Home ଓଡ଼ିଶା ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

333

ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଆଜି ପୂର୍ବାହ୍ନ ୧୦ଟା ୨୦ମିନିଟ ସମୟରେ ସୁପରସୋନିକ ଦୂରଗାମୀ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଏହି କ୍ଷେପଣାସ୍ତ୍ରରେ ଭାରତୀୟ କ୍ଷେପଣ ପଦ୍ଧତି, ଏୟାରଫ୍ରେମ, ଇନ୍ଧନ ଯୋଗାଣ ତଥା ଅନ୍ୟାନ୍ୟ ପ୍ରମୁଖ ସ୍ୱଦେଶୀ ସରଞ୍ଜାମ ଓ ଜ୍ଞାନକୌଶଳ ଉପଯୋଗ କରାଯାଇଛି। ଡିଆରଡିଓ ଏବଂ ବ୍ରହ୍ମୋସ ଏରୋସ୍ପେସ ଦ୍ୱାରା ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ୨୯୦ କିମି ରେଞ୍ଜରେ ଏହା ନିଜର ସମ୍ପୂର୍ଣ୍ଣ ଲକ୍ଷ୍ୟଭେଦ କ୍ଷମତା ହାସଲ କରିଥିଲା।

ସମ୍ପୂର୍ଣ୍ଣ ସ୍ୱଦେଶୀ ସରଞ୍ଜାମ ଉପଯୋଗ କରାଯାଇ ଏହି ଦୁର୍ଭେଦ୍ୟ କ୍ଷେପଣାସ୍ତ୍ର ବିକଶିତ ହୋଇଛି। ଫଳରେ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତା ଆହୁରି ସୁଦୃଢ଼ ହୋଇଛି। ଏହା ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ମେକ ଇନ ଇଣ୍ଡିଆ ଅଭିଯାନକୁ ମଧ୍ୟ ପ୍ରୋତ୍ସାହିତ କରିବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବ୍ରହ୍ମୋସର ସଫଳ ପରୀକ୍ଷଣ ଲାଗି ଡିଆରଡିଓ, ବ୍ରହ୍ମୋସ ଏବଂ ଏଥିରେ ଯୋଗଦାନ ଦେଇଥିବା ଉଦ୍ୟୋଗ ଟିମ୍କୁ ଅଭିନନ୍ଦନ ଜଣାଇଥିଲେ।

ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜୀ. ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ବ୍ରହ୍ମୋସ ମହାନିର୍ଦ୍ଦେଶକ ଡ. ସୁଧୀର କୁମାର ମିଶ୍ର, ଡିଆରଡିଏଲ ନିର୍ଦ୍ଦେଶକ ଡ. ଦଶରଥ ରାମ ଏବଂ ଆଇଟିଆର ନିର୍ଦ୍ଦେଶକ ଡ. ବିକେ ଦାସ ପରୀକ୍ଷଣ ସ୍ଥଳରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଅଭିଯାନରେ ସମନ୍ୱୟ ପ୍ରତିଷ୍ଠା କରିଥିଲେ। ଭାରତର ମେକ ଇନ ଇଣ୍ଡିଆ କ୍ଷମତା ବୃଦ୍ଧି ଦିଗରେ ଏହା ଏକ ଐତିହାସିକ ଉପଲବ୍ଧି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଭାରତ ଓ ରୁଷ ଦ୍ୱାରା ମିଳିତ ଭାବେ ବିକଶିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତୀୟ ସଶସ୍ତ୍ର ସେନାବାହିନୀର ସମସ୍ତ ତିନୋଟି ସେବାରେ ଉପଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.