Home ଓଡ଼ିଶା ଦେଶରେ କମୁଛି ଆତଙ୍କବାଦୀ ଘଟଣା – ଆଭ୍ୟନ୍ତରୀଣ କ୍ଷେତ୍ରରେ ୭୦% ହ୍ରାସ

ଦେଶରେ କମୁଛି ଆତଙ୍କବାଦୀ ଘଟଣା – ଆଭ୍ୟନ୍ତରୀଣ କ୍ଷେତ୍ରରେ ୭୦% ହ୍ରାସ

116

– ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ୮୬% କମିଛି
– ଆତଙ୍କବାଦ ବିରୋଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି
– ସୁରକ୍ଷାବାହିନୀର ଅଧିକ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ
– କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତମ ସମନ୍ୱୟ ପ୍ରତିଷ୍ଠା

ନୂଆ ଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) ପୂର୍ବ ଦଶନ୍ଧି ତୁଳନାରେ ଚଳିତ ଦଶନ୍ଧି ୧.୪.୨୦୦୯ ଠାରୁ ୩୦.୬.୨୦୧୯ ମଧ୍ୟରେ ଦେଶରେ ଆତଙ୍କବାଦୀ ଆକ୍ରମଣ ଘଟଣା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି, ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସୁରକ୍ଷାବାହିନୀର ପ୍ରଭାବୀ ଏବଂ ଲଗାତାର କାର୍ଯ୍ୟାନୁଷ୍ଠାନ କାରଣରୁ ଆତଙ୍କବାଦୀ ଆକ୍ରମଣ ଭଳି ଘଟଣା କ୍ରମାଗତ ଭାବେ ହ୍ରାସ ପାଇଛି। ଦେଶର ଆଭ୍ୟନ୍ତରୀଣ ଅଂଚଳରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭୦% ହ୍ରାସ ପାଇଛି। ପୂର୍ବଦଶନ୍ଧିରେ ମୋଟ ୭୧ଟି ଘଟଣା ଘଟିଥିବା ସମୟରେ ଚଳିତ ଦଶନ୍ଧିରେ ଏହା ମାତ୍ର ୨୧ଟି ଘଟଣାରେ ସୀମିତ ରହିଛି। ଅନୁରୂପ ଭାବେ ଜାମ୍ମୁ ଓ କାଶ୍ମୀରରେ ପୂର୍ବ ଦଶନ୍ଧିରେ ୨୩, ୨୯୦ଟି ଆତଙ୍କବାଦୀ କାର୍ଯ୍ୟକଳାପ ସଂଘଟିତ ହୋଇଥିଲା। ଏଥିରେ ମଧ୍ୟ ୮୬% ହ୍ରାସ ଘଟି ଚଳିତ ଦଶନ୍ଧିରେ ମାତ୍ର ୩୧୮୭ଟି ଘଟଣା ଘଟିଛି।

ଆହୁରି, ୨୦୧୮ ତୁଳନାରେ ଚଳିତ ବର୍ଷର ଅଧା ଅବଧି ମଧ୍ୟରେ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୮% ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ୫୯% ବୃଦ୍ଧି ପାଇଛି।

ଆତଙ୍କବାଦ ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି। କେନ୍ଦ୍ର ଏବଂ ରାଜ୍ୟସ୍ତରରେ ଗୁଇନ୍ଦା ଓ ସୁରକ୍ଷାବାହିନୀ ମଧ୍ୟରେ ନିବିଡ଼ ତଥା ପ୍ରଭାବୀ ସମନ୍ୱୟ ରହିଛି। ବହୁମୁଖୀ ସଂସ୍ଥା କେନ୍ଦ୍ର (ଏମଏସି)କୁ ସୁଦୃଢ଼ ଏବଂ ପୁନଃସଂଗଠିତ କରାଯାଇଛି। ଫଳରେ ଏହା ଦିନରାତି ୨୪ ଘଂଟା ଆଧାରରେ କାର୍ଯ୍ୟ କରି ସଠିକ ସମୟରେ ସମ୍ପୃକ୍ତ କେନ୍ଦ୍ରୀ ଓ ରାଜ୍ୟ ସଂସ୍ଥାଗୁଡ଼ିକୁ ଗୁଇନ୍ଦା ସୂଚନା ପ୍ରଦାନ କରିପାରୁଛି।

ଆତଙ୍କବାଦ ସଂକ୍ରାନ୍ତ ମାମଲାର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ସୁଦୃଢ଼ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ରାଜ୍ୟଗୁଡ଼ିକ ସ୍ୱତନ୍ତ୍ର ବାହିନୀ ଗଠନ କରିଛନ୍ତି। ରାଜ୍ୟଗୁଡ଼ିକର ସହାୟତା ଲାଗି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଏବଂ ଜାତୀୟ ସୁରକ୍ଷା ବାହିନୀ (ଏନଏସଜି)କୁ ଦେଶର ବିଭିନ୍ନ ପ୍ରାନ୍ତରେ ମୁତୟନ କରାଯାଇଛି। ଆତଙ୍କବାଦ ମାମଲାରେ ଗୁଇନ୍ଦା ସୂଚନା ଯୋଗାଇ ଦେବା ଏବଂ ତଦନ୍ତ କରିବା ଲାଗି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଲୋକସଭାରେ ପଚରାଯାଇଥିବା ପ୍ରଶ୍ନର ଉତରରେ ଦିଆଯାଇଥିବା ଲିଖିତ ଉତରରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଏହି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.