Home ଓଡ଼ିଶା କୋଭିଡ-୧୯ ଲକଡାଉନ ଜନିତ କଟକଣା ସତ୍ୱେ ଏପ୍ରିଲରେ ନେଶନାଲ ଫର୍ଟିଲାଇଜର୍ସ ଲିମିଟେଡର ବିକ୍ରି ୭୧ ଶତାଂଶ...

କୋଭିଡ-୧୯ ଲକଡାଉନ ଜନିତ କଟକଣା ସତ୍ୱେ ଏପ୍ରିଲରେ ନେଶନାଲ ଫର୍ଟିଲାଇଜର୍ସ ଲିମିଟେଡର ବିକ୍ରି ୭୧ ଶତାଂଶ ବୃଦ୍ଧି

158

ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ରସାୟନ ଓ ସାର ମନ୍ତ୍ରଣାଳୟ ଅନ୍ତର୍ଗତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନେଶନାଲ ଫର୍ଟିଲାଇଜର୍ସ ଲିମିଟେଡ କୋଭିଡ-୧୯ ଜନିତ ଦେଶର ଲକଡାଉନ କଟକଣା ସତ୍ୱେ ଏପ୍ରିଲ ମାସରେ ତାହାର ବିକ୍ରିରେ ୭୧ ଶତାଂଶ ବୃଦ୍ଧି ହାସଲ କରିଛି। ଗତବର୍ଷ ଏପ୍ରିଲ ମାସରେ ଏହି ସଂସ୍ଥା ୨.୧୨ ଲକ୍ଷ ମେଟ୍ରିକ ଟନ ସାର ବିକ୍ରି କରିଥିବା ବେଳେ ଏଥର ୩.୬୨ ଲକ୍ଷ ଟନରେ ପହଁଚାଇଛି।

ଲକଡାଉନ ଯୋଗୁଁ ଏହି କମ୍ପାନୀକୁ କାର୍ଯ୍ୟ ସଂପାଦନ ଓ ସମଗ୍ର ବ୍ୟବସ୍ଥାର ସଂଚାଳନ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏହାସତ୍ୱେ କମ୍ପାନୀ ପକ୍ଷରୁ ଚାଷୀଙ୍କୁ ଚାଷବାସର ଗୁରୁତ୍ୱପୂର୍ଣ୍ଣ ସମୟରେ ଆବଶ୍ୟକ ସାର ଯୋଗାଇ ଦେବାକୁ ସବୁମନ୍ତେ ଉଦ୍ୟମ କରାଯାଇଥିଲା। ଏହି ସଫଳତା ପାଇଁ ସଂସ୍ଥାର ସିଏମଡି ମନୋଜ କୁମାର ମିଶ୍ର କମ୍ପାନୀର ମାର୍କେଟିଂ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

ନେଶନାଲ ଫର୍ଟିଲାଇଜର୍ସ କମ୍ପାନୀ ଦେଶର ପାଞ୍ଚଟି ସ୍ଥାନରେ ଥିବା ତାହାର କାରଖାନାରୁ ୟୁରିଆ ଉତ୍ପାଦନ କରେ। ସେଗୁଡିକ ହେଲା ପଞ୍ଜାବର ନଙ୍ଗଲ ଓ ଭଟିନ୍ଦା, ହରିୟାଣାର ପାନିପଥ ଏବଂ ମଧ୍ୟପ୍ରଦେଶ ବିଜୟପୁରରେ ଦୁଇଟି ପ୍ଳାଣ୍ଟ ରହିଛି। କମ୍ପାନୀର ମୋଟ ୟୁରିଆ ଉତ୍ପାଦନ କ୍ଷମତା ୩୫.୬୮ ଲକ୍ଷ ମେଟ୍ରିକ ଟନ ରହିଥିଲେ ମଧ୍ୟ ଏହା କ୍ରମାଗତ ଭାବେ ପଞ୍ଚମ ବର୍ଷ ପାଇଁ ସାର ଉତ୍ପାଦନ ଓ ବିକ୍ରିରେ ଉଚ୍ଚ ଅଭିବୃଦ୍ଧି ହାର ହାସଲ କରି ଆସୁଛି। ୨୦୧୯-୨୦ରେ ସର୍ବାଧିକ ୫୭ ଲକ୍ଷ ଟନ ସାର ବିକ୍ରୟ କରି କମ୍ପାନୀ ରେକର୍ଡ ସୃଷ୍ଟି କରିଛି।

ଏକ ଜଟିଳ ସମୟରେ ଚାଷୀଙ୍କୁ ସାହାଯ୍ୟ କରିବାକୁ ସରକାର ଯେଉଁ ଅଂଗୀକାର ପ୍ରକାଶ କରିଛନ୍ତି ତାହାକୁ ପୂରଣ କରିବା ପାଇଁ କମ୍ପାନୀ ପ୍ଳାଣ୍ଟଗୁଡିକର ସର୍ବାଧିକ ଦକ୍ଷତା ଉପଯୋଗ କରି ସାର ଉତ୍ପାଦନ କରୁଛି। ଫଳରେ ୟୁରିଆ ଓ ଅନ୍ୟାନ୍ୟ ସାରର ଅଭାବ ନାହିଁ।

ଏତଦ ବ୍ୟତୀତ କମ୍ପାନୀର କର୍ମଚାରୀମାନେ ଗୋଟିଏ ଦିନର ବେତନ ୮୮ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି। ସେହିଭଳି ସିଏସ୍ଆର ପାଣ୍ଠିରୁ ୬୩.୯୪ ଲକ୍ଷ ଟଙ୍କା ମଧ୍ୟ ପିଏମ୍ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.