Home Top News ମେଗାଷ୍ଟାର ଚିରଞ୍ଜିବୀଙ୍କୁ ୫୩ତମ ଆଇଏଫଏଫଆଇ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର

ମେଗାଷ୍ଟାର ଚିରଞ୍ଜିବୀଙ୍କୁ ୫୩ତମ ଆଇଏଫଏଫଆଇ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର

77

ମୁମ୍ବାଇ: ୨୦୨୨ ବର୍ଷ ପାଇଁ ୫୩ ତମ ଆଇଏଫଏଫଆଇ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ଅଭିନେତା- ନିର୍ମାତା ମେଗାଷ୍ଟାର ଚିରଞ୍ଜିବୀ କୋନିଡେଲାଙ୍କୁ ସମ୍ମାନିତ କରାଯିବ। ଗୋଆରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଆଇଏଫଏଫଆଇର ୫୩ତମ ସଂସ୍କରଣର ଭବ୍ୟ ଉଦଘାଟନୀ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି ଘୋଷଣା କରିଛନ୍ତି। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଏକ ଗୌରବଜ୍ଜ୍ବଳ ଚଳଚ୍ଚିତ୍ର କ୍ୟାରିଅରରେ ଚିରଞ୍ଜିବୀ ତେଲୁଗୁ ଭାଷାରେ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହା ସହିତ ହିନ୍ଦୀ, ତାମିଲ ଏବଂ କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ତାଙ୍କୁ ତେଲୁଗୁ ସିନେମାର ଅନ୍ୟତମ ସଫଳ ତଥା ପ୍ରଭାବଶାଳୀ ଅଭିନେତା ଭାବରେ ବିବେଚନା କରାଯାଏ। ଚିରଞ୍ଜିବୀ ୧୯୮୨ରେ ଇଣ୍ଟିଲୋ ରାମାୟା ଭେଡିଲୋ କ୍ରିଷ୍ଣାୟାରେ ନିଜର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିଣିଥିଲେ। ଆକର୍ଷଣୀୟ ନୃତ୍ୟ ଏବଂ ଆକ୍ସନ ଦୃଶ୍ୟ ପାଇଁ ତାଙ୍କୁ ପ୍ରଶଂସା କରାଯାଇଥାଏ। ତାଙ୍କର ଚମତ୍କାର ଅଭିନୟ ତାଙ୍କୁ ମେଗାଷ୍ଟାରର ଉପାଧି ପ୍ରଦାନ କରିଛି। ଭାରତୀୟ ସିନେମା ପ୍ରତି ତାଙ୍କର ଯୋଗଦାନ ପାଇଁ ୨୦୦୬ରେ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା। ଆଇଏଫଏଫଆଇର ଉଦଘାଟନୀ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡା. ଏଲ୍. ମୁରୁଗନଙ୍କ ଉପସ୍ଥିତିରେ ଏହି ପୁରସ୍କାରର ଘୋଷଣା କରିଛନ୍ତି। ସିନେମା ପ୍ରତି ତାଙ୍କର ଅବଦାନ, ଲୋକପ୍ରିୟ ସଂସ୍କୃତି ଓ ସାମାଜିକ ଭାବରେ ଗୁରୁତ୍ବପୂର୍ଣ୍ଣ କଳାତ୍ମକ କାର୍ଯ୍ୟ ପାଇଁ ମେଗାଷ୍ଟାରଙ୍କୁ ଏହି ପୁରସ୍କାର ଦିଆଯାଉଛି।ଭେଟେରାନ୍ ଅଭିନେତାଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ଚିରଞ୍ଜିବୀଙ୍କର ପ୍ରାୟ ଚାରି ଦଶନ୍ଧି ଧରି ଏକ ଚମତ୍କାର ଅଭିନୟ କ୍ୟାରିଅର୍ ରହିଛି, ଯେଉଁଥିରେ ସେ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଜଣେ ଅଭିନେତା ଓ ନିର୍ମାତା ଭାବରେ କାର୍ଯ୍ୟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, “ତେଲୁଗୁ ସିନେମାରେ ତାଙ୍କର ଅତ୍ୟନ୍ତ ଲୋକପ୍ରିୟ, ତଥା ଅବିଶ୍ୱସନୀୟ ପ୍ରଦର୍ଶନ ହୃଦୟକୁ ଛୁଇଁ ଯାଇଥାଏ!” ପୂର୍ବରୁ ଏହି ପୁରସ୍କାରରେ ୱାହିଦା ରହମାନ, ରଜନୀକାନ୍ତ, ଇଲେୟାରାଜା, ଏସ୍ ପି ବାଲଶୁବ୍ରମନିୟମ, ଅମିତାଭ ବଚ୍ଚନ, ସଲିମ୍ ଖାନ୍, ବିଶ୍ୱଜିତ୍ ଚାଟାର୍ଜୀ, ହେମା ମାଳିନୀ ଏବଂ ପ୍ରସୁନ୍ ଯୋଶୀଙ୍କ ଭଳି ମହାନ କଳାକାରଙ୍କୁ ସମ୍ମାନିତ କରାଯାଇଛି।
/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.