Home ଓଡ଼ିଶା ଭଲକୁ ଭଲ କହିବାଟା କଣ ଭୁଲ୍? ଭେ ଏ ଏ ..

ଭଲକୁ ଭଲ କହିବାଟା କଣ ଭୁଲ୍? ଭେ ଏ ଏ ..

538

ମୋ ମାମୁଁ ଘର ହଜ। କଳାପ୍ରେମୀ ଦର୍ଶକରେ ଭରପୂର ଗାଁ’ଟିଏ। ପ୍ରତି ବର୍ଷ କାଜୁ ଅମଳ ଟାଇମକୁ ସେ ଗାଁ’ର ଯୁବକ ସଂଘ ବଡ଼ ଅପେରା ପାର୍ଟି ଖେଳାଇଥାନ୍ତି। ଅବିଭକ୍ତ ପୁରୀ ଜିଲ୍ଲାରେ ସମସାମୟିକ ଜଙ୍କିଆ, ଚାନ୍ଦପୁର, ମଳିପଡ଼ା ପେଣ୍ଡାଲର ମଧ୍ୟ ଦୂର ଦୁରାନ୍ତରେ ନାଁ ଥାଏ। କଥାରେ ଅଛି ଯେତେ ଦର୍ଶକ, ସେତେ ରୋଚକ। ମୋ ଛୁଆ ବେଳ କଥା। ନବମ ଶ୍ରେଣୀରେ ପଢ଼ୁଥିଲି। ଖରା ଛୁଟିରେ ଯାତ୍ରା ପଡ଼ିଲା ମାନେ ଆମର ମାମୁଁଘର କ୍ୟାମ୍ପ। ମୋ ମାମୁଁ ପୁଅ ଭାଇ ଜୟୀନନା, ବାବିନନା ମ୍ୟାନେଜିଂ କମିଟି ମେମ୍ବର। ତେଣୁ ଆଗଧାଡ଼ି ଟିକଟ ପ୍ରାୟ ମିଳିଯାଏ। ମୋର ଏବେବି ମନେ ଅଛି ସାତଶଙ୍ଖ ଅପେରାର ସେ ନାଟକ- ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’, ‘ବାହା ବରକୁ ମୁଁ କରିଛି ପର’, ‘ମାନ ନ ତେଜିଲେ ମାନଗୋବିନ୍ଦ’। ବାଃ କି ଚମତ୍କାର ଥିଲା ନଗେନ୍ଦ୍ର ମହାନ୍ତିଙ୍କ ଲେଖା, ଜଗା ରାଉତଙ୍କ କମେଡି ଓ ଦେବୀ ରଥଙ୍କ କ୍ୟାରେକ୍ଟର ରୋଲ। ସୋନାଲି ଗଣନାଟ୍ୟର ରାମ ପର୍ଶୁରାମ, ପାର୍ବତୀର ଘୁଙ୍ଗୁର କାନ୍ଦୁଛି, ଅଷ୍ଟଶମ୍ଭୁର ଚାଲ ଦେଖିଯିବା ଅଷ୍ଟଶମ୍ଭୁଙ୍କୁ। ସୁରେଶ ପଣ୍ଡାଙ୍କ ଡେବ୍ୟୁଟ ସମୟ। ସତେଯେମିତି ତାଙ୍କ ଅଭିନୟର ତୁଳସୀ ସେଇଦିନୁଁ ହିଁ ବାସିଥିଲା। ସେହିପରି ତ୍ରିନାଥ, ତୁଳସୀ, ଗୌରୀ, ତାରାପୁର ଆଦି ପାର୍ଟିମାନେ ଅଭିଜ୍ଞ କଳାକାର, ମ୍ୟୁଜିକ, ଲାଇଟମାଇକ, ସାଜସଜ୍ଜା, ଆଦି ପାଇଁ ଓଡ଼ିଶାର ପୁରପଲ୍ଲୀରେ ଛାଇ ଯାଇଥିଲେ। ଏପରିକି ସେମାନଙ୍କୁ ବର୍ଷକ ଆଗରୁ ଏକରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ମଧ୍ୟ ଦିଆଯାଉଥିଲା।

କିନ୍ତୁ ମୋ ଜାଣିବାରେ ଯେଉଁ ତିନୋଟି ନାଟକ ଯାତ୍ରା ଇତିହାସର ଉକ୍ତ ସୁବର୍ଣ୍ଣ ଯୁଗକୁ ପ୍ରଜ୍ବଳିତ କରିଥିଲା, ତାହା ଥିଲା ଜନତା ଗଣନାଟ୍ୟର ‘ଶାଗୁଣା ବସିଛି ଡେଣା ମେଲେଇ’, ଶିବାନୀ ଗଣନାଟ୍ୟର ‘ମୋ ପେଂକାଳୀ ବଜେଇ ଦେ’ ଏବଂ ତାରିଣୀ ଗଣନାଟ୍ୟର ‘ଜୀଅନ୍ତା ଶବ’।ଉପର ଓ ତଳ ଦୁଇଟି ଭିଲେନ ବେସଡ଼ ଏବଂ ମଝିଟି ହିରୋ କୈଳାସ ବେହେରାଙ୍କ ଦମଦାର ପାଥେଟିକ ଅଭିନୟ। ଦୈତାରି ଆସିବା ଆଗରୁ ମଞ୍ଚ ଅନ୍ଧାର ହୋଇଯାଏ। ରେଡ଼ଲାଇଟର ଚକ୍ରି ଘୁରେ- ଆନାଉଁସ ହୁଏ- ଦୟାକରି ହାର୍ଟ ପେସେଣ୍ଟ, ଛୋଟ ପିଲା, ଗର୍ଭବତୀ ମହିଳା ପଛକୁ ପଳାନ୍ତୁ। ଟିଗିଡିଙ୍ଗ ଟିଙ୍ଗ– ଇକୋ, ଅକ୍ଟୋପ୍ୟାଡ଼ ମାଡ଼ – – ଇତ୍ୟାଦି ଇତ୍ୟାଦି। କିନ୍ତୁ ଆଜି ଯାହାଙ୍କୁ ପ୍ରାଧାନ୍ୟ ଦେବି, ସେ ଆଉ କେହି ନୁହଁନ୍ତି ରୋମାଞ୍ଚ ରୋମଟାଙ୍କୁରା ଦୁର୍ଦ୍ଧଷ ଖଳନାୟକ ମହେନ୍ଦ୍ର ଦାସ ଓରଫ ଭିକୁ ସେଠ। ସେଦିନ କଥା ଏବେବି ଜଳଜଳ ଦିଶୁଛି। ଯାତ୍ରା ସାମାନ ଅନଲୋଡ଼ ଚାଲିଥାଏ। କଳାକାର ମାନେ ଯେ ଯାହାର ବେଡିଂ ବିସ୍ତାର ଧରି କିଏ ସ୍କୁଲ ଘରେ ତ କିଏ ଫ୍ୟାମିଲି ଧରି ଘର ସନ୍ଧାନରେ ବ୍ୟଗ୍ର ଥାନ୍ତି। ହଠାତ ପାର୍ଟି ମାଲିକଙ୍କ ଗାଡ଼ି ଏସ୍କର୍ଟ କରି ଆଣିଲା ଜଣେ ବାହୁବଳି ଫ୍ରେଞ୍ଚ କଟ ଦାଢ଼ି ରଖା ଆଙ୍ଗୁଳି ମୋଟର ହାତେ ଲମ୍ବ ସୁନାଚେନ ପକେଇ ଇଣ୍ଡିକା କାର ଚଲେଇ ଆସୁଥିବା ଉଦ୍ଦାମ ଯୁବକଙ୍କୁ। ପଛରେ ଦୁଇଟି ଡୋଗରମ୍ୟାନ୍ କୁକୁର। ନିଆରା ପତିଆରାରେ ଡୋର ଖୋଲି ସିଗାରେଟରେ ଚୁମକ ଦେଉଦେଉ ଚାରିଆଡ଼ ପ୍ରକମ୍ପିତ ହେଲା- ଭିକୁ ସେଠ ଭିକୁ ସେଠ – – ଗାଁ ଦାଣ୍ଡରେ ହାତୀ ପଛରେ ଧାଇଁଲା ଭଳି ଆମେ କୁନି କୁନି ପିଲାମାନେ ଡେଇଁ ଡେଇଁ ଚାଲିଲୁ। ହୁଏତ ସେ ସ୍ପୃହା ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି କଳାକାରଙ୍କ ପାଇଁ ଅନ୍ତତଃ ମୋ ପକ୍ଷରେ ହୋଇନଥିବ। ଜୋନ ଚେଞ୍ଜ ସାଙ୍ଗକୁ ଡାଇଲଗ ଡେଲିଭରି ବେଳେବେଳେ ଆଗଧାଡ଼ିର ଆକ୍ଟରମାନେ ବି ମିସ ଟାଇମିଂ କରିଥାନ୍ତି। କିନ୍ତୁ ଭିକୁ ସେଠର ରଙ୍ଗମଞ୍ଚ ସମୟ ଚକର ଏକ ଜୀବନ୍ତ ପ୍ରତିବିମ୍ବ। ନାଁ ସେ କେବେ ଅସ୍ପଷ୍ଟ ନା ଅନାଦୃତ। ବହିଟିର ଅଦମ୍ୟ ସଫଳତା ତାଙ୍କ ପାଇଁ ଜନମାନସରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ପରେ ସେ ଯେଉଁ ଚରିତ୍ରରେ ଅଭିନୟ କଲେ, ତାହା ସର୍ବାଦୌ ପ୍ରଶଂସିତ ହେଲା। ଯେମିତିକି କଳିଙ୍ଗ ଗଣନାଟ୍ୟର ଫୁଲ ଆଣିଥିଲି ଫୁଲବାଣୀରୁରେ ଜୀଙ୍ଗୁଲୁ ଚରିତ୍ର। ସତେକି ଆଦିବାସୀ ପରିବାର ଜନ୍ମିତ। ପଠାନ ଭୂମିକାରେ କୁଆଡୁ ଆସେ ସେ ଉର୍ଧୁ ଉଚ୍ଚାରଣ। କ୍ରମେ ଭିକୁ ସେଠଙ୍କୁ ନିଜ ପାର୍ଟିରେ ନେବା ପାଇଁ ଖଣ୍ଡଯୁଦ୍ଧ ଚାଲିଲା, ପାର୍ଟି ମାଲିକ ମାନଙ୍କ ମଧ୍ୟରେ। ଅନେକ ଥର ମରଣାତ୍ମକ ଆକ୍ରମଣର ଶିକାର ମଧ୍ୟ ହୋଇଛନ୍ତି ସେ। ମୁଖ୍ୟ ଆକର୍ଷଣ, ପ୍ରାଞ୍ଜଳ, ନିଚ୍ଛକ ଅଭିନୟର ଯାଦୁରେ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ବିଜ୍ଞ ଦର୍ଶକ ମଣ୍ଡଳୀଙ୍କୁ ଏକସୂତ୍ରରେ ବାନ୍ଧି ରଖିଥିବା ଭିକୁ ସେଠ ଯେ ଆଉ ନାହାନ୍ତି, ଏକଥା ବିଶ୍ୱାସ କରି ହେଉ ନାହିଁ। ବାସ୍ତବ ଜୀବନରେ ଅତି ସାଧାରଣ, ଦୟାଳୁ, ନିର୍ଭୀକ ମଣିଷଟିର ଅକାଳ ବିୟୋଗ ଆଜି ଆକାଶ ସମ ଶୂନ୍ୟ ସ୍ଥାନଟିଏ ସୃଷ୍ଟି କରିଦେଲା। ଅଗଣିତ ଗୁଣମୁଗ୍ଧ ଜନସମାଜଙ୍କ ଆଖି ଆଜି କାଚପରି ପାଣିଚିଆ। ଗୀତା ବାଣୀ- ମରଣ ନୁହେଁ ମରଣ ଯାହାକୁ ଦୁନିଆଁ କରେନି ସ୍ମରଣ। ସତରେ ସେଦିନର ସେ ତନ୍ତ୍ରୀଥରା ଡାଇଲଗ – ଭେ – – ଏ ଏରେ କ୍ଷଣିକ ପାଇଁ ନିରବୀ ଯାଇଛି କରୋନାର କରାଳ ଛାୟା। ନମନ ଭିକୁ ସେଠ। ଆତ୍ମା ତବ ଅମର ରହେ।
ବିଭୂତି ଭୂଷଣ ମହାରଣା, କାଶୀପୁର
ନିରାକାରପୁର, ଖୋର୍ଦ୍ଧା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.