣ; ଏ କାର୍ଯ୍ୟକ୍ରମ କୌଣସି ସରକାରୀ ଔପଚାରିକତା ନ ଥିଲା ଯେ ଅଧିକାରୀମାନେ ଦିନଟିଏ ଗାଁରେ ବୁଲି ଫେରିଆସିବେ। ଏଥର କିନ୍ତୁ ଅଧିକାରୀମାନେ ଦୁଇଦିନ ଓ ଗୋଟିଏ ରାତି ପଂଚାୟତରେ ବିତାଇଲେ। ଫଳରେ ତାଙ୍କୁ ଗାଁରେ ସମୟ କଟେଇବାର ସୁଯୋଗ ମିଳିଲା। ସେମାନେ ଗାଁର ପ୍ରତ୍ୟେକ ଲୋକଙ୍କୁ ଭେଟିବାର ଚେଷ୍ଟା କଲେ। ଗାଁର ପ୍ରତ୍ୟେକ ଅନୁଷ୍ଠାନ ସହ ଯୋଗାଯୋଗ କରିବା ପାଇଁ ପ୍ରୟାସ କଲେ। ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ଆଉ କେତେଗୁଡ଼ିଏ ବିଷୟକୁ ଏଥିରେ ସମ୍ମିଳିତ କରାଗଲା। “ଖେଲୋ ଇଣ୍ଡିଆ” କାର୍ଯ୍ୟକ୍ରମ ଅଧିନରେ ଏଥିରେ କେତେକ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଗଲା। ସେହିଭଳି କ୍ରୀଡା ସାମଗ୍ରୀ, ମନରେଗା ଜବ କାର୍ଡ ତଥା ଅନୁସୂଚିତ ଜାତି ଓ ଜନଜାତି ପ୍ରମାଣପତ୍ର ଆଦି ମଧ୍ୟ ବଂଟନ କରାଗଲା। ଆର୍ଥିକ ସାକ୍ଷରତା ଶିବିର ଆୟୋଜିତ ହେଲା। ସରକାରଙ୍କ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଷ୍ଟଲ ଲଗାଯାଇ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ଦିଆଗଲା। ଏହି କାର୍ଯ୍ୟକ୍ରମ ଏକ ପ୍ରକାର ଗୋଟିଏ ବିକାଶ ଉତ୍ସବରେ ପରିଣତ ହେଲା, ଜନ ସହଭାଗିତା ତଥା ଜନଜାଗୃତିର ଏକ ଉତ୍ସବ ଭାବରେ ଆୟୋଜିତ ହେଲା। କାଶ୍ମୀରର ଜନସାଧାରଣ ଏହି ବିକାଶ ଉତ୍ସବରେ ଆଗ୍ରହର ସହ ଭାଗନେଲେ। ବଡ଼ ଆନନ୍ଦର କଥା ଯେ ଏହି କାର୍ଯ୍ୟକ୍ରମ ଏଭଳି ଦୂର ଦୂରାନ୍ତର ଗାଁମାନଙ୍କରେ ଆୟୋଜିତ ହେଲା ଯେଉଁଠିକୁ ଯିବାକୁ ହେଲେ ସରକାରୀ ଅଧିକାରୀମାନଙ୍କୁ ଦୁର୍ଗମ ରାସ୍ତାଦେଇ ପାହାଡ଼ ଚଢ଼ି କେବେ କେବେ ଦେଢ଼ଦିନ-ଦୁଇଦିନ ପାଦରେ ଚାଲି ଚାଲି ପହଂଚିବାକୁ ପଡୁଥିଲା। ଏହି ଅଧିକାରୀମାନେ ସେହି ସୀମାନ୍ତବର୍ତ୍ତୀ ପଂଚାୟତଗୁଡ଼ିକରେ ମଧ୍ୟ ଯାଇ ପହଂଚିଲେ। ଖାଲି ସେତିକି ନୁହେଁ ସୋପିୟାଁ, ପୁଲୱାମା, କୁଲଗାଁଓ ଏବଂ ଅନନ୍ତନାଗ ଜିଲାର ଅତି ସମ୍ବେଦନଶୀଳ ଅଂଚଳରେ ମଧ୍ୟ ଅଧିକାରୀମାନେ ନିର୍ଭୟ ଭାବରେ ଯାଇ ପହଂଚିଲେ। ସେମାନଙ୍କୁ ଯେଉଁଭଳି ଭାବରେ ସ୍ୱାଗତ କରାଗଲା ସେଥିରେ କେତେକ ଅଧିକାରୀ ଏଭଳି ଅଭିଭୂତ ହେଲେ ଯେ ସେମାନେ ସେହି ଗାଁରେ ଦୁଇଦିନରୁ ଅଧିକ ସମୟ ରହିଲେ। ଏହି ଗାଁମାନଙ୍କରେ ଗ୍ରାମସଭା ଆୟୋଜିତ ହେବା, ବହୁସଂଖ୍ୟାରେ ଲୋକ ସେଥିରେ ଅଂଶଗ୍ରହଣ କରିବା ତଥା ନିଜ ପାଇଁ ଯୋଜନା ନିଜେ ତିଆରି କରିବା – ଏସବୁ ଅତି ସୁଖଦ ଅନୁଭୂତି। ନୂତନ ସଂକଳ୍ପ, ନୂତନ ଉତ୍ସାହ ଆଉ ଚମକ୍ରାର ପରିଣାମ। ଏଭଳି କାର୍ଯ୍ୟକ୍ରମ ଏବଂ ସେଥିରେ ଲୋକମାନଙ୍କର ସହଭାଗିତାରୁ ପ୍ରମାଣିତ ହୁଏ ଯେ ଆମ କାଶ୍ମୀରର ଭାଇଭଉଣୀମାନେ ସୁଶାସନ ଚାହାଁନ୍ତି। ଏଥିରୁ ଏକଥା ମଧ୍ୟ ପ୍ରମାଣିତ ହୁଏ ଯେ ବୋମା ଆଉ ବନ୍ଧୁକର ଶକ୍ତିଠାରୁ ବିକାଶର ଶକ୍ତି ସବୁବେଳେ ଅଧିକ। ଏକଥା ସ୍ପଷ୍ଟ ଯେ ଯେଉଁମାନେ ବିକାଶର ରାସ୍ତାରେ ଘୃଣାଭାବ ସୃଷ୍ଟି କରିବାକୁ ଚାହାଁନ୍ତି – ବିକାଶରେ ବାଧା ସୃଷ୍ଟି କରିବାକୁ ଚାହାଁନ୍ତି ସେମାନେ ତାଙ୍କର ଏହି ଘୃଣ୍ୟ ଚିନ୍ତାଧାରାରେ କେବେବି ସଫଳ ହୋଇପାରିବେ ନାହିଁ।

ମୋର ପ୍ରିୟ ଦେଶବାସୀଗଣ, ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ଶ୍ରୀମାନ ଦତାତ୍ରେୟ ରାମଚନ୍ଦ୍ର ବେନେ୍ଦ୍ର ତାଙ୍କ କବିତାରେ ଶ୍ରାବଣ ମାସର ମହିମା ଏହିଭଳି ବର୍ଣ୍ଣନା କରିଛନ୍ତି –

ହୋଡିଗେ ମଡିଗେ ଆଗ୍ୟେଦ ଲଗ୍ନା,

ଅଦରାଗ ଭୁମି ମଗ୍ନା

ଯାହାର ଅର୍ଥ ହେଲା – ବର୍ଷାର ଧାରା ଆଉ ଜଳର ପ୍ରବାହ ମଧ୍ୟରେ ଥିବା ବନ୍ଧନ ଅନନ୍ୟ ଆଉ ଏହି ସୌନ୍ଦର୍ଯ୍ୟ ଦେଖିବାରେ ପୃଥିବୀ ମଗ୍ନ ଥାଏ।’’

ସମଗ୍ର ଭାରତବର୍ଷରେ ଭିନ୍ନ ଭିନ୍ନ ସଂସ୍କୃତି ଏବଂ ବିଭିନ୍ନ ଭାଷାର ଲୋକମାନେ ଶ୍ରାବଣ ମାସକୁ ନିଜ ନିଜ ରୀତିରେ ପାଳନ କରନ୍ତି। ଏହି ଋତୁରେ ଆମେ ଯେତେବେଳେ ନିଜର ଚାରିପାଖକୁ ଦେଖୁ – ମନେହୁଏ ସତେଯେମିତି ପୃଥିବୀ ସବୁଜ ରଙ୍ଗର ଚାଦରଟିଏ ଘୋଡ଼େଇ ହୋଇଛି। ସବୁଆଡ଼େ ଗୋଟିଏ ନୂତନ ଶକ୍ତିର ସଂଚାର ହେଲାଭଳି ଲାଗେ। ଏହି ପବିତ୍ର ମାସରେ ଅନେକ ଶ୍ରଦ୍ଧାଳୁ କାଉଡ଼ି ଯାତ୍ରା ତଥା ଅମରନାଥ ଯାତ୍ରାରେ ଯାଉଥିବା ବେଳେ କେତେକ ଲୋକ ନିୟମିତ ଭାବେ ଉପବାସ କରନ୍ତି ଏବଂ ଉତ୍ସୁକତା ପୂର୍ବକ ଜନ୍ମାଷ୍ଟମୀ ଓ ନାଗପଂଚମୀ ଭଳି ପର୍ବକୁ ଅପେକ୍ଷା କରିଥାନ୍ତି। ଏହି ମାସରେ ଭାଇ ଭଉଣୀଙ୍କ ସ୍ନେହର ପ୍ରତୀକ ରକ୍ଷାବନ୍ଧନ ଉତ୍ସବ ମଧ୍ୟ ପଡ଼େ। ଯେତେବେଳେ ଆମେ ଶ୍ରାବଣ ମାସ ବିଷୟରେ କଥା ହେଉଛେ – ସେତେବେଳେ ଆପଣମାନେ ଏକଥା ଜାଣି ଖୁସି ହେବେ ଯେ ଗତ ଚାରିବର୍ଷ ତୁଳନାରେ ଏ ବର୍ଷର ଅମରନାଥ ଯାତ୍ରାରେ ସବୁଠାରୁ ଅଧିକ ଶ୍ରଦ୍ଧାଳୁ ସମ୍ମିଳିତ ହୋଇଛନ୍ତି। ଜୁଲାଇ ଏକ ତାରିଖରୁ ଆଜିଯାଏ ପ୍ରାୟ ତିନିଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ କରିସାରିଲେଣି। ୨୦୧୫ ମସିହାରେ ସମ୍ପୂର୍ଣ୍ଣ ୬୦ ଦିନରେ ଯେତେ ଯାତ୍ରୀ ସମ୍ମିଳିତ ହୋଇଥିଲେ ଏ ବର୍ଷ ମାତ୍ର ଅଠେଇଶ ଦିନରେ ତା’ଠାରୁ ଢେର ଅଧିକ ତୀର୍ଥଯାତ୍ରୀ ଦର୍ଶନ କରିସାରିଲେଣି।

ଅମରନାଥ ଯାତ୍ରାର ସଫଳତା ପାଇଁ ମୁଁ ଜାମ୍ମୁ କାଶ୍ମୀରର ଲୋକମାନଙ୍କୁ ତଥା ବିଶେଷ ଭାବରେ ସେମାନଙ୍କର ଆତିଥେୟତାକୁ ପ୍ରଶଂସା କରୁଛି। ଯେଉଁ ଲୋକମାନେ ଯାତ୍ରା ସମାପ୍ତ କରି ଫେରୁଛନ୍ତି ସେମାନେ ରାଜ୍ୟର ଲୋକମାନଙ୍କର ଆତିଥେୟତା ଏବଂ ଆପଣାର ଭାବର ପ୍ରଶଂସା କରୁଛନ୍ତି। ଏ ସମସ୍ତ କଥା ଭବିଷ୍ୟତରେ ପର୍ଯ୍ୟଟନ ପାଇଁ ଖୁବ୍ ଲାଭଦାୟକ ହେବ। ମୁଁ ଜାଣିବାକୁ ପାଇଛି ଯେ ଉତରାଖଣ୍ଡରେ ମଧ୍ୟ ଚାରିଧାମ ଯାତ୍ରା ଆରମ୍ଭ ହେବାର ଦେଢ଼ମାସ ଭିତରେ ଆଠଲକ୍ଷରୁ ଅଧିକ ଶ୍ରଦ୍ଧାଳୁ କେଦାରନାଥ ଧାମର ଦର୍ଶନ କରିସାରିଛନ୍ତି। ୨୦୧୩ରେ ଘଟିଥିବା ଭୀଷଣ ଦୁର୍ବିପାକ ପରେ ପ୍ରଥମଥର ପାଇଁ ଏଭଳି ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ସେଠାରେ ପହଂଚିଛନ୍ତି।

ମୋର ଆପଣମାନଙ୍କୁ ନିବେଦନ – ଆପଣମାନେ ଦେଶର ଏହିସବୁ ଅଂଚଳକୁ ନିଶ୍ଚିତ ଭାବେ ଯାଆନ୍ତୁ। ବର୍ଷାଋତୁରେ ଏ ଅଂଚଳର ସୌନ୍ଦର୍ଯ୍ୟ ବେଶ ଉପଭୋଗ୍ୟ ହୋଇଥାଏ। ନିଜ ଦେଶର ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ତଥା ନିଜ ଦେଶର ଲୋକମାନଙ୍କର ଅଦମ୍ୟ ଉତ୍ସାହକୁ ଅନୁଭବ କରିବା ପାଇଁ ପର୍ଯ୍ୟଟନ ଆଉ ଯାତ୍ରାଠାରୁ ବଳି ଶିକ୍ଷା ଆଉ କିଛି ହୋଇନପାରେ।

ଶ୍ରାବଣର ଏହି ସୁନ୍ଦର ଓ ଜୀବନ୍ତ ମାସଟି ଆପଣଙ୍କୁ ନୂତନ ଶକ୍ତି, ନୂତନ ଆଶା ଓ ଆକାଂକ୍ଷାରେ ପରିପୂର୍ଣ୍ଣ କରୁ – ମୁଁ ଆପଣମାନଙ୍କୁ ଏହି ଶୁଭକାମନା ଜଣାଉଛି। ସେହିଭଳି ଅଗଷ୍ଟ ମାସ ‘ଭାରତଛାଡ଼’ର ସ୍ମୃତି ନେଇ ଆସେ। ମୁଁ ଚାହେଁ – ଆପଣମାନେ ଅଗଷ୍ଟ ୧୫ ପାଇଁ କିଛି ବିଶେଷ ପ୍ରସ୍ତୁତି କରନ୍ତୁ। ସ୍ୱାଧୀନତାର ଏହି ଉତ୍ସବକୁ ପାଳନ କରିବାର କିଛି ନୂଆ ଉପାୟ ଖୋଜନ୍ତୁ। ଲୋକମାନଙ୍କର ସହଭାଗିତା ବଢ଼ୁ। ଅଗଷ୍ଟ ୧୫ ତାରିଖଟି ଗୋଟିଏ ଲୋକ ଉତ୍ସବ ବା ଜନ ଉତ୍ସବରେ କିପରି ପରିଣତ ହୋଇପାରିବ ସେ କଥା ଚିନ୍ତା କରନ୍ତୁ। ଅନ୍ୟପକ୍ଷରେ ଏହି ସମୟରେ ଦେଶର ଅନେକ ଅଂଚଳରେ ଭୀଷଣ ବର୍ଷା ହେଉଛି। ଦେଶର କେତେକ ଭାଗରେ ଲୋକମାନେ ବନ୍ୟାଦ୍ୱାରା ପ୍ରଭାବିତ। ବନ୍ୟାଦ୍ୱାରା ଅନେକ କ୍ଷୟକ୍ଷତି ମଧ୍ୟ ସହିବାକୁ ପଡ଼ୁଛି। ବନ୍ୟା ବିପତିରେ ପ୍ରଭାବିତ ସେହି ଲୋକମାନଙ୍କୁ ମୁଁ ଆଶ୍ୱସ୍ତ କରିବାକୁ ଚାହେଁ ଯେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ମିଶି କ୍ଷତିଗ୍ରସ୍ତ ଲୋକଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରିବାର କାମ ଦ୍ରୁତଗତିରେ କରିଚାଲିଛନ୍ତି। ଆମେ ଯେତେବେଳେ ଟିଭି ଦେଖୁଛୁ ସେଥିରେ ବର୍ଷାର ଗୋଟିଏ ଦିଗ ଦେଖୁଛୁ – ଚାରିଆଡ଼େ ବନ୍ୟା, ଜଳବନ୍ଦୀ, ଟ୍ରାଫିକ ଜାମ୍ ଇତ୍ୟାଦି। ଏହି ଋତୁର ଆଉ ଗୋଟିଏ ଚିତ୍ର ଯେଉଁଥିରେ ଆନନ୍ଦିତ ହେଉଥିବା ଆମର କୃଷକ, ଖୁସିରେ କାକଳୀ କରୁଥିବା ପକ୍ଷୀ, ବହିଯାଉଥିବା ଝରଣା, ସବୁଜିମାର ଚାଦର ଘୋଡ଼େଇ ହୋଇଥିବା ଧରଣୀ – ଏସବୁ ଦେଖିବା ପାଇଁ ତ ଆପଣ ନିଜେ ପରିବାର ସହ ବାହାରକୁ ବାହାରିବାକୁ ପଡ଼ିବ। ଏହି ବର୍ଷାଋତୁ ଆପଣମାନଙ୍କ ମନରେ ଖୁସି ଭରିଦେଉ। ଆପଣମାନେ ସୁସ୍ଥ ରୁହନ୍ତୁ – ଏହି କାମନା କରୁଛି।

ମୋର ପ୍ରିୟ ଦେଶବାସୀଗଣ, ‘ମନ କି ବାତ୍’ କେଉଁଠୁ ଆରମ୍ଭ କରିବା ଆଉ କେଉଁଠି ଶେଷ କରିବା – ଏଇଟା ନିର୍ଣ୍ଣୟ କରିବା ଗୋଟିଏ କଠିନ କାମ। ଯାହାହେଲେ ବି ସମୟର ଗୋଟିଏ ସୀମା ଅଛି। ଗୋଟିଏ ମାସର ପ୍ରତୀକ୍ଷା ପରେ ପୁଣି ଆସିବି। ପୁଣି ଭେଟିବି। ମାସେଧରି ଆପଣମାନେ ମୋତେ ବହୁତ କିଛି କଥା କହିବେ। ମୁଁ ଆଗାମୀ ‘ମନ୍ କି ବାତ୍’ରେ ସେଗୁଡ଼ିକୁ ସାମିଲ କରିବାକୁ ଚେଷ୍ଟା କରିବି। ମୋର ଯୁବ ବନ୍ଧୁମାନଙ୍କୁ ମୁଁ ମନେ ପକାଇଦେବାକୁ ଚାହେଁ ଆପଣମାନେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ଛାଡନ୍ତୁ ନାହିଁ। ଶ୍ରୀହରିକୋଟା ଯିବାପାଇଁ ଆପଣଙ୍କୁ ଯେଉଁ ସୁଯୋଗ ମିଳିବାର ଅଛି ତାକୁ ଆଦୌ ହାତଛଡ଼ା କରନ୍ତୁ ନାହିଁ।

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top