Home ଓଡ଼ିଶା ବିଜେପି କରିବ ସଦସ୍ୟତା ଅଭିଯାନ; ଅଣ୍ଟା ଭିଡ଼ିଲେଣି ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା:କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନ...

ବିଜେପି କରିବ ସଦସ୍ୟତା ଅଭିଯାନ; ଅଣ୍ଟା ଭିଡ଼ିଲେଣି ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା:କାର୍ଯ୍ୟକର୍ତ୍ତାଙ୍କ ପ୍ରଶ୍ନ କି’ ଆବଶ୍ୟକ?

206

ଭୁବନେଶ୍ୱର: ଜୁଲାଇ ୬ରୁ ବିଜେପି ଆରମ୍ଭ କରିବ ସଦସ୍ୟତା ଅଭିଯାନ।ଏହି ଅଭିଯାନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ।ସାଧାରଣ ଲୋକ ଅନଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିପାରିବେ।‘୮୯୮୦୮-୦୮୦୮୦’ନମ୍ବରରେ ମିସ୍ କଲ୍ ଦେଇ ସଦସ୍ୟତା ଗ୍ରହଣ କରିପାରିବେ।ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ ଜଣ ସଦସ୍ୟତା ନେଇପାରିବେ।

ସଦସ୍ୟତା ଅଭିଯାନକୁ ସଠିକ୍ ଭାବରେ କ୍ରିୟାନ୍ୱିତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସଦସ୍ୟତା ଅଭିଯାନକୁ ସର୍ବସ୍ପର୍ଶୀ ଏବଂ ସର୍ବସ୍ଥାନ ବ୍ୟାପୀ କରିବା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।ପ୍ରତି ୩ ବର୍ଷରେ ଥରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ହୋଇଥାଏ।ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।ରାଜ୍ୟରେ ଜାତି, ବର୍ଣ୍ଣ, ଅନୁସୂଚିତ ଜାତି/ଜନଜାତି, ମହିଳା, ଯୁବକ, ଛାତ୍ର, ଗରିବ, ମଧ୍ୟମ ବର୍ଗ ମଧ୍ୟରେ ସଦସ୍ୟତା ଅଭିଯାନକୁ କୌଣସି ଭେଦଭାବ ନରଖି ତୀବ୍ର କରାଯିବା ଉପରେ ଗୁରୁତ୍ୱ ଦିଆଯିବ।ସେହିପରି ପ୍ରଥମ ଥର ମତଦାତା ହୋଇଥିବା ବା ହେବାକୁ ଥିବା ଯୁବକ ଓ ଯୁବତୀମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଦଳର ସଦସ୍ୟ ଭାବେ ସାମିଲ କରାଯିବ।ସରକାରୀ ଯୋଜନାର ଲାଭାର୍ଥୀ, ସ୍କୁଲ, କଲେଜ, ଛାତ୍ରାବାସ, ସହିଦଙ୍କ ପରିବାର ଏବଂ ବସ୍ତିରେ ବାସ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ସଦସ୍ୟ କରିବା ପାଇଁ ପ୍ରାଥମିକତା ଦିଆଯିବ।ସଦସ୍ୟତା ଅଭିଯାନକୁ ମଲ୍, ହାଟ ବଜାର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ତଥା ଅନ୍ୟାନ୍ୟ ଜନ ଏକତ୍ରିକରଣ ସ୍ଥାନରେ କରାଯିବା ସହ ଛୋଟ ସଭା, ଡ୍ରାମା ଏବଂ ଛତା ଲଗାଇ ସାଧାରଣ ଜନତାଙ୍କୁ ମିସ୍ କଲ୍ ଦେବାପାଇଁ କୁହାଯିବ ବୋଲି ଯୋଜନା କରାଯାଇଛି।

ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ଓ ରାଷ୍ଟ୍ରୀୟ ସଦସ୍ୟତା ସହ ପ୍ରଭାରୀ ସାଂସଦ ସୁରେଶ ପୂଜାରୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଜୁଏଲ ଓରାମ, ଗିରିଧର ଗମାଙ୍ଗ, କନକବର୍ଦ୍ଧନ ସିଂହଦେଓ, ବିଜୟ ମହାପାତ୍ର, ମନମୋହନ ସାମଲ, ଡା.ଦାମୋଦର ରାଉତ, ସୁରମା ପାଢୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି,ସଦସ୍ୟତା ଅଭିଯାନ ରାଜ୍ୟ ପ୍ରଭାରୀ ଅନନ୍ତ ନାୟକ, ସହପ୍ରଭାରୀ ଶାରଦା ଶତପଥୀ, ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ, ସମସ୍ତ ବିଧାୟକ ଓ ବିଧାୟକ ପ୍ରାର୍ଥୀ, ସମସ୍ତ ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସଦସ୍ୟତା ଅଭିଯାନ ପାଇଁ ମଧ୍ୟ ଅଣ୍ଟା ଭିଡ଼ି ଦେଇଛନ୍ତି ଦଳର ଦୁଇ ଛାମୁଆ ସଙ୍ଗଠନ ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା।ଏ ଭିତରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପାନ୍ଥ ନିବାସଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ତଥା ବନ୍ଧୁ ମିଳନ ହୋଇଯାଇଛି।ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱ ରଞ୍ଜନ ବଡ଼ଜେନା ପ୍ରମୁଖ ଉପସ୍ଥିତ ରହି ସଦସ୍ୟତା ଅଭିଯାନ ବ୍ୟାପକ କରାଇବାକୁ ଯୁବ ମୋର୍ଚ୍ଚାକୁ ଆହ୍ୱାନ କରିଛନ୍ତି।

ସେହିପରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ସଦସ୍ୟତା ଅଭିଯାନ ପାଇଁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସଦସ୍ୟତା ଅଭିଯାନ ରାଜ୍ୟ ପ୍ରଭାରୀ ଅନନ୍ତ ନାୟକ,ସହ ପ୍ରଭାରୀ ସାରଦା ପ୍ରସନ୍ନ ଶତପଥୀ, ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସୁକେସି ଓରାମ,ଶୋଭନା ମହାନ୍ତି ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ସମେତ ପ୍ରତିଭା ଶତପଥି, କାନନବାଳା ପଟ୍ଟନାୟକ, ସ୍ମୃତି ପଟ୍ଟନାୟକ, ବବିତା ପାତ୍ର, ନିୟତି ଗିରୀ, ସୁଷମା ବିଶ୍ୱାଳ, ରଶ୍ମିରେଖା ଦାସ, କଳ୍ପନା ଲେଙ୍କା, ଜୟନ୍ତୀ ପତିୟାରୀ ଆଦି ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାନେତ୍ରୀ ଏବଂ ବିଧାନସଭାର ପ୍ରଭାରୀମାନେ ଉପସ୍ଥିତ ଥିଲେ।

ତେବେ ବିଜେପିର ଏହି ସଦସ୍ୟତା ଅଭିଯାନକୁ ନେଇ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ସମାଲୋଚନା ମୂଳକ ମନ୍ତବ୍ୟ ଆସୁଛି।ସଦସ୍ୟତା ଅଭିଯାନକୁ ନେଇ ସୋସିଆଲ ମିଡିଆ ପୋଷ୍ଟ ଉପରେ ଏହିପରି କିଛି ମନ୍ତବ୍ୟ ଦେଖିବାକୁ ମିଳୁଛି।ହିମାଂଶୁ ପ୍ରସାଦ ଦାସ ନାମକ ଜଣେ ଲେଖିଛନ୍ତି, “ଓଡ଼ିଶା ବିଜେପିରେ ଏ’ ସଦସ୍ୟତା ଅଭିଯାନ କ’ଣ ପାଇଁ? ବର୍ଷ ବର୍ଷ ଧରି ବିଜେପି ପାଇଁ କାମ କରୁଥିବା ଓ ନିଜ ଅଞ୍ଚଳରେ ବିଜେପିକୁ ପରିଚିତ କରାଇଥିବା, କର୍ମୀମାନଙ୍କୁ ବିଶ୍ୱାସକୁ ନ’ନେଇ (ବାହାର) ଅନ୍ୟ ଦଳରୁ ନିଜର ସ୍ବାର୍ଥ ପାଇଁ ଆସିଥିବା ତଥାକଥିତ ନେତା ମାନଙ୍କୁ ଫୁଲମାଳ ଦେଇ ଦାୟିତ୍ଵ ଦିଆଯାଉଛି, ବିଚରା ପୁରୁଣା ବିଜେପି କର୍ମୀ ନିଜ ଦଳରୁ ଗୁରୁତ୍ଵ ହରେଇ ଚୁପ୍ ହୋଇ ବସି ଯାଉଛି।ବିଜେପି କର୍ମୀର ପରିଚୟ ଥିବାରୁ ସରକାରରୁ/ ବିଜେଡି ରୁ ମିଳୁଥିବା କୌଣସି ଯୋଜନାରେ ସାମିଲ ହୋଇ ପାରୁନାହିଁ, ତାର ପରିଣାମ ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳ।ଓଡ଼ିଶାରେ ବିଜେପି ଅନ୍ୟ ଦଳଠାରୁ ନିଜର କର୍ମୀମାନଙ୍କୁ କିପରି ଗୁରୁତ୍ବ ଦିଆଯାଏ ଶିକ୍ଷା କରୁ”।

ଏହାକୁ ସମର୍ଥନ କରି ଆଉ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଅରବିନ୍ଦ ନାୟକ ଲେଖିଛନ୍ତି, “ସମ୍ପୂର୍ଣ୍ଣ ଠିକ,ଉଦାହରଣ ସ୍ୱରୂପ ଭୁବନେଶ୍ୱର ଲୋକସଭାର ସାଂସଦଙ୍କ ପ୍ରତିନିଧି (ଜଟଣୀ ପାଇଁ) ବିଜେଡିର ନାମକରା ନେତା ରବିନାରାୟଣ(ରଘୁ) ସ୍ବାଇଁ।ତେବେ ବିଜେପିର ସମସ୍ତ କର୍ମୀ କଣ ଅଯୋଗ୍ୟ।ତେଣୁ ସଦସ୍ୟତା ଅନାବଶ୍ୟକ।”

ତେବେ ସୂତ୍ରରୁ ଯାହା ଜଣାପଡ଼ୁଛି, ଏପରି ପୁଣି କିଛି ଘଟିବାକୁ ଯାଉଛି।ରାଜ୍ୟ ସଭାପତି ଚୟନ ପୂର୍ବରୁ ଜିଲ୍ଲା, ବୁଥ, ବ୍ଲକ ସଭାପତି ଆଦି ଚୟନ ହେବେ।ତା’ ପୂର୍ବରୁ ସଦସ୍ୟତା ଅଭିଯାନ।ଏହି ଆଳରେ ରାଜ୍ୟ ସଭାପତି ପଦବୀରେ ନିଜ ଆନୁଗତ୍ୟଙ୍କୁ ବସାଇବା ଯୋଜନାରେ ପୂର୍ବରୁ ଜିଲ୍ଲା ଏବଂ ଜୋନ୍ ଆଦି ସଭାପତି ନିଜ କଣ୍ଟ୍ରୋଲରେ ରଖାଇ ଦିଆଯିବ।ଏହାପରେ ସଭାପତି ପଦବୀରେ ନିଜ ଆନୁଗତ୍ୟଙ୍କୁ ବସାଇ ପରେ ରାଜ୍ୟ ଟିମ୍ ଏବଂ ବିଭିନ୍ନ ମୋର୍ଚ୍ଚା ମଧ୍ୟ ନିଜ ମନ ମୁତାବକରେ ଗଢ଼ାଯିବ।//ଦେବଦତ୍ତ ରଥ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ଝିଅଙ୍କ ସେଲ୍ଫିକୁ ନେଇ କମେଣ୍ଡ:ଜବାବ ଦେଲେ ମା’ ସ୍ମୃତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.