Home ଓଡ଼ିଶା ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇ ଆସିଛି:ଅପରାଜିତା

ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇ ଆସିଛି:ଅପରାଜିତା

960

★ବିକାଶ ଏବଂ ପ୍ରଗତି ଏଠି ପଥଚ୍ୟୁତ ହୋଇ ଯାଇଛି
★ପରିବର୍ତ୍ତନର ସମୟ ଆସି ଯାଇଛି
★ଓଡ଼ିଶାରେ କେବଳ ବିଜେପି ହିଁ ଶାସନିକ ବିକଳ୍ପ ଦେଇ ପାରିବ
ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ବିଜେପିରେ ସାମିଲ ହେବା ପରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଥିଲେ,ଓଡ଼ିଶାରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ।ଅନେକ ଯୋଗ୍ୟ,ପ୍ରଭାବୀ ବ୍ୟକ୍ତି ଏବେ ବିଜେପିକୁ ଆସୁଛନ୍ତି।ସେଇଭଳିଆ,ଏବେ ଟିକେ ଡେରି ହେଲା କାରଣ ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ମାନ୍ୟବରଙ୍କ ଦପ୍ତରରେ ଦୁଇ ମାସ କାଳ ପଡ଼ିରହିଲା।କାହାକୁ ଡରୁଥିଲେ ମାନ୍ୟବର?କୋଉ ଗୁମର କଥା ଫିଟିବ ବୋଲି ଡରୁଥିଲେ?

କିନ୍ତୁ,ଅପରାଜିତା ଯେ ଟିକେ ଭିନ୍ନ ଏବଂ ସେ କେବଳ ସେହି ଗୁମର ଖୋଲିବାକୁ ଯେ ଆସି ନଥିଲା ପରି ଜଣାପଡ଼ି ଯାଉଛନ୍ତି।ବକ୍ତବ୍ୟ ଆରମ୍ଭରୁ ସେ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିବା ସହ ସାମ୍ନାରେ ବସିଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କର ସ୍ନେହ ସଦିଛା କାମନା କରି ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ପ୍ରଣାମ ଜଣାଇଥିଲେ।ସେ କହିଥିଲେ ଦିଲ୍ଲୀରୁ ଫେରି ଆସିଛି ନିଜ ଘରକୁ,ଆଉ ଘରକୁ ଛାଡ଼ି କୁଆଡ଼େ ଯିବାର ନାହିଁ।ମୁଁ ଓଡ଼ିଶାର ବୋହୁ ହିସାବରେ ନିଜର କର୍ମଭୂମିକୁ ଜନ୍ମଭୂମି କରିଦେଇଛି।ପାଖାପାଖି ୨୫ ବର୍ଷ ହେଲା ଜନ ସାଧାରଙ୍କର ଅସୀମ ସ୍ନେହ,ଶ୍ରଦ୍ଧା ପାଇଛି।ଏବେ ନିଜକୁ ସଂକଳ୍ପ ବଦ୍ଧ କରିଛି,ଓଡ଼ିଶାବାସୀଙ୍କ ଗହଣରେ ଓଡ଼ିଶାର ଲୋକଙ୍କ ପାଇଁ ଓଡ଼ିଶା ରାଜ୍ୟକୁ ପ୍ରଗତି ପଥରେ ଆଗକୁ ନେଇ ଯିବା ପାଇଁ ନିଜର ଜୀବନକୁ ସମର୍ପିତ କରିବି।

ସେ କହିଥିଲେ ଯେ ମୁଁ ବିଜେପିର ଜଣେ ସାଧାରଣ କର୍ମୀ ଭାବରେ ଠିଆ ହୋଇଛି।ବିଜେପିର ବିଚାରଧାରା,ମୂଲ୍ୟବୋଧ,ରାଷ୍ଟ୍ର ଗଠନ,ରାଷ୍ଟ୍ର ନିର୍ମାଣ ଉପରେ ପର୍ଯ୍ୟବେସିତ।ଏହି ସମୟରେ ବୋଧହୁଏ ସେ ପଢ଼ିଥିବା ସେହି ୩ଟି ବହିରୁ ଦିନ ଦୟାଲ ଉପାଧ୍ୟାୟ, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ କଥା କହିଥିଲେ।୫ ବର୍ଷ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରିବା ସମୟରେ ମୋଦୀଙ୍କ କାର୍ଯ୍ୟଶୈଳୀ ମତେ ଗଭୀର ଭାବରେ ଅନୁପ୍ରାଣିତ କରିଛି।୨୫ ବର୍ଷ କାଳ ଓଡ଼ିଶାର ରାଜନୀତିକୁ ଦେଖିଥିବା ହିସାବରେ କହୁଛି,ପରିବର୍ତ୍ତନର ସମୟ ଆସି ଯାଇଛି।ଓଡ଼ିଶାରେ କେବଳ ଭାରତୀୟ ଜନତା ପାର୍ଟି ହିଁ ଶାସନିକ ବିକଳ୍ପ ଦେଇ ପାରିବ।ପ୍ରାକୃତିକ ସମ୍ପଦ,ମାନବିକ ସଂସାଧନ,ପର୍ଯ୍ୟାପ୍ତ ଜଙ୍ଗଲ ଜମି ଥାଇ ଆଜି ଓଡ଼ିଶା ଗରିବ କାହିଁକି?୪୮୦ କିଲୋମିଟର ଦୀର୍ଘ ସାମୁଦ୍ରିକ ସୀମା ଓଡ଼ିଶାକୁ ଏକ ଅଗ୍ରଣୀ ରପ୍ତାନି ଭିତ୍ତିକ ରାଜ୍ୟ କରି ପାରିବ।ବିକାଶ ଏବଂ ପ୍ରଗତି ଏଠି ପଥଚ୍ୟୁତ ହୋଇ ଯାଇଛି।ଦାରିଦ୍ର୍ୟ, ଆଇନଶୃଙ୍ଖଳା,ଦୁର୍ନୀତି,ଭ୍ରଷ୍ଟାଚାର ଆଦି ବିଷୟରେ କହି ପାଖରେ ଏତେ ସଂସାଧନ ଥାଇ ଆମେ କାହିଁକି ଗରୀବ ହୋଇ ରହିବା ବୋଲି ଅପରାଜିତା ପ୍ରଶ୍ନ କରିଥିଲେ।ଡାଟା ଅଛି ଆଗାମୀ ଦିନରେ ବହୁ କଥା ଉଠିବ କହି ଅପରାଜିତା ଗୋଟେ ଉଦାହରଣ ଦେଇଥିଲେ।ସେ ମନରେଗା ଦାୟିତ୍ୱରେ ଥିବା ସମୟରେ ଓଡ଼ିଶାରୁ ଯେଉଁ ଚିଠି ଯାଇଥିଲା,ସେଥିରେ ରାଜ୍ୟରେ ୬୬%ଲୋକ ଗରିବ ଅଛନ୍ତି ବୋଲି ଉଲ୍ଲେଖ ଥିଲା।ନିଜ ଅଭିଜ୍ଞତାରୁ ପଡ଼ୋଶୀ ରାଜ୍ୟର ଉଦାହରଣ ଦେଇ କାହିଁକି ଆମେ ଗରିବ ରହିବା,ପଛୁଆ କାର୍ଡରେ ରହିବା,ଏହା ଆମ ଆତ୍ମସମ୍ମାନର ପ୍ରଶ୍ନ ବୋଲି ଅପରାଜିତା କହିଥିଲେ।ମୁଁ ରାଜନୀତିରେ ପ୍ରଥମ ଶ୍ରେଣୀର ବିଦ୍ୟାର୍ଥୀ,ମତେ ଆପଣ ମାନଙ୍କଠାରୁ ବହୁ କିଛି ଶିଖିବାର ଅଛି ବୋଲି ଅପରାଜିତା କହିଥିଲେ।ଗୋପବନ୍ଧୁଙ୍କ ବାଣୀ “ମିଶୁ ମୋର ଦେହ” କଥା କହିବା ସହ ପୁଣି ସେଇ ରଥ ଦଉଡ଼ି ଜଣଙ୍କ ଦ୍ୱାରା ନୁହେଁ,ସମସ୍ତଙ୍କ ଦ୍ୱାରା ଟଣାଯାଏ ବୋଲି କହି “ମୁଁ ନୁହେଁ,ଆମେ”ର ସନ୍ଦେଶ ଦେଇଥିଲେ।୧୧ ବର୍ଷର ଚାକିରୀ ଛାଡ଼ି ଆସିଛି ଓଡ଼ିଶା ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଉଦ୍ଦେଶ୍ୟରେ ବୋଲି ଅପରାଜିତା ଷଡ଼ଙ୍ଗୀ କହିଥିଲେ।ଅରାଜିତାଙ୍କ ଏହି ସମ୍ବୋଧନ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଏକ ନୂଆ ଆଶା,ବିଶ୍ୱାସ ଏବଂ ଉତ୍ସାହ ଭରି ଦେଇଛି।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ,ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.