Home Top News ଜଣେ କରୁଛି ବିଭାଜନ ପାଇଁ ଦାୟୀ, ଜଣେ ଦେଉଛି ସ୍ୱାଧୀନତା ପାଇଁ ଶ୍ରେୟ ..

ଜଣେ କରୁଛି ବିଭାଜନ ପାଇଁ ଦାୟୀ, ଜଣେ ଦେଉଛି ସ୍ୱାଧୀନତା ପାଇଁ ଶ୍ରେୟ ..

133

ଭୁବନେଶ୍ୱର: ଗାନ୍ଧୀ ଚାହୁଁଥିଲେ ଭାରତର ବିଭାଜନ ନହେଉ। କିନ୍ତୁ, ଜବାହରଲାଲ ନେହେରୁ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନା ଚାହୁଁଥିଲେ ବିଭାଜନ। ପୂର୍ବତଟ ରେଳ ପକ୍ଷରୁ ଭୁବନେଶ୍ୱର ରେଳଷ୍ଟେସନ ପରିସରରେ ଆୟୋଜିତ “ବିଭାଜନ ବିଭୀଷିକା ସ୍ମୃତି ଦିବସ” କାର୍ଯ୍ୟକ୍ରମରେ ଏପରି କିଛି କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭାରତ ବିଭାଜନ ଅତ୍ୟନ୍ତ ଦୁଃଖଦାୟକ। ଯାହା ଦେଶବାସୀ କେବେ ଭୁଲି ପାରିବେ ନାହିଁ। ଏଥିପାଇଁ ଦାୟୀ କିଏ? କ’ଣ ପାଇଁ ବିଭାଜନ ହୋଇଥିଲା। ଇତିହାସର ସତ୍ୟତାକୁ ସମସ୍ତେ ଜାଣିବା ଦରକାର। ମହମ୍ମଦ ଅଲ୍ଲୀ ଜିନ୍ନା ଏବଂ ଜବାହରଲାଲ ନେହେରୁ ଯଦି ଠିକ୍ ଭାବରେ କାର୍ଯ୍ୟ କରିଥାଆନ୍ତେ, ତେବେ ଭାରତ ବିଭାଜିତ ହୋଇନଥାନ୍ତା। ଅଖଣ୍ଡ ଭାରତ ହୋଇ ରହିଥାଆନ୍ତା। ଆଜିର ପାକିସ୍ତାନ ଏବଂ ଏବେର ବାଂଲାଦେଶ ଭାରତର ଅଭିଛେଦ୍ୟ ଅଙ୍ଗ ହୋଇ ରହିଥାଆନ୍ତା ବୋଲି ଅଗଷ୍ଟ ୧୪ ତାରିଖ ଦିନ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ପାଳନ ଅବସରରେ କହିଥିଲେ ଅପରାଜିତା।

ଅପରାଜିତା ଷଡ଼ଙ୍ଗୀ ଯାହା କହିଲେ, ବିଜେପିର ତଥା ତାର ମାତୃ ସଙ୍ଗଠନ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍)ର ମୂଳରୁ ସେହି ଚିନ୍ତଧାରା ରହିଆସିଛି। ଜାତୀୟ ସ୍ତରରେ ଅନେକ ବିଜେପି ନେତା ଏହି କଥା ପୂର୍ବରୁ ବାରମ୍ବାର କହି ଆସୁଛନ୍ତି। କିନ୍ତୁ, ଅଗଷ୍ଟ ୧୪ ତାରିଖରେ ବିଭାଜନ “ବିଭୀଷିକା ସ୍ମୃତି ଦିବସ” ପାଳନ ଅବସରରେ ଅପରାଜିତା ଏପରି କହିଥିବା ବେଳେ ଅଗଷ୍ଟ ୧୫ ତାରିଖରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସ୍ୱାଧୀନତା ଦିବସ ଶୁଭେଚ୍ଛା ଜଣାଇବା ଅବସରରେ ଯେଉଁ ପୋଷ୍ଟ କରିଛନ୍ତି, ସେଥିରେ ଗାନ୍ଧୀ, ସୁବାଷ ବୋଷ ଏବଂ ଭଗତ ସିଂ ଆଦିଙ୍କ ସମେତ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ଫଟୋ ମଧ୍ୟ ରହିଛି। ବିଭାଜନ ପାଇଁ ଓଡ଼ିଶା ବିଜେପିର ଜଣେ ନେତ୍ରୀ ନେହେରୁଙ୍କୁ ଦାୟୀ କରୁଥିବା ବେଳେ, ତେଣେ ସ୍ୱାଧୀନତା ପାଇଁ ଆଉ ଜଣେ ନେତ୍ରୀ ନେହେରୁଙ୍କୁ ଶ୍ରେୟ ଦେଉଛନ୍ତି। ଏପରି ଭିନ୍ନ ଭିନ୍ନ ଚିନ୍ତାଧାରା ଦେଖିଲେ ଲାଗୁଛି, ବାସ୍ତବରେ କେଉଁ ବିଚାରଧାରାରେ ଗଢ଼ା ଓଡ଼ିଶା ବିଜେପି?
-/ DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.