Home ଓଡ଼ିଶା ଅରୂପ ଏବଂ ଅପରାଜିତା: କାହାର କେତେ ଦମ୍? ରୂପ ଦେଖାଇବାରେ ବିଳମ୍ବ ଅରୂପ; ଛାଇ ଗଲେଣି...

ଅରୂପ ଏବଂ ଅପରାଜିତା: କାହାର କେତେ ଦମ୍? ରୂପ ଦେଖାଇବାରେ ବିଳମ୍ବ ଅରୂପ; ଛାଇ ଗଲେଣି ଅପରାଜିତା!

2485

ଭୁବନେଶ୍ୱର:ଭୁବନେଶ୍ୱର ଆସନରେ ନିର୍ବାଚନ ଆଉ ହାତ ଗଣତି କିଛି ଦିନ ରହିଲା।ବିଜେଡିରୁ ଅରୂପ ପଟ୍ଟନାୟକ, ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ/ବାମ ମେଣ୍ଟ ପାର୍ଥି ଜନାର୍ଦ୍ଦନ ପତି ଏଠି ମୈଦାନରେ।ଗତ ଥର ଏଠୁ ବିଜେଡି ଜିତିଥିଲା।ପାର୍ଥି ଥିଲେ ପ୍ରସନ୍ନ ପାଟ୍ଟଶାଣୀ।ପ୍ରସନ୍ନ ପାଟ୍ଟଶାଣୀ ୪୯.୨୯% ପ୍ରତିଶତ ହାରରେ ୪,୩୯,୨୫୨ ଭୋଟ ପାଇ ନିର୍ବାଚନ ଜିତିଥିଲେ।ପାଖାପାଖି ଅଧା ଭୋଟ।ବାକି ସବୁ ଦଳ ମିଶି ପାଇଥିଲେ ବାକି ଅଧକ।ବିଜେପି ପାର୍ଥି ପୃଥ୍ବୀରାଜ୍ ହରିଚନ୍ଦନ ୨୮.୦୦ % ହାରରେ ୨,୪୯,୭୭୫ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ।ଏବଂ କଂଗ୍ରେସ ପାର୍ଥି ବିଜୟ ମହାନ୍ତି ୧୬.୩୪ % ହାରରେ ୧,୪୫,୭୮୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ନିର୍ବାଚନ ମଣ୍ଡଳୀ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର, ଜଟଣୀ, ବେଗୁନିଆ ଏବଂ ଖୋର୍ଦ୍ଧା ସବୁ ସ୍ଥାନରେ ବିଜେଡି ବାଜିମାତ କରିଥିଲା।

ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇ ଆସିଛି:ଅପରାଜିତା

ଆରମ୍ଭରୁ ଆକ୍ସନ ମୁଡରେ ଅପରାଜିତା!କାର୍ଯ୍ୟକର୍ତ୍ତା ଉତ୍ସାହିତ

ଏବେ କିନ୍ତୁ ସ୍ଥିତିରେ ଅନେକ୍ ପରିବର୍ତ୍ତନ।ଗତ ଥରର ବିଜେପିର ଜଣେ ଦୁର୍ବଳ ପାର୍ଥି ପୃଥ୍ବୀରାଜ ହରିଚନ୍ଦନ ପ୍ରତିଦ୍ବନ୍ଦିତା କରିଥିବା ବେଳେ ଏଥର କିନ୍ତୁ ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ପାର୍ଥି।ଆସୁ ଆସୁ ସେ ଆକ୍ସନ ମୁଡରେ।ଅହରହ ବୁଲୁଛନ୍ତି ନିର୍ବାଚନୀ କ୍ଷେତ୍ର।ପଦଯାତ୍ରା, ସଭା ସମିତି, ଜନ ସଂପର୍କ ଯାତ୍ରା ଆଦି ବିଭିନ୍ନ ମାଧ୍ୟମରେ ସେ ପ୍ରତ୍ୟହ ଲୋକଙ୍କ ପାଖକୁ ଯାଉଛନ୍ତି, ଲୋକଙ୍କ ସହ ମିଶୁଛନ୍ତି।ରାଜ୍ୟ ରାଜନୀତି ଉପରେ କିମ୍ବା ନବୀନ ପଟ୍ଟନାୟକଙ୍କ ବିରୋଧରେ କେବଳ ଭାଷଣ ବାଜୀ ନ’କରି ସେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ କିପରି ନିଜେ ବା ବିଜେପି ଜିତିବ, ସେଥିରେ ଲାଗି ପଡ଼ିଛନ୍ତି।ଦୀର୍ଘ ଦିନ ପରେ ଜଣେ ଦକ୍ଷ ଏବଂ ପପୁଲାର ପାର୍ଥି ପାଇ ବିଜେପି କର୍ମୀମାନେ ମଧ୍ୟ ଉତ୍ସାହିତ।କିନ୍ତୁ, ତୃଣମୂଳ ସଙ୍ଗଠନ ସ୍ତରର ଅନେକ୍ ଅସନ୍ତୁଷ୍ଟ।ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଅଧିକାଂଶ ସ୍ଥାନରେ ପାର୍ଥି ଚୟନକୁ ନେଇ ପ୍ରବଳ ଅସନ୍ତୋଷ ରହିଛି।କିନ୍ତୁ ସେହି ଅସନ୍ତୋଷକୁ ଭେଦ କରି ଅପରାଜିତା ତାଙ୍କ କାମ କରି ଚାଲିଛନ୍ତି।ମୋଦୀ ଏବଂ ଅପରାଜିତାଙ୍କ ସୁଅରେ ନିଜକୁ ସାମିଲ କରାଇ ଏହି ସବୁ ବିଧାୟକ ପାର୍ଥିମାନେ ଫାଇଦା ପାଇଯିବା ପାଇଁ ଲାଗି ପଡ଼ିଛନ୍ତି।ଅପରାଜିତା ଏକ ନାଆର ନାବିକ ପରି ନିଜ ସମେତ ଏ’ ସମସ୍ତଙ୍କୁ କୂଳ ପାର କରାଇଦେବାକୁ ବୋଧେ ଲାଗି ପଡ଼ିଛନ୍ତି।

କିନ୍ତୁ ଅରୂପ ପଟ୍ଟନାୟକଙ୍କ କଥା ଭିନ୍ନ।ରୂପ ଦେଖାଇବାରେ ବିଳମ୍ବ କରିଛନ୍ତି ଅରୂପ।ଭୁବନେଶ୍ୱରରୁ ବାହାରକୁ ବାହାରୁନଥିବା ଅରୂପ ଏବେ ଜଟଣୀ, ଖୋର୍ଦ୍ଧାରେ ବୁଲୁଛନ୍ତି।ବିଜେଡିର ଏଠି ସବୁ ଦକ୍ଷ ପାର୍ଥି।କିନ୍ତୁ ଏମିତିରେ ଏଠି ବିଜେଡିର ପାର୍ଥି ଘୋଷଣା ବହୁ ବିଳମ୍ବ ହେଲା।ସାଂସଦ ପାର୍ଥି ସମେତ ଏଠାକାର ଅଧିକାଂଶ ବିଧାନସଭା ପାଇଁ ଶେଷ ସମୟରେ ପାର୍ଥି ଘୋଷଣା ଏବଂ ଖୋର୍ଦ୍ଧା, ବେଗୁନିଆରେ ପାର୍ଥି ପରିବର୍ତ୍ତନ ବିଜେଡି ଉପରେ ନକରାତ୍ମକ ପ୍ରଭାବ ପକାଇଥିବା ବେଳେ ଖୋର୍ଦ୍ଧା ପାର୍ଥି ଜିତୁ ମିତ୍ର ଏବଂ ବେଗୁନିଆ ପାର୍ଥି ରାଜା ସାହୁଙ୍କ ଭିତରେ ହିସାବ ଛିଣ୍ଡୁ ଛିଣ୍ଡୁ ବିଳମ୍ବ ହେଇଗଲା।ପ୍ରଭାବ କର୍ମୀଙ୍କ ଉପରେ ପଡ଼ି ସେମାନେ ଦୀର୍ଘଦିନ ନିରବ ହୋଇ ବସିଗଲେ।ଏବେ ହିସାବ ତୁଟିଲା।କର୍ମୀ ଏବେ ହେଉଛନ୍ତି ସକ୍ରିୟ।କିନ୍ତୁ,ସମୟ ବହୁତ କମ୍।ଏଠି ବିଜେଡିର ସବୁ ବିଧାୟକ ପାର୍ଥି ପ୍ରଭାବୀ, ସଙ୍ଗଠନ କାର୍ଯ୍ୟକର୍ତ୍ତା, କର୍ମୀ ମଧ୍ୟ ଦକ୍ଷ।ସାଙ୍ଗରେ ପୁଣି ବିଜୁ ଯୁବା ବାହିନୀ।କିନ୍ତୁ, ରୂପ ଦେଖାଇବାରେ ବହୁ ବିଳମ୍ବ କରିଦେଇଛନ୍ତି ଅରୂପ।ଯାହାକୁ ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ରହିଛି।ପ୍ରସନ୍ନ ପାଟ୍ଟଶାଣୀ ଘରେ ବସି ଭୋଟ ପାଇଲା ପରି ସ୍ଥିତି ଏବେ ନାହିଁ।ମୋଦୀ ଲହର ଅଛି।ଏଣେ, ଅପରାଜିତାଙ୍କ ସକ୍ରିୟତା ଦେଖି ବିବ୍ରତ ହେଉଛନ୍ତି ବିଜେଡି କର୍ମୀ।ଯଦି ଅରୂପ ପ୍ରଥମରୁ ସକ୍ରିୟ ଥାଆନ୍ତେ, ତେବେ କର୍ମୀ ମଧ୍ୟ ଏକଜୁଟ ହୋଇ ଆଉ ଅନେକ କିଛି ଅଧିକ କରି ପାରି ଥାଆନ୍ତେ।କିନ୍ତୁ କେଉଁ କାରଣରୁ କେଜାଣି ଅରୂପ ସକ୍ରିୟ ହେବାରେ ଏତେ ବିଳମ୍ବ କରିଛନ୍ତି?ତେଣେ ଅପରାଜିତା ନିଜ ବିଧାୟକ ପାର୍ଥି ମାନଙ୍କୁ ସବାରୀରେ ବୋହି ନେଇ ଚାଲିବା ଯୋଜନାରେ ଥିଲା ବେଳେ, ଅରୂପ କିନ୍ତୁ ବୋଧେ (ବାବା ପ୍ରସନ୍ନଙ୍କ ପରି) ନିଜ ବିଧାୟକ ପାର୍ଥି ମାନଙ୍କ ସବାରୀରେ ବୁହାହୋଇ ପାରହେବା ଯୋଜନାରେ ଥିଲାପରି ଲାଗୁଛନ୍ତି।

ଏହା ସହିତ ଆଉ ଏକ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେବାର ଅଛି।ଏଠାରେ କଂଗ୍ରେସ ଭୋଟର ମଧ୍ୟ ଏକ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ରହିଛି।କଂଗ୍ରେସ/ବାମ ମେଣ୍ଟ ନୀତିରେ ଭୁବନେଶ୍ୱର ସଂସଦୀୟ ଆସନ ବାମଦଳ ଭାଗରେ ପଡ଼ିଛି। ଜନାର୍ଦ୍ଦନ ପତି ଏଠାରୁ ପାର୍ଥି ହୋଇଛନ୍ତି। ବାମପନ୍ଥୀ ସିନା ଏ’ ନେଇ ଭାରି ଉତ୍ସାହିତ ଅଛନ୍ତି। କିନ୍ତୁ, ଭୁବନେଶ୍ୱର ଭଳି ଓଡ଼ିଶାର ସବୁଠାରୁ ପ୍ରମୁଖ ଆସନ ବାମଦଳକୁ ଛାଡ଼ିଦେବା ସହଜରେ ଗ୍ରହଣ କରି ପାରୁନାହାଁନ୍ତି କଂଗ୍ରେସ କର୍ମୀ। ତେଣୁ ଅନେକ୍ କଂଗ୍ରେସ ଭୋଟ ବିଜେପି ଏବଂ ବିଜେଡିକୁ ଯିବା ଥୟ।ତେବେ, ସେଥିରୁ ବିଜେଡି କେତେ ଫାଇଦା ନେଇ ପାରିବ ଏବଂ ବିଜେପି କେତେ?ତାହା ସେମାନଙ୍କ ରଣନୀତି ଉପରେ ନିର୍ଭର କରୁଛି।//ଦେବଦତ୍ତ

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.