Home Top News ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..

36

ମକର ସଂକ୍ରାନ୍ତି ସର୍ବ ଭାରତୀୟ ସ୍ତରରେ ପାଳନ କରାଯାଉଥିବା ଏକ ଗଣପର୍ବ। ଏହି ପର୍ବକୁ ହିନ୍ଦୁ ଧର୍ମରେ ଉତ୍ସାହ ଏବଂ ଉଲ୍ଲାସରର ସହିତ ପାଳନ କରାଯାଏ। ଓଡ଼ିଶା ସମେତ କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ, ବଙ୍ଗଳା ପ୍ରଭୃତି ସ୍ଥାନରେ କୃଷକ ମାନେ ମକର ପର୍ବକୁ ଦୁଇଦିନ ବା ତିନିଦିନ ପାଳନ କରିଥାଆନ୍ତି। ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ। ଦକ୍ଷିଣରେ ତେଲଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ଭାବରେ ପାଳନ କରନ୍ତି। ଏହି ଦିନଟିକୁ ସେମାନଙ୍କ ନବବର୍ଷ ରୂପେ ପାଳନ କରନ୍ତି। କେତେକ ସ୍ଥାନରେ ଏହା ଭୋଗୀ ପର୍ବ ଭାବେ ମଧ୍ୟ ପରିଚିତ। ଭାରତ ବାହାରେ ରୋମାନ ଓ ଇହୁଦୀ ମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାଆନ୍ତି। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ। ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି। ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି। ଏହି ଦିନ ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ। ଏହି ସମୟରେ ଅଭୀଷ୍ଟ ସିଦ୍ଧି ପାଇଁ ସୂର୍ଯ୍ୟ ଉପାସନ କରାଯାଏ। ଓଡ଼ିଆରେ ପ୍ରବାଦ ଅଛି, “ମକରଠାରୁ ଦିନ ବକର ହୁଏ”। ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ। ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ। ପୁରାଣ ଅନୁଯାୟୀ ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁ ମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି। ଏହି ଦିନ ଶିବ ପୂଜା ମଧ୍ୟ କରାଯାଇ ଥାଏ। ମକର ସଂକ୍ରାନ୍ତିରେ ପ୍ରତ୍ୟୁଷରୁ ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। ତେଣୁ କେଉଁ ଆବାହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନ ମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲି ଆସିଛି। ଏହି ଦିନ ପ୍ରସିଦ୍ଧ ଗଙ୍ଗା ସାଗର ଠାରେ ଏକ ବିରାଟ ମେଳା ହୁଏ। ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗା ସାଗରରେ ବୁଡ଼ ପକାଇଥାଆନ୍ତି। ମକର ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଥାଏ ।ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି ଯେ, ମକର ସଂକ୍ରାନ୍ତି ଦିନ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧିରେ ସ୍ନାନ କରି ଶ୍ରୀମନ୍ଦିରରେ କଳ୍ପବଟ ପ୍ରଦକ୍ଷିଣ ପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଅଶେଷ ଫଳପ୍ରାପ୍ତି ହୋଇଥାଏ।

ମକର ଚାଉଳ –
ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହ ଦେବତାଙ୍କୁ ଓ ଧାନ ଖଳାରେ ଭୋଗ ଲଗାଯାଏ। ଏହି ଭୋଗ ‘ମକର ଚାଉଳ’ ଭାବେ ପରିଚିତ। ଏହି ଭୋଗ ଖୁଆଖୁଇ ହୋଇ ଲୋକେ ‘ମକର’ ବସନ୍ତି । କେତେକ ଅଞ୍ଚଳରେ ନୂଆ ଧାନର ଚାଉଳରେ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆ ଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ।ସୂର୍ଯ୍ୟଙ୍କ ଯୋଗୁଁ କୃଷି କ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥାଆନ୍ତି। ସେହିପରି ଓଡ଼ିଶାର ଉତ୍ତରାଞ୍ଚଳରେ, ବିଶେଷତଃ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀ ମାନଙ୍କର ମକରଯାତ୍ରା ଏକ ପ୍ରଧାନ ପର୍ବ। ଏହି ଅଞ୍ଚଳରେ ବସବାସ କରୁ ଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ “ଟୁସୁ ପରବ” ରୂପେ ପାଳନ କରିଥାଆନ୍ତି। ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ହୋଇଥାଏ। ସମସ୍ତେ ନୂଆବସ୍ତ୍ର ପରିଧାନ କରନ୍ତି। ନାଚଗୀତ ଓ ଭୋଜି ଭାତ ମାଧ୍ୟମରେ ଏହି ପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥାଆନ୍ତି । ମାଳ ଅଞ୍ଚଳରେ ମକର ଯାତ୍ରା ବଡ଼ ଜାକଜମକରେ ଦୀର୍ଘଦିନ ଧରି ପାଳନ କରାଯାଏ। ଏହି ସମୟରେ ଆଦିବାସୀ ଅଞ୍ଚଳ ଗୁଡ଼ିକ ଯାତ୍ରା ମେଳଣର ଆମୋଦ ପ୍ରମୋଦରେ ଜୀବନ୍ତ ହୋଇଉଠେ। ସେମାନଙ୍କ ପରମ୍ପରା ଅନୁଯାୟୀ “ଟୁସୁ ପରବ” ଏକ ସ୍ନେହ, ପ୍ରେମ ଓ ସଦ୍‌ଭାବନାର ମହୋତ୍ସବ।
– ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.