Home ଆମ ପର୍ବ ପର୍ବାଣୀ ଗଙ୍ଗା ଦଶହରା; ଜୀବନଦାୟୀ ସହିତ ମୁକ୍ତି ପ୍ରଦାନ କରିଥାଆନ୍ତି ଗଙ୍ଗାମାତା: ଗଙ୍ଗାବତରଣ କଥା ..

ଗଙ୍ଗା ଦଶହରା; ଜୀବନଦାୟୀ ସହିତ ମୁକ୍ତି ପ୍ରଦାନ କରିଥାଆନ୍ତି ଗଙ୍ଗାମାତା: ଗଙ୍ଗାବତରଣ କଥା ..

475

।।ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ
ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍‌ ସନ୍ନିଧିଂ କୁରୁ।।

ଆଜି ଗଙ୍ଗା ଦଶହରା। ଆଜିର ଦିନରେ ଧରାପୃଷ୍ଠରେ ଅବତରଣ କରିଥିଲେ ଗଙ୍ଗାମାତା। ଦଶହରା କହିଲେ ଆଶ୍ୱିନ ମାସରେ ପାଳିତ ହେଉଥିବା ଦୁର୍ଗାପୂଜାକୁ ବୁଝାଏ। ଅନ୍ୟଟି ଚୈତ୍ର ମାସର ଶୁକ୍ଳ ଦଶମୀ। ଯାହାକୁ ବାସନ୍ତୀକ ଦୁର୍ଗାପୂଜା କୁହାଯାଏ। ତେବେ, ଜ୍ୟୈଷ୍ଠ ଶୁକ୍ଳ ଦଶମୀ ଦିନଟି ଗଙ୍ଗାମାତାଙ୍କୁ କେନ୍ଦ୍ରକରି ଗଙ୍ଗା ଦଶହରା ଭାବେ ପାଳନ କରାଯାଏ। ଦଶଦୋଷ ବା ପାପରୁ ଯିଏ ମୁକ୍ତି ପ୍ରଦାନ କରନ୍ତି ସିଏ ମା’ ଗଙ୍ଗା। ଗଙ୍ଗା ଦଶହରା ଦିନ ଗଙ୍ଗା ଘାଟରେ ବୁଡ଼ ପକାଇଲେ ମନୁଷ୍ୟର ସମସ୍ତ ପାପ ଧୋଇ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଗଙ୍ଗାସ୍ନାନ କଲେ ଅନେକ ପୁଣ୍ୟ ମିଳିଥାଏ। କିନ୍ତୁ ଏହି ଦିନରେ ସ୍ୱତନ୍ତ୍ର ପୁଣ୍ୟ ଲାଭ ହୋଇଥାଏ ।

ଧରାପୃଷ୍ଠରେ କିପରି ହୋଇଥିଲା ଗଙ୍ଗାବତରଣ –
ସୂର୍ଯ୍ୟବଂଶୀ ରାଜା ଭରତ ଅତ୍ୟନ୍ତ ପରାକ୍ରମୀ ଏବଂ ଧର୍ମଶୀଳ ରାଜା ଥିଲେ। କିନ୍ତୁ ତାଙ୍କ ପୁତ୍ର ମହାରାଜ ବାହୁ ଧର୍ମଭୀରୁ ସହିତ ପରାକ୍ରମୀ ନଥିବାରୁ ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହୋଇ ବନଗାମୀ ହେଲେ। ତାଙ୍କର ଦୁଇରାଣୀ ଥିଲେ। ପାରିବାରିକ କଳହରୁ ଜଣେ ବିଷପାନ କରି ପ୍ରାଣତ୍ୟାଗ କଲେ। ଅନ୍ୟଜଣେ ରାଣୀଙ୍କଠାରୁ ସାଗର ଜନ୍ମ ଗ୍ରହଣ କଲେ। ତାଙ୍କର ମଧ୍ୟ ଦୁଇ ପତ୍ନୀ ଥିଲେ। ପ୍ରଥମ ପତ୍ନୀ ସୁମତୀଙ୍କ ଔରସରୁ ୬୦ ହଜାର ପୁତ୍ର ଜନ୍ମ ଗ୍ରହଣ କଲେ। ଦ୍ୱିତୀୟ ରାଣୀ କେଶିନୀଙ୍କ ଗର୍ଭରୁ ଏକମାତ୍ର ପୁତ୍ର ସନ୍ତାନ ଅସମଞ୍ଜ ବା ଅଶମଞ୍ଜସ ଜନ୍ମ ହେଲେ। ଥରେ ମହାରାଜ ସାଗର ଅଶ୍ୱମେଧ ଯଜ୍ଞ କରିବାକୁ ଆୟୋଜନ କଲେ। କାଳେ ଅଶ୍ୱମେଧ ଯଜ୍ଞ କରି, ସାଗର ସ୍ୱର୍ଗର ରାଜା ହୋଇଯିବେ ଭୟରେ ଇନ୍ଦ୍ର କପଟ କରି ଅଶ୍ୱକୁ ଚୋରୀ କରି ନେଇଗଲେ ଏବଂ ପାତଳପୁରୀ କପିଳମୁନିଙ୍କ ଆଶ୍ରମରେ ନେଇ ବାନ୍ଧିଦେଲେ। ଯଜ୍ଞ ପାଇଁ ଏହା ଏକ ପ୍ରତିବନ୍ଧକ ଥିଲା। ତେଣୁ ସାଗର ଅଶ୍ୱମେଧ ଯଜ୍ଞ ନିମନ୍ତେ ଷାଠିଏ ହଜାର ପୁତ୍ରଙ୍କୁ ଅଶ୍ୱକୁ ଅନ୍ୱେଷଣ କରିବାକୁ ନିର୍ଦ୍ଦେଶ ଦେଲେ। ସାଗର ପୁତ୍ରମାନେ ସମଗ୍ର ପୃଥିବୀ ଅନ୍ୱେଷଣ କରି ବିଫଳ ହେଲେ। ଏହାପରେ ସେମାନେ ପୃଥିବୀ ଖୋଳି ଅଶ୍ୱକୁ ଖୋଜିଖୋଜି କପିଳ ମୁନିଙ୍କ ଆଶ୍ରମରେ ଯାଇ ପହଁଚିଲେ। ସେଠାରେ ଅଶ୍ୱ ଘାସ ଚରୁଥିବାର ଦେଖି ମୁନିଙ୍କୁ ଚୋର ବୋଲି କହି ଅପମାନିତ କରି ଚିତ୍କାର କଲେ। କପିଳ ମୁନି ଧ୍ୟାନରେ ବସିଥିଲେ। ତାଙ୍କ ଧ୍ୟାନ ଭାଙ୍ଗିଗଲା ଏବଂ ତାଙ୍କର ଜ୍ବଳନ୍ତ ଆଖି ଖୋଲିବା ମାତ୍ରେ ୬୦ ହଜାର ପୁତ୍ର ଭସ୍ମ ହୋଇଗଲେ। ଏମାନେ ନଫେରିବାରୁ ସାଗର ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଅସମଜ୍ଞ ବା ଅଶମଞ୍ଜସଙ୍କ ପୁତ୍ର ଅର୍ଥାତ୍‌ ନାତି ଅଂଶୁମାନଙ୍କୁ ସେମାନଙ୍କୁ ଖୋଜିବାକୁ ପଠାଇଲେ।

ଅଂଶୁମାନ କପିଳ ମୁନିଙ୍କଠାରୁ ଅଶ୍ୱ ଆଣି ପହଁଚିଲେ। ଯଜ୍ଞ ସମ୍ପନ୍ନ ହେଲା। ଏହାସହିତ ଅଂଶୁମାନ ପ୍ରକୃତ ଘଟଣା ସଂପର୍କରେ ସାଗରଙ୍କୁ ଜଣାଇଲେ। ଏହାପରେ ପିତୃତ୍ତ୍ୟମାନଙ୍କ ଉଦ୍ଦେଶ୍ୟରେ ଜଳ ତର୍ପଣ କରିବାକୁ ଗଲାବେଳେ ଗୋଟିଏ ପକ୍ଷୀ ଅଂଶୁମାନଙ୍କୁ କହିିଲା ଯେ ଜଳ କି ତିଳତର୍ପଣ ନୁହେଁ। ସେମାନଙ୍କର ମୁକ୍ତି ପାଇଁ ଗଙ୍ଗାଙ୍କର ପବିତ୍ର ଧାରାର ସ୍ପର୍ଶ ଆବଶ୍ୟକ। ଅଂଶୁମାନ କଠୋର ତପସ୍ୟା କଲେ। କିନ୍ତୁ, ତାହା ନିରର୍ଥକ ହେଲା। ଏହାପରେ ଅଂଶୁମାନଙ୍କ ପୁତ୍ର ଦିଲ୍ଲିପ ମଧ୍ୟ ସମଚେଷ୍ଟା କରି ବିଫଳ ହେଲେ। ଦିଲ୍ଲୀପ ନିଃସନ୍ତାନ ଥିଲେ। ଏହାପରେ ତାଙ୍କର ଦୁଇ ବିଧବା ପତ୍ନୀ ଭଦ୍ରା ଓ ସୁଭଦ୍ରାଙ୍କୁ ବଂଶରକ୍ଷା ନିମନ୍ତେ ପ୍ରେମାବଦ୍ଧ ହେବାକୁ ଐବଋଷି ପରାମର୍ଶ ହେଲେ। ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ହେଲେ ଏବଂ ମାଂସ ପିଣ୍ଡୁଳାଟିଏ ଜନ୍ମ ଦେଲେ। ଋଷିଙ୍କ ପରାମର୍ଶ କ୍ରମେ ରାଣୀ ତାଙ୍କୁ ରାଜପଥରେ ଶୁଆଇ ଦେଲେ। ସେହି ସମୟରେ ଅଷ୍ଟବକ୍ର ଋଷି ଯାଉଥିବା ବେଳେ ମାଂସ ପିଣ୍ଡୁଳାଟି ଦୃଷ୍ଟିଗୋଚର ହେଲା। ସେହି ମାଂସ ପିଣ୍ଡୁଳାଟିର ଅସ୍ତିତ୍ୱର ରୂପ ଦେଖି କାଳେ ଏହା ତାଙ୍କୁ ବିଦ୍ରୁପ କରୁଛି ବୋଲି ଭାବି ଅଷ୍ଟବକ୍ର ଋଷି ତାଙ୍କୁ ଅଭିଶାପ ଦେଇ କହିଲେ, ଉପହାସ କରୁଥିଲେ ଧ୍ୱଂସ ପାଇଯାଅ, ନହେଲେ ଦିବ୍ୟ ପୁରୁଷ ପାଲଟିଯାଅ। ଅଭିଶାପ ଆଶୀର୍ବାଦ ହେଲା। ସେ ହେଲେ ଭଗୀରଥ।

ଭଗୀରଥ ପୂର୍ବପୁରୁଷଙ୍କ କାହାଣୀ ଶୁଣିଲେ ଏବଂ ସେମାନଙ୍କ ପାପଗ୍ରସ୍ତ ଦଗ୍ଧ ଶରୀର ଓ ଆତ୍ମାର ମୁକ୍ତି ନିମନ୍ତେ ସେ ନିର୍ଘାତ ମୁନି, କପିଳାସ, ପ୍ରଜାପତି, ବୈକୁଣ୍ଠପୁରୀ, ମେରୁଗିରି, ଐରାବତ, ଇନ୍ଦ୍ରପୁରୀ, ଜହ୍ନିଋଷି, ଯମୁନା, ସରସ୍ୱତୀ ଏବଂ ମାଧବ ନାରାୟଣ ଇତ୍ୟାଦି ଧାମରେ ୧୨ବର୍ଷ ଲେଖାଏଁ ଧରି ୧୪୪ ବର୍ଷ ତପସ୍ୟା କଲେ। ଭଗୀରଥଙ୍କ କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ତାଙ୍କୁ ବର ମାଗିବାକୁ କହିଥିଲେ। ଭଗୀରଥ ଗଙ୍ଗା ମାଗିଲେ। ବ୍ରହ୍ମା ଏହା ଉପରେ କହିଲେ, “ହେ ରାଜନ, ଆପଣ ଚାହୁଁଛନ୍ତି କି ଗଙ୍ଗା ପୃଥିବୀରେ ଅବତରଣ କରନ୍ତୁ। କିନ୍ତୁ, ଆପଣ ପ୍ରୀତିଙ୍କୁ ପଚାରିଛନ୍ତି କି, ସେ ଗଙ୍ଗାଙ୍କର ଭାର ଏବଂ ବେଗକୁ ସମ୍ଭାଳି ପାରିବେ କି ନାହିଁ, ଗଙ୍ଗାଙ୍କ ବେଗକୁ ନିୟନ୍ତ୍ରଣ କରିବା ପାଇଁ କେବଳ ମହାଦେବଙ୍କର ଶକ୍ତି ରହିଛି। ତେଣୁ ଗଙ୍ଗାଙ୍କ ଭାର ଏବଂ ବେଗକୁ ନିୟନ୍ତ୍ରଣ କରିବା ପାଇଁ ଭଗବାନ ଶିବଙ୍କ କୃପା ପାଇବା ଉପଯୁକ୍ତ ହେବ।”

ଏହାପରେ ବ୍ରହ୍ମା ତାଙ୍କ କମଣ୍ଡଳରୁ ଗଙ୍ଗା ସ୍ରୋତ ଛାଡ଼ିଥିଲେ। ତା’ପରେ ଭଗବାନ ଶିବ ତାଙ୍କ ଜଟାରେ ଗଙ୍ଗାଙ୍କ ସ୍ରୋତକୁ ଧାରଣ କରି ଜଟାକୁ ବାନ୍ଧିଦେଲେ। ଗଙ୍ଗା ଶିବଙ୍କ ଜଟାରୁ ବାହାରିବାର ରାସ୍ତା ପାଇଲେ ନାହିଁ। ମହାରାଜ ଭଗୀରଥ ଅଧିକ ଚିନ୍ତିତ ହୋଇ ପଡ଼ିଲେ। ସେ ପୁଣି ଥରେ ଭଗବାନ ଶିବଙ୍କ ଆରାଧନାରେ କଠୋର ତପସ୍ୟା ଆରମ୍ଭ କରିଦେଲେ। ଭଗୀରଥଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ଗଙ୍ଗାଙ୍କ ଧାରାକୁ ମୁକ୍ତ କରିଦେଲେ। ଶିବଙ୍କ ଜଟାରୁ ମୁକ୍ତି ପାଇବା ପରେ ଗଙ୍ଗା ଧରା ପୃଷ୍ଠରେ ଅବତରଣ କରି ହିମାଳୟର ଉପତ୍ୟକାରୁ କଳକଳ ନାଦ କରି ପ୍ରବାହିତ ହେଲେ। ଏହିପରି ଭାବରେ ପୃଥିବୀ ପୃଷ୍ଠରେ ଗଙ୍ଗାଙ୍କ ବରଣ କରି ଭାଗୀରଥ ବହୁତ ଭାଗ୍ୟବାନ ହୋଇଗଲେ। ସେ ନିଜର ତପସ୍ୟା ବଳରେ ଆଗାମୀ ପୀଢ଼ିଙ୍କୁ ଉପକୃତ କରାଇଲେ। ଯୁଗ ଯୁଗ ଧରି ପ୍ରବାହିତ ଗଙ୍ଗାଙ୍କ ସ୍ରୋତ ମହାରାଜା ଭାଗୀରଥଙ୍କ କଠୋର ସାଧନାର କଥା କହିଥାଏ। ଗଙ୍ଗା କେବଳ ଜୀବକୁ ଜୀବନ ଦେଇନଥାନ୍ତି, ବରଂ ମୁକ୍ତି ପ୍ରଦାନ ମଧ୍ୟ କରି ଥାଆନ୍ତି। ।।ଜୟ ଗଙ୍ଗା ମାତା।। – ଦେବଦତ୍ତ ରଥ
।।ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ
ନର୍ମଦେ ସିନ୍ଧୁ କାବେରୀ ଜଳେ ଅସ୍ମିନ୍‌ ସନ୍ନିଧିଂ କୁରୁ।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.