Home Top News ଜଷ୍ଟିସ୍ ଫର୍ ପରୀ: ପଦଯାତ୍ରାର ଦ୍ଵିତୀୟ ଦିନ: ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ ଆଳରେ...

ଜଷ୍ଟିସ୍ ଫର୍ ପରୀ: ପଦଯାତ୍ରାର ଦ୍ଵିତୀୟ ଦିନ: ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ ଆଳରେ ଏସଆଇଟି ଯଦୁପୁରରେ କେବଳ ଡ୍ରାମା କରୁଛି: ବିରୋଧୀ ଦଳ ନେତା

58

ଭୁବନେଶ୍ୱର: ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଆରମ୍ଭ ହୋଇଥିବା ପରୀ ପାଇଁ ପଦଯାତ୍ରା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ରବିବାର ଦିନ ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ଜାଂଳାରୁ ବାହାରି ସାରୁଅ ପର୍ଯ୍ୟନ୍ତ ଯାଇଛି। ଆସନ୍ତାକାଲି ୨୨ ତାରିଖରେ ସାରୁଅରୁ ବୋଲଗଡ଼ (ପିଚୁକୁଳି), ୨୩ ତାରିଖରେ ବୋଲଗଡ଼ (ପିଚୁକୁଳି)ରୁ ଇଟାମାଟି ଏବଂ ୨୪ ତାରିଖରେ ଇଟାମାଟିରୁ ନୟାଗଡ଼ ହୋଇ ଯଦୁପୁରଠାରେ ଯାତ୍ରା ସମାପ୍ତ ହେବ । ଆଜିର ଏହି ପଦଯାତ୍ରାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଯୋଗଦେଇ କହିଛନ୍ତି, ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟବ୍ୟାପୀ ଜନ ଆନ୍ଦୋଳନ ହେଉଥିବା ସମୟରେ ପରୀର ବାପା ମା’ ହତ୍ୟାକାରୀ ବାବୁଲି ନାଏକ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ କହୁଥିବା ସମୟରେ ଏସଆଇଟି ଜଣେ ନାବାଳକକୁ ଗିରଫ କରିଛି। ପରୀ ହତ୍ୟାକାଣ୍ଡ ସଂପର୍କରେ ବିଧାନସଭାରେ ବିରୋଧୀ ଦଳ ପଚାରିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହାକୁ ହତ୍ୟା ବୋଲି ସ୍ୱୀକାର କରିଥିଲେ। ପରୀର ମୃତ ଶରୀରରୁ ଦୁଷ୍କର୍ମ ହୋଇଛି ବୋଲି କୌଣସି ପ୍ରମାଣ ମିଳିପାରିବ ନାହିଁ ବୋଲି ପବିତ୍ର ଗୃହରେ ଗୃହରାଷ୍ଟ୍ର ମନ୍ତ୍ରୀ ଲିଖିତ ଉତ୍ତର ରଖିଥିଲେ। ଅନ୍ୟପଟେ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ପରୀର ଦୁଷ୍କର୍ମ ହୋଇଛି ବୋଲି କହିଛନ୍ତି। ତେବେ ଗୃହ ରାଷ୍ଟ୍ରମନ୍ତ୍ରୀ କି ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ମଧ୍ୟରୁ କିଏ ସତ କହୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି। ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀକୁ ରାଜ୍ୟ ସରକାର ନ୍ୟାୟ ଦେବାକୁ ଚାହୁଁନାହାଁନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିରୀହ ନାବାଳିକାଠୁ ତାଙ୍କ ଦଳର ମନ୍ତ୍ରୀ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ। ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର କିଛି ବି ପନ୍ଥା ଆପଣାଇ ପାରନ୍ତି। ରାଜ୍ୟ ସରକାର ଦୋଷୀକୁ ଦଣ୍ଡ ଦେବା ଅପେକ୍ଷା ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛନ୍ତି। ବିଭିନ୍ନ ତଦନ୍ତର ଆଳ ଦେଖାଇ ନିର୍ଦ୍ଦୋଷକୁ ଦୋଷୀ କରାଇବାରେ ମାହିର ଏସଆଇଟି ଟିମ୍ ପରୀ ହତ୍ୟାକାଣ୍ଡରେ ଜଣେ ନିରୀହ ଅନୁସୂଚିତ ଜାତିର ନାବାଳକକୁ ଦୋଷୀ ସଜାଇ ଗିରଫ କରିଛି। ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ବିଜେଡିର ହାତବାରେସି ସାଜି ଲିପାପୋତା କରି ପରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି ବୋଲି ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି। ଶାସକ ଦଳର ପ୍ରଭାବ ପୋଲିସର ନିଷ୍କ୍ରିୟତା ପାଇଁ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ‘ପରୀ’ର ହୃଦୟ ବିଦାରକ ହତ୍ୟା ଘଟଣା ୫ ମାସ ବିତି ଯାଇଥିଲେ ସୁଦ୍ଧା କୌଣସି ଅପରାଧିଙ୍କ ଟେର୍ ମିଳିଲା ନାହିଁ। ବିଧାନସଭା ଭିତରେ ଓ ବାହାରେ ପରୀ ସମେତ ରାଜ୍ୟର ନିଖୋଜ ୫୫୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଖୋଜି ଉଦ୍ଧାର କରିବା ଓ କୋଳଶୂନ୍ୟ ହୋଇଥିବା ମା’ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେପି ପ୍ରଥମରୁ ଦାବି କରିଆସୁଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ରାଜ୍ୟପାଳଙ୍କ ପାଖରେ ମଧ୍ୟ ଫେରାଦ ହେଲା। ରାଜ୍ୟ ସରକାର ଭୟଭୀତ ହୋଇ ବିଧାନସଭା ଗୃହକାର୍ଯ୍ୟକୁ ବନ୍ଦ କରିଦେଲେ। ରାଜ୍ୟସରକାର ଚଞ୍ଚକତା କରି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏସଆଇଟି ତଦନ୍ତର ଘୋଷଣା କଲେ। କିନ୍ତୁ ଗଠିତ ଏସଆଇଟିର ବୈଧତାକୁ ନେଇ ପ୍ରଶ୍ନ ଉଠିଛି। ଏସଆଇଟି ମୁଖ୍ୟ ଟଙ୍କା ଲାଞ୍ଚ ଯାଚି ତଦନ୍ତକୁ ପ୍ରଭାବିତ କରିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପାଇଛି। ପରୀ ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ ଆଳରେ ଏସଆଇଟି ଯଦୁପୁରରେ କେବଳ ଡ୍ରାମା କରୁଛି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି। ପରୀ ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ଏନସିପିସିଆର ପ୍ରଶ୍ନ ଉଠାଇଛି। ଏନସିଆରବି ରିପୋର୍ଟ ଅନୁଯାୟୀ ପ୍ରତିଦିନ ୨ ଘଣ୍ଟାରେ ଓଡ଼ିଶାରେ ନିଖୋଜ ହେଉଛନ୍ତି। ପ୍ରତିଟି ଶିଶୁକୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର କ’ଣ ଏସଆଇଟି ଗଠନ କରିବେ କି? ଯଦି ଏସଆଇଟି ନିଖୋଜ ଶିଶୁଙ୍କୁ ଖୋଜିବାର କାମ କରିବ ତେବେ ଓଡ଼ିଶାର ପୋଲିସ କ’ଣ କରୁଛି? ଲିପାପୋତା କାମ ଛାଡି ‘ପରୀ’ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ରାଜ୍ୟ ମନ୍ତ୍ରୀମଣ୍ଡଳର ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର ପାଇଁ ପ୍ରଦୀପ୍ତ ନାଏକ ଦାବି କରିଛନ୍ତି।


ରାଜ୍ୟରେ କେବଳ ଜଣେ ପରୀ ନୁହେଁ ଏହି ପଦଯାତ୍ରା ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ବାହାରିଛି। ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ। ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁମାନଙ୍କୁ ନ୍ୟାୟ ନମିଳିବା ଯାଏଁ ଏହି ଲଢ଼େଇ ଜାରି ରହିବ ବୋଲି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଚେତାବନୀ ଦେଇଛନ୍ତି। ଦ୍ୱିତୀୟ ଦିନ ପଦଯାତ୍ରାରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ରାଜ୍ୟ ମୁଖପାତ୍ର ଡ. ଯତୀନ ମହାନ୍ତି, ସୁଦୀପ୍ତ ରାୟ, ଠାକୁର ରଣଜିତ୍ ଦାସ, ସୋନାଲି ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, କୃଷ୍ଣ ଜଗଦ୍ଦେବ, ଋଷଭ ନନ୍ଦ, ଅଶୋକ ମିଶ୍ର, ବଦ୍ରୀ ନାରାୟଣ ଧଳ, ବିଶ୍ୱରଞ୍ଜନ ବଡ଼ଜେନା, କାଳୁ ଖଣ୍ଡାୟତରାୟ, ମନସ୍ମିତା ଖୁଣ୍ଟିଆ, ରଶ୍ମିମୟୀ ପଟ୍ଟନାୟକ, ବବିତା ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓ, ରୋଜିନା ଦାସଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ପଦଯାତ୍ରା ଅବସରରେ ପଦଯାତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତାଙ୍କ ସମେତ ସଚେତନ ନାଗରିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଛାତ୍ରନେତା ତଥା ସମାଜର ବିଭିନ୍ନ କ୍ଷେତ୍ରର ନେତୃତ୍ୱ ମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.