Home ଓଡ଼ିଶା ଓଡ଼ିଶା ବଜେଟ୍ ୨୦୧୯-୨୦ କୃଷି ଓ ବେକାରୀ ସମସ୍ୟା ସମାଧାନରେ ସମର୍ଥ ନୁହେଁ : ସମାଜବାଦୀ...

ଓଡ଼ିଶା ବଜେଟ୍ ୨୦୧୯-୨୦ କୃଷି ଓ ବେକାରୀ ସମସ୍ୟା ସମାଧାନରେ ସମର୍ଥ ନୁହେଁ : ସମାଜବାଦୀ ପାର୍ଟି

163

ଭୁବନେଶ୍ୱର, ୨୮ା୦୬ (ଓଡ଼ିଆ ପୁଅ) : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ୨୦୧୯-୨୦ ମସିହା ପାଇଁ ବିଧାନସଭାରେ ୧ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରାଯାଇଛି। ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ୨୦ ହଜାର କୋଟି ଟଙ୍କାର କୃଷି ବଜେଟ୍ ଉପସ୍ଥାପନ କରିଥିଲେ ସୁଦ୍ଧା ଏହା କୃଷକମାନଙ୍କର ଦୈନନ୍ଦିନ ସମସ୍ୟା ସମାଧାନରେ ସମର୍ଥ ହେବନାହିଁ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ତାଙ୍କ ବଜେଟ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଜି ବି ରାଜ୍ୟର ଚାଷୀମାନେ ଚାଷକାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ବିହନ ପାଇପାରୁନାହାଁନ୍ତି। ସାରର କୃତ୍ରିମ ଅଭାବ ଏବଂ ଜଳସେଚନ ସମସ୍ୟା ଚାଷୀଙ୍କ ପାଇଁ ପରିବର୍ତ୍ତିତ ପାଗ ପରିପ୍ରେକ୍ଷୀରେ ମୁଣ୍ଡବିନ୍ଧାର କାରଣ ହୋଇରହିଛି। ଓଡ଼ିଶା ତା’ର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ପଡ଼ୋଶୀ ରାଜ୍ୟମାନଙ୍କ ଉପରେ ନିର୍ଭରଶୀଳ। ପଶ୍ଚିମବଙ୍ଗରୁ ଆଳୁ, ମହାରାଷ୍ଟ୍ର, କର୍ଣ୍ଣାଟକରୁ ପିଆଜ, ଆନ୍ଧ୍ରପ୍ରଦେଶରୁ ମାଛ, ଅଣ୍ଡା, କଦଳୀ ପ୍ରଭୃତି ନ ଆସିଲେ ଓଡ଼ିଶା ବାସୀ ଖାଇବାକୁ ପାଇବେ ନାହିଁ। ଆଧୁନିକ ଚାଷ ପ୍ରଣାଳୀ ଉପରେ ଏବଂ କୃଷିବୀମା ଉପରେ ଏହି ବଜେଟ୍ ଗୁରୁତ୍ୱ ଦେବାରେ ଅସମର୍ଥ। ଆତ୍ମହତ୍ୟା କରୁଥିବା ସମସ୍ୟା ଜର୍ଜରିତ ଚାଷୀମାନଙ୍କୁ ସାମୟିକ ଆଶ୍ୱସ୍ତି ଦେବାପାଇଁ କୃଷି ଋଣ ଛାଡ଼ କରିବା ପାଇଁ ବିଭିନ୍ନ ଶ୍ରେଣୀରୁ ଦାବି ଉଠୁଥିଲେ ସୁଦ୍ଧା ବଜେଟ୍ରେ ସେଭଳି କୌଣସି ପଦକ୍ଷେପ ନିଆଯାଇନାହିଁ କିମ୍ବା ଅର୍ଥ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ, ଯାହାକି ଚାଷୀମାନଙ୍କୁ ନିରାଶ କରିଛି। ସେହିଭଳି ରାଜ୍ୟ ସରକାର ବିକାଶ ହାର ୮.୪ ଦର୍ଶାଇଥିଲେ ମଧ୍ୟ ବେକାରୀ ଜାତୀୟ ହାରଠାରୁ ବହୁ ଅଧିକ ରହିଛି। ଜାତୀୟ ସ୍ତରରେ ବେକାରୀ ୪୫ ବର୍ଷରେ ୬.୧ ସର୍ବୋଚ୍ଚ ସ୍ତରରେ ଥିଲାବେଳେ ଓଡ଼ିଶାରେ ବେକାରୀ ହାର ୭.୧। କାମଧନ୍ଦା ନପାଇ ଓଡ଼ିଶାର ବେକାର ଯୁବକ ଯୁବତୀମାନେ ସୁରଟ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, କେରଳ, ମୁମ୍ବାଇ, ଦିଲ୍ଲୀ, ନୋଇଡ଼ା, ଗୁରୁଗାଁ ଓ ପଞ୍ଜାବ ପ୍ରଭୃତି ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବରେ କାମ କରୁଛନ୍ତି। ଏହି ବଜେଟ୍ ବେକାରୀ ଦୂରକରିବାରେ ମଧ୍ୟ ସମର୍ଥ ହେବନାହିଁ। ତେଣୁ ଦେଖିବାକୁ ଗଲେ ସର୍ବତୋ ଭାବରେ ଆଜି ବିଧାନସଭାରେ ଆଗତ କରାଯାଇଥିବା ୨୦୧୯-୨୦ ବଜେଟ୍ ରାଜ୍ୟର ବନ୍ୟା, ବାତ୍ୟା, ମରୁଡ଼ି ପ୍ରପୀଡିତ କୃଷି କ୍ଷେତ୍ରର ସମସ୍ୟା ସମାଧାନ କରିବାରେ ଅସମର୍ଥ ଏବଂ ବେକାରୀ ଦୂର କରିବାରେ ଏଥିରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ରାଜ୍ୟର ଭାଙ୍ଗିପଡ଼ିଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପୁର୍ନରୁଦ୍ଧାର ପାଇଁ ମଧ୍ୟ ଏହି ବଜେଟ୍ରେ ଗୁରୁତ୍ୱ ଦିଆଯାଇନାହିଁ। ତେଣୁ ବଜେଟ୍ ଦିଶାହୀନ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.