Home ଓଡ଼ିଶା ଦଶମ କେଏଲଏଫ କର୍ଣ୍ଣର : ସିନେମାରେ କାହାଣୀ ମୂଳ, ବାକି ସବୁ ପଛ : ସବ୍ୟସାଚୀ...

ଦଶମ କେଏଲଏଫ କର୍ଣ୍ଣର : ସିନେମାରେ କାହାଣୀ ମୂଳ, ବାକି ସବୁ ପଛ : ସବ୍ୟସାଚୀ ମହାପାତ୍ର

357

ଭୁବନେଶ୍ୱର, ଅକ୍ଟୋବର ୨୧ (ଓଡ଼ିଆ ପୁଅ) : ସିନେମା ପ୍ରସ୍ତୁତିରେ କାହାଣୀ ମୂଳ ଉପାଦାନ ଓ ଏହା ଠିକ ରହିଲେ ବାକି ସବୁ ଛୋଟମୋଟ ଭୁଲକୁ କେହି ପ୍ରାୟତଃ ଧରନ୍ତି ନାହିଁ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଦଶମ କେ ଏଲ ଏଫ କର୍ଣ୍ଣର ଅବସରରେ ଏକଥା କହିଛନ୍ତି।

ସିନେମାପ୍ରେମୀ ଓ ସାହିତ୍ୟ ଅନୁରାଗୀଙ୍କ ଗହଣରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସଂସ୍ଥା ଦ୍ଵାରା ନିୟମିତ ଆୟୋଜିତ ହେଉଥିବା କେ ଏଲଏଫ କର୍ଣ୍ଣରରେ କବି କେଦାର ମିଶ୍ରଙ୍କ ସହିତ କଥୋପକନ ସମୟରେ ସେ ତାଙ୍କ ଜୀବନର ଅନେକ ସ୍ମୃତି ବଖାଣି ଥିଲେ ଓ କିପରି ବିଗତ ଦିନର ସଫଳ ବ୍ୟବସାୟିକ ଚଳଚ୍ଚିତ୍ର “ସବୁ ମାୟାରେ ବାୟା’ର ନିର୍ଦ୍ଦେଶକ କଳାତ୍ମକ ସିନେମା ପ୍ରସ୍ତୁତିରେ ପାଦ ଥାପିଥିଲେ ସେ ବିଷୟରେ କହିଥିଲେ।

ଏହି ଅବସରରେ ସେ କହିଥିଲେ ଯେ ବମ୍ବେରୁ ଅଶି ଦଶକର ଶେଷ ଭାଗରେ ଫେରିବା ପରେ ସେ ନିଜ ଖର୍ଚ୍ଚ ରେ ଫିଲ୍ମଟିଏ ତିଆରି କରିବାକୁ ଭାବୁଥିଲେ ଓ ସେଥିପାଇଁ କଳାତ୍ମକ ଫିଲ୍ମ ଦିଗକୁ ଆସିଲେ। ସେହି ସମୟରେ ତାଙ୍କର ସମ୍ବଲପୁରୀ ଫିଲ୍ମ ‘ଭୁକା’ ଆସିଥିଲା ଯାହା ଦେଶବିଦେଶରେ ଚର୍ଚ୍ଚିତ ହୋଇଥିଲା, କିନ୍ତୁ ପ୍ରଯୁକ୍ତିପ୍ରୟୋଗ ଦୃଷ୍ଟିରୁ ନିମ୍ନ ଶୈଳୀର ଥିଲା।

କାରଣ ଏହି ଫିଲ୍ମଟି ୧୬ଏ ମ ଏମ ରିଲରେ ପ୍ରସ୍ତୁତି ହେଇଥିଲା, ଯାହାକି ସେଟବେଳର୩୫ ଏମ ଏମ ରିଲ ତୁଳନାରେ ନିମ୍ନମନର ଥିଲା।

ଏ ବିଷୟରେ ନିଜ ଯୁକ୍ତି ବାଢି ଶ୍ରୀ ମହାପାତ୍ର କହିଥିଲେ “ଫିଲ୍ମ ନିର୍ମାଣରେ କାହାଣୀ ଭଲ ହେଲେ, ଏହାର ପ୍ରସ୍ତୁତି ପ୍ରକ୍ରିୟାକୁ ପ୍ରାୟତଃ ସମସ୍ତେ ନଜର ଅନ୍ଦାଜ କରନ୍ତି। ‘ଭୁକା’ କୁ ଜାତୀୟ ପୁରସ୍କାର ମିଳିଲା ନାହିଁ ସତ, ହେଲେ ଦେଶବିଦେଶରେ ଏହା ଉଚ୍ଚ ପ୍ରଶଂସିତ ହେଇଥିଲା କାରଣ ଏହାର କାହାଣୀ ଉଚ୍ଚ ମାନର ଥିଲା।“

ସମ୍ବଲପୁରୀ ଉପାଦାନ

ସବ୍ୟସାଚୀ ମହାପାତ୍ର ପଶ୍ଚିମ ଓଡିଶାର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କର ଅନେକ ଚଳଚ୍ଚିତ୍ରରେ ସମ୍ବଲପୁରୀ ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ମହକ ଦେଖିବାକୁ ମିଳିଥାଏ। ତାଙ୍କର ଅନ୍ୟତମ ସିନେମା ‘ସୂର୍ଯ୍ୟମୁଖୀ’ରେ ମୁଖ୍ୟ ଚରିତ୍ରର ସମ୍ବଲପୁରୀର ବସ୍ତ୍ର ସମ୍ବନ୍ଧରେ ଭଲ ପାଇବା ଦେଖିବାକୁ ମିଳିଥିଲା।

ତଥାପି ଏହିସବୁ ବିଷୟ ବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ବ୍ୟୟସାପେକ୍ଷ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ବିପଦପୂର୍ଣ୍ଣ ହୋଇପାରେ।

ସେ କହିଥିଲେ “ କିଛି ଫିଲ୍ମ ନିର୍ମାତା ଏପରି ଫିଲ୍ମ ନିର୍ମାଣ କରିବାକୁ ଚାହାନ୍ତି, ଯେଉଁଥିରୁ ସେମାନେ ବ୍ୟବସାୟିକ ସଫଳତା ଆଶା କରନ୍ତି। ଆଉ କିଛି ନିର୍ମାତା କେବଳ ଭଲ ଫିଲ୍ମ ନିର୍ମାଣ ହେଉ ସେ ବିଷୟରେ ଆଗ୍ରହୀ। ମୋ କ୍ଷେତ୍ରରେ ବ୍ୟବସାୟିକ ସଫଳତା ପାଇବାର ଇଚ୍ଛା ଗୌଣ, ଭଲ ଚଳଚ୍ଚିତ୍ର ନିର୍ମାଣର ପ୍ରାଥମିକତା ଅଧିକ।“

ଏହି ଅବସରରେ ଅନେକ ଦର୍ଶକ ଶ୍ରୀ ମହାପାତ୍ରଙ୍କ ସହିତ ବାର୍ତ୍ତାଳାପ କରିବାର ଓ ତାଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ। ଶେଷରେ ଶ୍ରୀ ମହାପାତ୍ରଙ୍କୁ କେଏଲ ଏଫ କର୍ଣ୍ଣର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.