ଭୁବନେଶ୍ୱର: ଗତ ୧୩ ତାରିଖରୁ ଆରମ୍ଭ ହୋଇ ପୁରୀଠାରେ ଚାଲିଥିବା ରାଜ୍ୟ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ବର୍ଗ ଗୁରୁବାର ସନ୍ଧ୍ୟାରେ ସମାପନ ଘଟିଛି। ଦୀର୍ଘ ୮ ବର୍ଷ ପରେ ରାଜ୍ୟ ବିଜେପିର ଏହି ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଥିଲା। ମନଇଚ୍ଛା ତଥା ଅବ୍ୟବସ୍ଥିତ ଢଙ୍ଗରେ ଚାଲି ଆସୁଥିବା ଓଡ଼ିଶା ବିଜେପିର ଏହି ପ୍ରଶିକ୍ଷଣ ବର୍ଗ ପ୍ରଥମରୁ ବ୍ୟବସ୍ଥିତ ଢଙ୍ଗରେ ଆରମ୍ଭ ହୋଇଥିଲା। ବାସ୍ତବିକ ସାଙ୍ଗଠନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ତଦାରଖରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା ପରି ଅନୁଭବ ହେଉଥିଲା। ପ୍ରଥମ ଦିନ ପ୍ରଥମ ସତ୍ର ଆରମ୍ଭ ବେଳକୁ ବିଳମ୍ବରେ ଆସି ପହଞ୍ଚିଥିବା ଅନେକ ତୁଙ୍ଗ ନେତାନେତ୍ରୀଙ୍କ ପାଇଁ କବାଟ ବନ୍ଦ୍ କରି ଦିଆଯାଇ ଥିଲା। ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଅନୁଶାସନର ପାଠ ପଢ଼ାଇବାକୁ ଯାଇ ବିଳମ୍ବରେ ପହଞ୍ଚିଥିବା ନେତାନେତ୍ରୀ ମାନଙ୍କୁ ଶିବିର ଭିତରକୁ ଯିବାକୁ ଅନୁମତି ଦେଇନଥିଲେ। ରାଜ୍ୟ ପଦପଦବୀରେ ଥିବା ତଥା ବିଭିନ୍ନ ପ୍ରଭାରୀ ଦାୟିତ୍ୱରେ ଥାଇ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ମାନଙ୍କୁ ଶୃଙ୍ଖଳାର ପାଠ ପଢ଼ାଉଥିବା ନେତାନେତ୍ରୀ ମାନଙ୍କର ବିଶୃଙ୍ଖଳିତ ଆଚରଣ ତଥା ସମାୟାନୁବର୍ତ୍ତିତା ଜ୍ଞାନର ଅଭାବ ପାଇଁ ସେମାନଙ୍କୁ ଅପଦସ୍ତ ହେବାକୁ ପଡ଼ିଥିଲା।
-/DevDrath