Home ଓଡ଼ିଶା ମନର କଥା ୨.୦ – ଦ୍ୱାଦଶ ଅଧ୍ୟାୟ –  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ...

ମନର କଥା ୨.୦ – ଦ୍ୱାଦଶ ଅଧ୍ୟାୟ –  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍‌’

561

– କରୋନା ବିରୋଧରେ ସଫଳତା ଦେଶବାସୀଙ୍କ ସାମୁହିକ ସଂକଳ୍ପଶକ୍ତିର ପରିଣାମ : ନରେନ୍ଦ୍ର ମୋଦୀ
– ଦୁଇଗଜ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ହାତ ସଫା କରିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ : ପ୍ରଧାନମନ୍ତ୍ରୀ
– କଠିନ ତପସ୍ୟା ଓ କଷ୍ଟ ସହି ଦେଶକୁ ଯେଉଁ ସ୍ଥିତିକୁ ଆଣିଛେ ତାକୁ କେବେ ବିଫଳ ହେବାକୁ ଦେବାନାହିଁ
– ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ଗରିବଙ୍କୁ ମାଗଣା ଚିକିତ୍ସା ସୁବିଧା, ଏକ କୋଟି ଟପିଲା ‘ଆୟୁଷ୍ମାନ ଭାରତ’ ହିତାଧିକାରୀଙ୍କ ସଂଖ୍ୟା
– ଆତ୍ମ ନିର୍ଭର ଭାରତ ଗଠନର ଦାୟୀତ୍ୱ ନିଜ ହାତକୁ ନେଉଛନ୍ତି ଦେଶବାସୀବର୍ଷାଋତୁରେ ଜଳ ସଂରକ୍ଷଣ ଦିଗରେ ଚେଷ୍ଟା କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ମୋର ପ୍ରିୟ ଦେଶବାସୀଗଣ,
ନମସ୍କାର। କରୋନା ପ୍ରଭାବରୁ ଆମ “ମନ୍ କି ବାତ୍‌” ମଧ୍ୟ ମୁକ୍ତ ହୋଇ ରହିନାହିଁ। ଗତଥର ମୁଁ “ମନ୍ କି ବାତ୍‌” କହିଲାବେଳେ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକ ବନ୍ଦ ଥିଲା, ବସ୍‌ଗୁଡ଼ିକ ବନ୍ଦ ଥିଲା, ବିମାନସେବା ବନ୍ଦ ଥିଲା। ଏଥର ବହୁତ କିଛି ଆରମ୍ଭ ହୋଇସାରିଛି। ଶ୍ରମିକ ସ୍ପେଶାଲ ଟ୍ରେନ ଗୁଡ଼ିକ ଚାଲୁଛି। ଅନ୍ୟ ସ୍ପେଶାଲ ଟ୍ରେନ ଗୁଡ଼ିକ ମଧ୍ୟ ଚାଲିଲାଣି। ସବୁ ପ୍ରକାର ସତର୍କତା ସହିତ ବିମାନଗୁଡ଼ିକ ମଧ୍ୟ ଉଡ଼ାଣ ଆରମ୍ଭ କଲେଣି। ଧୀରେ ଧୀରେ କଳକାରଖାନାଗୁଡ଼ିକ ମଧ୍ୟ ଚାଲୁହେଲାଣି। ଅର୍ଥାତ, ଆର୍ଥିକ ବ୍ୟବସ୍ଥାର ଗୋଟିଏ ବଡ଼ ଅଂଶ ଏବେ ଆରମ୍ଭ ହୋଇସାରିଲାଣି, ଖୋଲିଗଲାଣି। ଏଭଳି ପରିସ୍ଥିତିରେ ଆମକୁ ଆହୁରି ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ଦୁଇଗଜ ଦୂରତାର ନିୟମ ହେଉ, ମୁହଁରେ ମାସ୍କ ପିନ୍ଧିବା କଥା ହେଉ, ଯଥାସମ୍ଭବ ଘର ଭିତରେ ରହିବା କଥା ହେଉ, ଏସବୁ ନିୟମ ପାଳନରେ ଆମେ ଟିକିଏ ହେଲେ ଢ଼ିଲା ଦେବା ଉଚିତ ନୁହେଁ।

ଦେଶରେ, ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ଦୃଢ଼ତାର ସହ କରୋନା ବିରୁଦ୍ଧରେ ସଂଗ୍ରାମ ଚାଲିଛି। ସାରା ବିଶ୍ୱକୁ ଦେଖିଲେ ଆମେ ଏକଥା ଅନୁଭବ କରିପାରୁଛୁ ଯେ, ପ୍ରକୃତରେ ଭାରତବାସୀଙ୍କ ଉପଲବ୍ଧି କେତେ ବଡ଼। ଆମର ଲୋକସଂଖ୍ୟା ଅଧିକାଂଶ ଦେଶଠାରୁ ଅନେକ ଗୁଣ ଅଧିକ। ଆମ ଦେଶରେ ଆହ୍ୱାନଗୁଡ଼ିକ ମଧ୍ୟ ଭିନ୍ନ ପ୍ରକାରର। ତଥାପି, ଆମ ଦେଶରେ କରୋନା ସେତେ ତୀବ୍ର ଗତିରେ ବ୍ୟାପିପାରିନି, ଯେତିକି ବିଶ୍ୱର ଅନ୍ୟ ଦେଶମାନଙ୍କରେ ବ୍ୟାପିଛି। କରୋନାଜନିତ ମୃତ୍ୟୁହାର ମଧ୍ୟ ଆମ ଦେଶରେ ଯଥେଷ୍ଟ କମ୍। ଯାହାକିଛି କ୍ଷତି ଘଟିଛି, ତା’ପାଇଁ ଆମେ ସମସ୍ତେ ଦୁଃଖୀ। କିନ୍ତୁ ଯାହାକିଛି ଆମେ ସଂରକ୍ଷିତ କରିପାରିଛୁ ତାହା ନିଶ୍ଚିତ ଭାବେ ଦେଶର ସାମୁହିକ ସଂକଳ୍ପଶକ୍ତିର ପରିଣାମ। ଏତେ ବଡ଼ ଦେଶରେ ପ୍ରତ୍ୟେକ ଦେଶବାସୀ ନିଜେ ଏହି ଯୁଦ୍ଧ ଲଢ଼ିବାକୁ ସଂକଳ୍ପ ଗ୍ରହଣ କରିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ଏକ ଜନସଂଚାଳିତ ଅଭିଯାନ।

ବନ୍ଧୁଗଣ, ଦେଶବାସୀଙ୍କ ସଂକଳ୍ପର ଶକ୍ତି ସହିତ ଅନ୍ୟ ଏକ ଶକ୍ତି ଏହି ସଂଗ୍ରାମରେ ଆମ ପାଇଁ ସବୁଠାରୁ ବଡ଼ ସମ୍ବଳ ହୋଇଛି। ତାହା ହେଉଛି, ଦେଶବାସୀଙ୍କ ସେବାଶକ୍ତି। ପ୍ରକୃତରେ, ଏହି ମହାମାରୀ ସମୟରେ ଆମେ ଭାରତବାସୀ ଏକଥା ଦେଖାଇଦେଇଛୁ ଯେ ସେବା ଏବଂ ତ୍ୟାଗର ଆମ ଚିନ୍ତାଧାରା କେବଳ ଆମ ଆଦର୍ଶ ନୁହେଁ ବରଂ ଏହା ଭାରତର ଜୀବନ ପଦ୍ଧତି, ଆଉ କୁହାଯାଏ –

ସେବା ପରମୋ ଧର୍ମଃ – ସେବାକାର୍ଯ୍ୟ ସ୍ୱୟଂ ଏକ ସୁଖ, ସେବାକାର୍ଯ୍ୟରେ ହିଁ ସନ୍ତୋଷ ନିହିତ।

ଆପଣମାନେ ଦେଖିଥିବେ ଯେ, ଅନ୍ୟମାନଙ୍କ ସେବାରେ ଉତ୍ସର୍ଗୀକୃତ ବ୍ୟକ୍ତିର ଜୀବନରେ କେବେହେଲେ କୌଣସି ପ୍ରକାର ମାନସିକ ଅବସାଦ କିମ୍ବା ଚାପ ଦେଖାଯାଏ ନାହିଁ। ତାଙ୍କ ଜୀବନରେ, ଜୀବନକୁ ନେଇ ତାଙ୍କ ଦୃଷ୍ଟିକୋଣରେ ଭରପୁର ଆତ୍ମବିଶ୍ୱାସ, ସକାରାତ୍ମକତା ଏବଂ ସ୍ଫୁର୍ତି ପ୍ରତିମୁହୂର୍ତରେ ଦେଖାଯାଉଥାଏ।

ବନ୍ଧୁଗଣ, ଆମର ଡାକ୍ତରମାନେ, ନର୍ସିଂ ଷ୍ଟାଫ୍‌, ସଫେଇକର୍ମୀ, ପୁଲିସକର୍ମୀ, ଗଣମାଧ୍ୟମର ବନ୍ଧୁମାନେ, ଏମାନେ ସମସ୍ତେ ଯେଉଁ ସେବାକାର୍ଯ୍ୟ କରୁଛନ୍ତି, ସେ ବିଷୟରେ ମୁଁ ଅନେକ ଥର ଆଲୋଚନା କରିଛି। “ମନ କି ବାତ୍‌”ରେ ମଧ୍ୟ ସେ ବିଷୟରେ ଚର୍ଚ୍ଚା କରିଛି। ସେବାକାର୍ଯ୍ୟରେ ନିଜର ସବୁକିଛି ସମର୍ପିତ କରିଦେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଗଣିତ।

ସେହିଭଳି ଜଣେ ଭଦ୍ରବ୍ୟକ୍ତି ହେଉଛନ୍ତି ତାମିଲନାଡୁର ସି ମୋହନ। ମଦୁରାଇରେ ତାଙ୍କର ଗୋଟିଏ ସେଲୁନ ରହିଛି। ନିଜ ପରିଶ୍ରମରେ ଉପାର୍ଜିତ ଧନରୁ ସେ ନିଜ ଝିଅର ପାଠପଢ଼ା ପାଇଁ ପାଂଚଲକ୍ଷ ଟଙ୍କା ସଂଚୟ କରି ରଖିଥିଲେ। କିନ୍ତୁ, ସେ ଏହି ସମ୍ପୂର୍ଣ୍ଣ ଅର୍ଥକୁ ବର୍ତମାନର ପରିସ୍ଥିତିରେ ଅଭାବୀ ଏବଂ ଗରିବ ଲୋକଙ୍କ ସେବା ପାଇଁ ଖର୍ଚ୍ଚ କରିଦେଲେ।

ସେହିଭଳି, ଅଗରତାଲାରେ ଠେଲାଗାଡ଼ି ଚଳାଇ ଜୀବନଯାପନ କରୁଥିବା ଗୌତମ ଦାସଜୀ, ନିଜର ଦୈନନ୍ଦିନ ରୋଜଗାରରୁ ସଂଚିତ ଅର୍ଥରେ ପ୍ରତିଦିନ ଡାଲି-ଚାଉଳ କିଣି ଆବଶ୍ୟକତା ଥିବା ଲୋକମାନଙ୍କୁ ଭୋଜନ କରାଉଛନ୍ତି। ପଞ୍ଜାବର ପଠାନକୋଟରୁ ମଧ୍ୟ ଏଭଳି ଗୋଟିଏ ଉଦାହରଣ ସମ୍ପର୍କରେ ମୁଁ ଜାଣିବାକୁ ପାଇଲି। ଏଠାକାର ଜଣେ ଦିବ୍ୟାଙ୍ଗ ଭାଇ – ରାଜୁ, ଅନ୍ୟମାନଙ୍କ ସହାୟତାରୁ ମିଳିଥିବା ସ୍ୱଳ୍ପ ପୁଞ୍ଜିରେ ତିନି ହଜାରରୁ ଅଧିକ ମାସ୍କ ତିଆରି କରି ଜନସାଧାରଣଙ୍କ ମଧ୍ୟରେ ବିତରଣ କଲେ। ରାଜୁ ଭାଇ ଏଭଳି କଠିନ ପରିସ୍ଥିତିରେ ପ୍ରାୟ ଶହେ ପରିବାର ପାଇଁ ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଡ଼ କରିଛନ୍ତି।

ଦେଶର ସବୁ ଅଂଚଳରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ପରିଶ୍ରମର ଅସଂଖ୍ୟ କାହାଣୀ ମଧ୍ୟ ଆଜିକାଲି ଆମ ନଜରକୁ ଆସୁଛି। ଗାଁମାନଙ୍କରେ, ଛୋଟ ଛୋଟ ଅଂଚଳରେ ଆମ ମା’-ଭଉଣୀମାନେ ହଜାର ହଜାର ସଂଖ୍ୟାରେ ମାସ୍କ ତିଆରି କରୁଛନ୍ତି। ଅନେକ ସାମାଜିକ ସଂଗଠନ ମଧ୍ୟ ଏହି କାମରେ ସେମାନଙ୍କୁ ସହଯୋଗ କରୁଛନ୍ତି।

ବନ୍ଧୁଗଣ, ଏଭଳି ଅନେକ ଉଦାହରଣ, ପ୍ରତିଦିନ ଦେଖିବାକୁ ଓ ଶୁଣିବାକୁ ମିଳୁଛି। ଅନେକ ଲୋକ ନିଜେ ମୋତେ ନମୋ ଆପ ଏବଂ ଅନ୍ୟ ମାଧ୍ୟମଗୁଡ଼ିକ ଜରିଆରେ ନିଜର ଉଦ୍ୟମ ସମ୍ପର୍କରେ ସୂଚନା ଦେଉଛନ୍ତି।

ଅନେକ ଥର ସମୟ ଅଭାବରୁ ମୁଁ ଅନେକ ଲୋକ, ଅନେକ ସଂସ୍ଥା, ଅନେକ ସଂଗଠନର ନାମ ଉଲ୍ଲେଖ କରିପାରୁନି। ସେବା ଭାବନାକୁ ନେଇ ଲୋକମାନଙ୍କୁ ସାହାଯ୍ୟ କରୁଥିବା ଏଭଳି ସମସ୍ତ ଲୋକଙ୍କୁ ମୁଁ ପ୍ରଶଂସା କରୁଛି। ସେମାନଙ୍କୁ ଆଦର କରୁଛି, ହୃଦୟର ଗଭୀରତମ ପ୍ରଦେଶରୁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି।

ମୋର ପ୍ରିୟ ଦେଶବାସୀଗଣ, ଆଉ ଗୋଟିଏ କଥା ଯାହା ମୋ ମନକୁ ଛୁଇଁଯାଇଛି, ତାହାହେଲା ଏହି ସଂକଟଜନକ ପରିସ୍ଥିତିରେ ନବୋନ୍ମେଷ। ଗାଁଠାରୁ ଆରମ୍ଭ କରି ସହରଯାଏ, ଛୋଟ ଛୋଟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଷ୍ଟାର୍ଟଅପ ଯାଏଁ ଆମର ଲ୍ୟାବ ଗୁଡ଼ିକ, ସମସ୍ତ ଦେଶବାସୀ କରୋନା ବିରୁଦ୍ଧରେ ଚାଲିଥିବା ଏହି ସଂଗ୍ରାମ ପାଇଁ ନୂଆ ନୂଆ ଉପାୟମାନ ଖୋଜି ବାହାର କରୁଛନ୍ତି। ଯେମିତିକି, ନାସିକର ରାଜେନ୍ଦ୍ର ଯାଦବଙ୍କ ଉଦାହରଣ ବେଶ୍ କୌତୁହଳପ୍ରଦ। ରାଜେନ୍ଦ୍ରଜୀ ନାସିକର ସତ୍‌ନା ଗ୍ରାମର ଜଣେ ଚାଷୀ। ନିଜ ଗାଁକୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ସେ ନିଜ ଟ୍ରାକ୍ଟର ସହ ଯୋଡ଼ି ଗୋଟିଏ ସାନିଟାଇଜେସନ ମେସିନ୍ ତିଆରି କରିଛନ୍ତି। ଆଉ ଏହି ମେସିନ୍ ଖୁବ୍ ପ୍ରଭାବଶାଳୀ ଢଙ୍ଗରେ କାମ କରୁଛି।

ସେହିଭଳି, ମୁଁ ସାମାଜିକ ଗଣମାଧ୍ୟମରେ ଅନେକ ଫଟୋଚିତ୍ର ଦେଖୁଥିଲି। ଅନେକ ଦୋକାନୀ ଦୁଇଗଜ ଦୂରତା ପାଇଁ ନିଜ ଦୋକାନ ଆଗରେ ବଡ଼ ବଡ଼ ପାଇପଲାଇନ୍ ଲଗାଇ ଦେଇଛନ୍ତି। ଯେଉଁଥିରେ ଗୋଟିଏ ପଟୁ ସେ ଗ୍ରାହକ କିଣୁଥିବା ସାମଗ୍ରୀଗୁଡ଼ିକୁ ପକାଇ ଦେଉଛନ୍ତି, ଗ୍ରାହକ ପାଇପର ଅନ୍ୟ ମୁଣ୍ଡରେ ଏହାକୁ ସଂଗ୍ରହ କରିନେଉଛନ୍ତି।

ଇତିମଧ୍ୟରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମିଶି ଅନେକ ଅଭିନବ ଜିନିଷ ସୃଷ୍ଟି କରିଛନ୍ତି। Online Class, Video Class – ଏସବୁକୁ ମଧ୍ୟ ବିଭିନ୍ନ ଉପାୟରେ innovative କରାଯାଉଛି।

କରୋନାର ଟିକା ପାଇଁ ଆମ ଲ୍ୟାବଗୁଡ଼ିକରେ ଯେଉଁ କାମ ଚାଲିଛି ତା’ଉପରେ ସମଗ୍ର ବିଶ୍ୱର ନଜର ରହିଛି ଆଉ ଆମମାନଙ୍କ ଆଶା ମଧ୍ୟ ନିବଦ୍ଧ ହୋଇରହିଛି।

ଯେକୌଣସି ପ୍ରକାର ପରିସ୍ଥିତିକୁ ପରିବର୍ତିତ କରିବା ପାଇଁ ଇଚ୍ଛାଶକ୍ତି ସହିତ ବେଶ୍ କିଛି ନବୋନ୍ମେଷ ଉପରେ ମଧ୍ୟ ନିର୍ଭର କରେ। ହଜାର ହଜାର ବର୍ଷର ମାନବ ଜାତିର ଯାତ୍ରା ନିରନ୍ତର ଭାବେ ନବସୃଜନ ଯୋଗୁଁ ଏହି ଆଧୁନିକ ଯୁଗରେ ପହଂଚିପାରିଛି। ତେଣୁ, ଏହି ମହାମାରୀ ଉପରେ ବିଜୟଲାଭ କରିବା ପାଇଁ ଆମର ଏହି ବିଶେଷ କାର୍ଯ୍ୟ ଗୁଡ଼ିକ ମଧ୍ୟ ଏକ ବଡ଼ ଭିତିଭୂମି ସୃଷ୍ଟି କରିବ।

ବନ୍ଧୁଗଣ, କରୋନା ସହ ସଂଗ୍ରାମର ଏହି ପଥ ସୁଦୀର୍ଘ ହେବ। ଗୋଟିଏ ଏଭଳି ବିପତି ଯାହାର ସମଗ୍ର ବିଶ୍ୱ ପାଖରେ କୌଣସି ଚିକିତ୍ସା ନାହିଁ। ଯାହାର ପୂର୍ବ ଅନୁଭୂତି କିଛି ନାହିଁ। ଏଭଳି ପରିସ୍ଥିତିରେ ଆମେ ନୂଆ ନୂଆ ଆହ୍ୱାନ ଏବଂ ଅସୁବିଧାର ସମ୍ମୁଖୀନ ହେଉଛୁ। ବିଶ୍ୱର ପ୍ରତ୍ୟେକ କରୋନା ପ୍ରଭାବିତ ଦେଶ ଏହାର ସମ୍ମୁଖୀନ ହେଉଛନ୍ତି। ତେଣୁ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନି। ଆମ ଦେଶରେ ମଧ୍ୟ ଏଭଳି କୌଣସି ବର୍ଗ ନାହାନ୍ତି ଯିଏ ଅସୁବିଧାରେ ନ ପଡ଼ିଛନ୍ତି, କଷ୍ଟ ନ ସହିଛନ୍ତି। ଏହି ସଂକଟର ସବୁଠାରୁ ବଡ଼ ଆଘାତ ଯଦି କାହାକୁ ଲାଗିଛି, ତେବେ ସେମାନେ ହେଉଛନ୍ତି ଆମର ଗରିବ, ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକ। ସେମାନଙ୍କ ଅସୁବିଧା, ସେମାନଙ୍କ କଷ୍ଟ, ସେମାନଙ୍କ ଯନ୍ତ୍ରଣାକୁ ଭାଷାରେ ପ୍ରକାଶ କରାଯାଇପାରିବନି। ଆମମାନଙ୍କ ମଧ୍ୟରୁ କେହି ଏଭଳି ନ ଥିବେ ଯିଏକି ସେମାନଙ୍କର ଏବଂ ତାଙ୍କ ପରିବାରର କଷ୍ଟକୁ ଅନୁଭବ କରୁନଥିବେ। ଆମେ ସମସ୍ତେ ମିଶି, ଏହି କଷ୍ଟକୁ ଏହି ଯନ୍ତ୍ରଣାକୁ ବାଂଟିବାକୁ ଚେଷ୍ଟା କରୁଛୁ, ସାରା ଦେଶ ଚେଷ୍ଟା କରୁଛି। ଆମ ରେଳବାଇର ସାଥୀମାନେ ଦିନରାତି ଲାଗିଛନ୍ତି। କେନ୍ଦ୍ର ହେଉ କି ରାଜ୍ୟ ହେଉ, ସ୍ଥାନୀୟ ସ୍ୱାୟତ ସଂସ୍ଥା ହେଉ, ସମସ୍ତେ ଦିନରାତି ପରିଶ୍ରମ କରୁଛନ୍ତି। ରେଳବାଇ କର୍ମଚାରୀ ଯେପରି ଆଜି କାମ କରୁଛନ୍ତି, ସେମାନେ ମଧ୍ୟ ଏକ ପ୍ରକାରର ଆଗଧାଡିର କରୋନା ଯୋଦ୍ଧା। ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଟ୍ରେନ, ବସ୍‌ରେ ସୁରକ୍ଷିତ ଭାବେ ନେବା, ସେମାନଙ୍କ ଖାଇବାପିଇବା କଥା ବୁଝିବା, ସବୁ ଜିଲାରେ କ୍ୱାରେଂଟାଇନ୍ କେନ୍ଦ୍ରର ବ୍ୟବସ୍ଥା କରିବା, ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଉପଚାରର ବ୍ୟବସ୍ଥା କରିବା, ଏସବୁ କାମ ଲଗାତାର ଚାଲୁଛି ଓ ବହୁ ପରିମାଣରେ ଚାଲିଛି। କିନ୍ତୁ, ବନ୍ଧୁଗଣ, ଯେଉଁ ଦୃଶ୍ୟ ଆଜି ଆମେ ଦେଖୁଛୁ, ସେଥିରୁ ଦେଶର ଅତୀତରେ ଯାହାକିଛି ହୋଇଛି ତା’ର ଅବଲୋକନ ଏବଂ ଭବିଷ୍ୟତ ପାଇଁ ଶିଖିବାର ଅବସର ମଧ୍ୟ ମିଳିଛି। ଆଜି ଆମର ଶ୍ରମିକଙ୍କ ଦୁର୍ଦ୍ଦଶା ଭିତରେ ଆମେ ଦେଶର ପୂର୍ବଭାଗର ଅବସ୍ଥାକୁ ଦେଖିପାରିବା। ଯେଉଁ ପୂର୍ବାଂଚଳରେ ଦେଶର ବିକାଶ ଇଂଜିନ ହେବାର କ୍ଷମତା ରହିଛି, ଯେଉଁ ଶ୍ରମିକଙ୍କ ବାହୁବଳ ଦେଶକୁ ନୂଆ ଶିଖରରେ ପହଂଚାଇବାର ସାମର୍ଥ୍ୟ ରଖିଛି, ସେହି ପୂର୍ବଭାଗର ବିକାଶ ଅତି ଆବଶ୍ୟକ। ପୂର୍ବ ଭାରତର ବିକାଶରେ ହିଁ ଦେଶର ସମତୁଲ ଆର୍ଥିକ ବିକାଶ ସମ୍ଭବ। ଦେଶ ଯେତେବେଳେ ମୋତେ ସେବା କରିବାର ସୁଯୋଗ ଦେଲା, ସେତେବେଳଠୁ ମୁଁ ପୂର୍ବ ଭାରତର ବିକାଶକୁ ପ୍ରାଧାନ୍ୟ ଦେଇଆସୁଛି। ମୁଁ ସନ୍ତୁଷ୍ଟ ଯେ ବିଗତ ବର୍ଷଗୁଡ଼ିକରେ ଏ କ୍ଷେତ୍ରରେ ବହୁତ କିଛି କରାଯାଇଛି ଆଉ ଏବେ ପ୍ରବାସୀ ଶ୍ରମିକଙ୍କୁ ଦେଖି ବହୁତ କିଛି ନୂଆ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି, ଏବଂ ଆମେ ଲଗାତାର ସେହି ଦିଗରେ ଆଗକୁ ବଢ଼ୁଛୁ। ଯେପରିକି, କେଉଁଠି ଶ୍ରମିକଙ୍କ ସ୍କିଲ୍ ମ୍ୟାପିଙ୍ଗ୍‌ର କାମ ହେଉଛି ତ କେଉଁଠ ଷ୍ଟାର୍ଟ-ଅପ୍ ଏହି କାମରେ ଲାଗିଛନ୍ତି, ପୁଣି ଆଉ କେଉଁଠି ମାଇଗ୍ରେସନ କମିଶନ ପ୍ରତିଷ୍ଠା କଥା ଉଠିଛି। ଏହାଛଡ଼ା କେନ୍ଦ୍ର ସରକାର ଏବେ ଯେଉଁ ନିଷ୍ପତି ନେଇଛନ୍ତି, ସେଥିରୁ ମଧ୍ୟ ଗାଁରେ ରୋଜଗାର, ସ୍ୱରୋଜଗାର, ଲଘୁ ଉଦ୍ୟୋଗ ସହ ସଂପୃକ୍ତ ବିଶାଳ ସମ୍ଭାବନା ସୃଷ୍ଟି ହୋଇଛି। ଏ ନିଷ୍ପତି ଏହି ସ୍ଥିତିର ସମାଧାନ ପାଇଁ ନିଆଯାଇଛି, ଆତ୍ମନିର୍ଭର ଭାରତ ପାଇଁ ହୋଇଛି। ଯଦି ଆମର ଗାଁଗଣ୍ଡା ଆତ୍ମନିର୍ଭର ହୋଇଥାନ୍ତେ, ଆମ ଅଂଚଳ, ଜିଲ୍ଲା, ରାଜ୍ୟ ଆତ୍ମନିର୍ଭର ହୋଇଥାନ୍ତେ, ତେବେ ବର୍ତମାନ ଯେଉଁ ରୂପରେ ସମସ୍ୟା ଦେଖାଦେଇଛି, ସେପରି ହୋଇନଥା’ନ୍ତା। କିନ୍ତୁ, ଅନ୍ଧାରରୁ ଆଲୋକ ଆଡ଼କୁ ଅଗ୍ରସର ହେବା ମଣିଷର ସ୍ୱଭାବ। ସମସ୍ତ ଆହ୍ୱାନ ଭିତରେ ମୁଁ ଖୁସି ଯେ ଆତ୍ମନିର୍ଭର ଭାରତ ସମ୍ପର୍କରେ ଆଜି ଦେଶରେ ବ୍ୟାପକ ବିଚାରବିମର୍ଶ ଆରମ୍ଭ ହୋଇଛି। ଲୋକେ ଏବେ ଏହାକୁ ନିଜର ଅଭିଯାନ ଭାବରେ ଗ୍ରହଣ କରିବାକୁ ଆରମ୍ଭ କରିଛନ୍ତି। ଏହି ମିଶନର ନେତୃତ୍ୱ ଦେଶବାସୀ ନିଜ ହାତକୁ ନେଉଛନ୍ତି। ଅନେକ ଲୋକ ସେମାନଙ୍କ ନିଜ ଅଂଚଳରେ ଯେଉଁ ଯେଉଁ ଜିନିଷ ତିଆରି ହେଉଛି, ତା’ର ତାଲିକା ତିଆରି କରିଛନ୍ତି। ଏହି ଲୋକମାନେ ଏବେ ସେହି ସ୍ଥାନୀୟ ଜିନିଷକୁ ହିଁ କିଣୁଛନ୍ତି, ଏବଂ “ଭୋକାଲ୍ ଫର୍ ଲୋକାଲ୍‌”କୁ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି। “ମେକ୍ ଇନ୍ ଇଣ୍ଡିଆ”କୁ ଆଗକୁ ବଢ଼ାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସଂକଳ୍ପ ଦେଖାଉଛନ୍ତି।

ବିହାରର ଆମର ଜଣେ ବନ୍ଧୁ ଶ୍ରୀମାନ ହିମାଂଶୁ ମୋତେ ନମୋ ଆପରେ ଲେଖିଛନ୍ତି ଯେ ସେ ଏପରି ଏକ ଦିନ ଦେଖିବାକୁ ଚାହୁଁଛନ୍ତି, ଯେତେବେଳେ ଭାରତ ବିଦେଶରୁ ଖୁବ୍ କମ୍ ଜିନିଷ ଆମଦାନୀ କରିବ, ତାହା ପେଟ୍ରୋଲ୍‌, ଡିଜେଲ୍ ଇନ୍ଧନର ଆମଦାନୀ ହେଉ, ଇଲେକ୍‌ଟ୍ରୋନିକ୍ ଜିନିଷର ଆମଦାନୀ ହେଉ, ୟୁରିଆ ଆମଦାନୀ ହେଉ ବା ଖାଇବା ତେଲର ଆମଦାନୀ ହେଉ, ମୁଁ ତାଙ୍କ ଭାବନାକୁ ବୁଝିପାରୁଛି। ଆମ ଦେଶକୁ ବହୁତ ଜିନିଷ ବାହାରୁ ଆସିଥାଏ, ଯେଉଁଥିରେ ଆମର ସଚ୍ଚୋଟ କରଦାତାଙ୍କ ଟଙ୍କା ଖର୍ଚ ହୋଇଥାଏ, ଯାହାର ବିକଳ୍ପ ଆମେ ସହଜରେ ଭାରତରେ ତିଆରି କରିପାରିବା।

ଆସାମର ସୁଦୀପ ମୋ ପାଖକୁ ଲେଖିଛନ୍ତି ଯେ ସେ ମହିଳାଙ୍କ ଦ୍ୱାରା ବାଉଁଶ ତିଆରି ସ୍ଥାନୀୟ ଉତ୍ପାଦର ବ୍ୟବସାୟ କରନ୍ତି ଓ ସେ ସ୍ଥିର କରିଛନ୍ତି ଯେ ଆସନ୍ତା ଦୁଇବର୍ଷ ଭିତରେ ସେ ବାଉଁଶ ଉତ୍ପାଦକୁ ଏକ ଗ୍ଲୋବାଲ୍ ବ୍ରାଣ୍ଡ୍‌ରେ ପରିଣତ କରିବେ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଚଳିତ ଦଶନ୍ଧିରେ ଆତ୍ମନିର୍ଭର ଭାରତ ଅଭିଯାନ ଦେଶକୁ ନୂଆ ଶିଖରକୁ ନେଇଯିବ।

ମୋର ପ୍ରିୟ ଦେଶବାସୀଗଣ, ଏହି କରୋନା ସଂକଟ କାଳରେ ବିଶ୍ୱର ଅନେକ ନେତାଙ୍କ ସହ ମୋର କଥାବାର୍ତ୍ତା ହୋଇଛି, କିନ୍ତୁ ମୁଁ ଏକ ଗୋପନ କଥା ଆଜି ନିଶ୍ଚିତଭାବେ ଜଣାଇବାକୁ ଚାହୁଁଛି- ବିଶ୍ୱର ଅନେକ ନେତାଙ୍କ ସହ ଯେତେବେଳେ ଆଲୋଚନା ହୁଏ, ସେତେବେଳେ ମୁଁ ଦେଖେ ଆଜିକାଲି ଯୋଗ ଓ ଆୟୁର୍ବେଦ ସଂପର୍କରେ ଜାଣିବା ପାଇଁ ସେମାନଙ୍କ ଭିତରେ ଉତ୍ସୁକତା ବହୁତ ବେଶୀ। କେତେକ ନେତା ମୋତେ ପଚାରିଥିଲେ ଯେ ଏ କରୋନା କାଳରେ ଏହି ଯୋଗ ଓ ଆୟୁର୍ବେଦ କିପରି ସହାୟତା କରିପାରିବ।

ବନ୍ଧୁଗଣ, ଆଗକୁ ଖୁବ୍‌ଶୀଘ୍ର ‘ଆନ୍ତର୍ଜାତିକ ଯୋଗ ଦିବସ’ ଆସୁଛି। ଯୋଗ ଲୋକଙ୍କ ଜୀବନ ସହିତ ଯେତେ ଯୋଡ଼ି ହେଉଛି, ନିଜ ସ୍ୱାସ୍ଥ୍ୟକୁ ନେଇ ଲୋକଙ୍କ ଭିତରେ ସେତିକି ସଚେତନତା ବଢ଼ିଚାଲିଛି। ବର୍ତମାନର ଏହି କରୋନା ସଂକଟ କାଳରେ ମଧ୍ୟ ଦେଖାଯାଉଛି ଯେ ହଲିଉଡ଼ରୁ ହରିଦ୍ୱାର ପର୍ଯ୍ୟନ୍ତ, ଲୋକେ ଘରେ ରହି ଯୋଗ ଉପରେ ବେଶ୍ ଗୁରୁତ୍ୱ ଦେଇ ମନୋନିବେଶ କରୁଛନ୍ତି। ସବୁ ଜାଗାରେ ଲୋକେ ଯୋଗ ଓ ତା’ସହ ଆୟୁର୍ବେଦ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି, ତାକୁ ଆପଣାଇବାକୁ ଚାହୁଁଚନ୍ତି। କେବେ ଯୋଗ କରିନଥିବା ଅନେକ ଲୋକ ଅନ୍‌ଲାଇନ୍ ଯୋଗ କ୍ଲାସ୍ କରୁଛନ୍ତି କିମ୍ବା ଅନ୍‌ଲାଇନ୍ ଭିଡିଓ ମାଧ୍ୟମରେ ଯୋଗ ଶିଖୁଛନ୍ତି। ପ୍ରକୃତରେ, ଯୋଗ – କମ୍ୟୁନିଟି, ଇମ୍ୟୁନିଟି ଓ ୟୁନିଟି, ସବୁପାଇଁ ଭଲ।

ବନ୍ଧୁଗଣ, ଏ କରୋନା ସଂକଟ ସମୟରେ ଯୋଗ ଆଜି ଏଇଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ ଯେ ଏହି ଭୂତାଣୁ ଆମ ଶ୍ୱାସକ୍ରିୟା ପ୍ରଣାଳୀକୁ ସବୁଠୁ ଅଧିକ ପ୍ରଭାବିତ କରିଥାଏ। ଯୋଗରେ ଏହି ଶ୍ୱାସକ୍ରିୟା ବ୍ୟବସ୍ଥାକୁ ମଜଭୁତ କରିବା ଭଳି ଅନେକ ପ୍ରକାରର ପ୍ରାଣାୟାମ ରହିଛି, ଯାହାର ପ୍ରଭାବ ଆମେ ଦୀର୍ଘଦିନରୁ ଦେଖିଆସୁଛୁ। ଏହା ଏକ ସମୟସିଦ୍ଧ ପଦ୍ଧତି, ଯାହାର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି। ପ୍ରାଣାୟାମ ଯେପରିକି କପାଳଭାରତି ଓ ଅନୁଲୋମ-ବିଲୋମ ସଂପର୍କରେ ବେଶ୍ ଲୋକ ଜାଣିଥିବେ। କିନ୍ତୁ ଭସ୍ତ୍ରୀକା, ଶୀତ୍‌ଲି, ଭ୍ରାମରୀ ଭଳି କେତେ ପ୍ରକାରର ପ୍ରାଣାୟାମ ଅଛି, ଯାହାର ଅନେକ ଲାଭ ବି ରହିଛି। ଆଉ ମଧ୍ୟ ଆପଣଙ୍କ ଜୀବନରେ ଯୋଗ କିପରି କାମରେ ଆସିବ, ସେଥିପାଇଁ ଆୟୁଷ ମନ୍ତ୍ରଣାଳୟ ଏଥର ଏକ ନିଆରା ପ୍ରୟୋଗ କରିଛି। ଆୟୁଷ ମନ୍ତ୍ରାଳୟ “ମାଇଁ ଲାଇଫ୍ ମାଇଁ ଯୋଗ” ନାଁରେ ଏକ ଆନ୍ତର୍ଜାତିକ ଭିଡିଓ ବ୍ଲଗ୍ ଜରିଆରେ ପ୍ରତିଯୋଗିତା ଆରମ୍ଭ କରିଛି। କେବଳ ଭାରତ ନୁହେଁ, ସାରା ପୃଥିବୀର ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆପଣଙ୍କୁ ନିଜର ତିନି ମିନିଟର ଏକ ଭିଡିଓ ତିଆରି କରି ଅପ୍‌ଲୋଡ଼ କରିବାକୁ ହେବ। ଆପଣ ଯେଉଁ ଯୋଗ ବା ଆସନ କରନ୍ତି, ତାହା ଏହି ଭିଡିଓରେ ଦେଖାଇବାକୁ ପଡ଼ିବ ଏବଂ ଯୋଗ ଦ୍ୱାରା ଆପଣଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି, ସେ ସମ୍ପର୍କରେ ମଧ୍ୟ ଜଣାଇବାକୁ ପଡ଼ିବ। ଆପଣମାନଙ୍କୁ ମୋର ଅନୁରୋଧ, ଆପଣ ସମସ୍ତେ ଏହି ପ୍ରତିଯୋଗିତାରେ ନିଶ୍ଚୟ ଭାଗ ନିଅନ୍ତୁ ଏବଂ ନୂଆ ଶୈଳୀରେ ଆନ୍ତର୍ଜାତିକ ଯୋଗ ଦିବସରେ ଆପଣ ଭାଗୀଦାର ହୁଅନ୍ତୁ।

ବନ୍ଧୁଗଣ, ଆମ ଦେଶରେ କୋଟିକୋଟି ଗରିବ ଲୋକ ଦୀର୍ଘଦିନରୁ ଗୋଟିଏ ବଡ଼ ଚିନ୍ତାରେ ରହିଆସିଛନ୍ତି ଯେ ଯଦି ବେମାର ପଡ଼ିବେ ତା’ହେଲେ କ’ଣ ହେବ। ନିଜର ଚିକିତ୍ସା କରାଇବେ ନା ପରିବାର ପାଇଁ ଭୋଜନର ଚିନ୍ତା କରିବେ। ଏହି ଅସୁବିଧାକୁ ବୁଝି, ଏହି ଚିନ୍ତାକୁ ଦୂର କରିବା ପାଇଁ ପ୍ରାୟ ଦେଢ଼ବର୍ଷ ତଳେ ‘ଆୟୁଷ୍ମାନ୍ ଭାରତ’ ଯୋଜନା ଆରମ୍ଭ କରାଯାଇଥିଲା। କିଛିଦିନ ପୂର୍ବରୁ ‘ଆୟୁଷ୍ମାନ ଭାରତ’ର ହିତାଧିକାରୀଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ହୋଇଯାଇଛି। ଏକ କୋଟିରୁ ଅଧିକ ରୋଗୀ, ଅର୍ଥାତ୍ ଦେଶର ଏକ କୋଟିରୁ ଅଧିକ ପରିବାରର ସେବା ହୋଇଛି। ଏକ କୋଟିରୁ ଅଧିକ ରୋଗୀର ଅର୍ଥ କ’ଣ, ଜାଣନ୍ତି। ଏକ କୋଟିରୁ ଅଧିକ ରୋଗୀଙ୍କ ଅର୍ଥ ନର୍‌ୱେ ପରି ଦେଶ, ସିଙ୍ଗାପୁର ପରି ଦେଶଙ୍କ, ମୋଟ ଜନସଂଖ୍ୟାର ଦୁଇଗୁଣ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଦିଆଯାଇଛି। ଯଦି ଗରିବ ଲୋକଙ୍କୁ ଡାକ୍ତରଖାନାରେ ଭର୍ତି ହେବାପରେ ଚିକିତ୍ସା ପାଇଁ ଟଙ୍କା ଦେବାକୁ ପଡ଼ିଥାନ୍ତା, ସେମାନଙ୍କର ମାଗଣା ଚିକିତ୍ସା ହୋଇନଥା’ନ୍ତା, ତେବେ ସେମାନଙ୍କୁ ମୋଟାମୋଟି ଆନୁମାନିକ ପ୍ରାୟ ୧୪ ହଜାର କୋଟିରୁ ବି ଅଧିକ ଟଙ୍କା ନିଜ ପକେଟ୍‌ରୁ ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା। ‘ଆୟୁଷ୍ମାନ୍ ଭାରତ’ ଯୋଜନା ଗରିବ ଲୋକଙ୍କୁ ଟଙ୍କା ଖର୍ଚ୍ଚ କରିବାରୁ ରକ୍ଷା କରିଛି। ମୁଁ ‘ଆୟୁଷ୍ମାନ ଭାରତ’ର ସମସ୍ତ ହିତାଧିକାରୀଙ୍କ ସହ ରୋଗୀଙ୍କ ଚିକିତ୍ସା କରିିଥିବା ସମସ୍ତ ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫ୍‌ଙ୍କୁ ମଧ୍ୟ ବଧେଇ ଜଣାଉଛି। ‘ଆୟୁଷ୍ମାନ ଭାରତ’ ଯୋଜନାର ଏକ ବହୁତ ବଡ଼ ବିଶେଷତ୍ୱ ହେଉଛି ଏଥିରେ ପୋର୍ଟେବିଲିଟି ସୁବିଧା ମଧ୍ୟ ରହିଛି। ପୋର୍ଟେବିଲିଟି ଦେଶକୁ ଏକତାର ରଂଗରେ ରଂଗୀନ ହେବାରେ ସାହାଯ୍ୟ କରିଛି, ଅର୍ଥାତ୍ ବିହାରର ଜଣେ ଗରିବ ଲୋକ ଚାହିଁଲେ ତାକୁ ନିଜ ରାଜ୍ୟ ପରି କର୍ଣ୍ଣାଟକରେ ମଧ୍ୟ ସେହି ସମାନ ସୁବିଧା ମିଳିପାରିବ। ସେହିପରି, ମହାରାଷ୍ଟ୍ରର ଜଣେ ଗରିବ ଲୋକ ଚାହିଁଲେ ତା’ ନିଜ ରାଜ୍ୟ ପରି ତାମିଲନାଡୁରେ ମଧ୍ୟ ତାକୁ ଚିକିତ୍ସା ସୁବିଧା ମିଳିବ। ଏହି ଯୋଜନା ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦୁର୍ବଳ ଥିବା ଅଂଚଳର ଗରିବ ଲୋକଙ୍କୁ ଦେଶର କୋଣଅନୁକୋଣରେ ଉତମ ଚିକିତ୍ସା କରିବାର ସୁଯୋଗ ମିଳିଥାଏ।

ବନ୍ଧୁଗଣ। ଆପଣ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକକୋଟି ହିତାଧିକାରୀଙ୍କ ମଧ୍ୟରୁ ଶତକଡ଼ା ଅଶୀଭାଗ ଗ୍ରାମାଂଚଳରେ ବସବାସ କରନ୍ତି। ଏଇ ହିତାଧିକାରୀମାନଙ୍କ ମଧ୍ୟରୁ ଶତକଡ଼ା ପ୍ରାୟ ପଚାଶଭାଗ ହେଉଛନ୍ତି ଆମର ମାଆ, ଭଉଣୀ ଆଉ ଝିଅମାନେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଏଭଳି ରୋଗରେ ଆକ୍ରାନ୍ତ ଥିଲେ ଯାହାର ଚିକିତ୍ସା ସାଧାରଣ ଔଷଧରେ ସମ୍ଭବ ହୋଇପାରୁନଥିଲା। ଏମାନଙ୍କ ମଧ୍ୟରୁ ଶତକଡ଼ା ୭୦ ଭାଗ ଲୋକଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର କରାଯାଇଛି। ଏମାନଙ୍କୁ କେତେବଡ଼ ଅସୁବିଧାରୁ ମୁକ୍ତି ମିଳିଲା ତାହା ଆପଣମାନେ ଅନୁମାନ କରିପାରୁଥିବେ। ମଣିପୁର ଚୁରା-ଚାନ୍ଦପୁର ଅଂଚଳର ଛଅବର୍ଷର ପିଲା କେଲେନ୍‌ସାଙ୍ଗ୍‌ଙ୍କୁ ମଧ୍ୟ ଏହିଭଳି ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ନୂଆ ଜୀବନ ମିଳିଛି। କେଲେନ୍‌ସାଙ୍ଗ୍‌ଙ୍କୁ ଏତେ ଛୋଟ ବୟସରେ ଅତି ଗୁରୁତର ରୋଗ ହୋଇଗଲା। ଏଇ ପିଲାଟିର ବାପା ଜଣେ ଦିନମଜୁରିଆ ହୋଇଥିବାବେଳେ ମା’ ଲୁଗାବୁଣା କାମ କରନ୍ତି। ଏଭଳି ଅବସ୍ଥାରେ ପିଲାର ଚିକିତ୍ସା କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ଥିଲା। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରେ ଏବେ ମାଗଣାରେ ତାଙ୍କ ପିଲାର ଚିକିତ୍ସା ହୋଇପାରିଲା। ପଣ୍ଡିଚେରୀର ଅମୃତାବଲ୍ଲୀଙ୍କର ଅନୁଭୂତି ମଧ୍ୟ ପ୍ରାୟ ଏଇଭଳି। ତାଙ୍କପାଇଁ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନା ସଂକଟମୋଚକର ଭୂମିକା ନେଲା। ଦୁଃଖର କଥା ଅମୃତାବଲ୍ଲୀଙ୍କ ସ୍ୱାମୀଙ୍କର ହୃଦଘାତରେ ମୃତ୍ୟୁ ହୋଇସାରିଛି। ତାଙ୍କର ୨୭ ବର୍ଷ ବୟସ୍କ ପୁଅ ଜୀବା ମଧ୍ୟ ହୃଦ୍‌ରୋଗୀ ଥିଲା। ଡାକ୍ତରମାନେ ଜୀବାର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଲେ, କିନ୍ତୁ ଦିନମଜୁରିଆ ଭାବେ କାମ କରୁôଥବା ଜୀବା ପକ୍ଷରେ ନିଜ ଖର୍ଚ୍ଚରେ ଏତେବଡ଼ ଅପରେସନ କରାଇବା ସମ୍ଭବ ନ ଥିଲା। କିନ୍ତୁ, ଅମୃତାବଲ୍ଲୀ ଆୟୁଷ୍ମାନ ଭାରତ ଯୋଜନାରେ ନିଜ ପୁଅର ପଂଜିକରଣ କରାଇଲେ ଏବଂ ମାତ୍ର ନଅଦିନ ପରେ ଜୀବାର ଅପରେସନ ମଧ୍ୟ ହୋଇଗଲା।

ବନ୍ଧୁଗଣ, ମୁଁ ଆପଣମାନଙ୍କୁ ମାତ୍ର ତିନି ଚାରିଟି ଘଟଣା କହିଲି। କିନ୍ତୁ ‘ଆୟୁଷ୍ମାନ ଭାରତ’ ସମ୍ପର୍କରେ ଏହିଭଳି କୋଟିଏରୁ ବି ଅଧିକ କଥା ରହିଛି। ଏଇ କଥାଗୁଡ଼ିକ ବଂଚିଥିବା ମଣିଷମାନଙ୍କର, ଦୁଃଖକଷ୍ଟରୁ ମୁକ୍ତି ପାଇଥିବା ଆମ ନିଜ ପରିଜନମାନଙ୍କର କଥା। ଆପଣମାନଙ୍କୁ ମୋର ଅନୁରୋଧ, ଯଦି କେତେବେଳେ ସମୟ ପାଆନ୍ତି ତେବେ ଯେଉଁମାନେ ଆୟୁଷ୍ମାନ ଭାରତ ଯୋଜନାରେ ନିଜର ଚିକିତ୍ସା କରାଇଛନ୍ତି, ଏହିଭଳି ଲୋକମାନଙ୍କ ସହ ନିଶ୍ଚୟ କଥା ହେବେ। ଆପଣ ଦେଖିବେ ଯେତେବେଳେ ଗରିବଟିଏ ରୋଗରୁ ମୁକ୍ତି ପାଏ, ସେତେବେଳେ ତା’ଭିତରେ ଦାରିଦ୍ର‌୍ୟ ସହ ଲଢ଼ିବାର ଶକ୍ତି ମଧ୍ୟ ଜାଗୃତ ହୁଏ। ମୁଁ ଆମ ଦେଶର ସଚ୍ଚୋଟ କରଦାତାମାନଙ୍କୁ କହିବାକୁ ଚାହେଁ ଯେ ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ଗରିବମାନଙ୍କର ଯେଉଁ ମାଗଣା ଚିକିତ୍ସା ହୋଇପାରୁଛି, ସେମାନଙ୍କ ଜୀବନରେ ସୁଖ ସନ୍ତୋଷ ଫେରିଆସୁଛି – ଆପଣମାନେ ହିଁ ଏହି ପୁଣ୍ୟର ପ୍ରକୃତ ଅଧିକାରୀ। ଆମର ସଚ୍ଚୋଟ କରଦାତାମାନେ ହିଁ ଏହି ପୂଣ୍ୟର ହକ୍‌ଦାର।

ମୋର ପ୍ରିୟ ଦେଶବାସୀଗଣ, ଗୋଟିଏ ପଟେ ଆମେ ମହାମାରୀ ସହିତ ସଂଗ୍ରାମ କରୁଥିବାବେଳେ ଅନ୍ୟପଟରେ ଏଇ କିଛିଦିନ ତଳେ ପୂର୍ବ ଭାରତର କିଛି ଅଂଶରେ ଆମକୁ ପ୍ରାକୃତିକ ବିପଦର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଛି। ଗତ କିଛି ସପ୍ତାହ ମଧ୍ୟରେ ଆମେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ମହାବାତ୍ୟା ଅମ୍ଫନ୍‌ର ଧ୍ୱଂସଲୀଳା ଦେଖିଛେ। ଏଇ ତୋଫାନ୍‌ରେ ଅନେକ ଘର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। କୃଷକମାନଙ୍କୁ ମଧ୍ୟ ବହୁତ କ୍ଷତି ସହିବାକୁ ପଡ଼ିଛି। ପରିସ୍ଥିତିର ଆକଳନ କରିବା ପାଇଁ ମୁଁ ଗତ ସପ୍ତାହରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଯାଇଥିଲି। ପଶ୍ଚିମବଙ୍ଗ ଓ ଓଡ଼ିଶାର ଲୋକମାନେ ଯେଉଁଭଳି ସାହସର ସହିତ ଏହି ପରିସ୍ଥିତିର ମୁକାବିଲା କରିଛନ୍ତି ତାହା ପ୍ରଶଂସନୀୟ। ଏଭଳି ଏକ ସଂକଟ ସମୟରେ ଦେଶ ମଧ୍ୟ ସେମାନଙ୍କ ସହିତ ଛିଡ଼ାହୋଇଛି।

ବନ୍ଧୁଗଣ, ଗୋଟିଏପଟେ ଯେତେବେଳେ ପୂର୍ବ ଭାରତ ବାତ୍ୟା ବିପର୍ଯ୍ୟୟର ସମ୍ମୁଖୀନ ସେତିକିବେଳେ ଅନ୍ୟପଟରେ ଦେଶର ଅନେକ ଭାଗ ପଙ୍ଗପାଳର ଆକ୍ରମଣ ଦ୍ୱାରା ପ୍ରଭାବିତ ହୋଇଛି। ଏହି ସମସ୍ୟା ଆମକୁ ପୁଣି ମନେ ପକାଇଦେଇଛି ଯେ ଏହି ଛୋଟିଆ କୀଟ ଆମର କେତେ କ୍ଷତି କରିପାରେ। ପଙ୍ଗପାଳ ଆକ୍ରମଣ ପ୍ରକ୍ରିୟା ଅନେକ ଦିନଯାଏ ଚାଲେ ଆଉ ବହୁତ ବଡ଼ ଅଂଚଳରେ ତା’ର ପ୍ରଭାବ ପଡ଼େ। ଭାରତ ସରକାର ହୁଅନ୍ତୁ ବା ରାଜ୍ୟ ସରକାର, କୃଷିବିଭାଗ ହେଉ ବା ପ୍ରଶାସନ – ସମସ୍ତେ ଏହି ବିପଦରୁ ରକ୍ଷା ତଥା କୃଷକମାନଙ୍କର ସାହାଯ୍ୟ ପାଇଁ ଆଧୁନିକ ସଂସାଧନର ଉପଯୋଗ କରୁଛନ୍ତି। ନୂଆ ନୂଆ ଆବିଷ୍କାର ଉପରେ ଗୁରୁତ୍ୱ ଦିଆଯାଉଛି, ଆଉ ମୋର ବିଶ୍ୱାସ ଯେ ଆମେ ସମସ୍ତେ ମିଶି ଆମ କୃଷିକ୍ଷେତ୍ରରେ ଆସିଥିବା ଏହି ବିପଦ ସହ ଦୃଢ଼ତାର ସହିତ ଲଢ଼ିବା ଏବଂ ଅନେକ କିଛି ରକ୍ଷା କରିପାରିବା।

ମୋର ପ୍ରିୟ ଦେଶବାସୀଗଣ, ଆଉ ଦିନ କେତୋଟି ପରେ, ଜୁନ ୫ ତାରିଖ ଦିନ ସାରା ପୃଥିବୀ ବିଶ୍ୱ ପରିବେଶ ଦିବସ ପାଳନ କରିବ। ବିଶ୍ୱ ପରିବେଶ ଦିବସ ପାଇଁ ଏ ବର୍ଷ ବିଷୟବସ୍ତୁ ରହିଛି ‘‘Bio Diversity’’ ବା ‘ଜୈବ ବିବିଧତା’। ସାମ୍ପ୍ରତିକ ପରିସ୍ଥିତିରେ ଏହି ବିଷୟଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଲକଡାଉନ ଯୋଗୁଁ ଗତ କିଛି ସପ୍ତାହରେ ଜୀବନର ଗତି ଟିକେ ମନ୍ଥର ହୋଇଛି ସତ, କିନ୍ତୁ ୟା’ଦ୍ୱାରା ଆମକୁ ଆମ ଆଖପାଖ ପ୍ରକୃତିର ସମୃଦ୍ଧ ବିବିଧତାକୁ, ଜୈବ ବିବିଧତାକୁ ଖୁବ୍ ନିକଟରୁ ଦେଖିବାର ସୁଯୋଗ ବି ମିଳିଛି। ପ୍ରଦୂଷଣର ପ୍ରକୋପ ଯୋଗୁଁ କେଉଁଦିନୁ ନୀରବ ହୋଇଯାଇଥିବା ଅନେକ ପକ୍ଷୀଙ୍କ ସ୍ୱର ଆଜି ବହୁବର୍ଷ ପରେ ଆମ ଘରପାଖରେ ଶୁଣିବାକୁ ମିଳୁଛି। ଅନେକ ସ୍ଥାନରେ ବନ୍ୟପ୍ରାଣୀଙ୍କ ମୁକ୍ତ ବିଚରଣର ଖବର ମଧ୍ୟ ଆସୁଛି। ମୋଭଳି ଆପଣମାନେ ମଧ୍ୟ Social Mediaରେ ଏସବୁ ନିଶ୍ଚୟ ଦେଖିଥିବେ, ପଢ଼ିଥିବେ। ବହୁତ ଲୋକ କହୁଛନ୍ତି, ଲେଖୁଛନ୍ତି, ଚିତ୍ର ମଧ୍ୟ ପଠାଉଛନ୍ତି ଯେ ସେମାନେ ତାଙ୍କ ଘରଠାରୁ ଅନେକ ଦୂରରେ ଥିବା ପର୍ବତକୁ ଦେଖିପାରୁଛନ୍ତି, ଦୂରରେ ଜଳୁଥିବା ଆଲୁଅ ଦେଖିପାରୁଛନ୍ତି। ଏହିସବୁ ଦୃଶ୍ୟ ସବୁ ଦେଖିଲାବେଳେ କେତେକ ଲୋକଙ୍କ ମନରେ ଭାବନା ଆସୁଥିବ ଯେ ଆମେ ଏହି ଦୃଶ୍ୟକୁ ଏହିଭଳି ଭାବରେ ରଖିପାରନ୍ତେ କି। ଏହି ଚିତ୍ରଗୁଡ଼ିକ ଲୋକମାନଙ୍କୁ ପ୍ରକୃତି ପାଇଁ କିଛି କରିବାର ପ୍ରେରଣା ବି ଯୋଗାଇଛି। ନଦୀଗୁଡ଼ିକ ସବୁବେଳେ ସ୍ୱଚ୍ଛ ରହୁ, ପଶୁପକ୍ଷୀମାନଙ୍କୁ ମଧ୍ୟ ମୁକ୍ତ ଭାବରେ ବଂଚିବାର ଅଧିକାର ମିଳୁ, ଆକାଶ ମଧ୍ୟ ନିର୍ମଳ ରହୁ ଏସବୁ ପାଇଁ ଆମେ ପ୍ରକୃତି ସହିତ ତାଳ ମିଳେଇ ବଂଚିବାର ପ୍ରେରଣା ନେଇପାରିବା।

ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ବାରମ୍ବାର ଶୁଣୁଛେ, ‘ଜଳ ଅଛି ତ ଜୀବନ ଅଛି’ – ‘ଜଳ ଅଛି ତ ଭବିଷ୍ୟତ ଅଛି’ କିନ୍ତୁ ଜଳ ପାଇଁ ଆମର ଦାୟିତ୍ୱ ମଧ୍ୟ ରହିଛି। ବର୍ଷାଜଳକୁ ଆମକୁ ବଂଚେଇବାକୁ ପଡ଼ିବ ଗୋଟିଏ ଗୋଟିଏ ବୁନ୍ଦାକୁ ବି ସଂଚୟ କରିବାକୁ ପଡ଼ିବ। ଗାଁ-ଗାଁରେ ବର୍ଷାପାଣିର ସଂରକ୍ଷଣ ଆମେ କେମିତି କରିବା। ଅନେକ ପାରମ୍ପରିକ ସରଳ ଉପାୟ ଅଛି – ସେହି ସରଳ ଉପାୟ ଦ୍ୱାରା ଆମେ ଜଳ ସଂରକ୍ଷଣ କରିପାରିବା। ଯଦି ପାଂଚ-ସାତ ଦିନ ବି ଏହି ଜଳକୁ ଆମେ ରଖିପାରିବା ତେବେ ଆମେ ପୃଥିବୀମାତାର ଶୋଷ ମେଂଟେଇପାରିବା। ଜଳ ପୁଣି ମାଟି ଭିତରକୁ ଯିବ ଆଉ ସେଇ ଜଳ ଦିନେ ଜୀବନର ଶକ୍ତି ହୋଇପାରିବ। ସେଥିପାଇଁ ବର୍ଷାଋତୁରେ ଜଳକୁ ସଂଚୟ ବା ସଂରକ୍ଷିତ କରିବା ଦିଗରେ ଆମେ ସମସ୍ତେ ଚେଷ୍ଟିତ ହେବା ଉଚିତ।

ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛ ପରିବେଶ ଆମ ନିଜ ଜୀବନ ତଥା ଆମ ପିଲାମାନଙ୍କ ଭବିଷ୍ୟତ ପାଇଁ ଆବଶ୍ୟକ। ତେଣୁ ଆମକୁ ବ୍ୟକ୍ତିଗତ ଭାବରେ ମଧ୍ୟ ଏ ବିଷୟରେ ଚିନ୍ତା କରିବା ଦରକାର। ମୋର ଆପଣମାନଙ୍କୁ ଅନୁରୋଧ, ଏହି ପରିବେଶ ଦିବସରେ ଆପଣ ନିଶ୍ଚିତ ଭାବରେ କେତୋଟି ଗଛ ଲଗାନ୍ତୁ ଏବଂ ପ୍ରକୃତିର ସେବା ପାଇଁ ଏମିତି କିଛି ସଂକଳ୍ପ କରନ୍ତୁ ଯାହାଦ୍ୱାରା ପ୍ରକୃତି ସହିତ ସାରାଜୀବନ ଆପଣଙ୍କର ସଂପର୍କ ଅତୁଟ ରହିବ। ହଁ, ଉତାପ ବଢ଼ିଚାଲିଛି, ତେଣୁ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିବାକୁ ଭୁଲିବେନି।

ବନ୍ଧୁଗଣ, ଆମମାନଙ୍କୁ ଏକଥା ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ ଯେ, ଏତେ କଠିନ ତପସ୍ୟା ପରେ ଏତେ କଷ୍ଟ ସହିବା ପରେ ଦେଶ ଯେଉଁ ସ୍ଥିତିକୁ ଆସିଛି ତାକୁ କେବେ ବିଫଳ ହେବାକୁ ଦେବାନାହିଁ। ଆମେମାନେ ବେପରୁୱା ହୋଇଯିବା, ଅସାବଧାନ ହୋଇଯିବା – ଏଇଟା ବିକଳ୍ପ ନୁହେଁ। କରୋନା ବିରୁଦ୍ଧରେ ସଂଗ୍ରାମ ଆଜି ବି ସେତିକି ଗୁରୁତ୍ୱପୂର୍ଣ୍ଣ। ଆପଣ ଓ ଆପଣଙ୍କ ପରିବାର ପାଇଁ କରୋନା ଆଜି ବି ସେତିକି ବିପଦପୂର୍ଣ୍ଣ। ଆମକୁ ପ୍ରତ୍ୟେକ ମଣିଷର ଜୀବନକୁ ବଂଚେଇବାକୁ ପଡ଼ିବ। ତେଣୁ ଦୁଇଗଜ ଦୂରତା, ମୁହଁରେ ମାସ୍କ, ହାତକୁ ଧୋଇବା – ଏସବୁ ସାବଧାନତାକୁ ସେହିଭଳି ଅବଲମ୍ବନ କରିଚାଲନ୍ତୁ ଯେମିତି ଆଜିଯାଏ କରିଆସୁଛନ୍ତି। ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନେ ନିଜ ପାଇଁ, ନିଜ ଲୋକଙ୍କ ପାଇଁ, ନିଜ ଦେଶ ପାଇଁ ଏସବୁ ସାବଧାନତା ନିଶ୍ଚୟ ପାଳନ କରିବେ। ଏହି ବିଶ୍ୱାସ ସହିତ ଆପଣଙ୍କ ଉତମ ସ୍ୱାସ୍ଥ୍ୟ ପାଇଁ ମୋର ହାର୍ଦ୍ଦିକ ଶୁଭକାମନା। ଆଗାମୀ ମାସରେ ପୁଣି ଅନେକ ନୂଆ ବିଷୟକୁ ନେଇ ନିଶ୍ଚୟ ‘ମନ୍ କି ବାତ୍‌’ରେ ଭେଟିବା।

ଧନ୍ୟବାଦ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.